ସାକ୍ଷାତକାର

ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ପାର୍ଶ୍ଵ ପ୍ରଭାବ ଉପରେ ଗବେଷଣା ଆବଶ୍ୟକ

ବ୍ରହ୍ମପୁର, ଜାନୁୟାରୀ ୧୯,(ଓଡିଶା ଡ଼ଟ୍ କମ୍), ଓଡ଼ିଶାର ବ୍ରହ୍ମପୁର ସହରରେ ହରିହର ପାତ୍ର ଏବଂ ମା ପଦ୍ମାବତୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିବା ପ୍ରିୟଦର୍ଶନ ପାତ୍ର ବର୍ତ୍ତମାନ ସ୍ତ୍ରୀ ଅନୁ, ଦୁଇ ପୁଅ ଆଶିଷ ଏବଂ ଆଦର୍ଶଙ୍କ ସହ ଉତ୍ତର ଆମେରିକାର ପୋର୍ଟଲ୍ୟାଣ୍ଡରେ ରହୁଛନ୍ତି ।

କଟକର ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ ବିଏସ୍ସି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଂଜିନିୟରିଂ, ଆମେରିକାର ଆମର୍ହଷ୍ଟଠାରେ ମାସାଚ୍ୟୁସେଟ୍ସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଏବଂ ଇନର୍ଫମେଶନ ସାଇନ୍ସରେ ଏମ୍. ଏସ୍. ।

ପରେ ଅଷ୍ଟିନ୍ଠାରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସେ ପିଏଚ୍ଡି କରିବା ସହ ପ୍ରଥମ ଚାକିରିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍ (ପ୍ରିୟଦର୍ଶନ ପାତ୍ର ଏବଂ ତାଙ୍କ ପରିବାର) କ୍ଷେତ୍ରରେ ତିନି ବର୍ଷ କାମ କରିଛନ୍ତି । ଏହା ପରେ ସେ ଯୋଗ ଦେଇଛନ୍ତି ଅରିଗନ୍ଠାରେ ଇଣ୍ଟେଲ କର୍ପୋରେସନ୍ ରେ ଏକ ନୂଆ ଗବେଷଣା କେନ୍ଦ୍ରରେ ।

ବର୍ତ୍ତମାନ ଇଣ୍ଟେଲରଆଡଭାନ୍ସଡ ପ୍ରୋସେସର ଡିଜାଇନ୍ ଏବଂ ଭିଏଲଏସ୍ଆଇର ବରିଷ୍ଠ ଗବେଷକଭାବେ କାର୍ଯ୍ୟ କରୁଥିବା ପାତ୍ର ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷାଗତ ପରାମର୍ଶ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଛନ୍ତି ।

ଇଲୋକ୍ଟ୍ରୋନିକ୍ସ ସାଇନ୍ସ କ୍ଷେତ୍ରରେ ଆନ୍ତର୍ଜାତୀୟ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟର୍ସ(ଆଇଇଇଇ)ରେ ଜଣେ ବରିଷ୍ଠ ସଦସ୍ୟଭାବେ ସେ ମନୋନୀତ ହୋଇଛନ୍ତି ।

ତେବେ ଏ ସବୁ ଦାୟିତ୍ୱ ତୁଲାଇବା ସାଙ୍ଗକୁ ସେ ଓଡ଼ିଶାର ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଷ୍ଟେନେବଲ୍ ଇକୋନୋମିକ୍ ଆଣ୍ଡ ଏଜୁକେସ୍ନାଲ ଡେଭେଲପମେଣ୍ଟ ସୋସାଇଟି(ସିଡ୍ସ)ର ନେତୃତ୍ୱ ନେଉଛନ୍ତି ।

ନିଜର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ନିଜ ଜନ୍ମଭୂମି ପାଇଁ କାର୍ଯ୍ୟ କରୁଥିବା ପାତ୍ରଙ୍କ ସହ ଓଡ଼ିଶା ଡଟ୍ କମ୍ ର ସାକ୍ଷାତକାର…….

ଆପଣ କେବେ ଓ କାହିଁକି ଓଡ଼ିଶା ଛାଡ଼ିଲେ?

ପ୍ରାୟ ୨୧ ବର୍ଷ ପୂର୍ବେ ମୋର ଇଂଜିନିୟରିଂ ପାଠପଢ଼ା ସରିବା ପରେ ଉଚ୍ଚତର ଶିକ୍ଷା ପାଇଁ ଆମେରିକାରୁ ବୃତ୍ତି ପାଇ ମୁଁ ଭାରତ ଛାଡ଼ି ବିଦେଶ ଆସିଲି ।

ଆପଣ ଚାକିରି ବ୍ୟତୀତ ଅନ୍ୟ କେଉଁ ସବୁ କାମରେ ଏବଂ କେବେଠାରୁ ବ୍ୟସ୍ତ ଅଛନ୍ତି?

୧୯୮୯ ମସିହାରେ ମୁଁ ଏବଂ ଅନ୍ୟ ତିନି ଜଣ ସହପାଠୀ ମିଶି ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆ ପ୍ରୋଗ୍ରେସିଭ ଆକ୍ସନ୍ ଗ୍ରୁପ୍(ଆଇପିଏଜି) ଆରମ୍ଭ କରିଥିଲୁ । ପରେ ମୁଁ ଓଡ଼ିଶାର ଉନ୍ନତିରେ ଆଗ୍ରହୀ ଲୋକମାନଙ୍କୁ ନେଇ “ସିଡ୍ସ୍” ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲି ।

“ଆମେ ଯେଉଁଠି ବାସ କରୁଛୁ, ସେହି ସ୍ଥାନ ପାଇଁ “ଗ୍ଲୋବାଲ ଥଟ୍, ଲୋକାଲ ଆକ୍ସନ୍” ନୀତିରେ କିଛି କରିବା ଉପରେ ମୁଁ ବିଶ୍ୱାସ କରେ” ।

ମୁଁ ପୋର୍ଟଲ୍ୟାଣ୍ଡର ଏକ ପବ୍ଲିକ୍ ସ୍କୁଲରେ “ମ୍ୟାଥ୍ କାଉଣ୍ଟ କୋଚ୍” ଭାବେ କିଛି ଦିନ ପଢ଼ାଉଥିଲି । ସେଠାରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହୀ ଥିବାରୁ ଆମେ ଆଞ୍ଚଳିକ, ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲୁ ।

ଏହା ବ୍ୟତୀତ ମୁଁ କମ୍ୟୁନିଟି ବିଲ୍ଡିଂ ଏବଂ ଓଡ଼ିଶାର କଳାକୁ ଲୋକପ୍ରିୟ କରାଇବା ଦିଗରେ କାମ କରୁଛି ।

କେଉଁ କେଉଁ ଜାଗାକୁ ଆପଣଙ୍କ କାମ ସଂପ୍ରସାରିତ କରିଛନ୍ତି?

ମୁଖ୍ୟତଃ ଓଡ଼ିଶାରେ । ଏହା ବ୍ୟତୀତ ଭାରତର ବିଭିନ୍ନ ସ୍ଥାନର ଅନ୍ୟ ଅନୁଷ୍ଠାନଗୁଡିକ ସହ ଯୋଗାଯୋଗ କରି ଆମେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ କରୁଛୁ ଏବଂ ପୋର୍ଟଲ୍ୟାଣ୍ଡରେ ମଧ୍ୟ ନିଜର କାମ ଜାରୀ ରଖିଛୁ ।

ଭାରତର ଗୁଜୁରାଟରେ ଭୂମିକମ୍ପ ସମୟରେ ଥଇଥାନ କାର୍ଯ୍ୟ କରିଥିବା କାଲିଫର୍ଣ୍ଣିଆର ଦୁଇଟି ସ୍ୱେଚ୍ଛାସେବୀ ଦଳ ଆମ ଗ୍ରୁପ୍ ରେ ଯୋଗ ଦେଇଛନ୍ତି ।

ସିଡ୍ସ୍ କିପରି ଆରମ୍ଭ ହେଲା? ଏହା ଆରମ୍ଭ ହେବାରେ ପ୍ରମୁଖ ଅବଦାନ କାହାର ରହିଛି ? ଏଥିରେ ଆପଣଙ୍କ ଭୂମିକା କ’ଣ?

ପ୍ରାଥମିକ ଅବସ୍ଥାରେ ଅଷ୍ଟିନ୍ ରେ ସ୍ଥାନୀୟ ହାବିଟାଟ୍ସ୍ ଫର୍ ହ୍ୟୁମାନିଟିରେ ଯୋଗ ଦେଇଥିଲି ଏବଂ ଭାରତର ବିଭିନ୍ନ ଭାଗରେ କାମ କରୁଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକରେ ମୁଁ ନିଜକୁ ସଂପୃକ୍ତ କରାଇଥିଲି ।

କିଛି ବର୍ଷ ପରେ ଓଡ଼ିଶାରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି ।

ସମାଜ ସେବା ପାଇଁ ବାପାଙ୍କ ପ୍ରେରଣା, ପ୍ରାଥମିକ ଅବସ୍ଥାରେ ଆଇପିଏଜିରେ ଅଭିଜ୍ଞତା ଏବଂ ୧୯୯୦ ମସିହାରେ ସ୍ୱେଚ୍ଛାସେବୀ ନିଶାକର ଦାଶଙ୍କ ଗାଁକୁ କରିଥିବା ଗସ୍ତରୁ ମୁଁ ବହୁ ଉପାଦେୟ ତଥ୍ୟ ଶିଖିବାକୁ ପାଇଛି ।

ଥମାସ୍ କୋଚେରୀ, ବନ୍ଦନା ଶିବା, ମଧୁ କିଶ୍ୱରଙ୍କ ଭଳି କର୍ମୀମାନଙ୍କ ସହ ମୋର ଆଲୋଚନା, ବାର୍ତ୍ତାଳାପ ମଧ୍ୟ ମୋତେ ବହୁ ସାହାଯ୍ୟ କରିଛି ।

କଳାହାଣ୍ଡି-ବଲାଙ୍ଗିର ଅଞ୍ଚଳରେ ଅନାହାର ମୃତ୍ୟୁ ଭାରତ ଗଣମାଧ୍ୟମର ଆକର୍ଷଣ ପାଲଟିବା ଏବଂ ଆଇପିଏଜିର କାର୍ଯ୍ୟ ଉନ୍ନୟନମୂଳକ ବିଷୟରୁ ଓହରି ଯାଇ ରାଜନୀତି କେନ୍ଦ୍ରିକ ହେବା ଦ୍ୱାରା ମୁଁ ବିଶେଷ ପ୍ରଭାବିତ ହୋଇଥିଲି ।

ଇଣ୍ଟରନେଟ୍ ମାଧ୍ୟମରେ ଉତ୍ତର ଆମେରିକାରେ ରହୁଥିବା ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତି ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଘଟଣାବଳୀ ଗୁଡ଼ିକ ମୋତେ ଏକ ଅବସର ଯୋଗାଇଲା ।

ଏହିପରି କେବିକେ(କୋରାପୁଟ, କଳାହାଣ୍ଡି, ବଲାଙ୍ଗିର) ଯୋଜନା ୧୯୯୩ରେ ଆରମ୍ଭ ହେଲା । ପ୍ରଥମେ ଆମ ସହ ଆମେରିକାର ଇଷ୍ଟ କୋଷ୍ଟ ଏବଂ ୱେଷ୍ଟ କୋଷ୍ଟର ଦୁଇ ଜଣ ସକ୍ରିୟ କର୍ମୀ ଥିଲେ । ବର୍ତ୍ତମାନ ସେମାନେ ଆମ ସହ କାମ କରି ପାରୁ ନାହାନ୍ତି ।

ତେବେ ଏକ ବର୍ଷ ମଧ୍ୟରେ କାନାଡ଼ା, ଟେକ୍ସାସ୍, ମିଶିଗାନ୍ ର ଅନ୍ୟ କେତେକ ସଭ୍ୟ ଯୋଗ ଦେଲେ । ୧୯୯୪ ମସିହାରେ ଆମେ ସିଡ୍ସ୍ ନାମରେ ଏକ ସ୍ୱତନ୍ତ୍ର ଗ୍ରୁପ୍ ସୃଷ୍ଟି କଲୁ ।

ଆମେମାନେ ଯେ, ପରିବର୍ତ୍ତନର ଗୋଟିଏ ଗୋଟିଏ ବୀଜ, ସିଡ୍ସ୍ ଆମ ମନରେ ଏହି ଧାରଣା ସୃଷ୍ଟି କରିଛି । ଯଥେଷ୍ଟ ସାମର୍ଥ୍ୟ ନେଇ ଆମେ ପରିବର୍ତ୍ତନର ବହୁ ବୀଜ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

୧୯୯୫ ପରେ ସିଡ୍ସ୍ ର ମୁଖ୍ୟ କାର୍ଯ୍ୟାଳୟ ପୋର୍ଟଲ୍ୟାଣ୍ଡକୁ ସ୍ଥାନାନ୍ତର ହୋଇ ଏକ ଅଣ ଲାଭଦାୟକ ସଂସ୍ଥାଭାବେ ପଞ୍ଜୀକୃତହେଲା ।

ଏହାର କାର୍ଯ୍ୟାଳୟ, କାର୍ଯ୍ୟ ପରିସର ଏବଂ ଆର୍ଥିକ ଅନୁଦାନ ଉପରେ କିଛି କହିବେ କି?

ଆଞ୍ଚଳିକତାବାଦଠାରୁ ଉଦ୍ଧ୍ୱର୍ରେ ଗଣତନ୍ତ୍ର, ସମାନତା, ନିଃସ୍ୱାର୍ଥପର ନେତୃତ୍ୱ ଆଦି କେତେକ ସିଦ୍ଧାନ୍ତ ଉପରେ ସିଡ୍ସ୍ର କାର୍ଯ୍ୟାଳୟ ଏବଂ ଏହାର କାର୍ଯ୍ୟ ପରିସର ପର୍ଯ୍ୟବସିତ ।

ମାନବିକତା ଏବଂ ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ଉନ୍ନତି ଆଣିବା ସହ ରାଜ୍ୟରେ ହେଉଥିବା ରାଜନୈତିକ ଏବଂ ସାମାଜିକ ଅନ୍ୟାୟ ଗୁଡ଼ିକର ମୁକାବିଲା କରିବା ପାଇଁ ସାଧାରଣ ଜନତାଙ୍କ ସଶକ୍ତିକରଣ ଆମର ଲକ୍ଷ୍ୟ ।

ସମଗ୍ର ବିଶ୍ୱରେ ଅସମାନତା, ଅଜ୍ଞାନତା ବିଷୟରେ ସଚେତନତା ଆଣି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରୁଥିବା ଏକ ଅନୁଷ୍ଠାନ ଗଢ଼ିବା ପାଇଁ ଆମେ ଯୋଜନା କରୁଛୁ ।

ଆମ ଅନୁଷ୍ଠାନରେ କାମ କରୁଥିବା ପ୍ରତ୍ୟେକ ସଦସ୍ୟ ବ୍ୟକ୍ତିଗତଭାବେ ପରୋପକାରଧର୍ମୀ କାମ କରୁଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟାରେ ଆମର ପ୍ରକଳ୍ପ ଗୁଡ଼ିକ ସମାଜର ସର୍ବନିମ୍ନ ସ୍ତରରେ କାର୍ଯ୍ୟ କରୁଛି ।

ଦୀର୍ଘମିଆଦୀ ଯୋଜନା ଅନୁଯାୟୀ ଲୋକମାନଙ୍କ ସମସ୍ୟା ସମାଧାନ କରିବା ଅପେକ୍ଷା ସେମାନଙ୍କୁ ନିଜ ସମସ୍ୟା ନିଜେ ସମାଧାନ କରିବାର ଉପାୟ ବତାଇବାରେ ଆମେ ସାହାଯ୍ୟ କରୁଛୁ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପୂର୍ଣ୍ଣାଙ୍ଗ ଉନ୍ନୟନ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆମେ ଜ୍ଞାନ ଆହରଣ କଲୁ ।

ଦ୍ୱିତୀୟ ପର୍ଯ୍ୟାୟରେ “ପାଣି ପଞ୍ଚାୟତ” କୁ ନେଇ ଗବେଷଣା, ମହାବାତ୍ୟା ପରେ ଥଇଥାନ ଏବଂ ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, କଟକ, ବାଲେଶ୍ୱର, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାଗୁଡ଼ିକରେ କେତେକ ଦୀର୍ଘମିଆଦି ପ୍ରକଳ୍ପ ଆରମ୍ଭ କରିଥିଲୁ ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଆମର ସ୍ୱଳ୍ପ ସମ୍ବଳ ସତ୍ତ୍ୱେ କୌଣସି ନିର୍ଦ୍ଧିଷ୍ଟ ଗାଁ, ସହର କିମ୍ବା ଅଞ୍ଚଳରେ ସୀମିତ ନ ରହି ଆମେ କାର୍ଯ୍ୟ ପରିସରକୁ ଆହୁରି ସଂପ୍ରସାରିତ କରିବୁ ।

ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ (୧)ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସେହି ଅଞ୍ଚଳଗୁଡ଼ିକରେ ଗଢ଼ିଉଠୁଥିବା କ୍ଷୁଦ୍ରଶିଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମାଇକ୍ରୋ କ୍ରେଡିଟ୍ ବ୍ୟାଙ୍କ୍ ସ୍ଥାପନ, (୨) ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଗଣିତ ସମ୍ବନ୍ଧୀୟ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା, ଆର୍ଥିକ ସ୍ୱଚ୍ଛଳତା ନ ଥିବା ଲୋକମାନଙ୍କ ପାଇଁ ସହଜରେ ସୂଚନା ପାଇବାର ସୁବିଧା ଯୋଗାଇବା ଏବଂ (୩) “ଅର୍ଣ୍ଣ ଆଣ୍ଡ ଲର୍ଣ୍ଣ” କେନ୍ଦ୍ରଗୁଡ଼ିକ ଜରିଆରେ ମହିଳାମାନଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ।

ଏଥି ପାଇଁ ଆମେ ସମସ୍ତଙ୍କର ସହଯୋଗ କାମନା କରୁଛୁ ।

ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ବିଷୟରେ ଆପଣଙ୍କର ମତ କ’ଣ? ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ମୁଁ ଧୈର୍ଯ୍ୟ ଏବଂ ନିଷ୍ଠାପର କାମରେ ବିଶ୍ୱାସ କରେ । ଲୋକମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଉପଯୁକ୍ତ ତାଲିମ ଯୋଗାଇବା ଆବଶ୍ୟକ ।

କ୍ଷୁଦ୍ରଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆମାନଙ୍କ ସହାୟତା ମିଳିଲେ ରାଜ୍ୟର ଆଖିଦୃଶିଆ ଉନ୍ନତି ସମ୍ଭବ ହେବ ।

ଆପଣଙ୍କର ପଦକ୍ଷେପ କୌଣସି ପରିବର୍ତ୍ତନ ଆଣିଛି କି?

ହଁ ନିଶ୍ଚିତଭାବେ । ଫଳାଫଳ ମିଶ୍ରିତ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିଛି । ତେବେ ଆମର ଚେଷ୍ଟାକୁ ଆହୁରି ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାର ଆବଶ୍ୟକତା ରହିଛି ।

ବର୍ତ୍ତମାନର ପ୍ରଶାସନିକ ଢ଼ାଞ୍ଚାରେ ଓଡ଼ିଶାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି କି? ରାଜ୍ୟରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଆପଣ ଅନୁଭବ କରୁଛନ୍ତି କି? ରାଜ୍ୟରେ ଅଧିକ ବିଦେଶୀ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ସରକାର ଚେଷ୍ଟା କରୁଛନ୍ତି । ଆପଣଙ୍କର ଏ ବିଷୟରେ ମତ କ’ଣ?

ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ସରକାରଙ୍କ ନୀତି ନେଇ ମୁଁ କୌଣସି ମତାମତ ଦେବାକୁ ଚାହୁଁନି । ତେବେ ରାଜ୍ୟରେ ଏକ ସନ୍ତୁଳିତ ହାରରେ ବିକାଶ ପାଇଁ ସରକାର ତଥା ରାଜନେତାମାନେ ଚେଷ୍ଟା କରିବା ଉଚିତ ।

ରାଜ୍ୟର ସ୍ଥିତିକୁ ଦୃଢ଼ କରି ନେତାମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ । କୌଣସି ବୃହତ୍ ଶିଳ୍ପ ଉଦ୍ୟୋଗ ନିଶ୍ଚିତଭାବେ ରାଜ୍ୟର ଭାଗ୍ୟ ବଦଳାଇଦେବ ବୋଲି ଆଶା ପୋଷଣ କରିବା ପରିବର୍ତ୍ତେ ଉକ୍ତ କାରଖାନା ସ୍ଥାପନ ପରେ ଦୁର୍ନୀତି, ପରିବେଶ, ଶିକ୍ଷା, ରାଜ୍ୟବାସୀଙ୍କ ଦୀର୍ଘମିଆଦି ଜୀବିକା ଉପରେ ପଡୁଥିବା ପ୍ରଭାବ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

ଉନ୍ନତି କ୍ଷେତ୍ରରେ ଓଡ଼ିଶା କି କି ପ୍ରତିବନ୍ଧକର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବୁଛନ୍ତି?

ମୋ ମତରେ ରାଜ୍ୟବାସୀଙ୍କ ଭାଗ୍ୟବାଦୀ ମନୋବୃତ୍ତି ଏବଂ ଯୁବ ପୀଢ଼ି ମଧ୍ୟରେ ଦିନକୁ ଦିନ ହା୍ରସ ପାଉଥିବା ଉତ୍ସାହ ଏହାର ମୁଖ୍ୟ କାରଣ ଅଟେ । ରାଜନେତା ଏବଂ ସ୍ୱେଚ୍ଛାସେବୀ ମାନଙ୍କଠାରେ ମଧ୍ୟ କିଛି କରିବାର ଆଗ୍ରହ କମିଥିବା ଲକ୍ଷ୍ୟ କରାଯାଉଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ କି? ଯଦି ହଁ, ତେବେ ଏ ପର୍ଯ୍ୟନ୍ତ ସେମାନେ ଏ କ୍ଷେତ୍ରରେ କାହିଁକି ସଫଳ ହୋଇ ନାହାନ୍ତି?

ହଁ, ରାଜ୍ୟ ବିକାଶରେ ନିଶ୍ଚିତଭାବେ ପ୍ରବାସୀ ଓଡ଼ିଆଙ୍କର ଭୂମିକା ରହିଛି । କେବଳ ସିଡ୍ସ ନୁହେଁ ଅନ୍ୟ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କଠାରୁ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଭଲ ଫଳାଫଳ ମଧ୍ୟ ମିଳିଛି ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟର ବିକାଶମୂଳକ କାର୍ଯ୍ୟର ନେତୃତ୍ୱ ନ ନେଇ ପାରିବାର କେତେକ କାରଣ ରହିଛି ।

ଯେମିତିକି, ୧- ଉତ୍ତର ଆମେରିକାରେ ପାଖାପାଖି ଆଠ ହଜାର ଓଡ଼ିଆ ବାସ କରନ୍ତି, ଯେଉଁ ସଂଖ୍ୟା କି ଓଡ଼ିଶାର ଲୋକସଂଖ୍ୟା ଏବଂ ତାର ସମସ୍ୟା ଆଗରେ ଅତି ନଗଣ୍ୟ ।

୨- ବିଦେଶରେ ରହୁଥିବା ଅଧିକାଂଶ ଓଡ଼ିଆ ନିଜର ଆର୍ଥିକ ତଥା ସାମାଜିକ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଚେଷ୍ଟା କରିଥାନ୍ତି ।

୩- ନେତୃତ୍ୱଙ୍କୁ ଅଧ୍ୟବସାୟ ଏବଂ ସମାଜସେବାରେ ନିୟୋଜିତ ହେବା ପାଇଁ କେତେକ ଏକାଧିକ ବର୍ଷ ସମୟ ନେଇଥାନ୍ତି ।

ତେବେ ପ୍ରବାସୀ ଓଡ଼ିଆମାନେ ରାଜ୍ୟର ଯୁବ ପୀଢ଼ିର ନେତୃତ୍ୱ ନେଇପାରିଲେ ପରିସ୍ଥିତିରେ ଉନ୍ନତି ହେବ ବୋଲି ମୁଁ ଆଶା କରୁଛି ।

ଆପଣ ଯେତେବେଳେ ଓଡ଼ିଶା ଛାଡ଼ିଲେ, ସେତେବେଳର ଓଡ଼ିଶା ଆଉ ବର୍ତ୍ତମାନର ଓଡ଼ିଶା ମଧ୍ୟରେ କ’ଣ ପାର୍ଥକ୍ୟ ଲକ୍ଷ୍ୟ କରୁଛନ୍ତି?

ସେତେବେଳ ଅପେକ୍ଷା ପରିବହନ, ରାସ୍ତାଘାଟ ନିର୍ମାଣ ଆଦି କ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।

ପ୍ରତ୍ୟେକ ଜିନିଷର ବ୍ୟବହାର ବଢ଼ିଥିଲେ ମଧ୍ୟ ସେହି ଅନୁପାତରେ ଉତ୍ପାଦନ ବଢ଼ିପାରିନାହିଁ । ଅଧିକ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେବା ଫଳରେ ରାଜ୍ୟରେ ଜଙ୍ଗଲର ପରିମାଣ କମିଛି । ପରିମଳ ବ୍ୟବସ୍ଥାରେ ଆବଶ୍ୟକ ପରିମାଣର ଉନ୍ନତି ହୋଇ ନାହିଁ ।

ତେବେ, ଲୋକମାନେ ନିଜର ଅଧିକାର ନେଇ ଅଧିକ ସଚେତନ ହୋଇଥିବା ପରିଲକ୍ଷିତ ହେଉଛି ।

ଓଡ଼ିଶାର ବିକାଶ ପାଇଁ କେଉଁ ବିଷୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?

ଓଡ଼ିଶାରେ ଶିକ୍ଷା, ସମାନତା, ଲୋକମାନଙ୍କର ଜୀବିକା କ୍ଷେତ୍ରରେ ଉନ୍ନତି ହେବା ଆବଶ୍ୟକ । ଆନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷତା ଲାଭ କରିବାକୁ ହେଲେ ଆମେ ସଂପାଦନ କରୁଥିବା ଯେ କୌଣସି କାର୍ଯ୍ୟକୁ ସର୍ବୋତ୍ତମ କରିବାକୁ ହେବ ।

ରାଜନୀତି ଆଡ଼କୁ ଆକର୍ଷିତ ହେଉଥିବା ଯୁବପୀଢ଼ି ଶିକ୍ଷିତ ହେବା ସହ ରାଜ୍ୟର ସାମାଜିକ, ଅର୍ଥନୈତିକ ଅବସ୍ଥା ସଂପର୍କରେ ସଚେତନ ଏବଂ ସେବା ମନୋବୃତ୍ତି ସଂପନ୍ନ ହେବା ଆବଶ୍ୟକ ।

ପ୍ରଯୁକ୍ତି ବିଦ୍ୟାର ସୀମା ବିଷୟରେ ସଚେତନ ହେବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରାଯିବା ଉଚିତ । ଦୀର୍ଘ ଦିନ ଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ଧୈର୍ଯ୍ୟର ସହ ସମାଧାନ କରିବା ପାଇଁ ଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ।

ରାଜ୍ୟର ନୀତି ନିର୍ଦ୍ଧାରଣକାରୀ ତଥା ଉନ୍ନୟନମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ବର୍ଗପାଇଁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହିଁବେ?

ପ୍ରଣୟନ କରାଯାଉଥିବା ନୀତିଗୁଡ଼ିକରେ ନିଜର ଦୃଷ୍ଟିକୋଣ, ସୃଜନଶୀଳତା ଏବଂ ସାହସ ପ୍ରତିଫଳିତ ହେବା ଆବଶ୍ୟକ । ଦୁର୍ନୀତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସଠିକ୍ ବ୍ୟବସ୍ଥା ରହିବା ଉଚିତ ।

ଅଧିକାଂଶ କ୍ଷେତ୍ରରେ ଓଡ଼ିଶା ଅବହେଳାର ଶିକାର ହେଉଛି ବୋଲି ଆପଣ ସହମତ କି ? ଯଦି ହଁ ଏହାର ପ୍ରତିକାର କ’ଣ?

ହଁ, ଓଡ଼ିଶା କେତେକ କ୍ଷେତ୍ରରେ ଅବହେଳିତ ହେବା ପରିଲକ୍ଷିତ ହେଉଛି । ତେବେ ସେଥି ପାଇଁ ଆମ ନିଜକୁ ଏବଂ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ନିଜର ସମୃଦ୍ଧ ସଂସ୍କୃତିକୁ ସୁରକ୍ଷିତ କରିବା ସହ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମକୁ ଆଗକୁ ଯିବାକୁ ହେବ ।

ଆପଣଙ୍କର ଦିନଚର୍ଯ୍ୟା ବିଷୟରେ କିଛି କହିବେ କି?

ମୋ ସ୍ତ୍ରୀ ଏବଂ ପରିବାରର ସହଯୋଗରେ ସପ୍ତାହର ପ୍ରାୟ ପ୍ରତିଦିନ ଗବେଷଣା, ସିଡ୍ସ୍ର ନେତୃତ୍ୱ, ସ୍ଥାନୀୟ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବାରେ ସମର୍ଥ ହୁଏ ।

ଚଳିତ ବର୍ଷ କଳାକାରମାନଙ୍କର ଏକ ପନ୍ଦର ଜଣିଆ ଦଳର କାର୍ଯ୍ୟକ୍ରମ ପରିଚାଳନା କରିବା ଭଳି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ରହିଲେ ମଧ୍ୟ, ମୋ ପାଇଁ ସେ ସବୁ ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିଯାଇଛି ।

ଓଡ଼ିଶା ଡଟ୍ କମ୍

Leave a Reply

This site uses Akismet to reduce spam. Learn how your comment data is processed.