ଓଡିଶା ନ୍ୟୁଜ/ Odisha News
ଓଡିଶା ଖବର

ଗୁରୁ ଡିକ୍ଟେଟର ନୁହଁନ୍ତି,ଜଣେ ମାର୍ଗ ଦର୍ଶକ

ସମୀର କୁମାର ମହାନ୍ତି

ଜୁଲାଇ ୩ (ଓଡିଶା ଡଟ କମ) ୧୯୭୭ ମସିହା କଥା । ମୋର ବାଣୀବିହାରରେ ବାଣିଜ୍ୟର ସ୍ନାତକୋତ୍ତର ପାଠ୍ୟକ୍ରମ ସରି ଆସୁଥାଏ । ମୁଁ ରହୁଥିବା ହଷ୍ଟେଲରେ ଜଣେ ବନ୍ଧୁ ଗୋଟିଏ ଇଂରାଜୀ ସାପ୍ତାହିକ ପତ୍ରିକା ପଢୁଥିଲେ । ସେଥିରେ ଗୋଟିଏ ବିଷୟ ଗୁରୁପ୍ରଥା ଉପରେ ଲେଖାଯାଇଥିଲା । ସେଥିରେ ଗୁରୁଙ୍କୁ ଜଣେ ଡିକ୍ଟେଟର ବୋଲି ବର୍ଣ୍ଣନା କରାଯାଇଥିଲା । ବିଷୟର ଶେଷ ଆଡକୁ ଦେଖିଲି ସେଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ସେମାନଙ୍କର ଗୁରୁପ୍ରଥା ଓ ଗୁରୁପୂର୍ଣ୍ଣିମା ପାଳନ ପାଇଁ ସମାଲୋଚନା କରାଯାଇଥିଲା ।

ମୁଁ ହଠାତ୍ କିଛି ବୁଝି ପାରିଲି ନାହିଁ । କିନ୍ତୁ ପରେ ପରେ ମୁଁ ଏ ସମ୍ବନ୍ଧରେ ମୋର ଅନ୍ୱେଷଣ ଜାରି ରଖିଲି । ପରେ ବୁଝିଲି ଗୁରୁ ପୂର୍ଣ୍ଣିମା ଦିନ ବ୍ୟାସଦେବ ଜନ୍ମ ହୋଇଥିଲେ । ସେ ବେଦକୁ ବାଖ୍ୟା କରିଥିଲେ । ହିମାଳୟର ସରସ୍ୱତୀ ନଦୀ କୂଳରେ ବସି ସେ ଏହିକାମ କରୁଥିବା ସମୟରେ ମହାପ୍ରଭୂ ଗଣେଷ ତାଙ୍କ ଠାରୁ ଶୁଣି ଏହାକୁ ଲେଖୁଥିଲେ । ତେଣୁ ଗଜାନନଙ୍କୁ ବ୍ୟାସଦେବଙ୍କର ସଟ୍-ହ୍ୟାଣ୍ଡ ଟାଇପିଷ୍ଟ ବୋଲି କୁହାଯାଏ । ଗଣେଷ ଯେଉଁଠି ବସି ଏହି କାର୍ଯ୍ୟ କରୁଥିଲେ ତାହାକୁ ଗଣେଷ ଗୁମ୍ଫା ବୋଲି କୁହାଯାଏ,ଯାହାକି ଏବେବି ହିମାଳୟର ବଦ୍ରୀନାଥ ଠାରୁ ଖଣ୍ଡେ ଦୂରରେ ବିଦ୍ୟମାନ ଅଛି ।

ପୃଥିବୀର ଆଦିଗ୍ରନ୍ଥ ବେଦକୁ ବାଖ୍ୟା କରିବା ପରେ ବ୍ୟାସଦେବ ଅନେକ ଲେଖା ଲେଖିଛନ୍ତି । ତାଙ୍କ ଦ୍ୱାରା ରଚିତ ମହାଭାରତ ପୃଥିବୀର ବୃହତ୍ତମ ଗ୍ରନ୍ଥ । ସେ ମଧ୍ୟ ଭାଗବତ ମହାପୁରାଣ , ଅଷ୍ଟାଦଶ ମହାପୁରାଣ ଓ ବ୍ରହ୍ମସୂତ୍ର ରଚନା କରିଥିଲେ । ଉପନିଷଦ ମାନଙ୍କୁ ମଧ୍ୟ ସେ ଲୋକଲୋଚନକୁ ଆଣିଥିଲେ । କେବଳ ସେତିକି ନୁହେଁ , ସେ ଜୈମିନୀ ଋଷିଙ୍କୁ କହିଥିବା ଭବିଷ୍ୟତ ବାଣୀଗୁଡିକୁ ନେଇ ଭବିଷ୍ୟ ପୁରାଣ ରଚନା କରାଯାଇଛି ।

ଯାହାକୁ ପଢିଲେ ଭାରତରେ ଅତୀତରେ ଘଟିଥିବା କିଛି ରୋମାଞ୍ଚକର ଘଟଣା ଓ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ଆଶ୍ଚର୍ଯ୍ୟ ଜନକ କଥା ଜାଣିବାକୁ ମିଳେ । ମହର୍ଷି ବ୍ୟାସଦେବଙ୍କର ଏହି କୃତ୍ତି ପାଇଁ, ତାଙ୍କୁ ହିନ୍ଦୁ ସଂସ୍କୃତିରେ ପୃଥିବୀର ଗୁରୁ ବୋଲି ମାନ୍ୟତା ଦିଆଯାଇଛି । ଏବଂ ସେ ଜନ୍ମ ନେଇଥିବା ତିଥି ଆଷାଢ ମାସ ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଉଛି ।

ଭାରତରେ ଅନେକ ଧାର୍ମିକ ତଥା ସାମାଜିକ ସଂସ୍ଥା ମଧ୍ୟ ଏହି ଦିନଟିକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି । ଏବଂ ଏହିଦିନରେ ତାଙ୍କର ଗୁରୁଙ୍କ ପାଇଁ କିଛି ସମର୍ପଣ କରିଥାନ୍ତି , ଯାହାକୁ ଗରୁଦକ୍ଷିଣା କୁହାଯାଏ । କିଛି ଧାର୍ମିକ ସଂସ୍ଥା ସେମାନଙ୍କର ପ୍ରତିଷ୍ଠାତାଙ୍କୁ ଗୁରୁ ବୋଲି ମାନନ୍ତି । କିଛି ସଂସ୍ଥା ଗୋଟିଏ ଚିହ୍ନକୁ ଗୁରୁବୋଲି ମାନନ୍ତି । ଯେପରିକି ବିବେକାନନ୍ଦ କେନ୍ଦ୍ର ଓଁକାର ଚିହ୍ନକୁ ଗୁରୁବୋଲି ମାନନ୍ତି । କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ୍ପରା ଟିକିଏ ନିଆରା ।

ଏହି ସଂସ୍ଥା ଗେରୁଆ ରଙ୍ଗର ଦୁଇକେନିଆ ଝଣ୍ଡାକୁ ଗୁରୁ ବୋଲି ମାନନ୍ତି । ଝଣ୍ଡା ବା ପତାକା ବିଭିନ୍ନ ସଂସ୍ଥାରେ ବିଭିନ୍ନ ପ୍ରକାରର ହୋଇଥାଏ । ସେଠାରେ ଏହି ପତାକା ଗୁଡିକୁ ଅତ୍ୟନ୍ତ ସମ୍ମାନ ଦିଆଯାଇଥାଏ । ସେହିପରି ବିଭିନ୍ନ ଦେଶରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ଚିହ୍ନ ଥାଇ ପତାକା ଗୁଡିକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଛି । ଜାତୀୟ ପତାକାକୁ ଅତ୍ୟନ୍ତ ସମ୍ମାନର ସହିତ ସରକାରୀ କୋଠା ଉପରେ ରଖାଯାଇଥାଏ । ଏହାକୁ ଅସମ୍ମାନକଲେ ଦୋଷୀକୁ କଠୋର ଦଣ୍ଡ ଦିଆଯାଏ ।

ଭାରତରେ ସ୍ୱାଧୀନତା ସଂଗ୍ରାମ ସମୟରେ ତ୍ରୀରଙ୍ଗା ପତାକାକୁ ରକ୍ଷା କରିବାକୁ ଯାଇ ମାତଙ୍ଗୀନି ଦେବି ଧରାଶାୟୀ ହୋଇଥିଲେ । ଆମେରିକାରେ ଆବ୍ରାହମ ଲିଙ୍କନଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଗୃହଯୁଦ୍ଧ ହୋଇଥିଲା । ସେ ସମୟରେ ବିଦ୍ରୋହୀମାନଙ୍କ କବଳରୁ ଆମେରିକାର ଜାତୀୟ ପତାକାକୁ ରକ୍ଷା କରିବା ପାଇଁ ଜଣେ ବୃଦ୍ଧ ମହିଳା ବାର୍ବରା ଫ୍ରେଚି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ଗୁଳି ଖାଇବାକୁ ପ୍ରସ୍ତୁତ ହୋଇଥିଲେ । ଏହା ଦେଖି ବିଦ୍ରୋହୀମାନେ ସେମାନଙ୍କର ମନ ପରିବର୍ତ୍ତନ କରିଥିଲେ ଓ ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ସହ ବାର୍ବରା ଫ୍ରେଚିକୁ ମଧ୍ୟ ପ୍ରଶଂସା କରିଥିଲେ ।

ପୂର୍ବ କଥନ ଅନୁଯାୟୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗେରୁଆ ରଙ୍ଗର ଦୁଇକେନିଆ ପତାକାକୁ କେବଳ ସମ୍ମାନ ଦିଏ ନାହିଁ , ବରଂ ଏହାକୁ ଗୁରୁରୂପେ ଗ୍ରହଣ କରି ପ୍ରତ୍ୟେକ ଦିନ ପଡିଆରେ ଏହାର ସ୍ୱୟଂସେବକମାନେ ପତାକା ସାମନାରେ ବିଭିନ୍ନ ପ୍ରକାରର ଶାରୀରିକ, ବୈାଦ୍ଧିକ ଓ ଯୈ÷ାଗୀକ ସାଧନା କରିଥାନ୍ତି । ଏହି ସଂସ୍ଥାରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଗୁରୁ ରୂପେ ଗ୍ରହଣ କରାଯାଇ ନାହିଁ ।

ଏହାର ନେତୃ ସ୍ଥାନୀୟ ବ୍ୟକ୍ତିମାନେ କୁହନ୍ତି ଯେ, ଜଣେ ବ୍ୟକ୍ତି ଯେତେ ଭଲ ବା ଯୋଗ୍ୟ ହେଲେ ମଧ୍ୟ ତାହାର କିଛିନା କିଛି ଦୋଷ ରହି ଥାଇ ପାରେ । ତେଣୁ ସେମାନେ କୌଣସି ବ୍ୟକ୍ତିକୁ ଗୁରୁ ରୂପେ ସ୍ୱୀକାର ନକରି ଏହି ପତାକାକୁ ଗୁରୁ ଭାବେ ଗ୍ରହଣ କରିଛନ୍ତି । ସେମାନେ ପୁଣି କୁହନ୍ତି,ଏହି ପତାକାର ଏକ ବିଶେଷତ୍ୱ ଅଛି । ଏହାର ପ୍ରାଧାନ୍ୟ ଓ ସମ୍ମାନ ଆମ ଦେଶରେ ବୈଦିକ ଯୁଗରୁ ରହିଆସିଛି । ରାମାୟଣ ଓ ମହାଭାରତର ବିଭିନ୍ନ ଯୁଦ୍ଧରେ ଏହି ପତାକା ଯୋଦ୍ଧାମାନଙ୍କ ରଥରେ ବ୍ୟବହୃତ ହେଉଥିବାର ଉଦାହରଣ ରହିଛି । ଛତ୍ରପତି ଶିବାଜୀ ମହାରାଜ ଓ ରାଣା ପ୍ରତାପଙ୍କ ଭଳି ଯୋଦ୍ଧାମାନେ ମଧ୍ୟ ଏହି ପତାକା ସେମାନଙ୍କ ହାତୀ ଓ ଘୋଡା ଉପରେ ରଖି ଯୁଦ୍ଧ କରୁଥିବାର କାହାଣୀମାନ ରହିଛି ।

ମହାରାଣୀ ଲକ୍ଷ୍ମୀବାଇ ମଧ୍ୟ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଏହି ପତାକାକୁ ଆଗରେ ରଖି ଲଢେଇ କରୁଥିଲେ । ଏପରିକି ସ୍ୱାଧୀନତା ଆନେ୍ଦାଳନ ସମୟରେ ଏହି ପତାକାକୁ ଗ୍ରହଣ କରିବା ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା । କିନ୍ତୁ ଅନ୍ୟ ଏକ ଗୋଷ୍ଠୀର ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ଉପରୋକ୍ତ ଘଟଣାରୁ ଜଣାପଡେ ଯେ,ଏହି ପତାକା ଆମ ଦେଶର ସାଂସ୍କୃତିକ ଏକତାର ପ୍ରତୀକ ।

ପୁର୍ନବାର ଏହି ପତାକା ଯଜ୍ଞର ଅଗ୍ନିଶିଖା ଭଳି ଦୃଶ୍ୟମାନ । ତେଣୁ ଏହା ସମର୍ପଣ ବା ତ୍ୟାଗର ପ୍ରତୀକ । ଏହାର ଗେରୁଆ ରଙ୍ଗ ହଳଦୀ ଓ ଲାଲ ରଙ୍ଗର ମିଶ୍ରଣରେ ହୋଇଥାଏ । ହଳଦିଆ ରଙ୍ଗ ଜ୍ଞାନ ଓ ଲାଲ ରଙ୍ଗ ବିରତ୍ୱର ପ୍ରତୀକ । ତେଣୁ ଏହି ପତାକାରେ ବ୍ରହ୍ମତେଜ ଓ କ୍ଷାତ୍ର ତେଜ ଥାଏ ବୋଲି ବିଚାର କରାଯାଏ । ପୂର୍ବରୁ ଆଲୋଚନା କରିଛୁ ଯେ,ଏହା ଅଗ୍ନି ଶିଖା ସଦୃଶ । ଅଗ୍ନି ଅର୍ଥ ଅଗ୍ରେ ନିୟତୀ ଇତି ଅଗ୍ନି । ଅର୍ଥାତ ଆଗରେ ଯିବା ହେଉଛି ଅଗ୍ନି । ଏହାକୁ ପୂର୍ନବାର ଅର୍ଥକଲେ ଜଣାପଡେ ଯେ,ଆଗରେ ରହୁଥିବା ଲୋକ ହେଉଛି ନେତା, ଯାହାର ବ୍ୟକ୍ତିତ୍ୱରେ ଅଗ୍ନିଭଳି ତେଜ ରହିଛି । ଅତଏବ ଏହି ପତାକା ହେଉଛି ନେତୃତ୍ୱର ପ୍ରତୀକ ।
ଏହି ପତାକା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନଙ୍କ ପାଇଁ ଅନେକ ପ୍ରେରଣାର ଉତ୍ସ । ଦେଶ ବିଭାଜନ ସମୟରେ ଏବେର ପାକିସ୍ତାନରୁ ଆସୁଥିବା ହିନ୍ଦୁ ଶରଣାର୍ଥିମାନଙ୍କୁ ସୁରକ୍ଷା ପ୍ରଦାନ, କାଶ୍ମୀର ମିଶ୍ରଣ ସମୟରେ ପାକିସ୍ତାନ ପ୍ରରୋଚିତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତର ସେନାବାହୀନିକୁ ରାତାରାତି ଜାମ୍ମୁ ହେଲିପ୍ୟାଡ ନିର୍ମାଣରେ ସହାୟତା କରିବା,୧୯୬୨ ମସିହାରେ ଭାରତ ଚୀନ୍ ଯୁଦ୍ଧ ସମୟରେ ଦିଲ୍ଲୀ ପୋଲିସକୁ ଟ୍ରାଫିକ୍ ନିୟନ୍ତ୍ରଣରେ ସାହାଯ୍ୟ କରିବା, ବିହାରର ଉତ୍କଟ ମରୁଡି ସମୟରେ ଜୟପ୍ରକାଶ ନାରାୟଣଙ୍କୁ ସେଠାର ସେବାକାଯ୍ୟରେ ସହଯୋଗ କରିବା ଆଦି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ଏମାନେ କରିଛନ୍ତି ।

ଏହାଛଡା ଆନ୍ଧ୍ରରେ ପ୍ରଳୟଙ୍କରୀ ବାତ୍ୟା , ଗୁଜୁରାଟର ମୋରଭି ଠାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ଓଡିଶାର ମହାବାତ୍ୟା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀମାନେ ଆଗରେ ରହି ଅନେକ ସେବାକାର୍ଯ୍ୟ କରିଛନ୍ତି । ସେହିଭଳି ଓଡିଶାରୁ ବାହାରିଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଟ୍ରେନ ଉତ୍ତର ପ୍ରଦେଶରେ ଦୁର୍ଘଟଣା ସ୍ଥାନରେ ଏହାର କର୍ମୀମାନେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ଥରେ ଗୋଟିଏ ଆରବଗାମୀ ଯାତ୍ରୀବାହି ଉଡାଜାହାଜ ଭାରତର ପଶ୍ଚିମ ସୀମାରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳେ ପଡିଗଲା । ସେଥିରେ ଅଧିକାଂଶ ମୁସଲମାନ ଯାତ୍ରୀ ଥିଲେ । ଦୁର୍ଘଟଣା ସ୍ଥାନରେ ପୋଲିସ ଓ ପ୍ରଶାସନ ପହଁଚିବାର ଯଥେଷ୍ଟ ପୂର୍ବରୁ ଆରଏସ୍ଏସ୍ କର୍ମୀମାନେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକୁ ଆରବ ଦେଶର ସମ୍ବାଦପତ୍ର ମାନେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହାର କର୍ମୀମାନେ କୁହନ୍ତି ଯେ, ଏହି ନିଃସ୍ୱାର୍ଥ ସେବାକାର୍ଯ୍ୟ ପାଇଁ ପ୍ରେରଣା ସେମାନେ ତାଙ୍କର ଗୁରୁ ଗୈରୀକ ପତାକା ଠାରୁ ପ୍ରାପ୍ତ କରିଛନ୍ତି । ୧୯୭୫ ମସିହା ଜରୁରୀ କାଳୀନ ପରିସ୍ଥିତି ସମୟରେ ଏତେ କଟକଣା ସତ୍ତ୍ୱେ ଦେଶରେ ଜନସଂଘର୍ଷ ସମିତି ମାଧ୍ୟମରେ ଦେଢ ଲକ୍ଷରୁ ଉର୍ଦ୍ଧ କର୍ମୀ ଏହି କଳା ଶାସନ ବିରୁଦ୍ଧରେ ବିକ୍ଷୋଭ କରି ଭାରତ ରକ୍ଷା ଆଇନ ଦ୍ୱାରା ଗିରଫ ହୋଇଥିଲେ । ସେମାନଙ୍କ ଭିତରେ ଶତକଡା ଅଶୀଭାଗରୁ ଉଦ୍ଧ୍ୱର୍ କର୍ମୀ ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସକ୍ରୀୟ ସଦସ୍ୟ । ଏହାର ଆଉକିଛି ସ୍ୱୟଂସେବକ ଆତ୍ମଗୋପନ କରି ଭୂମିଗତ ଆନେ୍ଦାଳନ ବା ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ କରୁଥିଲେ ।

ନାନାଜୀ ଦେଶମୁଖ, ଜଜ୍ ଫର୍ଣ୍ଣାଡିଜ୍, ରବିନ୍ଦ୍ର ବର୍ମା ପ୍ରଭୃତି ନେତାମାନେ ସେ ସମୟରେ ଏହି ମାନଙ୍କ ଦ୍ୱାରା ସାରା ଦେଶରେ ଗୁପ୍ତ ରାଜନୈତିକ କାର୍ଯ୍ୟ କରୁଥିଲେ । ୧୯୭୭ ମସିହାର ସାଧାରଣ ନିର୍ବାଚନରେ ଏହାର କର୍ମୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଶ୍ରୀମତୀ ଗାନ୍ଧୀ ନିର୍ବାଚନରେ ହାରି ଯାଇଥିଲେ ଓ ଦେଶରେ ପୁର୍ନବାର ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିଥିଲା ।

ସଂଘର ସ୍ୱୟଂସେବକ ମାନଙ୍କର ବୀରତ୍ୱ ଓ ନିଷ୍ଠାର ଶ୍ରେୟ ସେମାନେ ତାଙ୍କର ଗୁରୁ ଗୈରୀକ ପତାକାକୁ ହିଁ ଦିଅନ୍ତି । ଏବଂ ଏହି ଦିବ୍ୟ ଗୁଣ ଗୁଡିକ ତାଙ୍କ ଠାରୁ ପାଉଥିବାରୁ ଗୁରୁ ପୂର୍ଣ୍ଣିମା ଦିନ ଏହି ପତାକା ସମ୍ମୁଖରେ ସେମାନଙ୍କର ବର୍ଷକର କଷ୍ଟଲବ୍ଧ ଅର୍ଥର ଏକ ଅଂଶ ଗୁରୁ ଦକ୍ଷିଣା ରୂପେ ପ୍ରଦାନ କରନ୍ତି, ଯେଉଁଥିରେ ସଂଘକାର୍ଯ୍ୟ ବର୍ଷସାରା ଚାଲେ । ଆସନ୍ତା ଜୁଲାଇ ୧୨ ତାରିଖରେ ଏହି ଗୁରୁପୂର୍ଣ୍ଣିମା ଦିବସଟିକୁ ଅତ୍ୟନ୍ତ ନିଷ୍ଠାର ସହିତ ସେମାନେ ପାଳନ କରିବେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଛାଡିଦେଲେ ଦେଶର ଅନେକ ଧାର୍ମିକ ଅନୁଷ୍ଠାନମାନ ମଧ୍ୟ ସେମାନଙ୍କ ଗୁରୁଙ୍କ ପ୍ରେରଣାରେ ଅନେକ ସେବାକାର୍ଯ୍ୟ କରୁଛନ୍ତି । ଏମାନଙ୍କ ଭିତରେ ସତ୍ୟସାଇବାବା, ଶିରିଡିସାଇବାବା, ଅନୁକୁଳ ଚନ୍ଦ୍ର,ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଅନୁଷ୍ଠାନ, ରାମକୃଷ୍ଣ ମିଶନ, ଚିନ୍ମୟ ମିଶନ, ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମ, ବନବାସୀ କଲ୍ୟାଣ ଆଶ୍ରମ ଓ ବିବେକାନନ୍ଦ କେନ୍ଦ୍ର ଅନ୍ୟତମ ।

ଉପରୋକ୍ତ ଉଦାହରଣରୁ ଜଣାପଡେ ଯେ, ଭାରତୀୟ ସଂସ୍କୃତିରେ ଗୁରୁ ପ୍ରଥାକୁ ଡିକ୍ଟେଟରସିପ୍ କୁହାଯାଇ ପାରିବ ନାହିଁ । ବରଂ ଗୁରୁ ହେଉଛନ୍ତି ଜଣେ ମାର୍ଗଦର୍ଶକ ଯିଏ ଆମ୍ଭମାନଙ୍କୁ ଉତ୍ତମ କାର୍ଯ୍ୟପାଇଁ ସବୁବେଳେ ପ୍ରେରଣା ଦେଇ ଆସୁଛନ୍ତି । ଏବଂ ନୈରାଶ୍ୟ ଓ ବିପତ୍ତି ସମୟରେ ଆମକୁ ରକ୍ଷା କରୁଛନ୍ତି ।

୧୨୫,ଧର୍ମବିହାର,ଭୁବନେଶ୍ୱର-୩୦
ମୋ-୯୪୩୯୮୭୬୩୩୨

Leave a Reply

This site uses Akismet to reduce spam. Learn how your comment data is processed.