ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଜଗତସିଂହପୁର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ଜଣେ ନିର୍ଯାତିତା ନାବାଳିକାଙ୍କ ଅବସ୍ଥା ସଂପର୍କରେ ସବିଶେଷ ତଥ୍ୟ ଦ।ଖଲ କରିବାକୁ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଗାଁ ଥାନା ଅନ୍ତର୍ଗତ ତିରାନା ଗ୍ରାମର ସଂପୃକ୍ତ ନାବାଳିକାଙ୍କ ମା’ଙ୍କ ଅଭିଯୋଗ ପରେ ଏହି ଘଟଣାର ତନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶ ପରେ ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ଶୁକ୍ରବାର ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ନୂଆଗାଁ ଥାନା ଅଧିକାରୀ କହିଛନ୍ତି ।
ଗତ ଅଗଷ୍ଟ ୨୬ରେ ନାବାଳିକା ଜଣକ ଗଙ୍ଗଡ଼ା ଗାଁ ବଜାରରୁ ଫେରୁଥିବା ବେଳେ କେତେକ ଅସାମାଜିକ ଯୁବକ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିଥିଲେ । ଯୁବକମାନେ ତାଙ୍କୁ ଗୋଟିଏ ଘରେ ତିନିଦିନ ପାଇଁ ରଖିଥିଲେ ।
ତାଙ୍କୁ ତିନି ଜଣ ଯୁବକ ବଳପୂର୍ବକ ଗଣଧର୍ଷଣ କରିଥିବା ସଂପୃକ୍ତ ନାବାଳିକା ୨୯ ତାରିଖରେ ନୂଆଗାଁ ଥାନାରେ ଏତଲା ଦେଇଥିଲେ ।
ତେବେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ସଂପର୍କ ଥିବା ନାବାଳିକାଙ୍କ ମା’ କମିଶନ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।
ନିର୍ଯାତିତାଙ୍କ ଡ଼ାକ୍ତରୀ ପରୀକ୍ଷା ପାଇଁ ପୋଲିସକୁ ଦୀର୍ଘ ତିନି ମାସ ସମୟ ଲାଗିଛି, ପୋଲିସ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଏଥିରୁ ଜଣାପଡ଼ିଛି ବୋଲି ମାନବାଧିକାର କର୍ମୀ ତଥା ପ୍ରଗତୀ ନାମକ ସଂଗଠନର ସଭାପତି ପ୍ରଫୁଲ୍ଲ ନାୟକ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍