ସାକ୍ଷାତକାର

ସିକିଲ୍‍ ସେଲ୍‍ର ମୁକାବିଲା ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଉଦ୍ୟମ: ଡଃ.ହୃଷିକେଶ ପଣ୍ଡା (ସାକ୍ଷାତକାର)

ସୁପ୍ରଭା ଦାଶଙ୍କ ଠାରୁ

ନୂଆଦିଲ୍ଲୀ, ୨୯ ଏପ୍ରିଲ (ଓଡିଶା ଡଟ କମ) ଆଦିବାସୀ ବହୁଳ ଅଞ୍ଚଳରେ ମ୍ୟାଲେରିଆର ପ୍ରକୋପ ବ୍ୟାପକ ହୋଇଥିବାରୁ ସେହି ଅଞ୍ଚଳରେ ଲୋକମାନେ ଭୟଙ୍କର ସିକିଲସେଲ ବା ରକ୍ତ ଶୂନ୍ୟତା ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି ତେଣୁ ଏହାର ମୁକାବିଲା କରିବା ପାଇଁ ଦେଶର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଥିବା ବିଭାଗର ସଚିବ ଡଃ.ହୃଷିକେଶ ପଣ୍ଡା ଏକ ସାକ୍ଷାତକାରରେ କହିଛନ୍ତି ।

H.K. PANDA WITH THE AUTHORବର୍ତ୍ତମାନ ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ ଲୋକମାନେ ହେଉଛନ୍ତି ଆଦିବାସୀ ବର୍ଗର । ଆଉ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟାର ୭୦ ପ୍ରତିଶତ ହେଉଛନ୍ତି ଆଦିବାସୀ । ଯେଉଁ ଅଞ୍ଚଳରେ ମ୍ୟାଲେରିଆ ରୋଗର ପ୍ରକୋପ ଯେତେ ଅଧିକ ସେହି ଅଞ୍ଚଳରେ ସିକିଲ୍‍ ସେଲ୍‍ର ଆଶଙ୍କ ମଧ୍ୟ ସେତେ ଅଧିକ ।

ଅନ୍ୟପକ୍ଷରେ ବହୁ ଆଦିବାସୀଙ୍କ ଦେହରେ ସିକିଲ୍‍ ସେଲ୍‍ ରୋଗକୁ ବହନ କରୁଥିବା ଜିନ୍‍ ବା ଗୁଣସୂତ୍ର ଥାଏ । ତେଣୁ ଏହି ଜିନ୍‍ ରହିଥିବା ଯୁବକଯୁବତୀଙ୍କ ମଧ୍ୟରେ ଯଦି ବିହନ ହୁଏ ତେବେ ସେମାନଙ୍କ ଠାରୁ ଜନ୍ମିତ ଶିଶୁ ସିକିଲ୍‍ ସେଲ୍‍ ରୋଗରେ ପିଡିତ ହେବା ଆଶଙ୍କା ସବୁଠାରୁ ଅଧିକ ଥାଏ । ଆଉ ଏପରି ଶିଶୁର ଚିକିତ୍ସା ଫଳବତୀ ହୋଇପାରେ ନାହିଁ ଓ ପନ୍ଦର ରୁ କୋଡିଏ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଥାଏ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୭୯ରେ ସର୍ବୋଚ୍ଛ ସ୍ଥାନ ହାସଲ କରିଥିବା ଏହି ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି ସାଂଘାତିକ ସମସ୍ୟାକୁ ପ୍ରତିହିତ କରିବା ଉଦ୍ଦେଶ୍ୟରେ ଆମେ ବିଭିନ୍ନ ପଦକ୍ଷେପ ମାନ ହାତକୁ ନେଇଛୁ । ଦେଶର ସମସ୍ତ ଆଦିବାସୀ ପିଲାମାନଙ୍କ କେମିତି ରକ୍ତ ପରୀକ୍ଷା କରାଯିବ ସେଥିପାଇଁ ଆମେ କାମ ଆରମ୍ଭ କରିଛୁ । ରକ୍ତ ପରୀକ୍ଷା କରି ସେମାନଙ୍କୁ ଆମେ ଏକ ସାର୍ଟିଫିକେଟ୍‍ ପ୍ରଦାନ କରିବୁ ଏବଂ ସିକିଲ୍‍ ସେଲ୍‍ ଜିନ୍‍ ବହନ କରୁଥିବା ଯୁବକଯୁବତୀଙ୍କ ମଧ୍ୟରେ ବିବାହ ନକରିବା ପାଇଁ ସଚେତନତା ସୃଷ୍ଟି କରିବୁ ।

ଏହି ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ ଏବଂ ଓଡିଶା ସମେତ ବହୁଗୁଡିଏ ରାଜ୍ୟରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ମେ ମାସ ସୁଦ୍ଧା ଅବଶିଷ୍ଟ ଆଦିବାସୀ ବହୁଳ ରାଜ୍ୟମାନଙ୍କରେ ଏହି ତାଲିମ କାର୍ଯ୍ୟ ସାରି ପରବର୍ତ୍ତୀ ପର୍ଯ୍ୟାୟର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଡଃ.ପଣ୍ଡା କହିଛନ୍ତି ।

ଦେଶରେ ବସବାସ କରୁଥିବା ଆଦିବାସୀମାନଙ୍କ ଔଷଧୀୟ ପରମ୍ପରାର ସଂରକ୍ଷଣ ତଥା ସେ ସବୁର ଅଡିଓ ଭିଜୁଆଲ୍‍ ଡକୁ୍ମେଣ୍ଟେସନ୍‍ କରାଯିବାକୁ ନିଷ୍ପତ୍ତି ନିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି । ସେ କହିଛନ୍ତି ଯେ ଏହି ଡକୁ୍ମେଣ୍ଟେସନ୍‍ କାର୍ଯ୍ୟ ଯେ କେବଳ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ କରାଯିବ ତାହା ନୁହେଁ ବରଂ ସମଗ୍ର ମାନବ ସମାଜ ସକାଶେ ଏହି ସବୁ ଔଷଧ କାମରେ ଆସିବ ।

କାରଣ କେତେକ ଏଲୋପାଥିକ୍‍ ଔଷଧ କାମରେ ଆଉ ଆସୁନାହିଁ । ଯେମିତିକି ମ୍ୟାଲେରିଆ ରୋଗର ନିଦାନ ପାଇଁ ଥିବା ବହୁ ଔଷଧ ଏବେ ଆଉ କାମ କରୁନାହିଁ । ତେଣୁ ଏହି ରୋଗର ନିଦାନ ପାଇଁ ପରବର୍ତ୍ତୀ ପିଢ଼ୀର ଔଷଧ ଯୁଗଯୁଗ ଧରି ଆଦିବାସୀମାନେ ବ୍ୟବହାର କରି ଆସୁଥିବା ଔଷଧରୁ ହିଁ ଆସିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି ।

ବିଗତ ୧୯୫୦ ମସିହାରୁ ଆଦିବାସୀମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇ ଆସୁଅଛି । ମାତ୍ର ବର୍ତ୍ତମାନ ଶିକ୍ଷା ବ୍ୟତୀତ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ, ଔଷଧ, ଜୀବିକା, ଭାଷା ଏବଂ ସଂସ୍କୃତି ଉପରେ ଆମ ବିଭାଗ ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି ।HRUSHIKESH PANDA WITH THE AUTHOR SUPRAVA DASH

ସାଧାରଣତଃ ଦୁର୍ଗମ ତଥା ଅଗମ୍ୟ ସ୍ଥାନମାନଙ୍କରେ ଆଦିବାସୀମାନେ ବସବାସ କରିଥାନ୍ତି । ଆଉ ସେ ସବୁ ଅଞ୍ଚଳକୁ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପହଞ୍ଚେ ନାହିଁ ବୋଲି ଅଭିଯୋଗ ହୋଇଥାଏ । ଦୁର୍ଗମ ଅଞ୍ଚଳକୁ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରମାନେ ବି ହୁଏତ ପହଞ୍ଚି ପାରୁନଥିବେ । ଏ ସବୁକୁ ଦୃଷ୍ଟିରେ ରଖି ଆମ ବିଭାଗ ବିଜ୍ଞାନରେ ଜ୍ଞାନ ରଖିଥିବା ଆଦିବାସୀ ଯୁବକଯୁବତୀଙ୍କୁ ପାରାମେଡିକ୍ସ ତାଲିମ୍‍ ଦେବା ପାଇଁ ସିଦ୍ଧାନ୍ତ କରିଛି ।

ଉକ୍ତ ଯୁବକ ଓ ଯୁବତୀମାନେ ତାଲିମ୍‍ ସରିବା ପରେ ନିଜ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ । ଆମ ଦେଶର ଆଦିବାସୀମାନେ ପାରମ୍ପରିକ ଭାବେ ଖାଦ୍ୟ ହିସାବରେ ଗ୍ରହଣ କରୁଥିବା ବିଭିନ୍ନ ଖାଦ୍ୟ, ଶସ୍ୟ, ଜଙ୍ଗଲରୁ ସଙ୍ଗୃହୀତ ବିଭିନ୍ନ ଫଳମୂଳ, କନ୍ଦ ଏବଂ ଆଳୁର ଅନେକ ପ୍ରକାର ବିଶେଷତ୍ୱ ରହିଛି ।

ସେମାନେ ଖାଉଥିବା ବହୁ ଶସ୍ୟରେ ବିଭିନ୍ନ ପ୍ରକାରର ମିନେରାଲ୍ସ, କାର୍ବହାଇଡ୍ରେଟ୍‍ ରହୁଥିବା ବେଳେ ସେ ସବୁ ଲୋଗ୍ଲାଇସେମିକ୍‍ ଇଣ୍ଡେକ୍ସ ବୋଲି ଆମେ ଜାଣିବାକୁ ପାଇଛୁ । ଯାହାକି ଡାଇବେଟିସ୍‍ ରୋଗୀମାନଙ୍କ ପାଇଁ ବେଶ୍‍ ଉପାଦେୟ । ସେହିପରି ଜଙ୍ଗଲରୁ ସଙ୍ଗୃହୀତ ବହୁ ପ୍ରକାରର ମୂଳ, କନ୍ଦ, ଆଳୁ ଇତ୍ୟାଦିକୁ ଯଦିଓ ସେମାନେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ।

କିନ୍ତୁ ସେ ସବୁଥିରେ ବହୁପ୍ରକାର ପୋଷକ ତତ୍ତ୍ୱ ସାଙ୍ଗକୁ ଔଷଧୀୟ ଗୁଣ ରହିଛି । ଏପରି ବହୁ ମୂଳ, ଆଳୁ, କନ୍ଦ ଆଦିକୁ ଆଦିବାସୀମାନେ ବିଭିନ୍ନ ରୋଗ ହେଲେ ଖାଇଥାନ୍ତି ଓ ସେମାନଙ୍କୁ ଉପଶମ ମିଳିଥାଏ । କିନ୍ତୁ ମୁଁ ବିଭିନ୍ନ ସ୍ଥାନକୁ ଗସ୍ତ କଲା ବେଳେ ଲକ୍ଷ୍ୟ କରିଛି ଯେ ଏବର ପିଢ଼ୀ ସେ ସବୁ ବାବଦରେ ଅବଗତ ନାହାନ୍ତି ।

ଅନେକ ଆଦିବାସୀ ବର୍ଗର ଲୋକମାନଙ୍କ ସହିତ ମିଶିବା ବେଳେ ମୁଁ ଦେଖିଛି ଯେ ଉକ୍ତ ଜନଜାତିର ବୟସ୍କ ଲୋକମାନେ ସେ ସବୁର ଉପାଦେୟତା ଜାଣିଥିବା ବେଳେ ଯୁବବର୍ଗ କିନ୍ତୁ ଜାଣେନାହିଁ । ତେଣୁ ସମୟର ଆବଶ୍ୟକତାକୁ ଅନୁଭବ କରି ଏସବୁ ଜ୍ଞାନକୁ ବିଧିବଦ୍ଧ ଭାବେ ସାଇତି ରଖିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ବୋଲି ଡଃ.ପଣ୍ଡା କହିଛନ୍ତି ।

ସେହି ଅନୁଯାୟୀ ରାଜ୍ୟମାନଙ୍କରେ ଥିବା ଟ୍ରାଇବାଲ୍‍ରିସର୍ଚ୍ଚ ଇନ୍‍ଷ୍ଟିଚୁ୍ୟଟ୍‍ମାନଙ୍କୁ ଗୋଟିଏ ଲେଖାଏଁ ଟାସ୍କଫୋର୍ସ ଗଠନ କରି ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାସାୟନିକ ବିଶ୍ଲେଷଣ କରି ଉକ୍ତ ଖାଦ୍ୟଶସ୍ୟ, ଫଳମୂଳ, ଆଳୁ ଇତ୍ୟାଦିର ଡକୁ୍ୟମେଣ୍ଟେସନ୍‍ କରିବାକୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ସେହିପରି ଆଦିବାସୀମାନଙ୍କ ଭାଷା ସଂସ୍କୃତି ଉପରେ ମଧ୍ୟ ଆମେ ଗୁରୁତ୍ୱାରୋପ କରୁଛୁ ବୋଲି ଡଃ.ପଣ୍ଡା କହିଛନ୍ତି । ଆଦିବାସୀ ଭାଷାଗୁଡିକୁ ଦେବନାଗରୀ ଲିପିରେ ଲିପିବଦ୍ଧ କରିବା ପାଇଁ କାମ ଆରମ୍ଭ ହୋଇଛି । ଏହା ଭିତରେ କେତେକ ଭାଷାର ଡିକ୍ସିନାରୀ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି ।

ସେହିପରି ଆଦିବାସୀଙ୍କ ଜୀବିକା ଉପରେ ମଧ୍ୟ ଆମେ ସ୍ୱତନ୍ତ୍ର ଧ୍ୟାନ ଦେଉଛୁ । ସାଧାରଣତଃ ଆଦିବାସୀମାନେ କ୍ଷୀର ବା କ୍ଷୀରଜାତ ଦ୍ରବ୍ୟ ଖାଇନଥାନ୍ତି ବୋଲି ଆମ ସମସ୍ତଙ୍କ ଧାରଣା ରହି ଆସିଛି । କିନ୍ତୁ ସିଲ୍‍ଭାସା ନାମକ ଏକ ଜାଗାରେ ଆମେ ଗୋଟିଏ ଡାଇରୀ ସୋସାଇଟି ଗଠନ କରିବା ପରେ ସେ ଅଞ୍ଚଳର ସମସ୍ତ ଆଦିବାସୀମାନେ ଗୋପାଳନକୁ ପେଶା ଭାବେ ଗ୍ରହଣ କରି କ୍ଷୀର ବିକ୍ରି କରିବା ସାଙ୍ଗକୁ ଆର୍ଥିକ ସ୍ତରରେ ସମୃଦ୍ଧ ହୋଇପାରିଛନ୍ତି ।

ଏହା ବ୍ୟତୀତ ଆଦିବାସୀ ବର୍ଗର ଛାତ୍ରଛାତ୍ରୀ ତଥା ଗର୍ଭବତୀ ମହିଳା ଇତ୍ୟାଦିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସବୁ କେତେଦୂର ଫଳପ୍ରଦ ହେଉଛି ସେ ସବୁର ସୁକ୍ଷ୍ମ ନିରୀକ୍ଷଣ ଆମେ କରିବା ଆରମ୍ଭ କରିଛୁ ବୋଲି ଡଃ.ପଣ୍ଡା କହିଛନ୍ତି ।

ଆଦିବାସୀଙ୍କ କଳା ସଂସ୍କୃତି ବେଶ୍‍ ଉଚ୍ଚକୋଟୀର । ସେମାନଙ୍କ ଚିତ୍ରକଳା ସ୍ୱତନ୍ତ୍ର । ସାଧାରଣତଃ କାନ୍ଥବାଡରେ ଆଙ୍କୁଥିବା ଚିତ୍ର ସବୁକୁ କନ, କାଗଜ, ଟସର ଆଦିରେ ଆଙ୍କିବା ପାଇଁ ଆମେ ସେମାନଙ୍କୁ ପ୍ରୋତ୍ସାହିତ କରୁଛୁ । ଫଳରେ ସେମାନଙ୍କ ଏହି କଳାକୁ ବିଭାଗ ପକ୍ଷରୁ ମାର୍କେଟିଙ୍ଗ କରାଯାଇପାରିବ ଓ ସେମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ।

ଆମ ଦେଶର ଆଦିବାସୀମାନଙ୍କ ଅନନ୍ୟ ଜୀବନଶୈଳୀ, ପରମ୍ପରା, ଖାଦ୍ୟ, ଭାଷା, ସଂସ୍କୃତି, ପୋଷାକ, ଔଷଧ, ଚିତ୍ରକଳା ଆଦିକୁ ପ୍ରଦର୍ଶିତ ତଥା ପରିଚିତ କରିବା ସହିତ ଆଗାମୀ ପିଢ଼ ପାଇଁ ସଂରକ୍ଷିତ କରି ରଖିବା ଉଦ୍ଦେଶ୍ୟରେ ଆମେ ଚଳିତ ବର୍ଷ ଠାରୁ ‘ବନଜ’ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

ବନଜ ଅର୍ଥାତ ବନରୁ ଜାତ ଜୀବନଶୈଳୀ ବା ଜୀବନଧାରାକୁ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଜାତୀୟ ଉତ୍ସବ ଭାବେ ଉପସ୍ଥାପନ କରିବା ଆରମ୍ଭ କରିଛୁ । ପ୍ରତିବର୍ଷ ଫେବୃୟାରୀ ମାସ ଦ୍ୱିତୀୟ ଶୁକ୍ରବାର ଠାରୁ ଛଅଦିନ ଧରି ଏହା ଆୟୋଜିତ ହେବ ବୋଲି ଡଃ.ପଣ୍ଡା କହିଛନ୍ତି ।

ଓଡିଶା ଡଟ କମ

 

(ବିଶେଷ ସହଯୋଗ ଆସୋସିଏଟେଡ୍‍ ମିଡିଆ ଫାଉଣ୍ଡେସନ୍‍)

ଡଃ.ପଣ୍ଡାଙ୍କ ସଂପର୍କିତ ପୁରୁଣା ଖବର

Why government transfered Dr. Hrushikesh Panda?

1 Comment

  • Nice interview of well known writer and administrator Mr H.K. Panda. Hope he will be very much active after retirement from the Government job.

Leave a Reply

This site uses Akismet to reduce spam. Learn how your comment data is processed.