ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଗୁମୁଟରୁ ପଥର ଖସିବା ପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀମାନେ ଏନେଇ ଅନୁଧ୍ୟାନ କରିଛନ୍ତି ।
ବୁଧବାର ଅଧିକାରୀଙ୍କ ସହ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ଯନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ୱ
ବିଭାଗ ଅଧିକ୍ଷକ ମଧ୍ୟ ପଥର ଖସି ପଡ଼ିଥିବା ସ୍ଥାନ ପରିର୍ଶନ କରିବା ସହ ଗୁମୁଟର ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିଛନ୍ତି ।
ମଙ୍ଗଳବାର ପଶ୍ଚିମଦ୍ୱାର ଗୁମୁଟର ଅଁଳା ବେଢ଼ାରୁ ପ୍ରାୟ ଏକ ଟନ୍ ଓଜନର ପଥର ଖସିଡ଼ିଥିଲା ଏବଂ ଜଣେ ଭକ୍ତ ଆହତ ହୋଇଥିଲେ । ଏହି ଘଟଣା ପରେ ସେବାୟତ, ବୁଦ୍ଧିଜୀବୀ ଓ ଭକ୍ତ ମହଲରେ ଗଭୀର ଉଦେଗ ପ୍ରକାଶ ପାଇଥିଲା ।
୧୫ଦିନ ମଧ୍ୟରେ ପଥର ଖସିଡ଼ିଥିବା ସ୍ଥାନର ମରାମତି କରିବା ପାଇଁ ସରକାର ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥାକୁ କହିଥିବା ଜଣେ ଅଧିକାରୀ କହିଛନ୍ତି ।
ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ସଂସ୍ଥାର ଅବହେଳା ଯୋଗୁଁ ଏଭଳି ପଥର ଖସିଥିବା ଅଭିଯୋଗ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍