• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିଉଜ ଡେସ୍କ

ମହାପ୍ରୟାଣ ଯୋଜନା; ଦଶଟି ପ୍ରମୁଖ ତଥ୍ୟ

November 6, 2017 by ନିଉଜ ଡେସ୍କ Leave a Comment

mahaprayan
pic credit Twitter @DeoKalikesh

କେଦାର ମିଶ୍ର

ଦାନ ମାଝୀ ଅ।ଜି ଓଡିଶାରୁ ବାହାରି ଗୋଟେ କିମ୍ବଦନ୍ତୀ, ଅନେକ କବିତା ଓ କାହାଣୀର ନାୟକ, ଅନେକ ଖବରର କେନ୍ଦ୍ରବିନ୍ଦୁ, ଅନେକ ରାଜନୀତିର ବିଷୟ ବସ୍ତୁ ।

ଦାନ ମାଝୀ ଯେଉଁ ରାତିରେ ନିଜ ମୃତ ସ୍ତ୍ରୀକୁ କାନ୍ଧରେ ପକେଇ ରାସ୍ତା ଚାଲିବା ଅ।ରମ୍ଭ କରିଥିଲେ, ସେ ରାତି ତାଙ୍କ ଜୀବନରେ ଗୋଟେ ବଡ଼ ପରିବର୍ତ୍ତନର ସଂକେତ ଅ।ଣିଥିଲା ।

ଦାନ ମାଝୀ ଅ।ମକୁ ଯାହା ଜଣେଇବାକୁ ଚାହୁଁଥିଲେ, ତାକୁ ଅ।ମେ ଜାଣିବାକୁ ଚାହୁଁନଥିଲୁ । ତେବେ ଇତି ମଧ୍ୟରେ ଦାନ ମାଝିଂକ କାର୍ଯ୍ୟକୁ ବିଧାନସଭାରେ ନାପସନ୍ଦ କରିଥିବା ରାଜ୍ୟ ସରକାର କିନ୍ତୁ ଟିକେ ଅଧିକ ସଚେତନ ହେବାକୁ ବାଧ୍ୟ ହୋଇଛନ୍ତି ।

ଏ ପ୍ରସଂଗରେ ରାଜ୍ୟରେ କିଛି ନୁଆ ଯୋଜନା ତିଆରି ହୋଇଛି ଓ ଏହିପରି ଲଜ୍ଜାଜନକ ସ୍ଥିତି ଏଡାଇବାକୁ ଆଜି ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି । ସେ ସମ୍ପର୍କରେ କେତୋଟି ପ୍ରମୁଖ ବିନ୍ଦୁର ଆଲୋଚନା –

୧. ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାରଂକ ଚେତା ପଶିଛି ଓ ସରକାର ରାଜ୍ୟର ସବୁ ଡାକ୍ତରଖାନା ଗୁଡିକୁ ଏକ ନିର୍ଦ୍ଦେଶାବଳୀ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ମୃତଦେହ ପ୍ରତି ଅବହେଳା କରାଯିବନି । ସମ୍ପୂଣ୍ଣ ବିଧି ମୁତାବକ ମୃତଦେହର ଅନ୍ତିମ ସଂସ୍କାର ହେବ ।

୨.ଡାକ୍ତରଖାନା ର ମେଡିକାଲ୍ ଅଫିସର ମୃତ ରୋଗୀଙ୍କ ଅନ୍ତିମ ଚେକଅପ୍ ପରେ ରୋଗୀକୁ ମୃତ ଘୋଷଣା କରିବେ। ମୃତଦେହ ହସପିଟାଲରୁ ଯିବା ପୂର୍ବରୁ ଡେଥ୍ ରେଜିଷ୍ଟ୍ରାରରେ ନାଁ ଦରଜ କରିବେ । ଏଥିସହ ରୋଗୀ ମୃତ୍ୟୁ ସମ୍ପୃକ୍ତ ସହ କୌଣସି ଆଇନଗତ ଜଟିଲତା ଥିଲେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବେ।

୩. ମୃତଦେହ ପରିବହନ ପାଇଁ ପାଂଠି ସମସ୍ତ ଥାନାକୁ ଯୋଗାଇଦିଆଯିବ । ସହରାଂଚଳରେ ୧ ହଜାର, ଗ୍ରାମାଂଚଳରେ ୧୫ ଶହ ଏବଂ ବିଶେଷଘଟଣାରେ ୨ ହଜାର ଟଂକା ଯୋଗାଇଦିଆଯିବ । ଏପରିକି ଶବର ଅନ୍ତିମ ସଂସ୍କାର ପାଇଁ ପରିବାର ଟଂକା ମାଗିଲେ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ତାହା ଯୋଗାଇଦେବେ। ଜିଲ୍ଲାପାଳ, ଏସପି, ସିଡିଏମଓ, ମେଡିକାଲ ଅଧିକ୍ଷକଙ୍କୁ ଏ କଥା ଜଣେଇ ଦିଆଯାଇଛି ।

୪.ଏସବୁ ସତ୍ତ୍ୱେ ମୃତ ଲୋକ ପ୍ରତି ଅ।ମର ସାମାଜିକ ଓ ପାରିବାରିକ ଅବଧାରଣା ବଦଳୁନାହିଁ। ଯିଏ ମଲା ସିଏ ଗଲା ବୋଲି ଏକ ଅ।ପ୍ତବଚନ ଓଡ଼ିଅ।ରେ ରହିଛି । ଶବକୁ ନେଇ ଅ।ମ ଭିତରେ ପ୍ରଚଣ୍ଡ ଘୃଣା ଓ ଅବଜ୍ଞାର ଭାବ । ଶବକୁ ନେଇ ଜାତି, ଧର୍ମ, ଗୋତ୍ର ଓ ପରିବାରର ଅନେକ ବନ୍ଧନ । ଶବ ସାଙ୍ଗେ ସାଙ୍ଗେ ଅସ୍ପୃଶ୍ୟ ହୋଇଯାଏ । ତାକୁ କେହି ଛୁଇଁବେ ନାହିଁ । ଯିଏ ଛୁଇଁବ, ସିଏ ମାରା ହୋଇଯିବ । ତେଣୁ ଅନେକାଂଶରେ ଶବକୁ ଉଠାଇବା ପାଇଁ ଲୋକ ମିଳନ୍ତି ନାହିଁ ।

୫. ଓଡ଼ିଶା ସରକାର ଏହା ପୂର୍ବରୁ ଶବ ସତ୍କାର ଓ ଶବ ପରିବହନ ପାଇଁ ଦୁଇଟି ବଡ଼ ଯୋଜନା କରିଛନ୍ତି । ଗୋଟିଏ “ହରିଶ୍ଚନ୍ଦ୍ର ଯୋଜନା’ ଓ ଅନ୍ୟଟି “ମହାପ୍ରୟାଣ’ ଯୋଜନା ।

ହରିଶ୍ଚନ୍ଦ୍ର ଯୋଜନାରେ ଗତ ଦୁଇବର୍ଷ ଭିତରେ ସରକାର ୧୪,୭୩,୦୧,୯୬୦ଟଙ୍କା ଖର୍ଚ୍ଚ କରି ସାରିଲେଣି । ଏହାଦ୍ୱାରା ୭୯,୮୦୬ ପରିବାର ଉପକୃତ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡୁଛି । ତେବେ ଏହି ଯୋଜନାର ସର୍ବାଧିକ ଲାଭ ପୁରୀ ସ୍ୱର୍ଗଦ୍ୱାରଠାରେ ଦିଅ।ଯାଇଛି ।

କଳାହାଣ୍ଡି, ନୂଅ।ପଡ଼ା, ବଲାଙ୍ଗିର, କୋରାପୁଟ, ମାଲକାନଗିରି ଇତ୍ୟାଦି ଜିଲ୍ଲାରେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ।

୭. ପୁରୀରେ ଏହି ଯୋଜନା ଦ୍ୱାରା ସର୍ବାଧିକ ୧୬,୨୪୮ପରିବାର ଉପକୃତ ହୋଇଥିବାବେଳେ ମାଲକାନଗିରି ରେ ୬୫୪, ଝାରସୁଗୁଡ଼ାରେ ୧୬୯, ବଲାଙ୍ଗିରରେ ୧୪୬୩, କଳାହାଣ୍ଡିରେ ୪୬୬, ନୂଅ।ପଡ଼ାରେ ୭୧୫, କୋରାପୁଟରେ ୧୬୫୦ ଓ କନ୍ଧମାଳରେ ୧୩୦୦ ପରିବାର ଉପକୃତ ହୋଇଛନ୍ତି ।

ଏହି ତଥ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ, ସେମାନଙ୍କ ପାଖରେ ଏହା ପହଂଚୁ ନାହିଁ ।

ରାଜ୍ୟର ସବୁଠୁ ଗରିବ ଓ ଅବହେଳିତ ଜିଲ୍ଲାଗୁଡ଼ିକରେ ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଏତେ କମ୍ ହେବା ପଛରେ କାରଣ କ’ଣ ?

୮.ଦାନ ମାଝୀ ଘଟଣା ଘଟିବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ମହାପ୍ରୟାଣ ଯୋଜନାର ଶୁଭାରମ୍ଭ କଲେ । ୩୦ଟି ଜିଲ୍ଲା ସଦର ଡାକ୍ତରଖାନାରୁ ଶବ ବୋହିବା ପାଇଁ ମାଗଣା ପରିବହନ ସୁବିଧା ଯୋଗାଇ ଦିଅ।ଯିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଗଲା ।

ତେବେ ଏହା କ’ଣ ସତରେ ମାଗଣା ? ମହାପ୍ରୟାଣ ଯୋଜନା ପାଇଁ ଯେଉଁ ଗାଇଡ୍ ଲାଇନ୍ ଜିଲ୍ଳାମାନଙ୍କୁ ଦିଅ।ଯାଇଥିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତେବେ ଆଜିର ଗାଇଡ ଲାଇନ ଏଥିରେ କିଛିଟା ଆଶା ସଂଚାର କରିଛି ।

୯. ସର୍ବନିମ୍ନ ୧୦ କିଲୋମିଟର ଶବ ପରିବହନ ପାଇଁ ମୃତକଙ୍କ ପରିବାରକୁ ୨୦୦ଟଙ୍କା ଓ ତା’ପରେ କିଲୋମିଟର ପିଛା ୮ଟଙ୍କା ପରିବହନ ବାବଦକୁ ଗଣିବାକୁ ପଡ଼ିବ । ତା’ହେଲେ ଏହି ଯୋଜନା ମାଗଣା ହେଲା କେମିତି ?

ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା ପରେ ସରକାର ଗରିବ ଓ ବଂଚିତ ଲୋକଙ୍କୁ ଏହା ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି । ତେବେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ଅଧିକାର ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଅ।ଯାଇଛି । ରାଜ୍ୟର ସାଧାରଣ ଓ ଗରୀବ ଲୋକ ଯିଏ ଡାକ୍ତରଖାନାର ଚପରାସୀକୁ ଡରି ନିଜ ସ୍ତ୍ରୀର ଶବକୁ ବାନ୍ଧିବୁନ୍ଧି ଘରକୁ ଚାଲିଅ।ସନ୍ତି, ସିଏ ଜିଲ୍ଲାପାଳଙ୍କ ପାଖରେ ପହଂଚିବେ କେମିତି ?

୧୦. ଆଜିର ନିର୍ଦ୍ଦେଶାବଳୀ ରେ ସରକାରୀ ଡାକ୍ତରଖାନା ଗୁଡିକ ଉପରେ ଅଧିକ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ତେବେ ଏଥିଲାଗି ଥାନା, ଡାକ୍ତରଖାନା ଓ ସ୍ଥାନୀୟ ପ୍ରଶାସନ ର ସମନ୍ଵୟ କେମିତି ରହିବ ସେ ସମ୍ପର୍କରେ ବିଶେଷ କିଛି ଉଲ୍ଲେଖ ନାହିଁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସ୍ୱାସ୍ଥ୍ୟ Tagged With: ଅନ୍ତିମ ସଂସ୍କାର, ଡ଼ାକ୍ତରଖାନା, ଦାନ ମାଝୀ, ବିଧାନସଭା, ମହାପ୍ରୟାଣ, ମୃତଦେହ, ଯୋଜନା

ଗୀତର ନାଁ ଗୁରୁବାରୀ, ଜୀବନର ନାଁ ଡାଲଖାଇ: ଏକ ଶ୍ରଦ୍ଧାଞ୍ଜଳି 

October 22, 2017 by ନିଉଜ ଡେସ୍କ 5 Comments

2
କେଦାର ମିଶ୍ର

ତାଂକୁ ନେଇ ଆଜି ହୁଏତ ଖବର କାଗଜ ଅବା ସୋସିଆଲ୍ ମିଡିଆ ରେ ଅନେକ କଥା କୁହାଯାଉଛି, ଶ୍ରଦ୍ଧାଂଜଳିର ଭାଷାରେ ସେ ହୁଏତ ସମ୍ବଲପୁରୀ ନାଚର କିମ୍ବଦନ୍ତି ନାୟିକା, ହେଲେ ବାସ୍ତବ ଜୀବନରେ କଳା ପ୍ରତି ଉଦାସୀନ ଆମ ସମୟ ଓ ସମାଜର ସେ ଏକ ବିନମ୍ର ପ୍ରତୀକ ।

ଜୀବନ ବିତିଗଲା ଏମିତି ଏକ ନାଚର ସେବାରେ, ଯାହାର ପେଶାଦାର ଭବିଷ୍ୟତ ନାହିଁ କି ନଥିଲା। ଲୋକନୃତ୍ୟର କଳାକାରଙ୍କ ଲାଗି ସେଇଟା ବଡ ବିଡମ୍ବନା।ସାରା ଜୀବନର ସାଧନା ପରେ ବି ସ୍ଵୀକୃତି ସହଜରେ ମିଳେ ନାହିଁ ।

ଜୀବନ ଓ ନୃତ୍ୟ ର ଛନ୍ଦ ଏତେ ଅଲଗା ଯେ ମଂଚରୁ ତଳକୁ ଓହ୍ଲାଇଲେ ପୃଥିବୀ ଲାଗେ ଗୋଟେ ଭାତ ନଥିବା ମେଲା ହାଣ୍ଡି ପରି ।ରହିବା ଲାଗି ଘର ନଥାଏ, ଖାଇବା ଲାଗି ଗରସେ ପଖାଳ ନଥାଏ, ଅଥଚ ମନ ତଳର ସେ କଳାକାରଟି ମରେ ନାହିଁ ।

ଢୋଲ୍ ରେ ପାର୍ ବାଜିଲେ ପାଦ ଉଛନ୍ନ ହୁଏ, ଅଭାବର ଜୀବନ ସହ କଳାକାରର ଭାବ ପୁଣି ଯୋଡି ହୋଇଯାଏ।ସବୁ ଅଭାବ ସତ୍ତ୍ଵେ ପାଦ ଅଥୟ ହୁଏ ମଂଚରେ, ଏପରିକି ମଲା ପରେ ବି ସେ ପାଦରେ ଲାଖି ରହିଥାଏ ଗୋଟେ ଲାଳିତ୍ୟ।

ଗୁରୁବାରୀ ମିର୍ଧା ପ୍ରାଣହୀନ ହୋଇ ପଡିରହିଥିବା ବେଳେ, ସେ ମୁହଁ ରେ କେଉଁଠି ନା କେଉଁଠି ସେ ଛନ୍ଦ ଓ ଲାଳିତ୍ୟ ଅଛି, ଯାହାର ମୃତ୍ୟୁ ନାହିଁ !! ତେବେ କିଏ ଏହି ଗୁରୁବାରୀ ମିର୍ଦ୍ଧା ? କଣ ତାଂକର ପରିଚୟ ? ତାଂକ ଜୀବନ କାହାଣୀ ଗୋଟେ ଅଧଲେଖା ଉପନ୍ୟାସ ପରି।ଆସନ୍ତୁ ତାଂକୁ ଚିହ୍ନିବା ଓ ଚିହ୍ନୁ ଚିହ୍ନୁତାଂକୁ ସମ୍ମାନ ର ସହ ଭଲ ପାଇବା –

୧. ସମ୍ବଲପୁରୀ ନାଚର ନିର୍ଦ୍ଦିଷ୍ଟ କୌଣସି ସ୍ବରୂପ ନାହିଁ।ପଶ୍ଚିମ ଓଡିଶାର ଲୋକ ପରମ୍ପରାରେ ବହୁ ପ୍ରକାରର ଗୀତ ଓ ନୃତ୍ୟ ରହଛି। ଡାଲଖାଇ, ରସରକେଲୀ, ମାଏଲାଜଡ, ଜାଇଫୁଲ, ସଜନୀ ଗୀତ, ହୁମୋ ବଉଲୀ, ଦୁଲା ବିହା……ଏମିତି କେତେ ପ୍ରକାର ଓ କେତେ ପ୍ରଜାତି।ଗୁରୁବାରୀ ମିର୍ଦ୍ଧା ଏହି ସବୁ ଗୀତ ଓ ନୃତ୍ୟ ର କଳାକାର ।

4୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।

୩. ୧୯୬9 ମସିହା ଜାନୁଆରୀ ୨୬ ରେ ସମ୍ବଲପୁରୀ –ଡାଲଖାଇ ନୃତ୍ୟ ପରିବେଷଣ କରିବାକୁ ଗୁରୁବାରୀ ଦିଲ୍ଲୀ ଯାଇଥିଲେ।

ତାଂକ ନୃତ୍ୟ ର ଉଦ୍ଦାମ ଛନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ  ତନ୍ମୟ କରିଥିଲା। ଗୁରୁବାରୀଂକ ସହ ପାଦରେ ପାଦ ମିଳାଇ ଇନ୍ଦିରା ନାଚି ପକେଇଥିଲେ।ତାହାହିଁ ଥିଲା ସମ୍ବଲପୁରୀ ନାଚକୁ ଜାତୀୟ ସ୍ଵୀକୃତି ମିଳିବାର ପ୍ରଥମ ପାହାଚ ।

୪. ୧୯୬୮ ରେ ଗୁରୁବାରୀଂକ ବୟସ ଥିଲା ୧୬।ତାପରେ ସେ ବିଭିନ୍ନ କାର୍ୟକ୍ରମରେ ନାଚିଛନ୍ତି ଓ ଗାଇଛନ୍ତି।ଯେତେବେଳେ ରକ୍ଷଣଶୀଳ ସମାଜରେ ମଂଚ କୁ ଯିବା ଏକ କଳଙ୍କ, ସେତେବେଳେ ସାହସର ସହିତ ଗୁରୁବାରୀ ନିଜ ନାଚକୁ ସାଧନା ଭାବେ ଗ୍ରହଣ କରିଛନ୍ତି ।

୫. ଏହି ସମାନ ସମୟରେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଉଛି ଓ ଅନେକ ନାରୀ ଶିଳ୍ପୀ ଏହାକୁ ନିଜର ଜୀବନ-ଜୀବିକା ଭାବରେ ଗ୍ରହଣ କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି ।

ସମ୍ବଲପୁରୀ ନାଚର ସେ ସୌଭାଗ୍ୟ ଆସୁନାହିଁ ।

ଆଜିଯାଏ ସମ୍ବଲପୁରୀ ନାଚ କେବଳ କିଶୋରୀ ବୟସର ଉଲ୍ଲାସ ଭିତରେ ସୀମିତ ରହିଛି।ବୟସ ଗଡିଗଲେ, ସମ୍ବଲପୁରୀ ନାଚିବାର ସୁଯୋଗ ଇ ନାହିଁ ।ସେଇ ବିଡମ୍ବନା ଗୁରୁବାରୀଂକ ଜୀବନରେ ବି ଆସିଛି ।

୬. ଘର ସଂସାର ଓ ଅଭାବୀ ଜୀବନର ଦହନ ତାଂକୁ ମଂଚରୁ ଦୂରେଇ ନେଲା ସିନା, ନାଚ ତାଂକୁ ଛାଡିଲା ନାହିଁ ।

ଯେତେବେଳେ ବି ଯେଉଁଠି ସୁଯୋଗ ମିଳିଛି ସେ ନାଚ ଶିଖେଇଛନ୍ତି ଓ ନିଜେ ନାଚିଛନ୍ତି।ସମ୍ବଲପୁରୀ ର ଚାଖି ଚାହାନୀ, ଅଂଗରେ ଝରଣାର ରାଗ ଓ ମୁହଁ ମଲକା ଅଭିନୟ ଗୁରୁବାରୀଂକ ନୃତ୍ୟ ରେ ଉତ୍କର୍ଷ ହାସଲ କରିଥିଲା ।

3୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।

୮. ତେବେ ଜୀବନ ସଂଘର୍ଷରେ ତାଂକ ଲାଗି ଘର ଖଣ୍ଡେ ବି ନଥିଲା।ମୁଢି ଭାଜି ସେ ଜୀବିକ ନିର୍ବାହ କରୁଥିଲେ ।ବଡ କଷ୍ଟରେ ପରିଣତ ବୟସରେ ତାଂକୁ ରହିବା ଲାଗି ଇନ୍ଦିରା ଆବାସ ଖଣ୍ଡେ ମିଳିଥିଲା, ତାହା ପୁଣି ବହୁତ୍ କୁହା ବୋଲା ପରେ ।

୯. ଜୀବନର ଅନ୍ତିମ ଭାଗରେ ତାଂକ ସାଧନା ଲାଗି କିଛି କିଛି ସମ୍ମାନ ଓ ସ୍ବୀକୃତି ତାଂକୁ ମିଳିଥିଲା।ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଆହୁରି କିଛି ଅନୁଷ୍ଠାନ ତାଂକୁ ସମ୍ବର୍ଦ୍ଧିତ କରିଥିଲେ ।

୧୦. ୨୦ ଅକ୍ଟୋବର ଦିନ ଏହି କିମ୍ବଦନ୍ତି ନାୟିକାଂକ ଜୀବନ ଦୀପ ଲିଭିଗଲା ।

ବରଗଡ ଜିଲ୍ଲା ବିଜେପୁର ପାଖ ଏମ ଗଣ୍ଡପାଲି ଗାଁ ରେ ୭୦ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ।

ଗୁରୁବାରୀଂକ ବିଷୟରେ ଆଜି ଯାହା ଲେଖା ହେଲେବି ଆମକୁ ଗୋଟିଏ କଥା ମାନିବାକୁ ପଡିବ ଯେ ଗୋଟିଏ ସମାଜ ଭାବରେ ଆମର ସୃଜନଶୀଳ ପ୍ରତିଭା ମାନଂକୁ ଆମେ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦା ର ଜୀବନ ଟିଏ ଦେଇ ପାରି ନାହୁଁ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: କଳାକାର, ଗୁରୁବାରୀ ମିର୍ଧା, ଛନ୍ଦ, ଜୀବନ, ନୃତ୍ୟ, ପଶ୍ଚିମ ଓଡ଼ିଶା, ମଂଚ, ଲୋକ ପରମ୍ପରା, ଲୋକନୃତ୍ୟ, ଶ୍ରଦ୍ଧାଂଜଳି, ସମ୍ବଲପୁରୀ ନାଚ

ଅକ୍ଷୟ ମହାଂତିଙ୍କ ଗୀତ ଓ ଓଡିଶାର ସାମାଜିକ ଇତିହାସ

October 12, 2017 by ନିଉଜ ଡେସ୍କ 2 Comments

2016-12-10-11-42-39କେଦାର ମିଶ୍ର

ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାଂତିଂକୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି।

ସତକଥା କହିବାକୁ ଗଲେ ଓଡିଶାରେ ଅକ୍ଷୟ ମହାଂତିଂକ ଗୀତ ଶୁଣିନଥିବା ଲୋକ କେହି ନଥାନ୍ତି। ଓଡିଶାର ସାମାଜିକ ଜୀବନରେ ଅକ୍ଷୟ ମହାନ୍ତି, ଏକ କିମ୍ବଦନ୍ତି, ଅନେକ କାହାଣୀର ନାୟକ, ଅନେକ ପାପ ଓ ପୂଣ୍ୟର ମୂର୍ଛନା।

କେବେ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନୀ ପରି ଆତୁର କରୁଥିବା ଏକ ସ୍ଵର, ପୁଣିକେବେ ମହାନଦୀରେ ଭାସି ଯାଉଥିବା ଡଂଗା ପରି ଟଳମଳ।

ଅକ୍ଷୟ ମହାନ୍ତି ବିନା ଆମର ପ୍ରେମ,ବିରହ,ସ୍ମୃତି, ଗାଲୁଗପ, ଆମର ଖଟି,ଆମର ଇତିହାସ ଓ ଆମର ଆସର- କିଛି ବି ଚାଲିପାରିବ ନାହିଁ ।

ତାଂକ କଣ୍ଠସ୍ବର ସର୍ବବ୍ୟାପୀ ଓ ସବୁ କିଛିକୁ ସମ୍ମୋହିତ କରି ରଖିଲା ପରି। ଅକ୍ଷୟ ମହାନ୍ତି କେବଳ ଗାୟକ ବା ଗୀତିକାର ନଥିଲେ, ସେଥିଲେ ତାଂକ ସମୟର ପ୍ରତିନିଧି । ନିଜ ସମୟର ସମାଜ ଓ ତାର ବିଭାବକୁ ଗୀତ କରି ଗାଇ ପାରିବାର କୌଶଳ ତାଂକୁ ଜଣାଥିଲା ।

ତେଣୁ ସେ ବୋଧେ ଓଡିଶାର ଏକ ମାତ୍ର ଗାୟକ ଯାହାଂକ ଗୀତରେ ଓଡିଶାର ଚାହାଣୀ,ଚଳନୀ,ଚମକ,ଛଇ,ଛଟା ସମେତ ଓଡିଶାର ଇତିହାସ ଓ ଐତିହ୍ୟ ର ସ୍ପଷ୍ଟ ପ୍ରତିଫଳନ ବାରୀ ହୋଇପଡେ ।

ଓଡିଶାରେ ବହୁ ବଡ ବଡ ଗାୟକ ଆସିଛନ୍ତି ଓ ଏବେବି ଅଛନ୍ତି, ହେଲେ ଜଣେ ଗାୟକର ଗୀତକୁ ନେଇ ଇତିହାସ ରଚନା ହେବାର ସମ୍ଭାବନା, କେବଳ ଜଣକ ପାଖରେ- ସେ ଆଉ କେହି ନୁହନ୍ତି, ସେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇ ।

ତାଂକ ଗୀତକୁ ନେଇ ସମକାଳୀନ ଓଡିଶାର ସମାଜକୁ ଖୋଜିବା ଆସନ୍ତୁ-

୧. ଅକ୍ଷୟ ମହାନ୍ତି, ଜନ୍ମ କଟକ ସହର ରେ ୧୨ ଅକ୍ଟୋବର ୧୯୩୭ ଓ ଦେହାବସାନ ୧୭ ନଭେମ୍ବର ୨୦୦୨ । ୬୬ ବର୍ଷର ଜୀବନକାଳରେ ଓଡିଶାର ସବୁ ହୃଦୟକୁ ଆନ୍ଦୋଳିତ କରିଥିବା ଅକ୍ଷୟ ମହାନ୍ତି, ଓଡିଶାର ଇତିହାସକୁ ନିଜ ସର୍ତ୍ତରେ ରଚନା କରିଛନ୍ତି ।

ସେ ଇତିହାସ ତାରିଖ, ତାଳପତ୍ର ପୋଥି, ଗୁମ୍ଫା ଚିତ୍ର କି ଶିଳାଲିପି ର ଇତିହାସ ନୁହଁ । ତାଂକ ଗୀତରେ ସାଧାରଣ ଓଡିଆ ର ଜୀବନ ଜୀବିକା ଓ ଜୀଜୀବିଷାର କମ୍ପନ ରହିଛି ।

୨. ମହାନଦୀ କଥା କହିଲେ “ଯା ରେ ଭାସି ଯା, ନୌକା ମୋର ଭାସିଯା’ ଗୀତଟି ମାନେ ପଡିବାକୁ ବାଧ୍ୟ ।

ଶିବବ୍ରତ ଦାଶଂକ ରଚିତ ଏଇ ଗୀତ ଅକ୍ଷୟ ମହାଂତିଂକ କଣ୍ଠରେ ଗୋଟେ ଇତିହାସ ରଚନା କରିଛି।

ମହାନଦୀ କେବଳ ସାରା ଓଡିଶାକୁ ଗୋଟିଏ ସୂତାରେ ଗୁନ୍ଥିନାହିଁ, ଏହା ଓଡିଶାର ବିବିଧ ସାଂସ୍କୃତିକ ଜୀବନବୋଧକୁ ନିଜ ପ୍ରବାହରେ ଏକାଠି କରିଛି ।

ସମ୍ବଲପୁରୀ ନୁନୀ ର ମହାନଦୀ ଓ କଟକିଆଣୀ ର ମହାନଦୀକୁ ଗୋଟିଏ ସୁରରେ ବାନ୍ଧି ରଖିଥିବା ଏ ଗୀତ ମହାନଦୀ ପାଇଁ ସବୁଠୁ ବଡ କୃତଜ୍ଞତା ।

ଅକ୍ଷୟ ମହାନ୍ତିଙ୍କୁ ଶୁଣନ୍ତୁ

୩. କଟକ ସହର ଓ ଅକ୍ଷୟ ମହାନ୍ତି- ଗୋଟିଏ ଅସ୍ତିତ୍ଵ । କଟକର ପାନ ଦୋକାନ, ଗଳି, ଘାଟ,ବଜାର,ଛକ, କଟକ ସହରର ଦାଦା ଟୋକା, ମାଇଚିଆ, ସୁଖଭୋଗୀ ମଧ୍ୟବିତ୍ତ,ଫୁଲେଇ ସୁନ୍ଦରୀ ଝିଅ ଓ ରସିକତା ର ଗୋଟି ଗୋଟି ଉଦାହରଣ ତାଂକ ଗୀତରେ ଆସିଛି ।

୪. ଲେଇ ଲେଇକା ଲଚକମଣୀ ଲବଂଗ ଦିଆ ପାନ….. ତହୁଁ କାଂଜୀ ଗଲା ଖରେ…ଏ ଗୀତ ସବୁ ହୁଏତ ହାଲକା ଫୁଲକା ଲାଗି ପାରନ୍ତି, ହେଲେ ସବୁ ଗୀତରେ କଟକୀ ଜୀବନର ଛନ୍ଦ ଓ ଉନ୍ମାଦନା ଭାରୀ ରହିଛି ।

ଷଣ୍ଢ ଟି ଖାଲି କଟକରେ ବାଇଆ ହୋଇ ବୁଲୁନାହିଁ, ସେ ମାଲ ଗୋଦାମ, ଛତ୍ର ବଜାର, କଲେଜ ଛକ, ଚୌଧୁରୀ ବଜାର ଦେଇ ପୁରା କଟକୀ ଜୀବନ କୁ ବୟାନ୍ କରୁଛି । ଷଣ୍ଢ  ଏଠି ଗୋଟେ ପ୍ରତୀକ ପାଲଟି ଯାଉଚି ଓ ସାରା କଟକ ସହରର ଜୀବନ କାହାଣୀ କୁ କହିଦେଉଛି ।

୫. ଗାଥା କବିତା କୁ ଗୀତ କରି ଅକ୍ଷୟ ମହାନ୍ତି ଓଡିଶାର ଇତିହାସକୁ ଜୀବନ୍ତ କରିଛନ୍ତି । ଓଡିଆ ପରିଚୟ ଓ ଅସ୍ମିତା କୁ ଗଢିବାରେ ଏ ଗାଥା ସବୁର ଅତୁଳନୀୟ ଅବଦାନ ରହିଛି । କାଂଚୀ ଅଭିଯାନ, କୋଣାର୍କ ଗାଥା ଓ ମହାନଦୀ ତାର ଏକ ଏକ ଉଦାହରଣ ।

୬. ଫକୀର ମୋହନଂକ “ରାଣ୍ଡି ପୁଅ ଅନନ୍ତା” ଓ “ପେଟେଣ୍ଟ ମେଡିସିନ୍” ଗୀତି କାବ୍ୟ ର ରୂପ ନେଇ ଆମ ସାମାଜିକ ଜୀବନର ଅନେକ ସତ୍ୟ କୁ ଆବିଷ୍କାର କରନ୍ତି ।

୭. କଟକ ଯେତେବେଳେ ତାର ରାଜଧାନୀ ପରିଚୟ ହରାଉଛି ଓ ୨୫ କିଲୋମିଟର ଦୂରରେ ନୁଆ ରାଜଧାନୀ ଭୁବନେଶ୍ଵର ଗଢି ଉଠୁଛି, ଏ ଦୁଇ ସହର ର ନାଗରିକଂକ ମାନସିକ ସଂଘାତ ତଥା ଭାବ-ଅଭାବ ର କଥା ଅକ୍ଷୟ ଯେମିତି କହିଛନ୍ତି, ସେ ଐତିହାସିକ ଦୃଷ୍ଟିରୁ ବେଶୀ ଗୁରୁତ୍ଵପୁର୍ଣ୍ଣ ।

ରାଜା ଝିଅ ସଂଗେ କରିଥିଲି ଭାବ….ବା..ବା..ରେ କାପିଟାଲ୍…କୁ ହାଲକା ରେ ନ ନେଇ ଟିକେ ଗଭୀର ଭାବେ ଶୁଣିଲେ, ନୁଆ କିଛି ଆବିଷ୍କାର କରାଯାଇ ପାରିବ ।

୮. ଅଧା ଗଢା ଦିଅ ର ଚକା ଚକା ଆଖିକୁ……ଏମିତି ଏକ ଗୀତ ଯେଉଁଠି ସମଗ୍ର ଜଗନାଥ ମଂଦିର ଓ ତାର ପ୍ରଥା ଓ ପରମ୍ପରା ର ବର୍ଣ୍ଣନା ରହିଛି । ଏପରିକି ସାଲାବେଗଙ୍କ  ରଚନାରୁ କେଣେ ଘେନି ଯାଉଚ୍ଛ ଜଗନାଥଂକୁ ..ଗାଇଲା ବେଳେ ଇତିହାସର ଏକ ଅନ୍ଧାର ଅଧ୍ୟାୟ ର ବିଫଳତା କୁ ସେ ଅତି ଚମତ୍କାର ଭାବେ ଗାଇ ପାରନ୍ତି ।

୯. ଭୀମ ଭୋଇ, ସାଲବେଗ, ଜଗନ୍ନାଥ ଦାସଂକୁ ଗାଇଲା ବେଳେ ସେ ଯେତିକି ଗମ୍ଭୀର ନୁଆ ଜମାନା ର ଗୀତରେ ସେତିକି ସହଜିଆ । ଗୀତ ରଚନା କଲାବେଳେ ଓଡିଶାର ଜନଜୀବନ ଓ ପାଣିପାଗ ତାଂକୁ କେବେବି ଛାଡ଼ି ନାହିଁ । କାଲି ଯଦି କଟକର ନୁଆ ଇତିହାସ ଲେଖାହେବ, ସେଠି ଅକ୍ଷୟ ମହାଂତିଂକ ଗୀତ ଗୋଟେ ବଡ ଉତ୍ସ ନିଶ୍ଚୟ ।

୧୦. ବହୁ ଗାୟକଂକ ଗଳା ସୁନ୍ଦର, ସେମାନଂକ ପରିବେଷଣ ମଧୁର, ହୁଏତ ସଂଗୀତ ଶାସ୍ତ୍ରରେ ସେମାନେ ବେଶ୍ ଧୁରୀଣ- ହେଲେ ଅକ୍ଷୟ ନିଆରା । ତାଂକ ଗୀତ ଓଡିଆ ଜୀବନର ଦଲିଲ୍, ଆଉ ସେ ଦଲିଲ୍ ଅକ୍ଷୟ ଓ ଅମର ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଓଡିଆ ଚଳଚିତ୍ର, ମନୋରଞ୍ଜନ Tagged With: ଅକ୍ଷୟ ମହାଂତି, ଓଡିଶା, କଣ୍ଠସ୍ବର, ଖୋକା ଭାଇ, ଗାୟକ, ଗୀତ, ଗୀତିକାର, ମହାନଦୀ, ସାମାଜିକ ଇତିହାସ

ଓଡିଶାର ଦେବୀ ପରମ୍ପରା ସମ୍ପର୍କରେ କେତୋଟି ତଥ୍ୟ

October 10, 2017 by ନିଉଜ ଡେସ୍କ 1 Comment

maa-hingula19

କେଦାର ମିଶ୍ର

ପ୍ରାଚୀନ ଭାରତୀୟ ସାଂସ୍କୃତିକ ଜୀବନରେ ଦୁଇଟି ଧାରାର ସଂଘାତ ଓ ସମାଗମ ସବୁବେଳେ ଘଟି ଆସୁଥିଲା ।

ନିଗମ ଓ ଆଗମ ନିଗମ ଧାରା ସହ ବୈଦିକ ବ୍ରାହ୍ମଣ୍ୟ ଧାରା ର ସମ୍ପର୍କ ରହିଥିବା ବେଳେ ଆଗମ ମୂଳତଃ ଅବୈଦିକ । ଅନେକାଂଶରେ ଏହା ବେଦ ବା ନିଗମର ବିକଳ୍ପ ବା ବିରୋଧୀ ।

ବୈଦିକ ଧାରାରେ ଜାତି, ବର୍ଣ୍ଣ, ଆଚରଣ ଓ କୂଳାଚାରର ବନ୍ଧନ ରହିଥିବାବେଳେ ଆଗମ ବା ତନ୍ତ୍ର ଧାରାରେ ଏହାର କୌଣସି ଉପଯୋଗିତା ନଥିଲା ।

ତନ୍ତ୍ର ହେଉଛି ଭାରତର ପ୍ରଥମ ସର୍ବୋଦୟୀ ଓ ସମତା ଭିତ୍ତିକ ବିଚାରର ଭିତ୍ତିଭୂମି । ଭାରତର ଉତ୍ତର ଖଣ୍ଡରେ ନିଗମ ର ପ୍ରଭାବ ଅଧିକ ରହିଥିବା ବେଳେ ଆଗମ ବା ତନ୍ତ୍ର ମତର ପ୍ରଭାବ ପୂର୍ବ ଭାରତରେ ପ୍ରଭାବଶାଳୀ ।

ଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ । ଓଡିଶାର ଦେବୀ ପରମ୍ପରା ଓ ତାରଲୌକିକ କଳ୍ପନା କୁ ନେଇ ଦଶଟି କଥା –

୧. ଓଡିଶାର ପ୍ରାଚୀନତମ ଶକ୍ତି ପୀଠ ଭାବରେ ବିରଜା କ୍ଷେତ୍ର ବା ଯାଜପୁରର ର ପ୍ରମାଣସିଦ୍ଧ ଇତିହାସ ରହିଛି । ପ୍ରଥମ ରୁ ଦଶମ ଶତାବ୍ଦୀରେ ଓଡିଶାରେ ବହୁ ଧାରା ର ତନ୍ତ୍ର ଉପାସନା ଦେଖିବାକୁ ମିଳିଥିଲା ।

ଶୈଲୋଦଭବ, ଭୌମକର, ସୁଲୁକୀ,ଭଂଜ ଇତ୍ୟାଦି ରାଜବଂଶ ଗୁଡିକ ଲୋକତନ୍ତ୍ର ଓ କୌଳତନ୍ତ୍ରର ସମନ୍ୱୟ ବିଧାନ କରିଥିଲେ ।

୨. ତେବେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ସ୍ତମ୍ଭେଶ୍ଵରୀ ବା ଖମ୍ବେଶ୍ଵରୀ ଉପାସନା ବହୁ ଆଗରୁ ରହି ଆସିଥିଲା ।

ଆସ୍କା, ସୁବର୍ଣ୍ଣପୁର,ବୌଦ୍ଧ, ଆଠମଲ୍ଲିକ ଓ କଳାହାଣ୍ଡି ରେ ସ୍ତମ୍ଭ ଉପାସନା ର ଧାରା ବହୁ ପ୍ରାଚୀନ ସ୍ତମ୍ଭେଶ୍ଵରୀ ପରମ୍ପରା ସହ ନୃସିଂହ ପରମ୍ପରାର ସମ୍ପର୍କକୁ ଅନେକ ଐତିହାସିକ ଗୁରୁତ୍ଵ ଦେଇଥାନ୍ତି ।

ସେହି ସୂତ୍ରରେ ପୂରୀ ଜଗନାଥଂକ ପୂଜା ଉପାସନା ସହ ନୃସିଂହ ମନ୍ତ୍ର ର ସମ୍ପର୍କ ଯୋଗୁଁ ତାଂକୁ ତନ୍ତ୍ର ଦେବତା ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ ।

୩. ପୂରୀ ପୂର୍ବ ଉପକୁଳର ସର୍ବ ଶ୍ରେଷ୍ଠ ବିଷ୍ଣୁପୀଠ ହୋଇଥିଲେ ମଧ୍ୟ ଏହାର କ୍ଷେତ୍ରାଧିଶ୍ଵରୀ ହେଉଛନ୍ତି ବିମଳା ।

କ୍ଷେତ୍ରେ ତୁ ବିମଳା ସ୍ଵୟଂ ଜଗନାଥସ୍ତୁ ଭୈରବ । ଜଗନାଥଂକୁ ଘେରି ବିମଳା, କମଳା, ଭୁବନେଶ୍ଵରୀ, କାଳୀ ଓ ନୀଳ ସରସ୍ଵତୀ ରହିଛନ୍ତି । ଏମାନେ ସମସ୍ତେ ତନ୍ତ୍ର ଦେବୀ ଅନେକ ସମୟରେ ଜଗନାଥଂକୁ ଦକ୍ଷିଣ କାଳିକା ବୋଲି ମଧ୍ୟ କୁହା ଯାଇଛି।

୪. ତନ୍ତ୍ର ଶାସ୍ତ୍ର ର କୌଳ ମତ ଅନୁଯାୟୀ ଓଡିଶା ବା ଓଡିୟାନ ପୀଠର ମହତ୍ତ୍ଵ ଅଧିକ କ୍ଷେତ୍ରରେ ବିମଳା, ଯାଜପୁରରେ ବିରଜା, କାକଟପୁରରେ ମଂଗଳା, ଝଂକଡରେ ଶାରଳା, ବାଣପୁରରେ ଭଗବତୀ, ଭୁଶଣ୍ଡପୁରରେ ଉଗ୍ରତାରା, ବାଂକିରେ ଚର୍ଚୀକା, ସମ୍ବଲପୁରରେ ସମଲାଇ, ସୁବର୍ଣ୍ଣପୁରରେ ସୁରେଶ୍ଵରୀ, ପାଟଣା ରେ ପାଟମେଶ୍ଵରୀ, କଳାହାଣ୍ଡିରେ ମାଣୀକେଶ୍ଵରୀ ଓ ଆହୁରି ଅନେକ ।

୫. ଓଡିଶାରେ ଦଶ ମହାବିଦ୍ୟା (କାଳୀ, ତାରା,ଭୁବନେଶ୍ଵରୀ,ବଗଳା, ମାତଂଗୀ,ଛିନ୍ନମସ୍ତା,ତ୍ରିପୁର ସୁନ୍ଦରୀ,,ଭୈରବୀ,ଧୁମାବତୀ ଓ କମଳା), ସପ୍ତ ମାତୃକା (ସ୍ଥାନ ଭେଦରେ ଅଷ୍ଟ ମାତୃକା)- ବ୍ରହ୍ମାଣୀ, ମାହେଶ୍ଵରୀ,କୌମାରୀ, ବୈଷ୍ଣବୀ,ଇନ୍ଦ୍ରାଣୀ,ବାରାହୀ ଓ ଚାମୁଣ୍ଡା ତଥା ଚୌଶଠି ଯୋଗିନୀ ପରମ୍ପରା ଓଡିଶାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବିଦ୍ୟମାନ ରହିଛି ।

୬. ଏହାଠୁ ଭିନ୍ନ ଲୋକାଚାରରେ ସାତ ଭଉଣୀ ପରମ୍ପରା ମଧ୍ୟ ବେଶ୍ ଲୋକପ୍ରିୟ । ସମଗ୍ର ଓଡିଶାରେ ଶୁଦ୍ର ତଥା ଦଳିତ ଜାତିର ଏହି ସାତ ଭଉଣୀ ସବୁଠୁ ଶକ୍ତିଶାଳୀ ଦେବୀ ଭାବରେ ପୂଜିତ ହୁଅନ୍ତି । ପାଟଣାଗଡ ଓ ସୋନପୁରରେ ସାତ ଭଉଣୀ ପରମ୍ପରାର ସାଧନା ଆଜି ମଧ୍ୟ ଦେଖିବାକୁ ମିଳେ ।

୭. କୁହାଯାଏ ସାତ ଭଉଣୀ ସାଧନା କରି ଓଡିଶାରେ ଗଂଗ ବଂଶ ସ୍ଥାପିତ ହୋଇଥିଲା । ଜ୍ଞାନଦେଇ ମାଲୁଣୀ, ନିତେଇ ଧୋବଣୀ, ପତର ଶଉରୁଣୀ,ଶୁଆ ତେଲୁଣୀ, ଗାଂଗୀ ଗଉଡୁଣୀ, ଲୁହୁକୁଟି ଲୁହୁରୁଣୀ ଓ ଶୁକୁଟି ଚମାରୁଣୀ ।

ଏଇ ସାତ ଭଉଣୀ ଓଡିଆ ଜନ ଜୀବନରେ କେବଳ ନାରୀ ଶକ୍ତିର ପ୍ରତୀକ ନୁହନ୍ତି, ସେମାନେ ସମାଜର ସବୁଠୁ ନିମ୍ନ ଜାତି ଭାବେ ପରିଗଣିତ ଆଦିବାସୀ ଓ ଦଳିତ ଶକ୍ତିର ପ୍ରତିନିଧି ମଧ୍ୟ ।

୮. ମନ୍ଦିର ଓ ପୀଠ ବାହାରେ ଗାଁ ରେ ଗ୍ରାମଦେବୀ, ନଗରରେ ସ୍ଥାନେଶ୍ଵରୀ ଓ ଜଂଗଲରେ ବନଦେବୀ ରୂପେ ଅସଂଖ୍ୟ ଦେବୀ ପୂଜା ପାଆନ୍ତି ।

ସାଧାରଣ ନାରୀ ଟିଏ ତାର ସଂଘର୍ଷ ଓସଂକଳ୍ପ କୁ ନେଇ ଦେବୀ ଭାବରେ ପୂଜା ପାଇଥାଏ ଯେମିତି ଚିଲିକାରେ କାଳିଜାଇ, ସୋନପୁରରେ ମେଟାକାନୀ, କେଉଁଠି ଷୋଳପୁଅ ମା ଭୁଆଶୁଣୀ ଓ ଆହୁରି ଅନେକ ଏମାନେ ଲୋକଂକର ଦେବୀ ଓ ଲୋକଂକ ବିଶ୍ଵାସ ର ପ୍ରତୀକ ।

୯. କାକୁଡି ଖାଇ, ବାସୁଳୀ,ଜାଗୁଳେଇ, କଂକାଲୀ,କଂଧେନ ବୁଢୀ,ପିତାବଲୀ,ଶୁଲିଆ,ଦ୍ଵାରସୁନୀ,ଡୋକରୀ, ମାଉଲୀ, ବେତାଲୀ, ମଝି ଘରିଆଣୀ, କରଲାପାଟ୍,ଶିଖରପାଟ୍, ଭିମ୍ ବୁଢା,ବରାଳ ଦେବୀ ଓ ଆହୁରି ଅନେକ ଅନେକ ନାମରେ ଦେବୀ ପୂଜାର ଏକ ବିଶାଳ ପରମ୍ପରା ଓଡିଶାରେ ରହିଛି ।

ଗୋଟିଏ ବାକ୍ୟରେ କହିଲେ” ଗାଁ ଗୋଟେ କୁ ଦେବୀ ଗୋଟେ ‘ ହେଉଛି ଓଡିଶାର ଅସଲ ପରିଚୟ ।

୧୦. ଓଡିଶାରେ ଦେବୀ ପରମ୍ପରାର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି –ଏହାର ସମତା ଭିତ୍ତିକ ବିଚାର ଦେବୀ ମନ୍ଦିରରେ ଜାତି ର ବାରଣ ନଥାଏ ।

ପ୍ରାୟ ସବୁ ମନ୍ଦିର (ଅଳ୍ପ କେତୋଟି ପୀଠକୁ ବାଦ୍ ଦେଲେ)ରେ ପୂଜକ ଆଦିବାସୀ ନଚେତ ଶୁଦ୍ର ଜାତିର । ହିନ୍ଦୁ ବ୍ରାହ୍ମଣବାଦ ବିରୋଧରେ ଏହା ଏକ ଚରମ ପ୍ରତିବାଦ । ଦେବୀ ମନ୍ଦିରର ପୂଜକ, ଦେହେରୀ,ଝାଂକର ମାନେ ଅନେକାଂଶରେ ଆଦିବାସୀ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଧର୍ମ, ମୁଖ୍ୟ ଖବର Tagged With: ଓଡିଶା, ତନ୍ତ୍ର, ଦକ୍ଷିଣ ଓଡିଶା, ଦେବୀ ପରମ୍ପରା, ପରମ୍ପରା, ପଶ୍ଚିମ ଓଡ଼ିଶା, ପୂର୍ବ ଓଡିଶା, ପ୍ରାଚୀନ, ଭାରତୀୟ, ଶାକ୍ତ, ସାଂସ୍କୃତିକ

ଗାନ୍ଧି ଓ ଓଡିଶା ; ଦଶଟି ପ୍ରମୁଖ ତଥ୍ୟ

October 3, 2017 by ନିଉଜ ଡେସ୍କ Leave a Comment

gandhi
କେଦାର ମିଶ୍ର
ଫଟୋ- ଡ. କୈଳାସ ଚନ୍ଦ୍ର ଦାଶ

ନାହମ୍ ତିଷ୍ଠାମି କଂଗ୍ରେସେ ନ ଚ ନେତୃଗଣାନ୍ତିକେ
ଅହିଂସା ସତ୍ୟ ତତ୍ତ୍ଵାନାମ୍ କର୍ମକ୍ଷେତ୍ରେ ବସାମ୍ୟହମ୍ ।

ମହାତ୍ମାଗାନ୍ଧୀଙ୍କ ଓଡିଶା ସହ ସମ୍ପର୍କର ଅନୁସନ୍ଧାନ କଲାବେଳେ ଐତିହାସିକ ତଥ୍ୟ ତୁଳନାରେ ସାହିତ୍ୟ ଓ ପ୍ରଚାର ଗୀତରୁ ଗାଂଧିଂକ ପ୍ରତି ଓଡିଆଂକର ଭାବପ୍ରବଣ ସମ୍ପର୍କକୁ ବେଶ୍ ଆକଳନ କରିହେବ ।

ଓଡିଶା ରାଜନୀତିରେ ଗାଂଧିଂକ ପ୍ରଭାବ ଓ ସାମାଜିକ ଜୀବନରେ ତାଂକ ବ୍ୟକ୍ତିତ୍ଵର ପ୍ରତିଷ୍ଠା ବିଷୟରେ କେତୋଟି ଚମତ୍କାର ତଥ୍ୟ ଉପସ୍ଥାପନ କରିଛନ୍ତି ଆମ ସମୟର ଜଣେ ଗୁଣୀ ଐତିହାସିକ ତଥା ଗବେଷକ ଡ. କୈଳାସ ଚନ୍ଦ୍ର ଦାଶ । ଗାନ୍ଧି ଓଡିଆ କବିଂକ କବିତାରେ କେଉଁଠି ଦେବତା, ପୁଣି କେଉଁଠି ନେତା ।

ତାଂକ ପ୍ରଶଂସାରେ ମହାପୁରାଣ ବି ଲେଖା ହୋଇଛି ଓଡିଆରେ । ଓଡିଆ ସଂସ୍କୃତ ପଣ୍ଡିତ ମାନେ ଲେଖିଛନ୍ତି ଗାନ୍ଧି ଗୀତା ଓ ଗାନ୍ଧି ଚାରିତାମୃତ । ଏହି ସବୁ ଅଳ୍ପ ଚର୍ଚିତ ଅଥଚ ମୂଲ୍ୟବାନ ତଥ୍ୟ କୁ ନେଇ ଦଶଟି କଥା –

୧. ଓଡିଶାରେ ଗାଂଧିଂକ ରହଣୀ ଖୁବ ବେଶୀ ଦିନର ନୁହଁ । ୧୯୨୧ ରୁ ୧୯୪୬, ୨୫ ବର୍ଷ ଭିତରେ ଗାନ୍ଧି ସାତ ଥର ଓଡିଶାକୁ ଆସିଛନ୍ତି । ସାତ ଥର ଯାତ୍ରା ରେ ତାଂକର ସମୁଦାୟ ଓଡିଶା ରହଣୀ ଦିବସ ହେଉଛି ୬୯ ଦିନ ।

2 ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କଟକର କଦମ୍ ରସୁଲ୍ ଠାରେ ଗାନ୍ଧି ତାଂକ ପତ୍ନୀ କସ୍ତୁରବାଂକ ସହ ଆସି ହିନ୍ଦୁ ମୁସଲମାନ୍ ଏକତା ସମ୍ପର୍କରେ ତାଂକର ଭାଷଣ ରଖିଥିଲେ । ପ୍ରଥମ ଯାତ୍ରାରେ ସେ କଟକ, ପୁରୀ, ଭଦ୍ରଖ ଓ ବ୍ରହ୍ମପୁର ଠାରେ ଭାସଣ ଦେଇଥିଲେ ।

୨. ତାପରେ ୧୯୨୫ ଡିସେମ୍ବର ମାସରେ ଓଡିଶା ଆସି ସେ ମଧୁସୁଦନ ଦାସଂକ ଉତ୍କଳ ଟାନେରୀ ପରିଦର୍ଶନ କରିଥିଲେ । ୧୯୨୭ ଡିସେମ୍ବର ମାସରେ ପୁଣିଥରେ ମଧୁ ବାବୁଂକ ଆତିଥ୍ୟ ସ୍ଵୀକାର କରିଥିଲେ ।

3୩.୧୯୨୮ ମସିହାରେ ପଶ୍ଚିମ ଓଡିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଠାରେ ସେ ଜନସଭା କୁ ଉଦବୋଧନ ଦେଇଥିଲେ ।

୧୯୩୪ ରେ ଓଡିଶାରେ ଗାନ୍ଧି ତାଂକର ପଦଯାତ୍ରା ଆରମ୍ଭ କରିବା ସହିତ ପୁରୀ ବଡଦାଣ୍ଡ ଠାରେ ଉତ୍କଳ ମଣି ଗୋପବନ୍ଧୁ ଦାସଂକ ପ୍ରତମୂର୍ତୀ କୁ ମାର୍ଚ୍ଚ ୮ ତାରିଖ ଦିନ ଉନ୍ମୋଚନ କରିଥିଲେ । ପୁଣି ୧୯୩୮ ଓ ୧୯୪୬ ରେ ଗାନ୍ଧି ଓଡିଶା ଗସ୍ତ କରିଥିଲେ ।

୪. ଓଡିଶାର ଦାରିଦ୍ର୍ୟ ତାଂକୁ ବିଚଳିତ କରିଥିଲା ଓ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଓଡିଶା ସ୍ଵାବଲମ୍ବୀ ହୋଇପାରିବ ବୋଲି ସେ ଚିନ୍ତା କରୁଥିଲେ ଓ ଖଦି କୁ ଏକ ବିକାଶର ମାଧ୍ୟମ ବୋଲି କହିଥିଲେ । ଏ ସମ୍ପର୍କରେ ହରିଜନ ଓ ୟଂଗ ଇଣ୍ଡିଆ ରେ ସେ ଅନେକ ଲେଖା ମଧ୍ୟ ଲେଖିଥିଲେ ।

୫. ଗାନ୍ଧି ଓଡିଶା ଓ ଓଡିଆଂକ ବିଷୟରେ କଂ ଭାବୁଥିଲେ ତାର ଐତିହାସିକ ମୂଲ୍ୟ ନିହାତି ରହିଛି ।

4ତେବେ ଗାଂଧିଂକ ବିଷୟରେ ଓଡିଆଂକ ଚିନ୍ତନ ଓ ସମ୍ମାନ ର ପୂର୍ନାଂଗ ଆକଳନ ଆଜି ଯାଏ ହୋଇପାରିନାହିଁ ।

ଗାଂଧିଂକ ରଚନା ଓଡିଆ ଭାଷାକୁ ତିରିଶ ଦଶକ ରୁ ଅନୁବାଦ ହେବା ଆରମ୍ଭ କଲାଣି । ତା ସହିତ ଗାନ୍ଧି ଦର୍ଶନ, ବିଚାର ଓ ତାଂକ ସହ ଦେଖା ହେବାର ଅନୁଭବ କୁ ନେଇ ମଧ୍ୟ ବହୁ ଲେଖା ପ୍ରକାଶିତ ହୋଇଛି ।

୬. ୧୯୩୬ ମସିହାରେ ପଣ୍ଡିତ ନୀଳକଣ୍ଠ ରଥ “ଗାନ୍ଧି ମହାପୁରାଣ” ନାମରେ ଏକ ଦୀର୍ଘ ଚରିତ କାବ୍ୟ ରଚନା କରିଥିଲେ । ପଣ୍ଡିତ ରଥ ଏହା ବ୍ୟତୀତ ଗାନ୍ଧି ପୁରାଣ, ଗାନ୍ଧି ସଂହିତା ଓ ଗାନ୍ଧି ଗୀତା ରଚନା କରିଥିବାର ଜଣାଯାଏ ।

ସେହିପରି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର “ଶ୍ରୀମଦ୍ ଗାନ୍ଧିଚରିତାମୃତମ୍” ନାମରେ ଏକ ସଂସ୍କୃତ ଖଣ୍ଡକାବ୍ୟ ଲେଖିଥିଲେ ।

5୭.ବାପୁଂକ ଆତ୍ମଜୀବନୀ “ସତ୍ୟର ପ୍ରୟୋଗ” କୁ ଓଡିଆରେ ପ୍ରଥମେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମେ ଦୁଇ ଭାଗରେ ପ୍ରକାଶ ପାଇଥିଲା । ଗାନ୍ଧୀ ରଚନା କୁ ଓଡିଆ ରେ ଅନୁବାଦ କରିବାରେ ବିନୋଦ କାନୁନଗୋ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ ।

୮. ତେବେ ଗାନ୍ଧି ଗୋଟେ ନିର୍ଦ୍ଦିଷ୍ଟ ବର୍ଗ ବା ରାଜନୈତିକ ଗୋଷ୍ଠୀ ର ପ୍ରିୟପାତ୍ର ନଥିଲେ । କେନ୍ଦ୍ର ରେ ସାମ୍ୟବାଦୀ ମାନଂକ ସହ ତାଂକର ମତଭେଦ ଥିବା ବେଳେ ଓଡିଶାର ବହୁ ସାମ୍ୟବାଦୀ କବି ଗାଂଧିଜିଂକ ସ୍ମୃତିରେ କବିତା ଲେଖିଛନ୍ତି ।

ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ ଓ ମୁରାରୀ ଜେନାଂକ ପରି ବିପ୍ଲବୀ ଲେଖକ ଗାଂଧିଜିଂକ ଜୀବନର ଜୟଗାନ କରିଛନ୍ତି ।

୯. ଚରିତ ଓ ସ୍ମୃତିଲେଖ ମାଧ୍ୟମରେ ଇତିହାସ ର ଅନେକ ତଥ୍ୟ ଲୋକ ଲୋଚନକୁ ଆସିଥାଏ । ଗାନ୍ଧି ଚରିତ କୁ ନେଇ ଲେଖା ଯାଇଥିବା ଅନେକ ଓଡିଆ କବିତାରେ ଆମ ସମାଜ ଓ ରାଜନୀତିର ଚିତ୍ର ଖୋଜା ଯାଇ ପାରିବ ।

6ଗୋପବନ୍ଧୁ ଚୌଧୁରିଂକ “ଚାଷୀ ମୁଲିଆ ଗାନ୍ଧି”, ବିନୋଦ କାନୁନଗୋଂକ “ସୂତା ଖିଅକରେ ସ୍ଵରାଜ୍ୟ ଝୁଲୁଛି”, ବଲରାମ ମିଶ୍ରଂକ “ବେପାରୀ ପୁଅ”- ଏମିତି କିଛି ବହି ଯାହାର ପ୍ରଚୁର ଐତିହାସିକ ମୂଲ୍ୟ ରହିଛି ।

୧୦. ତେବେ ଖାଲି ଯେ ଗାଂଧିଜିଂକ ପ୍ରଶଂସାରେ ବହି ବାହାରିଛି ତା ନୁହଁ, ତଂକୁ ବିରୋଧ କରି କାଁ ଭାଁ ବହି ଓ ପ୍ରଚାର ପତ୍ର ବାହାରିଥିଲା । ପୁରୀର କେତେଜଣ ରକ୍ଷଣଶୀଳ ମହନ୍ତ ଏମିତି ଏକ ପ୍ରଚାରପତ୍ର ଛାପି ବାଣ୍ଟିଥିଲେ, ଯାହାକି ଲୋକଂକ ଦ୍ଵାରା ଆଦୃତ ହୋଇ ନଥିଲା ।

ଓଡିଆଂକ ଗାନ୍ଧି ପ୍ରୀତିର ନିଦର୍ଶନ ପ୍ରସ୍ତୁତ କରିବାକୁ ଯାଇ ପ୍ରଖ୍ୟାତ କବି ମାୟାଧର ମାନସିଂହ ଲେଖିଥିଲେ- “ସେ ଯେଉଁ ଆଡେ ଯାଉଥିଲେ ସେଠି ମାଟିରେ ପଦ୍ମ ଫୁଟି ଯାଉଥିଲା। ଜଡ ଜୀବନ୍ତ ହେଉଥିଲା, ମୂକ କଥା କହୁଥିଲା । ତାଂକର ମୃତ୍ୟୁରେ କେବଳ ଏ ଦେଶ ନୁହଁ ସମଗ୍ର ପୃଥିବୀର ମାଟି ପଥର ବି କାଂଦିଛି । ”

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଜଣା ଅଜଣା Tagged With: ଉତ୍କଳ ମଣି, ଓଡିଆ, ଓଡିଶା, ଗାନ୍ଧି, ଗୋପବନ୍ଧୁ ଦାସ, ନ୍ଧି ଗୀତା ଓ ଗାନ୍ଧି ଚରିତାମୃତ, ପ୍ରଚାର ଗୀତ, ମଧୁ ବାବୁ, ମହାପୁରାଣ, ସଂସ୍କୃତ, ସାହିତ୍ୟ

ଲୁଲୁ ମହାପାତ୍ର ; ଜୀବନ ଓ ରାଜନୀତିକୁ ନେଇ କିଛି କଥା

November 8, 2016 by ନିଉଜ ଡେସ୍କ 1 Comment

1390462_443376125767543_280703817_n

କେଦାର ମିଶ୍ର

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ନାଁ ଟି ସହିତ ଗତ ୩୫ ବର୍ଷର ଓଡିଆ ଜନଜୀବନ ଓ ଗଣମାଧ୍ୟମ ବେଶ୍ ଅଭ୍ୟସ୍ତ। ମାତ୍ର ୫୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଲୁଲୁ (ଲଲାଟେନ୍ଦୁ ଅପେକ୍ଷା ଏ ନାଁ ଟି ସହ ଓଡିଶା ବାସୀ ବେଶୀ ପରିଚିତ) ଓଡିଶାର ଗାଁ ଗାଁ ରେ ଜଣେ ଯୁବ ନେତା ଓ ସଂଗଠକ ଭାବେ ପରିଚିତ ଥିଲେ ।

ଠୋ ଠୋ କଥା ଓ ଅପ୍ରମିତ ସାହସର ପ୍ରତୀକ ଭାବରେ ତାଂକୁ ଓଡିଶା ବାସୀ ଜାଣିଥିଲେ। ୨୦୧୫ ରେ ଓଡିଶା ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଆହ୍ବାନ ଦେବାର ସାହସକୁ ନେଇ ଚର୍ଚା ଥମିନଥିବା ବେଳେ ଲୁଲୁ ଆରପାରିକୁ ଚାଲିଗଲେ।

ଅଶୀ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୁଲୁ ଥିଲେ ସବୁଠୁ ଅଲ୍ପବୟସ୍କ କିନ୍ତୁ ସବୁଠୁ ପ୍ରଭାବଶାଳୀ ରାଜନେତା। କଂଗ୍ରେସ ରାଜନୀତିରେ ମହା ମହା ନେତାଂକୁ ବେଖାତିର କରି ଲୁଲୁ ନିଜର ପତିଆରା ତିଆରି କରିଥିଲେ।

ତାଂକର ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଂକୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା ।

ରାଜନୀତିରେ ସେ ବହୁ ଶତ୍ରୁ ତିଆରି କରିଛନ୍ତି, ବହୁ ଲୋକଂକର ଶତ୍ରୁ ସାଜିଛନ୍ତି , କିନ୍ତୁ ଶତ୍ରୁତା ନିଭାଇବାବେଳେ ରାଜନୈତିକ ଫାଇଦାବାଜିକୁ ସେ ଗୁରୁତ୍ବ ଦେଇ ନାହାନ୍ତି।

ତାଂକ ଆଗରେ ହୁଏତ ଅନ୍ୟ ଦଳକୁ ଯାଇ କ୍ଷମତା ଦଖଲ କରିବାର ଅନେକ ମୌକା ଥିଲା, ସେ କିନ୍ତୁ କଂଗ୍ରେସ ଦଳକୁ ଛାଡ଼ି ନାହାନ୍ତି । ଏହି ଲୋକପ୍ରିୟ ଯୁବ ନେତା ଲୁଲୁ ମହାପାତ୍ର, ତାଂକ ଜୀବନ ଓ ରାଜନୀତିକୁ ନେଇ କିଛି କଥା-

୧. ଲୁଲୁ ମହାପାତ୍ର ଏକ ଐତିହାସିକ ପରିବାରର ଦାୟାଦ। ପାଇକ ବିଦ୍ରୋହ ର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ବଂଶର ଉତ୍ତର ପୁରୁଷ ଭାବରେ ବ୍ରହ୍ମଗିରି ର ଗଡ ରାଢନ୍ଗ ଗାଁ ରେ ତାଂକର ଜନ୍ମ ୧୪ ଫେବୃଆରୀ ୧୯୬୪ ମସିହାରେ ।

୨. ବିଜେବି କଲେଜ ରେ ପଢିବା ସମୟରୁ ତାଂକର ରାଜନୈତିକ ଜୀବନ ଆରମ୍ଭ ହୁଏ । ଅଶୀ ଦଶକରେ ଛାତ୍ର କଂଗ୍ରେସ ର ନେତୃତ୍ବ ନେଇ ସେ କଂଗ୍ରେସ ଦଳ ଲାଗି ଏକ ବଡ ସମର୍ଥକ ଗୋଷ୍ଠୀ ତିଆରି କରିଥିଲେ । ଓଡିଶାର ସବୁ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ଲୁଲୁଂକ ସମର୍ଥକ ଓ ଅନୁଗାମୀ ରହିଥିଲେ।

୩. ଲୁଲୁଂକ ପରେ ବହୁ ଛାତ୍ର ନେତା ଆସିଛନ୍ତି ଓ ଯାଇଛନ୍ତି । କିନ୍ତୁ ଲୁଲୁଂକ ପରି ଲୋକପ୍ରିୟ ତଥା ପ୍ରଭାବଶାଳୀ ହେବାରେ ତାଂକ ତୁଳନୀୟ କେହି ନାହାନ୍ତି। ଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯନ୍ତ ତାଂକ ଆଗରେ ଓ ପଛରେ ହଜାର ହଜାର ଛାତ୍ର ଓ ଯୁବକ ରହିଥିଲେ ।

୪. ଅଶୀ ଦଶକର ଲୁଲୁ ଥିଲେ ଦୁର୍ଦ୍ଧର୍ଷ ଛାତ୍ରନେତା । ତାଂକର କାହାକୁ ଡର ନଥିଲା ବା ଖାତିର ନଥିଲା । ଜାନକୀ ବାବୁଂକ ଶାସନରେ ସେ ଆଖି ଉଠେଇଲେ ପ୍ରଶାସନ ଥରୁଥିଲା ବୋଲି ଆଜି ବି ବିଶ୍ଵାସ କରାଯାଏ ।

୫. ଅଥଚ କୌଣସି ସମୟରେ ସେ କ୍ଷମତାରେ ନଥିଲେ । ୧୯୯୫ ରୁ ୨୦୦୦ ଜାନକୀ ବାବୁଂକ ତୃତୀୟ ପାଳିରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବ୍ରହ୍ମଗିରି ରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲେ । ତେବେ ପ୍ରତିଷ୍ଠା ଓ ପତିଆରା ଲାଗି ତାଂକୁ ପଦ ପଦବୀର ଆବଶ୍ୟକତା ନଥିଲା ।

୬. ୨୦୦୦ ରୁ ୨୦୦୯ ପର୍ଯନ୍ତ ବିଧାନସଭାରେ ବିରୋଧୀ ଦଳର ବିଧାୟକ ଭାବେ ତାଂକର ଭୂମିକା ଥିଲା ବେଶ୍ ପ୍ରଭାବଶାଳୀ । ବିଜେଡି-ବିଜେପି ମେଣ୍ଟ ସରକାରକୁ ବିଧାନସଭା ଭିତରେ ଓ ବାହାରେ ହଲାପଟା କରିବାରେ ତାଂକର ଭୂମିକା ବେଶ ଅଗ୍ରଣୀ ଥିଲା ।

୭. କଂଗ୍ରେସ ରାଜନୀତିରେ ସେ ଥିଲେ ସବୁଠୁ ପ୍ରଭାବଶାଳୀ ନେତା କିନ୍ତୁ ତାଂକ ନେତୃତ୍ଵ ଉପରେ କଂଗ୍ରେସ ର କେନ୍ଦ୍ରୀୟ ନେତୃତ୍ଵ ଭରସା କରି ପାରିନଥିଲେ।

ଲୁଲୁ ଛାତ୍ର ଓ ଯୁବ କଂଗ୍ରେସ ର ସଭାପତି ରହିବା ସହ ପ୍ରଦେଶ କଂଗ୍ରେସର କାର୍ୟକାରୀ ସଭାପତି ଓ ଉପ ସଭାପତି ରହିଥିଲେ। ହେଲେ ଶେଷ ଯାଏଁ ତାଂକୁ ପିସିସି ସଭାପତି ଦାୟିତ୍ଵ ମିଳି ପାରିଲା ନାହିଁ ।

୮. ଗତ କିଛି ବର୍ଷ ଧରି ବିଜେଡି ସରକାର ବିରୋଧରେ ତୀବ୍ର ସଂଗଠନ ଓ ଜନମତ ତିଆରି କରିବା ଲାଗି ତାଂକର ପ୍ରୟାସକୁ କଂଗ୍ରେସ ସମର୍ଥନ କରୁନଥିଲା । ଅନେକ ସମୟରେ ତାଂକର ଦୃଢ ଓ ଆକ୍ରମକ ରାଜନୀତିକୁ କଂଗ୍ରେସ ନେତୃତ୍ଵ ଡରି ଯାଉଥିଲେ।

୯. କଂଗ୍ରେସ ସମର୍ଥନ କରୁ ବା ନକରୁ ନିଜସ୍ବ ସଂଗଠନ ଜରିଆରେ ସେ ବିଜେଡି ନେତୃତ୍ବକୁ ସବୁବେଳେ ଅସୁବିଧାରେ ପକାଇ ଆସିଛନ୍ତି। ଅଂଡାମାଡ ରାଜନୀତିକୁ ନେଇ ଗତ ବର୍ଷ ଯେଉଁ ହଟ ଚମଟ ସୃଷ୍ଟି ହୋଇଥିଲା, ସେଥିରେ ଏକୁଟିଆ ପଡି ଯାଇଥିଲେ ମଧ୍ୟ ଲୁଲୁ ନିଜ ମତ ବଦଳାଇ ନଥିଲେ।

୧୦. ରାଜନୀତିରେ ବହୁ ନେତା ଆସିବେ ଓ ଯିବେ। ହେଲେ ସବୁ ଦଳ ଭିତରେ ନିଜର ବନ୍ଧୁ ସୃଷ୍ଟି କରି ପାରିଲା ପରି ଓ ଦରକାର ପଡିଲେ ଶତୃକୁ ବି ସାହାଯ୍ୟ କରିପାରିବା ପରି ଲୁଲୁ ମହାପାତ୍ରଂକ ଭଳି ନେତା ବିରଳ ହୋଇ ରହିବେ ।

ଗତ ୬ ନଭେମ୍ବର ସନ୍ଧ୍ୟା ରେ ଦିଲ୍ଲୀରେ ମେଦାନ୍ତ ହସପିଟାଲ୍ ରେ ତାଂକର ପରଲୋକ ଓଡିଶାର ଯୁବ ନେତୃତ୍ଵ କ୍ଷେତ୍ରରେ ଏକ ବିରାଟ ଶୁନ୍ୟସ୍ଥାନ ସୃଷ୍ଟି କରିଛି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଓଡିଶା, କଂଗ୍ରେସ, ରାଜନୀତି, ଲୁଲୁ ମହାପାତ୍ର, ଶ୍ରଦ୍ଧାଞ୍ଜଳି

ଓଡିଆ ପୂଜା ପତ୍ରିକାର ଅଭିନବ ଜୟଯାତ୍ରା; ଦଶଟି ପ୍ରମୁଖ କଥା

November 4, 2016 by ନିଉଜ ଡେସ୍କ 5 Comments

odi
କେଦାର ମିଶ୍ର

ପାଖାପାଖି ୩୦ ହଜାର ପୃଷ୍ଠାର ମୁଦ୍ରିତ ସାହିତ୍ୟ, ୧୦୦ ରୁ ଅଧିକ ଉପନ୍ୟାସ, ୨୦୦୦ ରୁ ଅଧିକ ଗଳ୍ପ, ୩୫୦୦ ରୁ ଅଧିକ କବିତା ଓ ସାହିତ୍ୟର ଆହୁରି ଅନେକ ବିଭାଗ।

ଗୋଟିଏ ମାସରେ ଏତେ ପରିମାଣର ସାହିତ୍ୟିକ ସୃଷ୍ଟି ବଜାରରେ ଉପଲବ୍ଧ ହେବା ସାରା ଭାରତରେ ଏକ ବିରଳ ଘଟଣା।

ଗତ ପ୍ରାୟ ୨୦ ବର୍ଷ ହେଲା ଓଡିଶାରେ ପୂଜା ପତ୍ରିକାର ଏକ ବିରାଟ ବଜାର ସୃଷ୍ଟି ହୋଇଛି । ସାହିତ୍ୟ ପତ୍ରିକାର ବିକ୍ରୀ ବା କାଟତି ନାହିଁ ବୋଲି ଯେଉଁମାନେ ଭାବୁଥିଲେ, ସେମାନେ ପୂଜା ବଜାର ର ଏହି ସମ୍ଭାର ଦେଖି ଚକିତ ଓ ବିସ୍ମିତ।

ବର୍ଷ ସାରା ପତ୍ରିକା ବଜାରରେ କାଉ ଉଡୁଥିବା ବେଳେ ହଠାତ୍ ଅକ୍ଟୋବର ମାସ ଆରମ୍ଭରୁ ପତ୍ରିକା ଷ୍ଟଲ୍ ଗୁଡିକରେ ଓଡିଆ ପତ୍ରିକାର ଗହଳି ଆରମ୍ଭ ହୁଏ ।

ଗତ ବର୍ଷ ପୂଜା ବେଳକୁ ୧୧୭ ଟି ଓଡିଆ ପତ୍ରିକା ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା (ନଭେମ୍ବର ୩ ) ୯୨ ଟି ପତ୍ରିକା ବଜାରକୁ ଆସି ସାରିଛି ।

ଆସନ୍ତା ମାସ ରେ ଆଉ କିଛି ପତ୍ରିକା ବଜାରକୁ ଆସିବାର ସମ୍ଭାବନା ରହିଛି । ଭାରତର କୌଣସି ବି ଭାଷା ସାହିତ୍ୟରେ ଏତେ ସଂଖ୍ୟକ ପତ୍ରିକା ଏକା ସାଂଗରେ ପ୍ରକାଶିତ ହୁଅନ୍ତି କି ନାହିଁ ତାହା ଗବେଷଣା ସାପେକ୍ଷ । ଓଡିଶ ପତ୍ର ପତ୍ରିକା ର ଏହି ବିରଳ ଜୟଯାତ୍ରା କୁ ନେଇ ଦଶଟି କଥା-

୧. ବର୍ଷ ସାରା ଓଡିଶାରେ ସାହିତ୍ୟର ପାଠକ ନାହାନ୍ତି ଓ ଓଡିଆ ପଢୁଥିବା ଲୋକଂକ ସଂଖ୍ୟା କମିଯାଉଛି ବୋଲି ଚିତ୍କାର ଶୁଭୁଥିବା ବେଳେ ଦଶହରା ସମୟରେ ସ୍ଵର ଓ ଚିତ୍ର ବଦଳିଯାଏ ।

ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ ର ବିଶ୍ଲେଷଣ ରୁ ଜଣାପଡୁଛି ଯେ ପ୍ରତି ବର୍ଷ ଏହି ସମୟରେ ପ୍ରାୟ ୧୦୦ ରୁ ୧୨୦ ପତ୍ରିକା ପ୍ରକାଶିତ ହୁଅନ୍ତି ।

୨. ୨୪ ପୃଷ୍ଠା ରୁ ୧୭୦୦ ପୃଷ୍ଠା ଯାଏଁ ବିଭିନ୍ନ ଆକାର ଓ ପ୍ରକାରର ସାହିତ୍ୟ ପତ୍ରିକା ଏହି ସମୟରେ ବଜାରକୁ ଆସେ। ଚଳିତ ବର୍ଷ ସବୁଠୁ ମୋଟା ପତ୍ରିକା “ବର୍ତ୍ତିକା” ର ପୃଷ୍ଠା ସଂଖ୍ୟା ୧୭୦୦+ ହୋଇଥିବା ବେଳେ ୨୪-୭୪ ପୃଷ୍ଠାର ଅନେକ ଛୋଟ ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛନ୍ତି।

୩. ଏତେ ପରିମାଣର ସାହିତ୍ୟ ପତ୍ରିକା ପ୍ରକାଶ ପାଉଛି ଯଦିଓ, ଏହାର ବଜାର ଅଛି କି ନା1000ହିଁ, ତାହା ଏକ ବଡ ପ୍ରଶ୍ନ ।

ତେବେ ପତ୍ରପତ୍ରିକା ର ସବୁଠୁ ବଡ ବିତରଣ କେନ୍ଦ୍ର ଭୁବନେଶ୍ଵର ପୁରୁଣା ବସଷ୍ଟାଣ୍ଡ ରେ ଏହି ସମୟରେ ପତ୍ରିକା କିଣୁଥିବା ଲୋକଂକର ବେଶ୍ ଭିଡ ଜମିଥାଏ।

ଏହି ସମୟ ମଧ୍ୟରେ କେତେ ପତ୍ରିକା ବିକ୍ରୀ ହେଉଛି ତାର ସଠିକ ଅର୍ଥନୈତିକ ଆକଳନ ସମ୍ଭବ ନଥିଲେ ମଧ୍ୟ, ଏହା ବେଶ୍ ମୋଟା ଅଂକର ବ୍ୟବସାୟ ବୋଲି ସୂଚନା ମିଳୁଛି ।

odi2୪. ପୁରୁଣା ବସ ଷ୍ତାଣ୍ଡ୍ ସ୍ଥିତ ନାରାୟଣୀ ପତ୍ରିକା ଦୋକାନର ମାଲିକ ବାବୁଲିଂକ ସୂଚନା ଅନୁସାରେ ଚଳିତ ବର୍ଷ ସବୁଠୁ ଅଧିକ ବିକ୍ରୀ ହୋଇଥିବା ପତ୍ରିକା ଗୁଡିକ ହେଲେ-

ସମ୍ବାଦ ବାର୍ଷିକ ସଂଖ୍ୟା,(ସମ୍ପାଦକ- ସୌମ୍ୟରଂଜନ ପଟ୍ଟନାୟକ ) ସାମ୍ନା, (ସଂ-ସରୋଜ ବଳ), ବର୍ତ୍ତିକା (ସଂ- ନବକୁମାର ଦାସ),କଥା (ସଂ- ଗୌରହରି ଦାସ), କାଦମ୍ବିନୀ (ସଂ- ଇତି ସାମନ୍ତ ), ପଶ୍ଚିମା (ସଂ- ଅଶୋକ ମହାନ୍ତି), ଝଂକାର (ସଂ- ସରୋଜ ରଂଜନ ମହାନ୍ତି), ନବନୀତା (ସଂ- କ୍ଷେତ୍ରବାସୀ ନାୟକ),ପୌରୁଷ( ସଂ- ଅସିତ ମହାନ୍ତି) ଓ ଶିଶିର (ସଂ- ସୁନିଲ ପୃଷ୍ଟି) ।

୫. ମୁଦ୍ରଣ ପରିପାଟୀ, ପାଠ ବିନ୍ୟାସ, ପ୍ରଛଦ ତଥା ଅନ୍ୟାନ୍ୟ ଦୃଶ୍ୟଗତ କ୍ଷେତ୍ରରେ ପତ୍ରିକା ସବୁ ସୁନ୍ଦର ଲାଗୁଥିବା ବେଳେ, ପାଠ ଦୃଷ୍ଟିରୁ ପ୍ରାୟ ସବୁ ପତ୍ରିକା ସମାନ ସମ୍ପାଦକୀୟ ସୀମା ଭିତରେ ରହିବାକୁ ଚେଷ୍ଟା କରିଛନ୍ତି ।

ନୁଆ ପାଠ ଓ ଜଣ ଜୀବନର ନୁଆ ବିଭାଗ ବିଷୟରେ ଲେଖା ସଂଯୋଜିତ କରିବାର ଆଗ୍ରହ କ୍ବଚିତ୍ ଦେଖିବାକୁ ମିଳିଛି ।

୬. ତେବେ କିଛି ପତ୍ରିକା ଅଛନ୍ତି ଯେଉଁମାନେ ନୁଆ କିଛି କରିବାର ପ୍ରୟାସ କରିବା ସହିତ ପୂଜା ସଂଖ୍ୟାରେ ସ୍ବତନ୍ତ୍ର ବିଷୟ ପ୍ରସଂଗକୁ ଆଧାର କରିଛନ୍ତି।

“ଅକ୍ଷର” ର ସମ୍ପାଦକ ଦେଶର ଅସହିଷ୍ଣୁତା ଓ ଦେଶପ୍ରେମକୁ ନେଇ ପୂରା ସଂଖ୍ୟା ପ୍ରସ୍ତୁତ କରିଥିବା ବେଳେ “ସାମ୍ନା” ଉପନ୍ୟାସ ବିଶେଷାଂକ ପ୍ରସ୍ତୁତ କରିଛି। ସେହିପରି “ନିଶାନ୍ତ” ଓଡିଆ ରଂଗମଂଚ କୁ ପ୍ରସଂଗ କରି ନିଜର ସ୍ବତନ୍ତ୍ରସଂଖ୍ୟା ବଜାରକୁ ଛାଡିଛନ୍ତି ।

୭. ଏଥର ପୂଜା ସଂଖ୍ୟାରେ ନୁଆ ଲେଖକ ଲେଖିକାମାନଙ୍କର ଉପସ୍ଥିତି ବେଶ୍ ବାରି ହୋଇ ପଡୁଛି ।

ଅନେକ ନୁଆ ଗାଳ୍ପିକ ଓ ଔପନ୍ୟାସିକଂକ ଲେଖା ସମ୍ପାଦକ ମାନେ ଛାପିଛନ୍ତି । ତରୁଣ ପିଢିର ଲେଖିକା ସ୍ଵାଗତିକା ସ୍ଵାଇଁ ଏଥର ପୂଜାରେ ଚାରୋଟି ଉପନ୍ୟାସ ଲେଖି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।

୮. ପତ୍ର ପତ୍ରିକା କେବଳ ଷ୍ଟଲରେ ନୁହଁ, ଅନ୍ ଲାଇନ୍ ରେ ମଧ୍ୟ ବିକ୍ରୀ ହେଉଛି। ଓଡିଆ ବହିର ଅନ୍ ଲାଇନ୍ ବଜାର odikart.com ପ୍ରାୟ ଷାଠିଏ ଟି ପତ୍ରିକା ଉପଲବ୍ଧ ହେଉଛି ।

୯. ବଂଗଳା ପତ୍ରିକା ର ଅନୁସରଣରେ ଓଡିଆ ପୂଜା ପତ୍ରିକା ଆରମ୍ଭ ହୋଇଥିବା ବେଳେ ପରିମାଣ ଦୃଷ୍ଟିରୁ ଏବେ ବଂଗଳା ଠାରୁ ଓଡିଆ ପତ୍ରିକା ବହୁ ଆଗରେ । ତେବେ ଗୁଣାତ୍ମକ ଦୃଷ୍ଟିରୁ ଆମ ସମ୍ପାଦକ ମାନଂକୁ ଆହୁରି ଅନେକ କଥା କରିବାକୁ ବାକି ଅଛି ।

୧୦. ତେବେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ସାହିତ୍ୟର ଏହି ଶାରଦୀୟ ଶୋଭାଯାତ୍ରା ଆମ ସମୟ ଓ ସାହିତ୍ୟ ପାଇଁ ଏକ ଶୁଭ ସୂଚନା । ଖୁବ୍ କମ୍ ସରକାରୀ ଓ କର୍ପୋରେଟ୍ ବିଜ୍ଞାପନ ସତ୍ତ୍ୱେ ବ୍ୟକ୍ତିଗତ ସାହିତ୍ୟ ପ୍ରେମ ଯୋଗୁଁ ଏତେ ଗୁଡାଏ ପତ୍ରିକା ପ୍ରକାଶ ପାଇବା କମ ବଡ ସଫଳତା ନୁହେଁ ।

 

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: ଉପନ୍ୟାସ, ଓଡିଆ, କବିତା, ଗଳ୍ପ, ଜୟଯାତ୍ରା, ପତ୍ରିକା, ପୂଜା, ବଜାର, ସାହିତ୍ୟ

ବିଜୟ ଏକ ଉଚ୍ଛ୍ଵାସର ବାର୍ଷିକ ମହୋତ୍ସବରେ ପ୍ରବାସୀ ଓଡିଆଙ୍କୁ ସମ୍ମାନ

November 2, 2016 by ନିଉଜ ଡେସ୍କ Leave a Comment

prabashi-odiya-samman-2016f-1

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ନଭେମ୍ବର ୨ (ଓଡିଶା ଡଟ କମ) ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଥିବା ‘ବିଜୟ’ ଏକ ଉଚ୍ଛ୍ଵାସ ଟ୍ରଷ୍ଟ ଭୁବନେଶ୍ବରରେ ତାର ତିନିଦିନ ବ୍ୟାପୀ ଷଷ୍ଠ ବାର୍ଷିକ ମହୋତ୍ସବରେ ନୃତ୍ୟ, ସଙ୍ଗୀତ, ନାଟକ ଏବଂ କର୍କଟ ରୋଗ ସମ୍ପର୍କିତ ଆଲୋଚନା ଚକ୍ରର ଆୟୋଜନ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରବାସୀ ଓଡିଆଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଛି ।

ଅକ୍ଟୋବର ୨୪ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁମ୍ବାଇର ଡାକ୍ତର କାନନ ତ୍ରିପାଠୀଙ୍କୁ ପ୍ରବାସୀ ଓଡିଆ ସମ୍ମାନ ପ୍ରଦାନ କର ଯାଇଥିଲା ।

ତ୍ରିପାଠୀ ମୁମ୍ବାଇ ଓଡିଆ ଏସୋସିଆସନର ପ୍ରତିଷ୍ଠାତା ଓ ସଭାପତି ଅଛନ୍ତି।  ଗତ ତିରିଶ ବର୍ଷ ହେଲା ମୁମ୍ବାଇରେ ରହି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଓଡିଆ ଓ ଅଣ ଓଡିଆମାନଙ୍କ ମଧ୍ୟରେ ବିସ୍ତାର କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

ଏହି ଅବସରରେ କର୍କଟ ରୋଗ ସମ୍ପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରକୁ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।

ପ୍ରଥମ ଥର ପାଇଁ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ କରାଯାଇଥିବା ଟ୍ରଷ୍ଟ ତରଫରୁ ଘୋଷଣା କରା ଯାଇଥିଲା। ଏହି ପୁରସ୍କାର ପାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ ମହାନିର୍ଦେଶକ ଅରୂପ ପଟନାୟକ ।

samaja-seba-samman-2016fଟ୍ରଷ୍ଟ ର ଏହି ମହୋତ୍ସବରେ ଓଡିଶା , ସୁଦୂର ମୁମ୍ବାଇ ଏବଂ ଭାରତର ଅନ୍ଯାନ୍ଯ ସ୍ଥାନରୁ ବ୍ୟକ୍ତି ମାନେ ଆସି ଯୋଗ ଦେଇଥିବା ଏହାର ସମ୍ପାଦକ ଅରିନ୍ଦମ ମିଶ୍ର ସୂଚନା ଦେଇଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଓଡିଆ, ପରମ୍ପରା, ପ୍ରବାସୀ ଓଡ଼ିଆ, ବିଜୟ ଏକ ଉଚ୍ଛ୍ଵାସ, ସଂସ୍କୃତି

ଦେବଦାସଂକ କଲମ ଓ ବିଭୁକିଶୋରଂକ କଣ୍ଠର ଯୁଗଳବନ୍ଦୀ “ବ୍ଲୁ ମୁଡ୍”

October 1, 2016 by ନିଉଜ ଡେସ୍କ 1 Comment

2-copy

 

କେଦାର ମିଶ୍ର

ଦେବଦାସ ଛୋଟରାୟଂକ ପାଖରେ ସତେ ଅବା ଅଟକି ଯାଇଛି କୈଶୋର ଆଖିରେ ଆଖିଏ ସ୍ଵପ୍ନ ନେଇ କଟକର ଗଳିରାସ୍ତାରେ ସାଇକଲ୍ ଚଳେଇ ଗୋଟେ ତରୁଣ କବି ଆଜିବି ଗୀତ ଗାଉଛି । ବିନ୍ଦାସ୍ ସମୟର ଟିପେ ବି ଦାଗ ଲାଗିନାହିଁ କବିତାରେ । ପ୍ରଜାପତିର ରଂଗୀନ ଡେଣାରେ ଅଧଲେଖା ଫଗୁଣର କବିତା ଦେବଦାସ ଛୋଟରାୟଂକ କବିତା ।

ଏବେ ଏବେ ତାଂକ ନୁଆ କବିତାର ସିଡି ଆସିଛି ବଜାରକୁ । “ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା ଭିତରେ ଗୋଟେ ସ୍ବଛନ୍ଦ ମାଦକତା । କବିତାକୁ ସୁରରେ ସଜେଇଛନ୍ତି ଆମ ସମୟର ଖ୍ୟାତନାମା ଗାୟକ ବିଭୁ କିଶୋର ।

‘ଆମର ମ୍ୟୁଜିକ୍’ ଦ୍ଵାରା ପ୍ରସ୍ତୁତ ଏହି ସଂଗୀତ ସିଡିର ପ୍ରଯୋଜନା କରିଛନ୍ତି ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଓଡିଆ କବିତା ଓ ସଂଗୀତ କ୍ଷେତ୍ରରେ ଗୋଟେ ନୁଆ ପ୍ରୟୋଗ ଓ ଗୋଟେ ଅଭିନବ ଆବିସ୍କାରର କାହାଣୀ କହୁଥିବା “ବ୍ଲୁ ମୁଡ୍ “ କୁ ନେଇ କିଛି କଥା ।

୧. ଗୀତ ଓ କବିତା ଭିତରେ ଗୋଟେ ମୌଳିକ ଫରକ୍ ରହିଛି । ସବୁ କବିତା ଗୀତ ହୋଇପାରେ ହେଲେ ସବୁ ଗୀତ କବିତା ହୋଇ ପାରନ୍ତି ନାହିଁ । ଗୀତରେ ହୁଏତ ଗୋଟେ ଛନ୍ଦ ଥାଏ, ସ୍ଵରର ଲାଳିତ୍ୟ ଥାଏ,ଶବ୍ଦର ସୁଷମା ଥାଏ, ହେଲେ କବିତାରେ ଏସବୁରୁ କିଛି ନଥାଇ, ସବୁ କିଛି କୁ ପାଇ ହୁଏ ।

କବିତା ତାର ମୁକ୍ତ କାୟାରେ ଛନ୍ଦକୁ ଗୋପନ ରଖିଥାଏ । ଚିହ୍ନରା ଗାୟକ ତାକୁ ଠିକ ଚିହ୍ନେ, ଠିକ ସୁରରେ ବାଂଧେ ଓ ତାର ଭାବକୁ ନୀରବତା ଭିତରୁ ପ୍ରକଟିତ କରାଏ ।

1୨. “ବ୍ଲୁ ମୁଡ୍” ଗୀତ ନୁହଁ, କବିତା । ତାର ଛନ୍ଦ ମୁକ୍ତ, ଭାବ ଅବାରିତ ଓ ଅର୍ଥ ବହୁ ପ୍ରସ୍ଥିୟ । କବିଂକ ଭାଷାରେ ଏ ସବୁ ଶ୍ୟାମଳ ସ୍ବପ୍ନ (ହୁଏତ ଅନ୍ଧକାରର ସ୍ବପ୍ନ) ଓ ବିଷାଦ ର କବିତା। କୈଶୋରର ନୁଆ ସ୍ବପ୍ନ ଓ ସ୍ମୃତିକୁ ନେଇ ଏଇ କବିତା ସବୁ ଆମକୁ ଗୋଟେ ନିଛାଟିଆ ସହରର ଶୁନଶାନ ଗଳିରେ ଠିଆ କରେଇ ଦିଅନ୍ତି । ପବନର ଗୀଟାରରେ ଏଇ କବିତା ହାଲକା ହାଲକା ଆମକୁ ରୋମାଂଚିତ କରେ ।

୩. ବିଭୁ କିଶୋର ଓ ଦେବଦାସ ଦୁଇ ଭିନ୍ନ ପ୍ରଜନ୍ମ ର ଶିଳ୍ପୀ । ଅକ୍ଷୟ ମହାନ୍ତି ଯେଉଁ ଦେବଦାସଂକ ଗୀତକୁ ସ୍ଵର କରିଥିଲେ, ସେ ଦେବଦାସ, ବିଭୁକିଶୋରଂକ କଣ୍ଠରେ ସେମିତି ନୁହନ୍ତି । ଏ ଦେବଦାସ ସମୟର ପ୍ରବାହରେ ଆଉ ଏକ ଧାର । ବିଭୁ ତାଂକ କଣ୍ଠରେ ଦେବଦାସଂକ କବିତାକୁ ନୁଆ କରି ଆବିସ୍କାର କରିଛନ୍ତି ।

2୪. ଦେବଦାସଂକ ବ୍ୟାକୁଳତା, ଅଧିର ହେବାର ସ୍ପନ୍ଦନ, ତାଂକର ବିଷାଦ, ଏକଲାପଣ ଓ ଅସରନ୍ତି ସ୍ବପ୍ନର ମହୋତ୍ସବ, ବିଭୁ କିଶୋରଂକ କଣ୍ଠରେ ନୁଆ ଯୁଗର ସୁର ହୋଇ ଝରୁଛି । ୟାକୁ ଉର୍ଦୁ ଗୀତ୍ ବା ନଜମ୍ ର ଏକ ପ୍ରତିରୂପ ବୋଲି କୁହାଯାଇପାରେ । ତେବେ ଏଥିରେ ନଜମ୍ ର ସ୍ଥିର ଓ ମାର୍ମିକ ପ୍ରବାହ ନାହିଁ । ଏ କବିତା ସବୁ ଭୀଷଣ ଭାବରେ ଅସ୍ଥିର ।

୫. ବଂଗଳା କବିତା ଓ ଗୀତର ସମ୍ପର୍କ ବହୁ ପୁରୁଣା । ନଚିକେତା, କବୀର ସୁମନ ଓ ଆହୁରି ଅନେକ ଶିଳ୍ପୀ କବିତାକୁ ମୁକ୍ତ କଣ୍ଠରେ ଓ ମୁକ୍ତ ଛନ୍ଦରେ ଗାଇଛନ୍ତି। ଓଡିଶାରେ ତାର ପ୍ରଭାବ ସେତେ ବେଶୀ ନାହିଁ । କବିତାକୁ ନେଇ ଗାୟନର ଏହି ଧାରା ଆମକୁ ଗୋଟେ ନୁଆ ଦିଗ ତିଆରି କରିବାରେ ସହାୟକ ହେବ ।

3୬. ତେବେ ବ୍ଲୁ କଥା କହିଲା ବେଳେ ଆମେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ରହୁଥିବା କୃଷ୍ଣକାୟ ଆଫ୍ରିକାନ୍ ମାନଂକ ସଂଗୀତ କଥା ନିହାତି ମାନେ ପକେଇବା । ଶ୍ରମଜୀବୀ ମଣିଷର କ୍ଷୋଭ, ନିରାଶା, ସ୍ମୃତି ଓ ନିଷ୍ଠୁର ସ୍ବପ୍ନର ସେ ଗୀତ ସବୁ ଏବେ କ୍ଲାସିକ୍ ପାଲଟି ସାରିଛି । ତେବେ ଦେବଦାସଂକ “ବ୍ଲୁ ମୁଡ୍” ରେ ଶ୍ରମ ନାହିଁ- ସ୍ମୃତି ଓ ସ୍ବପ୍ନ କିନ୍ତୁ ଭରପୁର ।

୭. କିଛି ନ ଫୁଟି ଥିବା ଗୋଲାପ
ଓ ଗୋଟେ ଧରା ପଡିନଥିବା ବାଘ
ଯେଉଁ କବିତାର ସାରାଂଶ
ତମେ ମୋତେ ସେଇଠି ଖୋଜିବ……

କବିତା ସବୁ ବେଳେ ବେଳେ ଏତେ ମୁକ୍ତ ଯେ ତାକୁ ସ୍ବରରେ ବାନ୍ଧିବାକୁ ବିଭୁକିଶୋରଂକ ପରିଶ୍ରମ ବାରୀ ହୋଇ ପଡୁଛି । ଅନେକ ସମୟରେ ବିଭୁ ନିଜ ସ୍ବର କୁ ଶୀର୍ଷ କୁ ନେବାର ଚେଷ୍ଟା କରିଛନ୍ତି ଓ କବିତାର ତରଂଗକୁ ଭାବରେ ରୂପାନ୍ତରିତ କରିବାର କୌଶଳ ତିଆରିଛନ୍ତି ।

4୮. ସବୁ କବିତା କୁ ଗୀତ ରେ ନକହି କଥାରେ ବି କହିହେବ । ଯେମିତି- ଯେତେବେଳେ ତୁମେ ନଥିଲ, କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟାଏ ତୁଷାର କ୍ଷତ ପରି , ସୂର୍ୟ ଥିଲା,ଯଖ୍ମା ରୋଗୀର ହୃଦୟ ପରିକା ……ଏଠି ପ୍ରବଳ ବିଷାଦ । ବିଭୁ କିଶୋର ବିଶାଦକୁ ମଧୁର ଅର୍ଥ ଦେଇ ପାରନ୍ତି ତାଂକ ଗଳାରେ ।

୯. କବିତାକୁ ନେଇ ଗୋଟେ ବ୍ୟବସାୟର ସ୍ବପ୍ନ ଦେଖାଯାଇ ପାରେ କି ? ଏ ପ୍ରଶ୍ନ ପ୍ରଯୋଜକ ଅକ୍ଷୟ ପରିଜାଂକୁ କେବେ ଥରେ ପଚାରିବି ନିଶ୍ଚୟ । ତେବେ ଏ ସାହସ (ବରଂ ଦୁଃସାହସ) ଲାଗି ତାଂକୁ ଅନେକ ଅନେକ ଅଭିନନ୍ଦନ ।

୧୦. ଶେଷରେ “ବ୍ଲୁ ମୁଡ୍” କୁ ନେଇ ଏତିକି କୁହା ଯାଇପାରେ ଯେ- ମୁଁ ଦିନେ ଇତିହାସକୁ ଧଳାବାଲିର ଅପନ୍ତରା କରିଦେବି , ତୁମେ ଦେଖିବ । ସେଦିନ ଦେଖିବାକୁ ବୋଧ ହୁଏ “ବ୍ଲୁ ମୁଡ୍” ର ଜନ୍ମ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାହିତ୍ୟ Tagged With: କବିତା, କଲମ, ତରୁଣ କବି, ଦେବଦାସ, ବଜାର, ବିଭୁକିଶୋର, ବ୍ଲୁ ମୁଡ୍, ଯୁଗଳବନ୍ଦୀ, ସାହିତ୍ୟ

ମୁମ୍ବାଇ ପଶ୍ଚିମ ଓଡିଶା ପରିବାର ଦ୍ଵାରା ନୂଆଖାଇ ଭେଟ ଘାଟ

September 27, 2016 by ନିଉଜ ଡେସ୍କ Leave a Comment

mumbaiମୁମ୍ବାଇ, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ପକ୍ଷରୁ ମୁମ୍ବାଇରେ ଗତ ରବିବାର ଦାଦର ଠାରେ ଥିବା ସ୍ଵତନ୍ତ୍ର ବୀର ସାବରକର ଅଡିଟୋରିଆମ ଠାରେ ନୂଆଖାଇ ଭେଟ ଘାଟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ୟାପକ ଜନସମାଗମ ମଧ୍ୟରେ ପାଳନ ହୋଇଛି।

ଏନାର୍ଜୀ ଭିଜିଲାନସ କମିଶନ ମହାରାଷ୍ଟ୍ରର ଅଧକ୍ଷ୍ୟ ପ୍ରଦୀପ ବାଭନିସକର ଓ ତାଙ୍କ ପତ୍ନୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପଞ୍ଚାୟତିରାଜ ମନ୍ତ୍ରାଳୟର ଯୁଗ୍ମ ସଚିବ ସଂଜୀବ ପାଟଯୋଶୀ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

mumbai3ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରେସିଡେନଟ ଅଫ ଇଣ୍ଡିଆ ଆୱାର୍ଡ ୨୦୧୬ ପାଇ ପଶ୍ଚିମ ଓଡିଶାକୁ ଗୌରବାନ୍ଵିତ କରିଥିବାରୁ ପାଟଯୋଶୀଙ୍କୁ ସମ୍ମାନିତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ର ବିଶିଷ୍ଟ ଚଳଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେର ଉଦବୋଧନ ଦେଇଥିଲେ । ମୁମ୍ବାଇ ଠାରେ ନୂଆଖାଇ ଭେଟ ଘାଟ ପାଳନର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମରଣିକା ଜୁହାର ୨୦୧୬ ଉନ୍ମୋଚିତ କରଯାଇଥିଲା ।

mumbai2ବଲିଉଡ ଚିତ୍ର ତାରକା ଟାଇଗର ସରଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଘାରୁ ଆସିଥିବା କଳାକାର ଡାଳଖାଇ, ରସରକେଲି, ଓ ରଙ୍ଗବତୀ ଆଦି ନୃତ୍ୟ ପରିବେଷଣ କରିଥିଲେ ।

ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀକାନ୍ତ ଚାଟାର୍ଜୀ କଳାକାର ମଣ୍ଡଳୀକୁ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ ପାଇଁ ମାନପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶିକ୍ଷା ଓ ଅନ୍ୟ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ଛାତ୍ର ଓ ଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରଯାଇଥିଲା

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଜନସମାଗମ, ନୂଆଁଖାଇ, ପରିବାର, ପଶ୍ଚିମ ଓଡ଼ିଶା, ଭେଟ ଘାଟ, ମୁମ୍ବାଇ, ରଙ୍ଗାରଙ୍ଗ, ସାଂସ୍କୃତିକ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 33
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ