• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପିପିଲି

ପିପିଲି ମାମଲା: କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

June 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପପିପିଲି, ଜୁନ୍ ୨୩(ଓଡ଼ିଶା ଡ଼ଟ୍ କମ୍) ବହୁ ବାଦ ବିବାଦ ପରେ ପିପିଲି ପୀଡ଼ିତାଙ୍କ ଶନିବାର ଶବ ସତ୍କାର ହୋଇଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି ।

ତାଙ୍କୁ ନ୍ୟାୟ ମିଳିବା ଦରକାର ଏବଂ ପୋଲିସ ଯେଉଁଭଳି ଭାବେ ରସୁଲଗଡ଼ ଛକ ନିକଟରୁ ତାଙ୍କ ଠାରୁ ଶବ ଛଡ଼ାଇ ନେଇ ଅପମାନିତ କରିଛି ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି ।

ସରକାରଙ୍କ ଉପରୁ ସେ ଆସ୍ଥା ହରାଇଥିବାରୁ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି । ସରକାର ଦେଇଥିବା ସହାୟତା ରାଶି ଉପରେ ଅସନ୍ତୋଷ ପ୍ରକାଶ କରି ୫୦ ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିଛନ୍ତି ।

ଏହାସହ ତାଙ୍କ ପୁଅକୁ ଚାକିରୀ ଏବଂ ଗାଁରେ ଜୀବନ ପ୍ରତି ବିପଦ ଥିବାରୁ ଭୁବନେଶ୍ୱରରେ ରହିବା ପାଇଁ ଜାଗା ଦିଆଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ଅର୍ଜୁନଗୋଦା ଗ୍ରାମର ପୀଡ଼ିତା ବେବିନାଙ୍କୁ ଗଣବଳାତ୍କାର ପରେ ହତ୍ୟା ଉଦ୍ୟମ ହୋଇଥିଲା ଏବଂ ସେ କୋମା ଅବସ୍ଥାରେ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର କଟକ ବଡ଼ ମେଡ଼ିକାଲରେ ତାଙ୍କର ହୋଇଥିଲା ।

ଶନିବାର ଭୁବନେଶ୍ୱରର ଘାଟିକିଆସ୍ଥିତ ପୀଡ଼ିତାଙ୍କ ପିଉସୀ ଘରେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ତୃପକ୍ଷ ପହଞ୍ଚି ସେଠାରେ ପିଡ଼ିତାଙ୍କ ବାପା, ଭାଇ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ ।

ଏଥିପାଇଁ ପୀଡ଼ିତାଙ୍କ ସଂପର୍କୀୟମାନେ କୁଳପୁରୋହିତଙ୍କ ପରାମର୍ଶ ଗ୍ରହଣ କରିଥିଲେ ଏବଂ ତାଙ୍କୁ ସାଥିରେ ନେଇ ପୀଡ଼ିତାଙ୍କ ପିତା ଓ ତାଙ୍କ ସଂପର୍କୀୟମାନେ ପୁରୀ ଯାଇଥିଲେ ଓ ସେଠାରେ ପୀଡ଼ିତାଙ୍କ ଶବ ସତ୍କାର କରାଯାଇଛି ।

କ୍ଷତିପୂରଣ ତଥା ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ବିଭିନ୍ନ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପିପିଲି

ପିପିଲି ମାମଲା: ୨୮ରେ ଗଣସମାଜର କଳା ଦିବସ ଓ ଧାରଣା

June 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୩(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ଆସନ୍ତା ୨୮ରେ ରାଜଭବନ ସମ୍ମୁଖରେ କଳା ଦିବସ ଓ ଧାରଣା ଦେବାକୁ ଗଣସମାଜ ପକ୍ଷରୁ ଏକ ଜରୁରୀ ବୈଠକରେ ନିଷ୍ପତି ନିଆଯାଇଛି ।

ପୀଡ଼ିତା ବବିନା ବେହେରାଙ୍କ ମତ୍ୟୁ ପଛ ସମସ୍ତ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ସିବିଆଇକୁ ତଦନ୍ତ ଭାର ଦେବାକୁ ଗଣସମାଜ ତା’ର ଦାବିକୁ ଦୋହରାଇଛି ।

ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର, ଆଇନ ସହାୟତା ପାଇଁ ମନା କରିଥିବା ପୋଲିସ ଏବଂ ମାମଲାକୁ ଚପାଇ ଦେବାରେ ପ୍ରଭାବଶାଳୀ ଭୂମିକା ନିଭାଇଥିବା ଷଡଯନ୍ତ୍ରକାରୀଙ୍କୁ ୩୦୨ ଦଫାରେ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ବୈଠକରେ ଦାବି ହୋଇଛି ।

ପୀଡ଼ିତାଙ୍କ ପରିବାରକୁ ଆଇନଗତ ଓ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ସମସ୍ତ ପ୍ରକାର ନିରାପତ୍ତା ଯୋଗାଇ ଦିଆଯିବାକୁ ଗଣସମାଜ ସରକାରଙ୍କ ନିକଟରେ ଦାବି କରିଛି । ତେବେ ବବିନାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ପୋଲିସ ଓ ପ୍ରଶାସନ ଯେପରି ଅମାନିବକ ଆଚରଣ କରିଛି, ତାକୁ ବୈଠକରେ ତାବ୍ର ନିନ୍ଦା କରାଯାଇଛି ।

ଏହାର ପ୍ରତିବାଦରେ ମୃତ ବବିନାଙ୍କ ବାପା ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯିବାର ପ୍ରସ୍ତାବ ସହ ସାରା ମାମଲାରେ ଦଳିତ, ଅବହେଳିତଙ୍କୁ ବଞ୍ଚିବାର ଅଧିକାର ପ୍ରଦାନରେ ବିଫଳତାକୁ ନିନ୍ଦା କରି ରାଜ୍ୟବ୍ୟାପୀ କଳାଦିବସ ପାଳନ କରିବାକୁ ଗଣସମାଜର ବୈଠକରେ ସହମତି ପ୍ରକାଶ ପାଇଛି ।

ବୈଠକରେ ନିଷ୍ପତି ଅନୁଯାୟୀ ୨୮ ତାରିଖଦିନ ୧୧ଟାରେ ରାଜଭବନ ସମ୍ମୁଖରେ ଗଣସମାଜ କର୍ମକର୍ତାମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ସହ ମାମଲାର ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କରିବେ ।

ଏଥିରେ ଦଳ ମତ ନିର୍ବିଶେଷରେ ବୁଦ୍ଧିଜୀବୀ, ଲେଖକ, ଆଇନଜୀବୀ, ଗଣସଂଗଠକ, ରାଜନେତା ବହୁ ସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗଣସମାଜ, ପିପିଲି

ପିପିଲି ମାମଲା: କେସ୍ ଡ଼ାଏରୀ ଦାଖଲ ପାଇଁ ନିର୍ଦ୍ଦେଶ

June 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୨୦(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ ତଦନ୍ତ କେସ୍ ଡ଼ାଏରୀ ଓ ଥାନା ଷ୍ଟେସନ୍ ଡ଼ାଏରୀ ଦାଖଲ କରିବାକୁ ଜଷ୍ଟିସ୍ ପି.କେ ମହାନ୍ତି କମିଶନ ବୁଧବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ କଟକ ଏସ୍ସିବି ମେଡ଼ିକାଲର ତିନି ଜଣ ଡ଼ାକ୍ତରଙ୍କୁ ସତ୍ୟପାଠ ଦାଖଲ କରିବାକୁ କମିଶନ୍ ନୋଟିସ୍ ଜାରି କରିଛନ୍ତି ।

ପିପିଲି ମାମଲାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ଏବଂ ଚିକିତ୍ସା ସଂପର୍କୀତ ସବିଶେଷ ତଥ୍ୟ ବିଷୟରେ କମିଶନ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ଜାରି କରିଥିଲେ ।

ଇତିମଧ୍ୟରେ ଏହି ଘଟଣା ପାଇଁ ପିପିଲିର ୩ ଜଣ, କ୍ୟାପିଟାଲ୍ ହସ୍ପିଟାଲ ୨ ଜଣ ଓ କଟକ
ବଡ଼ମେଡ଼ିକାଲ ୨ ଜଣ ମୋଟ୍ ୭ ଜଣ ଡ଼ାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ କମିଶନଙ୍କୁ ଅବଗତ କରାଯାଇଛି ।

ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତ ଶେଷ କରି ୩ ଜଣ ଡ଼ାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେସ୍ ଡ଼ାଏରୀ, ପିପିଲି

ପିପିଲି ଗଣବଳାତ୍କାର: ତଦନ୍ତ କମିଶନଙ୍କ ଘଟଣାସ୍ଥଳ ପରିଦର୍ଶନ

May 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପିପିଲି, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣ ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା କମିଶନ ମୁଖ୍ୟ ଜଷ୍ଟିସ ପି.କେ. ମହାନ୍ତି ରବିବାର ପୀଡ଼ିତାଙ୍କ ଗାଁ ପରିଦର୍ଶନ କରିଛନ୍ତି ।

ଜଷ୍ଟିସ ମହାନ୍ତି ଓ ତାଙ୍କ ସହ ଆସିଥିବା ଓକିଲ ଏବଂ ଅଧିକାରୀମାନେ ଡାକବଙ୍ଗଳାକୁ ଆସି ସେଠାରୁ ପୀଡ଼ିତା ପଡ଼ିଥିବା ସ୍ଥାନକୁ ଯାଇଥିଲେ ।

କ୍ରାଇମବ୍ରାଞ୍ଚ ଅଧିକାରୀ ତଥା ଏହି ମାମଲାର ଅନୁସନ୍ଧାନକାରୀ ଅଫିସରଙ୍କ ଠାରୁ ପୀଡ଼ିତା ପଡ଼ିଥିବା ସ୍ଥାନ, କିପରି ପଡ଼ିଥିଲେ, ସେ ସମୟରେ ଉକ୍ତ ଅବସ୍ଥା ଦର୍ଶାଯାଇଥିବା ଟ୍ରାକ୍ଟର କେଉଁ ଦିଗରୁ ଆସୁଥିଲା ବିଷୟରେ ପଚାରି ବୁଝିଥିଲେ ।

ସେଠାରେ ପିପିଲି ତହସିଲଦାର, ଅମିନ, ଆରାଇ ଉକ୍ତ ସ୍ଥାନର ନକ୍ସା କମିଶନରଙ୍କୁ ଦେଇଥିବା
ବେଳେ ନକ୍ସାରେ ଏହା ଭୂଲ ଥିବା ଗାଁ ମୁଖିଆ କହିବା ସହ ପ୍ରକୃତ ସ୍ଥାନ ଦେଖାଇଥିଲେ । ତେବେ
ସେହି ସ୍ଥାନର ଚିତ୍ର ଉତ୍ତୋଳନ କରିବାକୁ କମିଶନ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଂଚ, ଗଣବଳାତ୍କାର, ପିପିଲି

ପିପିଲି ଗଣବଳାତ୍କାର: ତିନି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ମାମଲାରେ ସରକାର ତିନି ଜଣ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ଡ଼ାକ୍ତରମାନେ ହେଲେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ ତ୍ରିପାଠୀ ଓ ଡାକ୍ତର ଜାନକୀ ଭୂଷଣ ପଟ୍ଟନାୟକ ଏବଂ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମିଲନ ମିତ୍ର । ଏମାନଙ୍କ ବିରୁଦ୍ଧରେ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଥିଲା ।

ଏହି ୩ ଜଣ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଘଟଣା ସମୟରେ ପିପିଲି ଥାନାରେ କେଉଁ ଅଫିସର ଦାୟିତ୍ୱରେ ଥିଲେ ଏବଂ ପୀଡ଼ିତାଙ୍କୁ କେଉଁ ଡାକ୍ତର ଚିକିତ୍ସା କରିଥିଲେ ତାହା ଜଣାଇବାକୁ ତଦନ୍ତ କମିଶନ ସରକାରଙ୍କୁ କହିଛନ୍ତି ।

ପିପିଲି ଓ କ୍ୟାପିଟାଲ ହସ୍ପିଟାଲ ସମେତ କଟକ ବଡ ମେଡିକାଲର ଡାକ୍ତରଙ୍କ ନାମ ଜଣାଇବାକୁ କୁହାଯାଇଛି । ଏହାବ୍ୟତୀତ ପୀଡିତାଙ୍କ ଘରେ ଏବେ କେଉଁମାନେ ରହୁଛନ୍ତି ଏବଂ ତାଙ୍କ ସହିତ ସେମାନଙ୍କର ସଂପର୍କ କ’ଣ ତାହା ଜଣାଇବାକୁ କମିଶନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ପିପିଲି

ପିପିଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦ୍ବେଗଜନକ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପିପିଲି ଗଣବଳାତ୍କାର ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦ୍ବେଗଜନକ ରହିଥିବା କୁହାଯାଇଛି ।

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ସୋମବାର ଭେଣ୍ଟିଲେଟରରେ ରଖାଯାଇଛି । ବିଭିନ୍ନ ବିଭାଗର ୧୩ ଜଣିଆ ଡ଼ାକ୍ତର ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

ବାଙ୍ଗାଲୋର ଏବଂ ଏମ୍ସ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଚିକିତ୍ସା କରାଯାଉଥିଲେ ମଧ୍ୟ ସେଥିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ଜାନୁୟାରୀ ୧୨ରୁ ପୀଡ଼ିତାଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଉଛି ।

ମ୍ୟୁଜିକ୍ ଥେରାପି ଦ୍ୱାରାତାଙ୍କ ଚିକିତ୍ସାରେ ଉନ୍ନତି ଆସିବ ବୋଲି ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମ୍ୟୁଜିକ୍ ଥେରାପିରେ ଚିକିତ୍ସା କରାଯାଉଥିଲା । ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବସ୍ଥାରେ ଅବନତି ହୋଇଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପିପିଲି, ହସ୍ପିଟାଲ

ପିପିଲି ଗଣବଳାତ୍କାର ମାମଲାରେ ଦ୍ୱିତୀୟ ଚାର୍ଜସିଟ୍

March 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୪(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ ବୁଧବାର କ୍ରାଇମବ୍ରାଞ୍ଚ ପୋଲିସ ୬୮ ପୃଷ୍ଠା ବିଶିଷ୍ଟ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରିଛି ।

ଅନୁସୂଚିତ ଜାତି ଓ ଉପଜାତି ନିର୍ଯ୍ୟାତନା ଆଇନ୍ ଅନୁଯାୟୀ ଅଭିଯୁକ୍ତ ଗୁଣଚନ୍ଦ୍ର ସ୍ୱାଇଁ ଓ ପ୍ରେମାନନ୍ଦ ନାୟକଙ୍କ ନାମରେ ପିପିଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ନିକଟରେ ଅଭିଯୋଗ ଫର୍ଦ୍ଧ ଦାଖଲ ହୋଇଛି ।

ଅଭିଯୁକ୍ତ ଦ୍ଵୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଧମକ ଦଉଥିବା ଏଥିରେ ଦର୍ଶାଯାଇଛି । ଗତ ଶନିବାର କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ୍ ପଶେଇ ଏବଂ ତା’ର ସହଯୋଗୀ ଶୁକାନ୍ତ ଓରଫ୍ ଆବୁଆ ନାଁରେ ୪୪୮ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଞ୍ଚ, ପିପିଲି

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ବିରୋଧୀଙ୍କ ପ୍ରତ୍ୟାଖ୍ୟାନ

March 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ଦେଇଥିବା ଚାର୍ଜସିଟକୁ ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳ ସୋମବାର ପ୍ରତ୍ୟାଖ୍ୟାନ କରିଛନ୍ତି ।

“କ୍ରାଇମବ୍ରାଞ୍ଚ ପୋଲିସ ଯେଉଁଭଳି ଭାବେ ଚାର୍ଜସିଟ୍ ଦାଖଲ କରିଛି ତାହାକୁ ଆମେ ନିନ୍ଦା କରୁଛୁ, ଏଥିରେ ଅଭିଯୁକ୍ତ ମାନଙ୍କୁ ଦୋଷମୁକ୍ତ କରାଯାଇଛି” ବିଜେପି ନେତା ଅଶୋକ ସାହୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଘଟଣାର ଏକମାତ୍ର ସାକ୍ଷୀ ସଂପୃକ୍ତ ପୀଡ଼ିତା ବର୍ତମାନ କଥା କହିପାରୁନଥିବା ବେଳେ ଚାର୍ଜସିଟ୍ ରେ ବଳାତ୍କାର ଅଭିଯୋଗକୁ ଗୁରୁତ୍ୱ ଦିଆନଯାଇ ଅଭିଯୁକ୍ତଙ୍କୁ ସୁହାଇଲା ଭଳି କରାଯାଇଛି, ସେ କହିଛନ୍ତି ।

ପୋଲିସ ଆରମ୍ଭରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

“ଘଟଣାର ଦେଢ ମାସ ପରେ ଏହାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ବଳାତ୍କାର ହୋଇନଥିବା ପୋଲିସ କିଭଳି ଜାଣିଲା” ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ପୀଡ଼ିତାଙ୍କ ଭାଇ ରବିବାର କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ପ୍ରତ୍ୟାଖ୍ୟାନ କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଘଟଣାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେବା ପରେ ଗତ ଜାନୁୟାରୀ ୧୯ରେ କୃଷିମନ୍ତ୍ରୀ ପଦରୁ ପ୍ରଦୀପ ମହାରଥି ଇସ୍ତଫା ଦେଇଥିଲେ ।

ବର୍ତମାନ କ୍ରାଇମବ୍ରାଞ୍ଚ ପୋଲିସ ଏବଂ ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରାଗଠିତ କମିଶନ ଏହି ଘଟଣାର ତଦନ୍ତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଞ୍ଚ, ପିପିଲି

ଗଣବଳାତ୍କାର:ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ଭାଇ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଘଟଣାର ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ରବିବାର ଦାବି କରିଛନ୍ତି ।

କ୍ରାଇମବ୍ରାଞ୍ଚ ଦେଇଥିବା ଚାର୍ଜସିଟକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କହିବା ସହ ଏଥିପାଇଁ ଅଧିକ ତଦନ୍ତ ଆବଶ୍ୟକ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ କେବଳ ଦୁଇ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ବୋଲି ସେ କହିଛନ୍ତି ।

“ବଳାତ୍କାରକୁ ପ୍ରମାଣିତ କରିବା ଭଳି କୌଣସି ତଥ୍ୟ ମିଳି ନାହିଁ ଏବଂ ମୁଖ୍ୟ ଅଭିଯୁକ୍ତ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ କରିଥିଲା” ଶନିବାର କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ଦର୍ଶାଇଛି ।

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପିପିଲି ଅର୍ଜୁନଗୋଦା ଗ୍ରାମର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୯ରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ସଂପୃକ୍ତ ଯୁବତୀଙ୍କୁ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଆଯାଇଥିବା ଅଭିଯୋଗ ହେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ପିପିଲି

ପିପିଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍

March 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୦(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ମାମଲାରେ କ୍ରାଇମବ୍ରାଞ୍ଚ ପୋଲିସ ଶନିବାର ଦୁଇ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି ।

ପିିପିଲି ଜେଏମ୍ଏଫ୍ସିଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ୍ ପଶେଇ ଏବଂ ତାର ସହଯୋଗୀ ଶୁକାନ୍ତ ଓରଫ୍ ଆବୁଆ ନାଁରେ ୪୪୮ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୀଡ଼ିତାଙ୍କ ସହ ମୁଖ୍ୟ ଅଭିଯୁକ୍ତର ପୂର୍ବରୁ ସଂପର୍କ ଥିଲା । ଅନ୍ୟ ଯୁବକଙ୍କ ସହ ମଧ୍ୟ ପୀଡ଼ିତାଙ୍କ ସଂପର୍କ ଥିବା ଏବଂ ତା’ଠାରୁ ସେ ଦୂରେଇ ଯାଉଥିବା ଅନୁଭବ କରି ପ୍ରଶାନ୍ତ ପ୍ରତିଶୋଧ ପରାୟଣ ହୋଇଯାଇଥିଲା । ତେଣୁ ସେ ତାଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା ବୋଲି ଏଥିରେ ଦର୍ଶାଯାଇଛି ।

ନଭେମ୍ବର ୨୯ ଘଟଣାଦିନ ପ୍ରଶାନ୍ତ ଓଢଣୀ ସାହାଯ୍ୟରେ ପୀଡ଼ିତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଆସିଯିବାରୁ ସେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା ।

ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସେ ସେହିଦିନ ଠାରୁ ଗାଁରୁ ଫେରାର୍ ହୋଇଯାଇଥିଲା ଏବଂ ତାର ସହଯୋଗୀଙ୍କ ଠାରୁ ଖବର ସଂଗ୍ରହ କରୁଥିଲା ।

ବଳାତ୍କାରକୁ ପ୍ରମାଣିତ କରିବା ଭଳି କୌଣସି ତଥ୍ୟ ମିଳି ନାହିଁ ବୋଲି ଏଥିରେ ଦର୍ଶାଯାଇଛି । ତେବେ ପ୍ରଶାନ୍ତର ଭାଇ ଆବୁଆ ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିବା ବେଳେ ଏହି ଘଟଣାରେ ତା’ର କୌଣସି ସଂପର୍କ ନାହିଁ ବୋଲି କୁହାଯାଇଛି ।

ପିପିଲି ଅର୍ଜୁନଗୋଦା ଗ୍ରାମର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୯ରେ କେତେକ ଲୋକ
ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ ଅଭିଯୋଗ କରିଥିଲେ ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଆଯାଇଥିବା ଅଭିଯୋଗ ହେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ପରେ ଗତ ୧୯ ତାରିଖରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ ।

ବର୍ତମାନ କ୍ରାଇମବ୍ରାଞ୍ଚ ପୋଲିସ ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚାର୍ଜସିଟ୍, ପିପିଲି

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ