ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କୋରାପୁଟ,ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଅଧ୍ୟାପକ ନିଯୁକ୍ତି ଦାବିରେ ଜୟପୁର ଡ଼ିଏଭି କଲେଜ ଛାତ୍ର ସଂସ ପକ୍ଷରୁ ସୋମବାର କୋରାପୁଟ ବନ୍ଦ ଡ଼ାକରା ଦିଆଯାଇଛି ।
ପଦବୀ ପୂରଣ ତଥା ଆଇନ ମହାବିଦ୍ୟାଳୟକୁ ସରକାରୀ ଘୋଷଣା ଦାବିରେ ଛାତ୍ରଛାତ୍ରୀମାନେ ଗତ ତିନିି ଦିନ ଧରି ଅନଶନରେ ବସିବା ପରେ ଆଜି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛନ୍ତି ।
ବନ୍ଦ ଯୋଗୁଁ ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଥିବାରୁ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ବନ୍ଦକୁ କୋରାପୁଟ ନାଗରିକ କମିଟି, ବ୍ୟବସାୟ ସଂଘ ଆଦି ସମର୍ଥନ ଜଣାଇଥିବା ବେଳେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହାକୁ ସମର୍ଥନ ଜଣାଇ କାର୍ଯ୍ୟବନ୍ଦ କରାଯାଇଛି ।
ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିବା ବେଳେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି ।
ଡିଏଭି ମହାବିଦ୍ୟାଳୟରେ ୪୦ ଜଣ ଅଧ୍ୟାପକ ଆବଶ୍ୟକତା ଥିବାବେଳେ ବର୍ତମାନ କେବଳ ଦଶ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆସନ୍ତା ମାସରେ ଅବସର ଗ୍ରହଣ କରିବେ ତେଣୁ ଏହି ପଦବୀ ପୂରଣ କରାଯାଇନଥିବାରୁ ଆନ୍ଦୋଳନ କରାଯାଉଛି ବୋଲି ଛାତ୍ର ସଂସଦର ଜଣେ କର୍ମମର୍ତା କହିଛନ୍ତି ।
ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍