ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ପୋଲିସ ଏନ୍କାଉଣ୍ଟରରେ ବରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଗୁରୁବାର ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସେମାନଙ୍କ ସ୍ୱାମୀଙ୍କୁ ମିଥ୍ୟାରେ ମାଓବାଦୀ ଆଖ୍ୟା ଦେଇ ଗୁଳିକରି ହତ୍ୟା କରାଯାଇଛି ବୋଲି ମୃତ୍ୟୁବରଣ କରିଥିବା ମାଧବ ସିଂହ ଠାକୁରଙ୍କ ପତ୍ନୀ ଗୀତାଞ୍ଜଳି ଠାକୁର ଓ ରମେଶ ସାହୁଙ୍କ ପତ୍ନୀ ଯାଜ୍ଞସେନୀ କମିଶନ ଅଧ୍ୟକ୍ଷ ଆର୍.କେ.ପାତ୍ରଙ୍କୁ ସାକ୍ଷାତ କରି କହିଛନ୍ତି ।
ଠାକୁର ଓ ସାହୁ ଗତ ମାସ ୨୬ରେ ଗନ୍ଧମାର୍ଦ୍ଧନ ପର୍ବତ ନିକଟରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ । ଉଭୟେ ମାଓବାଦୀ ଓ ପୋଲିସ ସହ ଗୁଳି ବିନିମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଥିବା ବେଳେ ସେମାନେ ନିରୀହ ବୋଲି ସେମାନଙ୍କ ପତ୍ନୀ କହିଛନ୍ତି ।
“”ଆମ ସ୍ୱାମୀ କିପରି ନିରୀହ ସେ ସଂପର୍କରେ କମିଶନ ନିକଟରେ ତଥ୍ୟ ଉପସ୍ଥାପନ କରିଛୁ” ଗୀତାଞ୍ଜଳି ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।
ସଂପୃକ୍ତ ଜିଲ୍ଲା ଏସ୍ପିଙ୍କୁ ଏ ଘଟଣା ସଂପର୍କରେ ଦୁଇ ସପ୍ତାହ ମଧ୍ୟରେ ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ବୋଲି କମିଶନ ଅଧ୍ୟକ୍ଷ ଆମକୁ କହିଛନ୍ତି, ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପାଇକମାଳ ଗସ୍ତକୁ ବିରୋଧ କରୁଥିବା ବେଳେ ଗତ ୨୪ ତାରିଖରେ ପୋଲିସ ମାଧବ ଠାକୁରଙ୍କୁ ଅଟକ ରଖିଥିଲା ବୋଲି ଉକ୍ତ ମହିଳାଙ୍କ ସହ କମିଶନ ଯାଇଥିବା ପ୍ରଦୀପ ପୁରୋହିତ କହିଛନ୍ତି ।
ରମେଶ ସାହୁ ଜଣେ ବ୍ୟବସାୟୀ ଓ ସେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ସକ୍ରିୟ ସଦସ୍ୟ, ସେ କହିଛନ୍ତି । ଯଦି ସେମାନେ ମାଓବାଦୀ ଥିଲେ ତେବେ ପୋଲିସ ତାଙ୍କୁ ଗିରଫ କରିବା ଉଚିତ୍ ଥିଲା । ଠାକୁର ଓ ସାହୁ କେବଳ ପରିଷର ସଦସ୍ୟ ନଥିଲେ ସେମାନେ ବିଜେପିର ସଦସ୍ୟ ମଧ୍ୟ ଥିଲେ ବୋଲି ସେ କହିଛନ୍ତି ।
ଏହି ମିଥ୍ୟା ଏନ୍କାଉଣ୍ଟରରେ ସଂପୃକ୍ତ ଥିବା ପୋଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଆମେ ଦାବି କରିଛୁ, ସେ କହିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply