ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବରଗଡ଼, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଏକ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ବାତିଲ ହୋଇଥିବା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସିଥିବା ଜଣାପଡ଼ିବା ପରେ ପରୀକ୍ଷା ପରିଚାଳନାର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବୁଧବାର ଜର୍ଜ ହାଇସ୍କୁଲରରେ ମୂଲ୍ୟାୟନ ଚାଲିଥିବା ବେଳେ ଏହି ଦାୟିତ୍ୱରେ ଥିବା ଶିକ୍ଷକମାନେ ଗତ ମାର୍ଚ୍ଚ ୨୧ରେ ପ୍ରଶ୍ନପତ୍ର ଚୋରି ଯୋଗୁଁ ବାତିଲ ହୋଇଥିବା ପ୍ରଶ୍ନପତ୍ର ମୂଲ୍ୟାୟନ କରିବାକୁ ପାଇଥିଲେ ।
ପରେ ସେମାନେ ଏସଂପର୍କରେ ମୂଲ୍ୟାୟନ କେନ୍ଦ୍ର କର୍ତୃପକ୍ଷଙ୍କୁ ଜଣାଇଥିଲେ । ଘଟଣା ସଂପର୍କରେ ଜାଣିବ ପରେ ଉକ୍ତ ଖାତା ମୂଲ୍ୟାୟନ ବନ୍ଦ କରାଯାଇଥିଲା ।
ଗତ ମାର୍ଚ୍ଚ ୨୦ରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପୁରୀ ଜିଲ୍ଲା ଭଗବତୀ ବିଦ୍ୟାପୀଠରୁ ପ୍ରଶ୍ନପତ୍ର ଚୋରି ହେବା ପରେ ମାତୃଭାଷା ବ୍ୟତୀତ ଅନ୍ୟ ପରୀକ୍ଷାକୁ ବାତିଲ କରାଯାଇଥିଲା ।
ଏହାପରେ ୨୧ ତାରିଖରେ ହେବାକୁ ଥିବା ଇଂରାଜୀ ବିଷୟକୁ ମଧ୍ୟ ବାତିଲ କରାଯାଇଥିଲା । ପରବର୍ତି ବିଜ୍ଞପ୍ତି ପରେ ପୁଣି ଅପ୍ରେଲ ୧୭ରୁ ଇଂରାଜୀ ବିଷୟ ସହ ଅନ୍ୟ ସମସ୍ତ ପରୀକ୍ଷା ଆରମ୍ଭ ହୋଇଥିଲା ।
ତେବେ ବାତିଲ ହୋଇଯାଇଥିବା ପରୀକ୍ଷା ଖାତା କିଭଳି ଉକ୍ତ ମୂଲ୍ୟାୟନ କେନ୍ଦ୍ରକୁ ଆସିଲା ସେ ସଂପର୍କରେ ତଦନ୍ତ କରାଯିବା ଆବଶ୍ୟକ ବୋଲି ଲୋକମାନେ ଦାବି କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍