ବିଚାର

ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା ହେଉ (ବିଚାର)

ଅନୁଗୁଳସ୍ଥିତ ଆଇଆଇଟି ପରିସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହ ବିଷୟରେ ଗଭୀର ଭାବେ ଗବେଷଣାକରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ଏକ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ସେଥିପାଇଁ ଆଜି ଓଡିଶା ଗର୍ବିତ । ଏହାଦ୍ୱାରା ଆମର ବୀରତ୍ୱର କାହିଣୀ ଆମଦେଶର କୋଣେ ଅନୁକୋଣେ ପ୍ରସାରିତ ହେବା ସହିତ ସାରା ପୃଥିବୀକୁ ବ୍ୟାପିପାରିବ । ପାଇକ ବିଦ୍ରୋହ ୧୮୦୪ ମସିହାରୁ ଆରମ୍ଭ ହୋଇଥିଲା ଯାହାର ନେତୃତ୍ୱ ନେଇଥିଲେ ଜୟୀ ରାଜଗୁରୁ । ଦୀର୍ଘ ୨୧ ଦିନ ସମ୍ମୁଖ ଯୁଦ୍ଧ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଏହି ପାଇକ ବିଦ୍ରୋହ ଶେଷରେ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ଧରି ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ୨ଟି ବରଗଛର ବରଡାଳରେ ବାନ୍ଧି ତାଙ୍କୁ ଦୁଇ ଫାଳ କରି ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟାକରି ଫାସୀ ଦେଇଥିଲେ ।

ପରବର୍ତୀ ସମୟରେ ୧୮୧୭ ମସିହାରୁ ୨ୟ ପର୍ଯ୍ୟାୟ ପାଇକ ବିଦ୍ରୋହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଦୀର୍ଘ ଆଠ ବର୍ଷ ଧରି ଚାଲିଥିଲା । ଏହି ସବୁ ତଥ୍ୟ ୨୦୧୭ ମସିହା ଅକ୍ଟୋବର ୨୧ ଏବଂ ୨୨ତାରିଖରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ, ପ୍ରତ୍ନତତ୍ୱ ବିଭାଗୀୟ ଅଧିକାରୀ ଏବଂ ଦେଶ ତଥା ଦେଶ ବାହାରୁ ଆସିଥିବା ବହୁ ଖ୍ୟାତନାମା ଐତିହାସିକ ମାନଙ୍କ ଉପସ୍ଥିତିରେ ଦିଲ୍ଲୀରେ ଦୁଇ ଦିନ ଧରି ଚାଲିଥିବା ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ଷ୍ପଷ୍ଟ ମତ ଆସିଥିଲା, ଯାହା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା ।

ପରବର୍ତୀ ସମୟରେ ରାଜ୍ୟ ସରକାର ମଧ୍ୟ ୧୮୦୪ ମସିହାରୁ ଆରମ୍ଭ ହୋଇଥିବା ଏହି ପାଇକ ବିଦ୍ରୋହର ୧୮୦୬ରୁ ୧୮୧୭ ମସିହାର ଅନାଲୋଚିତ ବିଷୟ ସବୁକୁ ଉପସ୍ଥାପନ କରାଇବା ପାଇଁ ଏକ ରାଜ୍ୟସ୍ତରୀୟ ସେମିନାର୍ ରାଜ୍ୟ ପ୍ରତ୍ନତତ୍ୱ କାର୍ଯ୍ୟାଳୟରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଏବଂ ରାଜ୍ୟ ସଂସ୍କୃତି ସଚିବଙ୍କ ଉପସ୍ଥିତିରେ କରାଯାଇ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଯେତେବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ ବୋଲି କହି ବିବାଦ ଘେରକୁ ଆସିଥିଲେ, ସେତେବେଳେ ଆମ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହି ମନ୍ତ୍ରୀ ଡାକ୍ତର ରାଉତ ମହୋଦୟଙ୍କୁ ମବୀପଦରୁ ବହିସ୍କାର କରିଥିଲେ ।

୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଖୋର୍ଦ୍ଧାଠାରେ ହୋଇଯାଇଥିବା ରାଜ୍ୟସ୍ତରୀୟ ଜୟୀ ରାଜଗୁରୁ ବଳିଦାନ ଦିବସ ଅବସରରେ ଆମର ପ୍ରିୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଯୋଗ ଦେଇ ୧୮୦୪ ମସିହାରୁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ଏବଂ ଜୟୀ ରାଜଗୁରୁ ତାର ନେତୃତ୍ୱ ନେଇଥିଲେ ବୋଲି ଷ୍ପଷ୍ଟ ମତ ରଖିଥିଲେ ।

ଚଳିତ ବର୍ଷ ଡିସେମ୍ବର ୬ ତାରିଖରେ ମଧ୍ୟ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଖୋର୍ଦ୍ଧାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଳିଦାନ ଦିବସ ସମାରୋହରେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଇତିହାସରେ ଅଣଦେଖା କରାଯାଇଛି ଏବଂ ଏହା ଉପରେ ଉଚ୍ଚତର ଗବେଷଣା କରାଯାଇ ଇତିହାସ ପୁନର୍ଲିଖନ କରାଯାଉ ବୋଲି ଆହ୍ୱାନ ଦେଇଥିଲେ । ଏଥିରୁ ଷ୍ପଷ୍ଟ ଯେ ୧୮୦୪ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ଅମର ଶହୀଦ୍ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ହୋଇଥିଲା ।

ବର୍ତମାନ କେନ୍ଦ୍ର ସରକାର କିନ୍ତୁ ୧୮୧୭ରୁ ପାଇକ ବିଦ୍ରୋହ ଆରମ୍ଭ ବୋଲି କହି ଏହା ଉପରେ ଭଲ ଭାବରେ ଗବେଷଣା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିଛନ୍ତି । କିନ୍ତୁ ଜୟୀ ରାଜଗୁରୁଙ୍କ ତ୍ୟାଗ ସାରା ପୃଥିବୀରେ ବିରଳ ଥିବାବେଳେ ତାଙ୍କ ଉପରେ ବିଶେଷ ଭାବରେ ଗବେଷଣା କରିବା ପାଇଁ ଏକ ଚେୟାର ପ୍ରତିଷ୍ଠା କରିବା ଆଜିର ଆବଶ୍ୟକତା ।

ତାଙ୍କୁ ଇତିହାସରୁ ବିଲୀନ କରିବା ପାଇଁ କିଛି କୁଚକ୍ରାନ୍ତକାରୀ ଲୋକଙ୍କ ଦ୍ୱାରା ସରକାର ଭ୍ରମିତ ହେବା ଏକ ଦୁଃଖର ବିଷୟ । ଜୟୀ ରାଜଗୁରୁଙ୍କ ଭଳି ଏକ ଉଚ୍ଚସ୍ତରର ଐତିହାସିକ ବ୍ୟକ୍ତିତ୍ୱଙ୍କୁ ଇଂରେଜମାନେ ଇତିହାସରୁ ହଜାଇ ଦେବା ପାଇଁ ସକ୍ଷମ ହୋଇଥିବା ବେଳେ ଆଜିର ସରକାର ତାଙ୍କୁ ଲୋକଲୋଚନକୁ ଆଣିବା ପରିବର୍ତେ ଅବହେଳା କରି ଚାଲିଛନ୍ତି ।

ଏହା ଜୟୀ ରାଜଗୁରୁଙ୍କର ଅମର ଆତ୍ମା ପ୍ରତି ଘୋର ଅପମାନ । ଯେଉଁ ବୀର ଯୋଦ୍ଧା ନିଜର ରାଜ୍ୟ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଦେଶ ପାଇଁ ନିଷ୍ଠୁର ହତ୍ୟାର ଶିକାର ହୋଇ ପ୍ରାଣ ବଳି ଦେଇଥିଲେ, ଦେଶ ତାଙ୍କୁ ଭୁଲି ଯିବାକୁ ବସିଛି । ଏହାକୁ ଇତିହାସ ତ କେବେ କ୍ଷମା ଦେବନାହିଁ, ଆମର ପରବର୍ତ୍ତୀ ପୀଢି ଏହାର ପ୍ରକୃତ ତଥ୍ୟ ପାଇଲା ପରେ ବର୍ତମାନର ସରକାରଙ୍କୁ ନିଶ୍ଚୟ ଘୃଣା କରିବେ ।

ଏହି ପରିପ୍ରେକ୍ଷୀରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆଜି କେନ୍ଦ୍ର ସରକାରଙ୍କ ପାଖରେ ବିନମ୍ରତାର ସହ ନିବେଦନ କରୁଛି କି ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ୍ ଜୟୀ ରାଜଗୁରୁଙ୍କ ଉପରେ ଏକ ଉଚ୍ଚତର ଗବେଷଣା ପାଇଁ ଓଡିଶାର ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା କରିବା ପାଇଁ ପଦକ୍ଷପ ନିଅନ୍ତୁ ।

ଏହାଦ୍ୱାରା ଖୋର୍ଦ୍ଧା ପାଇକ ମାଟିର ମର୍ଯ୍ୟଦା ରକ୍ଷା ହେବା ସଙ୍ଗେ ସଙ୍ଗେ ପାଇକ ବିଦ୍ରୋହର ସମସ୍ତ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସି ପାରିବ ଏବଂ ଖୋର୍ଦ୍ଧାର ବୀରତ୍ୱ ସାରା ପୃଥିବୀରେ ଏକ ଶିହରଣ ସୃଷ୍ଟି କରିବ । ତତ୍ସହିତ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଅମର ଶହୀଦ୍ ଜୟୀ ରାଜଗୁରୁଙ୍କର ସ୍ମୃତିକୁ ଅମର ରଖିବା ପାଇଁ ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ୨ବର୍ଷ ପୂର୍ବରୁ ଦିଆଯାଇଥିବା ନିମ୍ନୋକ୍ତ ଦଶ ଦଫା ଦାବି ଗୁଡିକୁ ସରକାର ବିଶେଷ ଭାବରେ ଗୁରୁତ୍ୱ ଦେଇ ସେସବୁକୁ ସଫଳ କରାଇବାର ନିଷ୍ଠା ରଖନ୍ତୁ ।

୧. ୧୮୦୪ ମସିହାରୁ ୧୮୨୭ ମସିହା ପର୍ଯ୍ୟନ୍ତ ହୋଇଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳୁ । ୨. ଅମର ଶହୀଦ ଜୟୀ ରାଜଗୁରୁଙ୍କୁ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ୍ ଭାବରେ ମାନ୍ୟତା ମିଳୁ । ୩. ମହାନ୍ ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ସ୍ମୃତି ପାଇଁ ଖୋର୍ଦ୍ଧା ବରୁଣେଇ ପାଦଦେଶରେ ୨୦୦ଫୁଟର ଏକ ପାଇକ ମିନାର ନିର୍ମାଣ ହେଉ ।

୪. ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡର ଐତିହ୍ୟ ଓ ମର୍ଯ୍ୟଦାକୁ ରକ୍ଷା କରାଯିବା ସହିତ ସେଥିରେ ବିଦ୍ରୋହରେ ସାମିଲ ଥିବା ବୀର ପୁଙ୍ଗବମାନଙ୍କ ପ୍ରତିମୂର୍ତୀକୁ ସାଇତି ରଖାଯିବା ସହିତ ପାଇକମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ଏକ ବିଶ୍ୱ ସ୍ତରୀୟ ପାଇକ ମିଉଜିୟମ୍ ନିର୍ମାଣ କରାଯାଉ ।

୫. ଐତିହାସିକ ଖୋର୍ଦ୍ଧାର ଚାରିଦିଗର ପ୍ରବେଶ ପଥରେ ଚାରୋଟି ଅତ୍ୟନ୍ତ ଆକର୍ଷଣୀୟ ଗେଟ ନିର୍ମାଣ କରାଯାଉ । ୬. ପୂର୍ବରୁ ଥିବା ପାଇକ ରେଜିମେଂଟକୁ ପୁନର୍ଗଠନ କରାଯାଉ । ୭. ଜୟୀ ରାକଗୁରୁଙ୍କ ନାମରେ ଏକ ଡାକ ଟିକେଟ ଏବଂ ଏକ ତଥ୍ୟଭିତିକ ସିନେମା ତିଆରି ହେଉ । ୮. ଜୟୀ ରାଜଗୁରୁଙ୍କ ନାମରେ ଏକ ଟ୍ରେନ୍କୁ ନାମ କରଣ କରିବା ସହିତ ଖୋର୍ଦ୍ଧା ରୋଡ ଷ୍ଟେସନ୍କୁ ଜୟୀ ରାଜଗୁରୁ ଷ୍ଟେସନ୍ ନାମରେ ନାମିତ କରାଯାଉ ।

୯. ରାଜଧାନୀ କଲେଜକୁ ଜୟୀ ରାଜଗୁରୁ ମହାବିଦ୍ୟାଳୟ ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ଜୟୀ ରାଜଗୁରୁ ସଂସ୍କୃତି ବିଶ୍ୱବିଦ୍ୟାଳୟ ରୂପେ ନାମିତ କରାଯାଉ । ୧୦. ଖୋର୍ଦ୍ଧା ବରୁଣେଇ ପୀଠରେ ଏକ ଉଚ୍ଚକୋଟିର ପାନ୍ଥ ନିବାସ ନିର୍ମାଣ କରାଯାଇ ଏହି ପୀଠକୁ ଏକ ବିଶ୍ୱସ୍ତରୀୟ ଟୁରିଷ୍ଟ୍ ସ୍ଥାନ ରୂପେ ଘୋଷଣା କରାଯାଉ ।

ସଭାପତି, ଜୟୀ ରାଜଗୁରୁ ସ୍ମୃତି ସଂସଦ, ଓଡିଶା ।
ଚଳଭାଷ – ୯୪୩୭୦୦୬୭୨୫

ପ୍ରକାଶିତ ଲେଖାର ବିଚାର ଲେଖକଙ୍କ ନିଜସ୍ଵ । ଓଡିଶା ଡଟ କମର ଏଥିରେ କୌଣସି ଭୂମିକା ନାହିଁ ।

Leave a Reply

This site uses Akismet to reduce spam. Learn how your comment data is processed.