ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅକ୍ଟୋବର ୬(ଓଡିଶା ଡଟ୍ କମ୍)- ଶୁକ୍ରବାର ଭୁବନେଶ୍ୱରସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ଭାଗୀରଥି ଗମାଙ୍ଗଙ୍କ ପରଲୋକ ଘଟିଛି ।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁତ୍ର-ପୁତ୍ରବଧୂ, ଦୁଇଝିଅ-ଜ୍ୱଇଁ ଏବଂ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପୈତୃକ ଗ୍ରାମ ଡ଼ିବିରିସିଂକୁ ନିଆଯାଇ ସମସ୍ତଙ୍କ ଶେଷ ଦର୍ଶନ ପାଇଁ ରଖା ଯାଇଛି ।
ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ସେ ଗତ ୧୫ଦିନଧରି ଶିରାପ୍ରଶିରା ସଂକ୍ରମିତ ରୋଗରେ ପୀଡ଼ିତ ଥିଲେ । ଗତ ସପ୍ତାହକ ତଳେ ଭୁବନେଶ୍ୱର ଆପେଲୋ ହସ୍ପିଟାଲରେ ତାଙ୍କ ବାମଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା ।
ସେ କଂଗ୍ରେସ ଦଳରୁ ୧୯୬୬ ରୁ ୧୯୯୦ ମସିହା ପର୍ଯନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୯୬ରେ ସ୍ୱାଧୀନ ଭାବେ ଏହିପରି ସେ ଓଡ଼ିଶା ବିଧାନସଭାକୁ ୭ଥର ନିର୍ବାଚିତ ହୋଇଥିଲେ ।
୧୯୬୬ ମସିହାରେ ସେ ଏକକାଳୀନ କୋରାପୁଟ ଲୋକସଭା ଆସନ ଓ ଗୁଣପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ୩ ମାସ ପରେ ଲୋକସଭା ଆସନରୁ ସେ ଇସ୍ତଫା ଦେଇଥିଲେ ।
ସେ ୧୯୩୭ ମସିହା ଜୁନ ୨୧ ତାରିଖରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡ଼ିବିରିସିଂ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ସେ ଖଲ୍ଲିକୋଟ କଲେଜରୁ ସ୍ନାତକୋତର ପାସ କରିବାପରେ ଛାତ୍ର ରାଜନୀତିରେ ପ୍ରବେଶ କରି ମଦମୁକ୍ତି ଅଭିଯାନ ଚଳାଇଥିଲେ ।
ଓଡିଶା ଡଟ୍ କମ୍