ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୧(ଓଡ଼ିଶା ଡ଼ଟ୍ କମ୍) ବିଜେଡ଼ି ନେତା ତଥା ଉତ୍କଳ ପ୍ରସଙ୍ଗର ସଂପାଦକ ହୁସେନ୍ ରବି ଗାନ୍ଧୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଆର୍ଡ଼ିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରାଞ୍ଚଳ ଆର୍ଡ଼ିସି ଅରବିନ୍ଦ ପାଢୀ ଏହାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୁଧବାର ହୁସେନ୍ ଏକ ଗାଡ଼ିରେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସରୋବର ଯାଉଥିବା ବେଳେ ରାସ୍ତାରେ କେତେକ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଗାନ୍ଧୀ ଅଭିଯୋଗ କରିଥିଲେ ।
ଯୁବକଙ୍କ ଆକ୍ରମଣରେ ହୁସେନଙ୍କ ବାମ ଆଖିରେ ଆଘତ ଲାଗିଥିବା ବେଳେ ଗାଡ଼ିଟି ଭାଙ୍ଗି ଯାଇଥିଲା । ପରେ ସେ ଭଙ୍ଗା ଗାଡ଼ିରେ ଫେରୁଥିବା ବେଳେ ସଂପୃକ୍ତ ଯୁବକମାନେ ରେଳବାଇ ଗୋଦାମ ନିକଟରେ ତାଙ୍କୁ ପୁଣି ଅଟକାଇ ଆକ୍ରମଣ କରିବା ବେଳେ ହୁସେନ୍ଙ୍କ ସମର୍ଥକମାନେ ପହଂଚି ଯିବାରୁ ଯୁବକମାନେ ଫେରାର୍ ହୋଇଯାଇଥିଲେ ।
ହୁସେନ୍ ଏ ସଂପର୍କରେ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ବର୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ।
ଓଡ଼ିଶା ଡ଼ଟ୍ କମ୍