ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ ଏଥିପ୍ରତି ସତର୍କ ରହିବାକୁ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।
“”ଗତ ପନ୍ଦରଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶତାଧିକ କାଉ ଓ କୁକୁଡ଼ା ମରି ପଡ଼ିଥିବା ଲକ୍ଷ୍ୟକରି ରାଜ୍ୟ ସରକାର ପ୍ରାୟ ୩୦୦ ପକ୍ଷୀଙ୍କର ରକ୍ତ ନମୂନା ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଇଛନ୍ତି” ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ।
“”ସେଥିମଧ୍ୟରୁ ଗୋଟିଏ କୁକୁଡ଼ାର ଦେହରେ ଏଚ୍ଏସ୍ଏନ୍-୧ ଭୂତାଣୁ ଥିବା ପରୀକ୍ଷାଗାରରୁ ଆମକୁ ରବିବାର ଜଣାଇଥିଲେ । ଉକ୍ତ କୁକୁଡ଼ାଟି ଖୋର୍ଦ୍ଧା ଜିଲ୍ଲାର କେରାଙ୍ଗ ଅଞ୍ଚଳର” ସେ କହିଛନ୍ତି ।
“”ଆମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଜିଲ୍ଲାର ସମସ୍ତ ପକ୍ଷୀଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛୁ । ସେହି ଅଞ୍ଚଳରୁ କୌଣସି ପକ୍ଷୀ ବାହାରକୁ ନ ପଠାଯିବ ସେଥିପ୍ରତି ମଧ୍ୟ ନିର୍ଦ୍ଦେଶ ଦେଇଛୁ”ସାହୁ କହିଛନ୍ତି ।
ପକ୍ଷୀମାନଙ୍କର ଦେହରେ ବାର୍ଡ଼ଫ୍ଲୁ ଜନିତ ଲକ୍ଷଣ ଦେଖାଗଲେ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରି
ପରୀକ୍ଷା ପାଇଁ ପଠାଇବାକୁ ସମସ୍ତ ୩୦ଟି ଜିଲ୍ଲାର ଜିିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦ ଓ ଭିତରକନିକାକୁ ଆସିଥିବା ବିଦେଶାଗତ ପକ୍ଷୀମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ ମଧ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply