ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଜଗତସିଂହପୁର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟରେ ହୋଇଥିବା ବାଣ ବିସ୍ଫୋରଣ ଘଟଣାରେ ବ୍ୟକ୍ତିଗତ ହାଜର ହେବାକୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୨୭ରେ ନୂଆଦିଲ୍ଲୀ ଠାରେ ହାଜର ହେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି
ବିସ୍ଫୋରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ସବିଶେଷ ରିପୋର୍ଟ ଦେବାକୁ କହିଛନ୍ତି ।
ଦଳିତ ସଂଗଠନର ଜାତୀୟ ସଭାପତି ଅଶୋକ ମଲ୍ଲିକଙ୍କ ଦ୍ୱାରାଆଗତ ଏକ ପିଟିସନ୍କୁ ଆଧାର କରି କମିଶନ ଅଧ୍ୟକ୍ଷ ପନ୍ନା ଲାଲ ପୁନିଆ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବିଜେଡ଼ିର କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିଜୁ ଶ୍ରମିକ ସଂଗଠନ ଦ୍ୱାରାଗତ ନଭେମ୍ବର ୧୬ରେ ଆୟୋଜିତ ସମାବେଶକୁ ଯିବା ବେଳେ ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ
ହେବାସହ ଛଅ ଜଣ ଆହତ ହୋଇଥିବା ମଲ୍ଲିକ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।
“”୨୭ ତାରିଖରେ ଆମକୁ ମଧ୍ୟ ହାଜର ହେବାକୁ କମିଶନ କହିଛନ୍ତି” ମଲ୍ଲିକ ନୂଆଦିଲ୍ଲୀରୁ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।
ଏହି ଘଟଣାରେ ସଂପୃକ୍ତ ଶାସକ ଦଳର ଦୁଇ ବିଧାୟକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିବାରେ ବିଫଳ ହୋଇଛି ବୋଲି ସେ କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ମଲ୍ଲିକ କହିଛନ୍ତି ।
ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୋଲିସ ବିଧାୟକ ସାମନ୍ତରାୟ ଏବଂ ଅନ୍ୟ ମାନଙ୍କ ନାଁରେ ମାମଲା ରୁଜୁ କରିଛି, କୁଜଙ୍ଗ ଥାନା ଅଧିକାରୀ ଜି.ଭୋଇ କହିଛନ୍ତି ।
ଗତ ନଭେମ୍ବର ୧୬ରେ ପାରାଦୀପ ଠାରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତଏକ ସମାବେଶ
ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।
ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ବର୍ତମାନ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍