• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମାଜିକ ସଶକ୍ତିକରଣର ପ୍ରତୀକ: ଦ୍ରୌପଦୀ ମୁର୍ମୁ

July 24, 2022 by admin Leave a Comment

ଅମାତ୍ୟ କୁମାର ପ୍ରଧାନ

ଆଜି ଦିନଟି ଓଡିଶା ଇତିହାସରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ସବୁଠାରୁ ବଡ ସମ୍ବିଧାନିକ ପଦରେ ଆସୀନ ହେବେ ।

ସମଗ୍ର ମହିଳା ବର୍ଗ ବିଶେଷ ଭାବେ ଆଦିବାସୀ ଓ ସମଗ୍ର ଓଡିଶା ରାଜ୍ୟ ଯେଉଁଠି ୨୩% ଅର୍ଥାତ ଏକ ଚତୃଥାଂଶ ଜନସଂଖ୍ୟା ଆଦିବାସୀ ସେମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ଘଟଣା।

ଭାରତ ଗଠନରେ ତଥା ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶ ମାତୃକା ପାଇଁ ନିଜର ପ୍ରାଣବଳି ଦେଇଥିବା ବିଭିନ୍ନ ବ୍ୟକ୍ତି ଓ ବର୍ଗ ବିଶେଷ ମାନଙ୍କ ଯୋଗଦାନକୁ ଆମେ ଯଦି ଆକଳନ କରିବା ତେବେ ଆଗଧାଡ଼ିରେ ଆସିବ ସରଳ ,ନିଷ୍କପଟ ,ଆଦିବାସୀ ସମ୍ପ୍ରଦାୟର ବୀର /ଵୀରାଂଗନା ମାନଙ୍କ ବଳିଦାନର କାହାଣୀ ।

ଭାରତ ସ୍ୱାଧୀନତା ହେବାର ୭୫ ବର୍ଷ ପଦାର୍ପଣରେ ଦେଶ ଯେତେବେଳେ ” ଆଜାଦୀ କା ଅମୃତ ମହୋତ୍ସବ ” ପାଳନ କରୁଛି ଏହିଭଳି ବୀର ମାନଙ୍କ ବୀରତ୍ୱର ଅନାଲୋଚିତ ଗାଥା ଜନ ସାଧାରଣ ଙ୍କ ସାମ୍ନାକୁ ଆସିବା ବିଧେୟ ।

କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀ ବିଜ୍ଞାନ ଭବନ ଠାରେ ଏହି ଅମୃତ ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅବସରରେ ସମ୍ପୃକ୍ତ ମନ୍ତ୍ରାଳୟ ତରଫରୁ ଅନେକ ଐତିହାସିକ ଗାଥାକୁ ପୁନରୁତ୍ଜୀବିତ କରିବା ପ୍ରୟାସ କଥା କୁହାଯାଇଛି ।

ମନ୍ତ୍ରାଳୟ ତରଫରୁ ସଦ୍ୟ ପ୍ରକାଶିତ ସୂଚନାରୁ ଆମେ ଜାଣି ପାରିବା ଯେ ସର୍ବ ଭାରତୀୟ ସ୍ତରରେ ପ୍ରମୁଖ ଆଦିବାସୀ ନେତୃତ୍ୱ ଯଥା ଝାରଖଣ୍ଡର ବିର୍ସା ମୁଂଡା, କାଁହୁ ମୁର୍ମୁ, /ଆନ୍ଧ୍ର ପ୍ରଦେଶର ଅଲୁରୀ ସୀତାରାମ ରାଜୁ ,ମଣିପୁରର ରାନୀ ଗିଦିନିଲୁ ,ବିହାରର ତିଳକ ମାଂଝୀ ,ମେଘାଳୟର ତୀରଥ ସିଂ ,ରାଜସ୍ଥାନ ର ଗୋବିନ୍ଦ ଗୁରୁ ପ୍ରଭୁତି ଆଦିବାସୀ ନେତା ଙ୍କ ନାମ ସର୍ବାଗ୍ରେ ରହିବ ।

ସେହିଭଳି ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ବୀର ଯେଉଁ ମାନେ ଇଂରେଜ ଉପନିବେଶବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜର ସର୍ବସ୍ବ ବଳିଦାନ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସମ୍ବଲପୁର ର ବୀର ସୁରେନ୍ଦ୍ର ସାଏ ,ଘୁମଷର ଅଂଚଳର ଚକ୍ରା ବିଶୋଇ ଓ ଦୋରା ବିଶୋଇ ,କେନ୍ଦୁଝରର ଧରଣୀଧର ନାୟକ ,କୋରାପୁଟର ଲକ୍ଷ୍ମଣ ନାୟକ ,ବରଗଡ ର ହଟେ ସିଂ ,ମାଧୋ ସିଂ ,ଅଇରୀ ସିଂ ,ବୈରୀ ସିଂ ,କୁଞ୍ଜେଲ ସିଂ ,ସୁନ୍ଦରଗଡ ର ମାଦ୍ରୀ କଲୋ ପ୍ରମୁଖ ।

ତେବେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଦେଶ ଗଠନ ପାଇଁ ଅର୍ପଣ କରିଥିବା ପରିମାଣ ତୁଳନାରେ ପରବର୍ତୀ ସମୟରେ ସେମାନଙ୍କ ରାଜନୈତିକ ,ସାମାଜିକ ,ଆର୍ଥିକ,ସାଂସ୍କୃତିକ ଦୃଶ୍ୟପଟ୍ଟରେ ସେମାନଙ୍କ ପ୍ରାଧିନିଧିତ୍ବ ଅତି ନଗଣ୍ୟ ।

ସ୍ୱାଧୀନତା ପରବର୍ତୀ ସମୟରେ ଭାରତୀୟ ରାଜନୀତି ,ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପରିବାର ବାଦ ର ଦୁଶ୍ଚକ୍ର ଦ୍ୱାରା କବଳିତ ହେବ। ସାଧାରଣ ତଥା ନିମ୍ନ ବର୍ଗର ପ୍ରତିନିଧିତ୍ବ ପାଇଁ ଏକ ବିରାଟ ପ୍ରତିବନ୍ଧକ ସାବ୍ୟସ୍ତ ହେଲା ।

ଏ ପୃଷ୍ଠଭୂମିରେ ଓଡିଶାର ଉପାନ୍ତ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ଆସୀନ ହେବା ସମଗ୍ର ଓଡିଶା ତଥା ଦେଶର ଆଦିବାସୀ ତଥା ମହିଳା ବର୍ଗଙ୍କ ପାଇଁ ଏକ ଗର୍ବର ବିଷୟ ତଥା ଆଗାମୀ ଭାରତୀୟ ଗଣତନ୍ତ୍ର ପାଇଁ ଏକ ଗରୁତ୍ବପୁର୍ଣ୍ଣ ବିଷୟ ।

ଖୁସିର କଥା ହେଉଛି ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବ ପ୍ରତି ଜାତି ଧର୍ମ,ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ ଜଣେଇଥିଲେ ତଥା ଆନ୍ତରିକ ଖୁସି ପ୍ରକଟ କରିଛନ୍ତି ।

ରାଜନୈତିକ ବିରୋଧୀ ବ୍ୟକ୍ତି ବିଶେଷ ମଧ୍ୟ ଦଳ ଗତ ସ୍ୱାର୍ଥ ରୁ ଉର୍ଧକୁକୁ ଉଠି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିବାରେ କୁଣ୍ଠା ବୋଧ କରିନାହାନ୍ତି ।

ଏନ.ଡି.ଏ ଘଟକ ଦଳ ସହିତ ଏ ଆଇ.ଡି.ଏମ.କେ ,ବହୁଜନ ସମାଜ ଦଳ ,ଅପନା ଦଳ ,ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ଦଳ ,ଆସାମ ଗଣ ପରିଷଦ ,ନାଗା ପିପୁଲ ଫ୍ରଣ୍ଟ ,ଜନ ନାୟକ ପାର୍ଟି ,ମିଜୋ ନେସନାଲ ଫ୍ରଣ୍ଟ ,ଲୋକ ଜନ ଶକ୍ତି ପାର୍ଟି ,ମହାରାଷ୍ଟ୍ର ନବ ନିର୍ମାଣ ସେନା ,ଶିବ ସେନା(ଥାକରେ ) ଓ ଶିବ ସେନା(ସିନ୍ଧେ ) ,ଝାରଖଣ୍ଡ ମୁକ୍ତି ମୋର୍ଚ୍ଛା ,ସିକ୍କିମ କ୍ରାନ୍ତି କାରୀ ମୋର୍ଚା ,ହିନ୍ଦୁସ୍ତାନୀ ଆବମ ମୋର୍ଚା ,ବୋଡୋ ଲାଣ୍ଡ ମୋର୍ଚା ,ମହାରାଷ୍ଟ୍ରବାଦୀ ଗୋମନ୍ତଙ୍କ ପାର୍ଟି ,ଆର .ପି.ଆଈ, ତାମିଲ ମାନିଲା କଂଗ୍ରେସ ,ଶିରୋମଣି ଅକାଲି ଦଳ ,ଟି.ଡି.ପି ପ୍ରଭୁତି ୨୦ ରୁ ଅଧିକ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଶ୍ରୀମତୀ ମୁର୍ମୁ ଙ୍କୁ ଆନୁଷ୍ଠାନିକ ସମର୍ଥନ ଜ୍ଞାପନ କରିଛନ୍ତି ।

ଆମ ଓଡ଼ିଶାର ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିବା ସହ ଅନ୍ୟ ଦଳକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।

ତେବେ କିଛି ଲୋକ ଭାରତ ଭଳି ବିରାଟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ସାମ୍ବିଧାନିକ ପଦ ପାଇଁ ଶ୍ରୀମତୀ ମୁର୍ମୁଙ୍କ ଉପରେ ଭୃକୁଞ୍ଚନ କରିଥିଲେ ଯାହାକି ଏକ ସାମନ୍ତ ବାଦି ମାନସିକତା ଛଡା ଆଉ କିଛି ନୁହେଁ ।

ଆମ ଅବଚେତନାରେ ବସା ବାନ୍ଧିଥିବା ଦୁଇ ସହ ବର୍ଷର ଗୁଲାମି ଯୋଗୁଁ ହେଉ ବା ଆଉ କିଛି ଯୋଗୁଁ ବଡ ପଦ ପଦବୀ ପାଇଁ ଆମେ ରାଜା ରାଜୁଡା ବା ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖିବାକୁ ଚାହୁଁ କିନ୍ତୁ ଭାରତ ଭଳି ଏକ ତନ୍ତ୍ରର ମୁଖ୍ୟ ଯଦି ଜଣେ “ଗଣ”(ସାଧାରଣ ଜନତାଙ୍କ ଭିତରୁ ନିଜ ଯୋଗ୍ୟତା ବଳରେ ଉଠିଥିବା ବ୍ୟକ୍ତି ) ଆସୀନ ନ ହେବ ତେବେ ଆମ ଗଣତନ୍ତ୍ର ପରିପକ୍ୱ ହେଉଛି ବୋଲି କେମିତ ଜାଣିବା ।

ରାଜନୈତିକ ଚଷମାର ବାହାରେ ରହି ଆମେ ଯଦି ଆଗାମୀ ୨୫ ବର୍ଷ ପରବର୍ତି ଭାରତୀୟ ଗଣତନ୍ତ୍ରକୁ ଜଣେ ସାଧାରଣ ନିର୍ଲିପ୍ତ ନାଗରିକର ନିର୍ମଳ ଚକ୍ଷୁରେ ଅବଲୋକନ କରିବା ତେବେ ନିହାତି ଭାବରେ ଶ୍ରୀମତୀ ମୁର୍ମୁଙ୍କ ନିର୍ବାଚନ ନିମ୍ନ କେତୋଟି ଦୃଷ୍ଟିରୁ ଆତ୍ମସନ୍ତୋଷ ପ୍ରଦାନ କରିବାରେ ସହାୟକ ହେବ ।

ଦ୍ରୌପଦୀ ମୁର୍ମୁଙ୍କ ଚେହେରାରେ ଓଡିଶା କାହିଁକି ଭାରତର କୋଣ ଅନୁକୋଣରେ ବସବାସ କରୁଥିବା ସାଧାରଣ ଆଦିବାସୀ,ବନବାସୀ ଖଟିଖିଆ ମଣିଷ ମାନଙ୍କ ମନରେ ଏକ ନୂତନ ଅଶାର ସଂଚାର ହୋଇଛି ତଥା ସେମାନେ ରାଜନୈତିକ ମୁଖ୍ୟ ସ୍ରୋତ ସହ ନିଜକୁ ଅଂଶୀଦାର ଭାବରେ ଯୋଡି ପାରିଛନ୍ତି ।

ଭାରତରେ ପୂର୍ବ ପଟରେ ଅବସ୍ଥିତ ଓଡ଼ିଶାର ବଣପାହାଡ଼ ଘେରା ଉପାନ୍ତ ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ଅଖ୍ୟାତ ଉପରବେଡା ଗ୍ରାମର ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମିତ ମହିଳା ଯେ ଦିନେ ସମଗ୍ର ଭାରତ ଭଳି ଦେଶର ରାଷ୍ଟ୍ରପତି ହେବ ଏହା କୁହୁକ କାହାଣୀର ସ୍ବପ୍ନ ପ୍ରତୀୟମାନ ହେଲେ ମଧ୍ୟ ତାହା ସତ୍ଯରେ ପରିଣତ ହୋଇଛି।

ଓଡ଼ିଶାର ଗୌରବମୟୀ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହେଲା ଯାହାକି ସମଗ୍ର ସାଧାରଣ ଜନତା ଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଛି ।

ପ୍ରଥମରୁ ବର୍ଣିତ ଆଦିବାସୀ ସ୍ୱାଧୀନ ସଂଗ୍ରାମୀ ମାନଙ୍କ ବଳିଦାନ ପାଇଁ ବୋଧହୁଏ ଏହା ସର୍ବୋତ୍କୃଷ୍ଟ ଉପହାର ଓ ସ୍ୱାଧୀନତା ବାର୍ଷିକ ଜୟନ୍ତୀ ର ସେମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ତଥା ସ୍ୱୀକୃତି ।

ଶ୍ରୀମତୀ ମୁର୍ମୁ କୌଣସି ରାଜନୈତିକ ଅନୁଗ୍ରହରେ ଆଜି ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି ତାହା କଦାପି ଭାବିବା ଉଚିତ ନୁହେଁ କାରଣ ଅନ୍ୟ କୌଣସି ସଂଗ୍ରାମୀ ଵୀରାଂଗନାଙ୍କ ସଂଘର୍ଷ ଠାରୁ ଶ୍ରୀମତୀ ମୁର୍ମୁଙ୍କ ଜୀବନୀ ଜୀବନ ସଂଗ୍ରାମ କୌଣସି ଗୁଣରେ କାମ ନୁହେଁ ।

ସୁଦୂର ଉପାନ୍ତ ବଣପାହାଡ ଘେରା ଗରିବ ଆଦିବାସୀ ପରିବାରରେ ୨୦ ଜୁନ ୧୯୫୮ ରେ ଜନ୍ମିତ ସାଧାରଣ ଝିଅ ମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ଶେଷ କରିବା ସେତେବେଳେ ସ୍ବପ୍ନ ପ୍ରାୟ ।

ସାହସ ,ସାଧନା ଓ ସଂଘର୍ଷ ଜଣେ ସାଧାରଣ ବ୍ୟକ୍ତି କୁ କିଭଳି ଅସଧାରଣରେ ପରିଣତ କରିପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସେ ଆଜି ସମଗ୍ର ସାଧାରଣ ଜନତା ଙ୍କ ପାଇଁ ପ୍ରେରଣା ର ଉତ୍ସ ।

ସେ ନିଜେ ତାଙ୍କର ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ବାଲ୍ୟ କାଳ କେତେ ସଂଘର୍ଷମୟ ଥିଲା । ପ୍ରାଥମିକ ଶିକ୍ଷା ପାଇଁ ସେ ପାଣି ,କାଦୁଅ ବିଲ ପାହାଡ଼ରେ କିଭଳି ପରିଶ୍ରମ କରିବା ପୂର୍ବକ ଶିକ୍ଷାରେ ପୂର୍ଣ୍ଣଛେଦ ପଡିବାକୁ ଦେଇ ନାହାନ୍ତି ।

ଗଣମାଧ୍ୟମରୁ ଜାଣିବାକୁ ମିଳିଛି ଯେ ପ୍ରାଥମିକ ଶିକ୍ଷା ପରେ ପୂର୍ଣ୍ଣଛେଦ ପଡିବ। ଆଶଙ୍କା ଥିବାରୁ ୧୩ ବର୍ଷ ବୟସରେ ସେ ଆଗକୁ ପଢିବା ଓ ବଢିବାର ଅଦମ୍ୟ ଇଛା ଯୋଗୁଁ ତତ୍କାଳୀନ ବିଧାୟକଙ୍କୁ ଅନୁରୋଧ କରି ୟୁନିଟ -୨ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଇଥିଲେ ଓ ରମା ଦେବୀ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପନ କରିଛନ୍ତି ।

ଯେଉଁ ସମୟରେ ଜଣେ ଆଦିବାସୀ ଝିଅ ପ୍ରାଥମିକ ଶିକ୍ଷା ପାଇବା ମଧ୍ୟ ଏକ କାଠିକର ପାଠ ଥିଲା ସେତେବେଳେ ଏକ ନିପଟ ମଫସଲରୁ ବାହାରି ରାଜଧାନୀ ଭୁବନେଶ୍ୱର ରେ ଶିକ୍ଷା ଲାଭ କରିବା କେତେ ସଂଘର୍ଷମୟ ହୋଇନଥିବ ।

ଏ ସବୁ ସତ୍ୱେ ତାଙ୍କ ଠାରେ ଥିବା ନେତୃତ୍ୱ ନେବା ଗୁଣର ପ୍ରତିଫଳନ ସେହି ପିଲା ଦିନ ଠାରୁ ଜଣାପଡିଥିଲା । ଏତେ କଷ୍ଟରେ ପାଠ ପଢ଼ୁଥିବା ଜଣେ ଛାତ୍ରୀ ସବୁ ଅନ୍ୟୟକୁ ସହି ନ ଯାଇ ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏକ ନେତୃତ୍ୱ ନେବାର ପ୍ରତିଭା ସମ୍ପର୍କରେ ସୂଚାଏ ଯାହାକି ଏକ ଅତ୍ୟନ୍ତ ସାହସୀ ଓ ଅନ୍ୟାୟ କୁ କୌଣସି ପରିସ୍ଥିତିରେ ସହ୍ୟ ନକରିବାର ଗୁଣ ।

ଅନ୍ୟ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରର ମହିଳା ନିଜ ପରିବାରକୁ ସହଯୋଗ କରିବା ଉଦେଶ୍ୟରେ କର୍ମ ସଂସ୍ଥାନ ଯୋଗାଡ଼ କରିବା ଭଳି ଶ୍ରୀମତୀ ମୁର୍ମୁ ମଧ୍ୟ ଶିକ୍ଷା ସମାପ୍ତି ପରେ ଓଡିଶା ସରକାରଙ୍କ ଅଧୀନରେ ୧୯୭୯ ମସିହାରୁ ୧୯୮୩ ପର୍ଯ୍ୟନ୍ତ ଜଳ ସମ୍ପଦ ଓ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି ।

ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମ ଚରଣ ମୁର୍ମୁଙ୍କ ସହିତ ବିବାହ ପରେ ଶାଶୁ ଘରର ଅନୁରୋଧରେ ନିଜ ଘର ସଂସାର ସମ୍ଭାଳିବା ପାଇଁ ସରକାରୀ ଚାକିରୀ ଛାଡି ଦେଇଛନ୍ତି ।

ରାଇରଙ୍ଗପୁର ଅରବିନ୍ଦ ବିଦ୍ୟାଳୟରେ ଶିକ୍ଷୟତ୍ରୀ (ମାଗଣା ଶିକ୍ଷାଦାନ)କରିବା ପୂର୍ବକ ନିଜ ପରିବାରର ସମସ୍ତ ଦାୟୀତ୍ୱ ମୁଣ୍ଡାଇଛନ୍ତି । ତେବେ ତାଙ୍କ ଜୀବନର ସବୁଠାରୁ ସଂଘର୍ଷ ପୁର୍ଣ ସମୟ ଯାହାକୁ ଅତ୍ୟନ୍ତ ଧୈର୍ୟର ସହିତ ସେ ମୁକାବିଲା କରିଛନ୍ତି ତାହା ହେଉଛି ୨୦୦୯ ରେ ଓ ୨୦୧୩ ପ୍ରାୟ ଚାରି ବର୍ଷ ଅନ୍ତରରେ ତାଙ୍କର ଦୁଇଜଣ ଯୁବକ ପୁତ୍ର ମାନଙ୍କ ଅକାଳ ମୃତ୍ୟୁକୁ ସହ୍ୟ କରିବା ତଥା ୨୦୧୪ ରେ ତାଙ୍କର ସ୍ୱାମୀକୁ ହରାଇବା ।

ତେବେ ଏହିସବୁ କଠିନ ଓ ଦୁଖଦ ସମୟରୁ ନିଜକୁ ସମ୍ଭାଳି ଆଧ୍ୟାତ୍ମିକ ପଥରେ ବ୍ରହ୍ମକୁମାରୀଙ୍କ ସାନ୍ନିଧ୍ୟରେ ଆଗକୁ ବଢିବାର ପ୍ରୟାସ କରି ସଫଳ ହୋଇଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ସେ କିଭଳି ଗଭୀର ମାନସିକ ଅବସାଦ ମଧ୍ୟରେ ଗତି କରିଛନ୍ତି । ଅନ୍ୟ କିଏ ହୋଇଥିଲେ ଏ ସମୟ ରେ ଭାଙ୍ଗି ପଡି ଆଉଥରେ ସମ୍ଭାଳିବା ହୁଏତ କଷ୍ଟକର ହୋଇଥାନ୍ତା ।

ଏହିସବୁ ପାରିବାରିକ ତଥା ବ୍ୟକ୍ତିଗତ ଦୁଃସ୍ଥିତିକୁ ଧୈର୍ୟର ସହ ସହ୍ୟ କରି ଏହି ଦୃଢ ମନ ମହିଳାଙ୍କ ଏକନିଷ୍ଠ ସାଧନା ,କର୍ତ୍ତବ୍ୟନିଷ୍ଠା ,ଓ ଦେଶ ତଥା ଜାତି ପ୍ରତି ସମର୍ପିତ ସାଧନା କିଭଳି ଜଣେ ସାଧାରଣ ବ୍ୟକ୍ତିକୁ ଉତ୍କର୍ଷର ଚରମ ସୀମାରେ ପହଂଚାଇଦେଇପାରେ ତାହାର ଏକ ଉଦାହରଣ ଭାବରେ ଆଜି ସମସ୍ତଙ୍କ ସାମ୍ନାରେ ଉଭା ହୋଇଛନ୍ତି ଶ୍ରୀମତୀ ମୁର୍ମୁ !

ଏହା ଯେ କୌଣସି ସଂଗ୍ରାମୀ ତଥା ଆଦିବାସୀ ଵୀରାଂଗନା (ସ୍ୱାଧୀନତା ସଂଗ୍ରାମ ସମୟର ) ଠାରୁ କୌଣସି ଗୁଣରେ କମ ନୁହେଁ ତାହା ଆମେ ଅଂଗୀକାର କରିବା କଥା ।

ତେବେ ରାଜନୈତିକ ଜୀବନର ଆଦ୍ୟପର୍ବରେ ୧୯୯୭ ମସିହାରେ ରାଇରଙ୍ଗପୁର ପୌରପରିଷଦ ର କାଉଁସେଲର ଠାରୁ ଆରମ୍ଭ କରି ୨୦୦୦ ମସିହାରେ ବିଧାୟକ ଓ ପ୍ରଥମ ପଦାର୍ପଣ ରେ ତତ୍କାଳୀନ ବି ଜେ ପି ତଥା ବି ଜେ ଡି ସରକାର ଅମଳରେ ଗମନାଗମନ ଓ ବାଣିଜ୍ୟ ବିଭାଗର ମନ୍ତ୍ରାଳୟ ଦକ୍ଷତା ର ସହକାରେ ସମ୍ଭାଳିବା ଏବଂ ତାଙ୍କର ଉତ୍କର୍ଷତା ଓ ପାରଙ୍ଗମତା ପାଇଁ ୨୦୦୭ ବର୍ଷରେ ସର୍ବୋତମ ବିଧାୟକ ହିସାବରେ “ନୀଳକଣ୍ଠ ଶ୍ରେଷ୍ଠ ବିଧାୟକ ” ପୁରସ୍କାର ରେ ସଂବାନିତ ହେବ। ଏକ ବିରଳ ଘଟଣା । ତେବେ ୨୦୧୪ ମସିହାରେ ମଧ୍ୟ ରାଷ୍ଟ୍ରପତି ପାଦ ପାଇଁ ତାଙ୍କ ନାମ ସଂକ୍ଷିପ୍ତ ତାଲିକା ରେ ସ୍ଥାନ ପାଇବା ଏକ ଉଲ୍ଲେଖ ଯୋଗ୍ୟ ଘଟଣା |

୨୦୧୫ ରେ ଝାରଖଣ୍ଡ ରାଜ୍ୟ ର ରାଜ୍ୟ ପାଲ ହିସାବରେ ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷ ଦକ୍ଷତାର ସହିତ କର୍ମ ସମ୍ପାଦନା କରିଛନ୍ତି । ତେବେ ଶାସକ ଦଳ ର ସଭ୍ୟ ହୋଇଥିବାରୁ ତାଙ୍କ ପ୍ରାର୍ଥୀତ୍ବ କୁ କିଛି ବିରୋଧୀ ସିଏ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି “ରବର ଷ୍ଟାମ୍ପ ” ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଯାହାକି ଅମୂଳକ କାରଣ ଝାରଖଣ୍ଡ ରେ ରାଜ୍ୟପାଳ ଥିବା ବେଳେ ତତ୍କାଳୀନ ରଘୁବର ଦାସ ନେତୃତ୍ୱାଧୀନ ବି ଜେ ପି ସରକାର ଆଣିଥିବା ଛୋଟନାଗପୁର ଟେନାଂସି ସଂଶୋଧନ ବିଧେୟକ ୧୯୦୮ ଓ ସାନ୍ତାଳ ପ୍ରଗଣା ଟେନାଂସି ବିଧେୟକ ୧୯୪୮ ଯାହାକି ଆଦିବାସୀ ମାନଙ୍କ ଚାଷ ଜମି କୁ ବ୍ୟବସାୟ ହିସାବରେ ବ୍ୟବହାର ଯୋଗ୍ୟ ପାଇଁ ଉଦିଷ୍ଟ ଥିଲା ତାହା ଆଦିବାସୀ ଙ୍କ ସ୍ୱାର୍ଥ ର ପରିପନ୍ଥୀ ବୋଲି ” ସାମ୍ବିଧାନିକ ଅଧିକାର” ର ପ୍ରୟୋଗ ପୂର୍ବକ ବିଲ ଟିକୁ ଅଗ୍ରାହ୍ୟ କରି ଜଣେ ଦୃଢ ଓ ଯୋଗ୍ୟ ରାଜ୍ୟପାଳ ହିସାବରେ ପ୍ରମାଣିତ କରିସାରିଛନ୍ତି

ତେବେ ସବୁ ଦୃଷ୍ଟିରୁ ଦେଖିଲେ ଆଜିର ନବ ଭାରତ ର ସ୍ଵପ୍ଣଦ୍ରଷ୍ଟା ଗଣ ଯଥା ମହାତ୍ମା ଗାନ୍ଧୀ ,ଜବାହାରଲାଲ ନେହରୁ ,ଆମ୍ବେଦକର ,ସର୍ଦାର ପଟେଲ ପ୍ରମୁଖ ଆମ ଗଣତନ୍ତ୍ର ର ଭବିଷ୍ୟତ ପାଇଁ ଯେଉଁ ସବୁ ସ୍ବପ୍ନ ଦେଖିଥିଲେ ସେଥିରେ ସବୁଠାରୁ ପ୍ରମୁଖ ଥିଲା “ଅନ୍ତ୍ୟୋଦୟ ” ଅର୍ଥାତ ସମାଜର ସବୁଠାରୁ ଅବହେଳିତ ବର୍ଗର ଶେଷ ବ୍ୟକ୍ତି ର ଉତ୍ଥାନ । ସମାଜର ଅନ୍ତିମ ପଂକ୍ତି ରେ ଥିବା ବ୍ୟକ୍ତି ଯେତେବେଳେ ସାମାଜିକ ,ଆର୍ଥିକ,ରାଜନୈତିକ ଜୀବନର ମୁଖ୍ୟସ୍ରୋତରେ ନିଜର ପରାକାଷ୍ଠା ଦେଖାଇବା ର ସୁଯୋଗ ପାଇବା ତାହାହିଁ ଆମ ଗଣତନ୍ତ୍ର ର ସଫଳତା ବୋଲି ବିବେଚିତ ହେବ ।

ତେବେ ଏହି ସ୍ବପ୍ନ ଆଜି ଯେତେବେଳେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ର ୧୮ ତମ ରାଷ୍ଟ୍ରପତି ହିସାବରେ ନିର୍ବାଚିତ ସଫଳ ହୋଇଛି ଆମେ ସେମାନଙ୍କ ସ୍ବପ୍ନ ସାକାର ହୋଇଛି ବୋଲି କହିପାରିବ। । ତେବେ ନିଜର ସାମର୍ଥ୍ୟ ,ଯୋଗ୍ୟତା ,ସରଳତା ,ସଚୋଟଟା ଓ ଭଦ୍ରତା ର ପ୍ରତୀକ ଶ୍ରୀମତୀ ମୁର୍ମୁ ଆଗାମୀ ରାଷ୍ଟ୍ରପତି ହିସାବରେ ସମ୍ବିଧାନ ର ମର୍ଯ୍ୟାଦା ରକ୍ଷା କରିବା ଦିଗରେ ସହାୟକ ହେବେ ଏହି ବିଶ୍ୱାସ ଆମର ରହିଛି ।

ନୂତନ ଭାବେ ନିର୍ବାଚିତ ମହା ମହିମ ରାଷ୍ଟ୍ରପତି ଙ୍କ ଯେଉଁଭଳି ସେବା ମନୋବୃତି ,ସରଳତା ,ଓ ନମ୍ରତା ରହିଛି ଆଗାମୀ ଦିନରେ ରାଷ୍ଟ୍ରପତି ଭବନ ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷା ପୁରାଣ କରିବାରେ ସହାୟକ ହେବ ତଥା ଜନସାଧାରଣ ଙ୍କ ରାଷ୍ଟ୍ରପତି ଭାବରେ ଇତିବାସ ମନେ ରଖିବ ଏହାହିଁ ହେଉ

ଅମାତ୍ୟ କୁମାର ପ୍ରଧାନ
ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ସୁନ୍ଦରଗଡ 9437219613

admin
admin

Filed Under: ମତାମତ Tagged With: ଦ୍ରୌପଦୀ ମୁର୍ମୁ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version