• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

News Bureau

ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ

July 9, 2015 by News Bureau Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଗତ କିଛି ଦିନ ଧରି ଅସୁସ୍ଥ ଥିବା ବର୍ଷୀୟାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କର ଗୁରୁବାର ବାଙ୍ଗାଲୁରର ଏକ ଘରୋଇ ହାସପାତାଲରେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହେଇଥିଲା । ସମ୍ବଲପୁର ଜିଲ୍ଲାର ବାରଗାଁର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରରେ ୧୯୪୦ ମସିହା ସେପ୍ଟେମ୍ବର ଦୁଇ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାଣିଗ୍ରାହୀ ଛାତ୍ରାବସ୍ଥାରୁ କଂଗ୍ରେସରେ ଯୋଗ ଦେଇ ୧୯୬୭ ମସିହା ସମ୍ବଲପୁର ଜିଲ୍ଲା କଂଗ୍ରେସର ସଭାପତି ହୋଇଥିଲେ ।

୧୯୭୧ ଓ ୧୯୭୪ ମସିହାରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବାସହ ୧୯୭୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ମାତ୍ର ୩୩ ବର୍ଷ ବୟସରେ ସେ ସାରା ଦେଶରେ ସେସମୟର ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଭାବେ ବେଶ ଜଣାଶୁଣା ହୋଇପାରିଥିଲେ ।

୧୯୭୩ ରୁ ୧୯୭୭ ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ଶ୍ରୀବଲ୍ଲଭ ରାଜସ୍ୱ, ଜଳସେଚନ ଓ ଶକ୍ତି, ଆଇନ, ଶିକ୍ଷା, ସଂସଦୀୟ ବ୍ୟାପାର, ଖାଦ୍ୟ ଓ ଯୋଗାଣ ଏବଂ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ଦାୟିତ୍ୱ ସମ୍ଭାଳିଥିଲେ ।

ସେ ଦେବଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳରୁ ତିନି ଥର ଯଥାକ୍ରମେ ୧୯୮୪, ୧୯୯୧ ଓ ୧୯୯୬ରେ ନିର୍ବାଚିତ ହେବ ସହ ବିଭିନ୍ନ ଗୁରୁତ୍ଵ ପୂର୍ଣା କମିଟିରେ ରହିଥିଲେ  । ସମ୍ବଲପୁର ସହରରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ) ଓ ରେଳ ଡିଭିଜନ୍ ସ୍ଥାପନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେ ୧୯୬୯ରୁ ୧୯୭୪ ଓ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବେ ଓ ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ଉପ-ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ ।
ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଦେହାନ୍ତ, ଶ୍ରୀବଲ୍ଲଭ ପାଣିଗ୍ରାହୀ

ସପିଙ୍ଗ ମଲରୁ ଚୋରୀ କରି ମା ସହ ଡାକ୍ତରାଣୀ ଗିରଫ

July 9, 2015 by News Bureau Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୯ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଭୁବନେଶ୍ଵରରେ ବିଭିନ୍ନ ସପିଙ୍ଗ ମଲରୁ ନିୟମିତ ଭାବେ ଶାଢି, ଅନ୍ତବସ୍ତ୍ର, ଡ୍ରେସ ଆଦି ମୂଲ୍ୟବାନ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୁଲିସ ଜଣେ ଦାନ୍ତ ଡାକ୍ତରାଣୀ ଓ ତାଙ୍କ ମାକୁ ବୁଧବାର ଗିରଫ କରିଛି ।

ସହିଦ ନଗରରେ ଥିବା ମନୀଷା ବୁଟିକକୁ କିଛି ଦିନ ତଳେ ଯାଇ ବିଭିନ୍ନ ଜିନିଷ କିଣିବା ବାହାନାରେ ସମ୍ ହସ୍ପିଟାଲରେ ଦାନ୍ତ ଡାକ୍ତର ଥିବା ଅଠେଇଶ ବର୍ଷ ବୟସ୍କା କଲ୍ୟାଣୀ ପୃଷ୍ଟି ଓ ତାଙ୍କ ମା କୁସୁମ କିଛି ଶାଢି ଚୋରି କରିବା ଉଦ୍ୟମ କରି ବୁଟିକ କର୍ମଚାରୀଙ୍କ ଦ୍ଵାରା ଧରାପଡିଥିଲେ ଓ ହଟହଟା ହୋଇଥିଲେ ।

ବୁଟିକ ମାଲିକାଣୀ ପରବର୍ତ୍ତୀ ସମୟରେ ଦୋକାନ ସିସିଟିଭି ଫୁଟେଜ ଦେଖିବାରୁ ସେମାନେ ପୂର୍ବରୁ ମଧ୍ୟ ସମାନ ପ୍ରକାର ଚୋରୀ କରିଥିବା ଜଣାପଡିଥିଲା । ଏହାପରେ ଧଳ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସିସିଟିଭି ଆଧାରରେ ପୃଷ୍ଟିଙ୍କ ଘର ଖାନତଲାସ କରି ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ପାଇବାପରେ ସେମାନଙ୍କୁ ଗିରଫ କରିଥିଲେ ।

ଉଭୟ ମା ଓ ଝିଅ  ବିଭିନ୍ନ ଦୋକାନରୁ ଅତୀତ ରେ ଚୋରୀ କରିଥିବା ସ୍ଵୀକାର କରିଥିବା ବେଳେ, ପୁଲିସ ଏହାର ଯାଞ୍ଚ ଜାରି ରଖିଛି । କଲ୍ୟାଣୀଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ । ତାଙ୍କର ସହରରେ ଏକ ବହୁତଳ ପ୍ରାସାଦ ରହିଛି । ମାନସିକ ରୋଗଗ୍ରସ୍ତ ହୋଇଥିବାରୁ କଲ୍ୟାଣୀ ଓ ତାଙ୍କ ମା ବିଭିନ୍ନ ସମୟରେ ଦୋକାନମାନଙ୍କରୁ ଚୋରୀ କରୁଥିବା ପୁଲିସ ସନ୍ଦେହ କରୁଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଗିରଫ, ଚୋରୀ, ଡାକ୍ତରାଣୀ, ମା

ସାମ୍ବାଦିକଙ୍କୁ ମାଡମାରି ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଗିରଫ

July 8, 2015 by News Bureau Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୮ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚିଟ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ସ୍ୱସ୍ତିକ୍ ଭାରତ ମଲ୍ଟି ସ୍ଟେଟ କ୍ରେଡିଟ କୋ-ଅପରେଟିଭ ସଂସ୍ଥାର ନିର୍ଦ୍ଦେଶକ ରଞ୍ଜନ ଦାସଙ୍କୁ ବଡଗଡ ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସିବିଆଇ ପକ୍ଷରୁ ଦାସଙ୍କ ବଡଗଡ ବ୍ରିଟ କଲୋନୀ ସ୍ଥିତ ବାସଭବନ ଉପରେ ଚଢଉ ଚାଲିଥିବାବେଳେ ଉକ୍ତ ଘଟଣାର ତଥ୍ୟ ସଂଗ୍ରହ ପାଇଁ ଜିତେନ୍ଦ୍ର ଫଟୋ ଉତ୍ତୋଳନ କରୁଥିଲେ ।

ଏହି ସମୟରେ କିଛି ପେଷାଦାର ଗୁଣ୍ଡା ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ସହ ଏକ ଘର ଭିତରେ ପୁରାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।ଜିତେନ୍ଦ୍ରଙ୍କ ପିଠି, ମୁଣ୍ଡ ଓ ହାତରେ କ୍ଷତ ସୃଷ୍ଟି ହୋଇଥିବା କୁହା ଯାଇଛି । ତାଙ୍କୁ ବନ୍ଧୁକ ଦେଖାଇ ମାରିଦେବାପାଇଁ ଧମକ ମଧ୍ୟ ଦିଆଯାଇଥିବ ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଦେଖିବା ପରେ ଧରିତ୍ରୀ ସଂବାଦପତ୍ରର ଫଟୋ ସାମ୍ବାଦିକ ମନୋରଞ୍ଜନ ମିଶ୍ର ବଡଗଡ ଥାନା କୁ ଜଣାଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ରଞ୍ଜନ ଦାସଙ୍କୁ ଗିରଫ କରିଥିଲେ ।

ସାମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣାକୁ ”ପ୍ରେସ କ୍ଲବ ଅଫ ଓଡିଶା” ପକ୍ଷରୁ ନିନ୍ଦା କରାଯାଇ ରଞ୍ଜନ ଦାସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଜାମିନ ନାମଞ୍ଜୁର କରିବା ପାଇଁ ଦାବି କରାଯାଇଛି ।

ଧରିତ୍ରୀ ସମ୍ପାଦକ ତଥାଗତ ଶତପଥିଙ୍କ ନେତୃତ୍ଵରେ କ୍ଲବର ଏକ ପ୍ରତିନିଧି ଦଳ ପୁଲିସ କତ୍ତୃପକ୍ଷଙ୍କୁ ସାକ୍ଷାତ କରି ଏହି ଦାବି କରିଛନ୍ତି ।

ଏଠାରେ ସୁଚାଇ ଦିଆଯାଇପାରେ ଯେ, କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର ନିଲମ୍ବିତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମାନବାଧିକାର Tagged With: ଚିଟଫଣ୍ଡ, ଦାଦାଗିରି

ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ଦ୍ଦେଶ

July 7, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୭ ଜୁଲାଇ (ଓଡିଶା ଡଟ୍ କମ୍): ଅଗଷ୍ଟ ୧୮ ରେ ହେବାକୁ ଥିବା ରଥଯାତ୍ରାରେ ଯାତ୍ରୀମାନଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ସମୟରେ ପୁରୀରେ ଏକ ଆଧୁନିକ ପୋଲିସ କଣ୍ଟ୍ରୋଲ ରୁମ, ସିସି ଟିଭି ବ୍ୟବସ୍ଥା ଏବଂ ୱାଚ ଟାୱାର ସଂପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଯାତ୍ରୀମାନଙ୍କ ଆସବାବପତ୍ର ଚେକିଂ ପାଇଁ ଏକ ଏକ୍ସରେ ଓ ମୋବାଇଲ ସ୍କାନର ମୁତୟନ କରାଯିବ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ୯ ହଜାର ପୋଲିସ୍ ଫେ।ର୍ସ, ୧୨ ଜଣ କମାଣ୍ଡାଣ୍ଟ, ୩୦ଜଣ ଏଏସପି, ୭୦ଜଣ ଡିଏସପି, ୧୦୨ ଇନ୍ସପେକ୍ଟର ଓ ୭୮୦ ସବ୍ ଇନ୍ସପେକ୍ଟରଙ୍କ ସମେତ ଏସପି ରାଙ୍କର ଅଧିକାରୀମାନେ ରଥଯାତ୍ରା ସମୟରେ ପୁରୀରେ ରହିବେ । ଏତଦ୍ବ୍ୟତୀତ ସହରରେ ୨ ପ୍ଲାଟୁନ ରାପିଡ୍ ଆକ୍ସନ ଫେ।ର୍ସ ମୁତୟନ ରହିବେ ଏବଂ ତଟସୁରକ୍ଷା ପାଇଁ ଜଳସୀମାରେ ୩ଟି ବୋଟ୍ ଦ୍ୱାରା ପାଟ୍ରୋଲିଂ କରାଯିବ।

ଯାତ୍ରୀମାନଙ୍କୁ ନବକଳେବର ଓ ଟ୍ରାଫିକ ସୂଚନା ପ୍ରଦାନ କରିବା ପାଇଁ ପୁରୀରେ ୨୦ଟି ବଡ ଏଲଇଡ଼ି ଟିଭି ସ୍କ୍ରିନର ବ୍ୟବସ୍ଥା କରାଯିବ। ସେହିପରି ସହରର ୨୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାବେଳେ ଏହି ବିଷୟରେ ଯାତ୍ରୀଙ୍କୁ ଅଧିକ ସଚେତନ କରିବା ପାଇଁ ବୁକଲେଟ ବଣ୍ଟାଯିବ ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ପ୍ରମୁଖ ସଚିବ, ପୋଲିସ୍ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ରଥଯାତ୍ରା

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

July 7, 2015 by News Bureau Leave a Comment

କେଦାର ମିଶ୍ର

ଭୀମବକରାଳମ୍‍ ବୋଲି କୌଣସି ଶବ୍ଦ ନାହିଁ । ଶବ୍ଦ ଯେହେତୁ ନାହିଁ, ତା’ର ଅର୍ଥ ମଧ୍ୟ ନାହିଁ । ତେବେ ଏହି ଶବ୍ଦଟି ସହ ଗୋଟେ ସ୍ମୃତି ରହିଛି । ସାଧାରଣ ଭୁଲ୍‍ଟିଏ କେମିତି କିମ୍ଭୂତ କିମାକାର ରୂପ ନେଇପାରେ, ତା’ର ନାଁ ଭୀମବକରାଳମ୍‍ ହୋଇପାରେ । କଥାଟି ଟିକେ ସ୍ପଷ୍ଟ କରି କୁହାଯାଉ ।

୧୯୯୯ ମହାବାତ୍ୟା ପରେ ଜଣେ ପ୍ରସିଦ୍ଧ ସାହିତ୍ୟ ପତ୍ରିକାର ସମ୍ପାଦକ ମହାବାତ୍ୟାର ଅନୁଭବକୁ ନେଇ ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରିବାକୁ ଚାହିଁଲେ । ଏଥିପାଇଁ କବି ଜୟଦେବଙ୍କ ଦଶାବତାର ଭିତରୁ କଳ୍‍କୀ ଅବତାରର ବର୍ଣ୍ଣନାରୁ ଧାଡ଼ିଟିଏ ନେବାପାଇଁ ସମ୍ପାଦକଙ୍କର ଇଚ୍ଛା ହେଲା ।

ସେଥିପାଇଁ ଗୀତଗୋବିନ୍ଦ ବହି ଅପେକ୍ଷା ସମ୍ପାଦକ ଏହାର ଗୀତ ଉପରେ ନିର୍ଭର କରି ଧାଡ଼ିଟିକୁ ବାଛିବାକୁ ଚାହିଁଲେ । କଳ୍‍କୀ ଅବତାରର ବର୍ଣ୍ଣନା ସେ ଯେତେଥର ଶୁଣିଲେ, ତାଙ୍କୁ ଲାଗିଲା ‘ଧୂମକେତୁମିବ ଭୀମବକରାଳମ୍‍’ । ଆଠ ଦଶଥର ଶୁଣିସାରିଲା ପରେ ମଧ୍ୟ ତାଙ୍କୁ ଲାଗିଲା ତାହାହିଁ ଠିକ୍‍ ଅଛି । ଶେଷରେ ପତ୍ରିକାରେ ଭୀମବକରାଳମ୍‍ ବାହାରିଲା ।

ଜିତେନ୍ଦ୍ରିୟ ହରିପାଲ ଓ କୃଷ୍ଣା ପଟେଲ ଗାଇଥିବା ମୂଳ ସଙ୍ଗୀତ

 

ପତ୍ରିକାଟି ବାହାରିଲା ପରେ ପ୍ରଖ୍ୟାତ ଲେଖକ ଚନ୍ଦ୍ରଶେଖର ରଥ ତାକୁ ଦେଖି ପଚାରିଲେ- ‘ଭୀମବକରଳାମ’ର ଅର୍ଥ କ’ଣ ? ସମ୍ପାଦକ ମହାଶୟ ଗୀତ ଗୋବିନ୍ଦର ଉଦ୍ଧୃତି ବୋଲି କହିଲାରୁ ଶ୍ରୀଯୁକ୍ତ ରଥ କହିଲେ, ଶ୍ରୀଜୟଦେବ ଲେଖିଛନ୍ତି ‘ଧୂମକେତୁମିବ କିମପିକରାଳମ୍‍’ ଅର୍ଥାତ୍‍ ଧୂମକେତୁ ପରି ଅତ୍ୟନ୍ତ କରାଳ । ପଢିବା ଓ ଶୁଣିବାରେ ଏତେକ ଫରକ । ଶୁଣିବାବେଳେ ଆମେ ଜାଣିନଥିବା ଭାଷାଟିକୁ ନିଜ ମନରୁ ଫାନ୍ଦି ଗଢି ଦେଉ ।

ଯାହାଫଳରେ ‘କିମପିକରାଳମ୍‍’ ‘ଭୀମବକରାଳମ୍‍’ ହୋଇଯାଇପାରେ । ଆଜି ଯେତେବେଳେ ରଙ୍ଗବତୀ ପ୍ରତ୍ୟାବର୍ତ୍ତନ ଗୀତଟିକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି ଓ ଏହାକୁ ନେଇ ବିବଦମାନ ସ୍ଥିତି ଉଭା ହୋଇଛି, ସେତେବେଳେ ଏହି ପ୍ରସଙ୍ଗଟି ନିହାତି ବିଚାରଯୋଗ୍ୟ । ସତୁରୀ ଦଶକର ରଙ୍ଗବତୀ ଗୀତ କୋଶଳୀ/ସମ୍ବଲପୁରୀ ଭାଷାରେ ଏକ ନୂଆ ଯୁଗ ସୃଷ୍ଟି କରିଥିଲା ।

ଲୋକପ୍ରିୟତା, ଶୁଦ୍ଧତା, ଭାବର ଆବେଦନ, ରସସୃଷ୍ଟି ଓ ମୌଳିକ ଲୋକପରମ୍ପରାକୁ ଅକ୍ଷୁଣ୍ଣ ରଖି ପାରିବାର ଏକ ଅଦ୍ଭୁତ ସଙ୍ଗମ ଏହି ଗୀତରେ ଘଟିଥିଲା । ଲୋକ ସ୍ୱର ଦ୍ୱାରା ଅନୁପ୍ରେରିତ ଏହି ଗୀତଟି ପ୍ରଥମେ ସମ୍ବଲପୁର ଆକାଶବାଣୀରେ ବାଜିଲା ପରେ ୧୯୭୮ରେ ଗ୍ରାମ୍‍କୋ କମ୍ପାନୀ ଦ୍ୱାରା ବଜାରକୁ ଆସିଥିଲା ।

ବଜାରକୁ ଆସିବା ପୂର୍ବରୁ ପ୍ରାୟ ତିନିବର୍ଷର ସଂଘର୍ଷ ଏହି ଗୀତ ପଛରେ ରହିଛି । ଗୀତର ଆବେଦନ ସେତେବେଳେ ଏତେ ବ୍ୟାପକ ହେବ ବୋଲି କେହି ଚିନ୍ତା କରି ନଥିଲେ । ତେବେ ସେତେବେଳେ ଗୀତଟି ଗୋଲ୍ଡେନ୍‍ ଡିସ୍କ୍‍ ପାଇବାରେ ସମର୍ଥ ହୋଇଥିଲା ଓ ଲକ୍ଷାଧିକ ଡିସ୍କ୍‍, କ୍ୟାସେଟ୍‍ ଓ ସିଡ଼ି ବିକି୍ର ହୋଇଥିଲା । ଆଜି ମଧ୍ୟ ହୋଇଚାଲିଛି ।

ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ ଜଣେ ଖ୍ୟାତନାମା କୋଶଳୀ କବି । ତାଙ୍କ କବିତାର ଭାବ ଓ ଶବ୍ଦଗୁଣ ନିଆରା । ଦେଶୀ ଶବ୍ଦରେ ମାନବୀୟ ସମ୍ବେଦନା ସୃଷ୍ଟି କରିବାର ଅପୂର୍ବ ଯାଦୁକରୀ ତାଙ୍କ କଲମରେ ରହିଛି । ରଙ୍ଗବତୀ ଗୀତରେ ସେହି ଯାଦୁକରୀ ନୂଆ ଏକ ରୂପ ପାଇଥିଲା । ଏହି ଗୀତରେ ଯେତିକି ଉନ୍ମାଦନା ରହିଛି, ସେତିକି ମାନବୀୟ ସମ୍ବେଦନା ମଧ୍ୟ ରହିଛି । ଏହା କେବଳ ସାଧାରଣ ପ୍ରେମ ଗୀତ ନୁହେଁ । ଏହାର ଶେଷରେ କବି କହିବାକୁ ଚାହିଁଛନ୍ତି ‘ଯୁଗେ ଯୁଗେ କଥା ଗାଏବା ଗୀତା ।’

ସତେଯେମିତି କବି ଜାଣିଥିଲେ ଯେ ଏହି ଗୀତ ସମୟକୁ ଅତିକ୍ରମ କରି ମଣିଷର ଭାବଗୀତ ପାଲଟିଯିବ । ସମୟକ୍ରମେ ଏହି ଗୀତ ସହ ଓଡ଼ିଶାର ସାଂସ୍କୃତିକ ଜନଜୀବନ ଯୋଡ଼ି ହୋଇଯାଇଛି । ପ୍ରତ୍ୟେକ ଓଡ଼ିଆ ଉତ୍ସବ ବ୍ୟସନରେ ରଙ୍ଗବତୀ ଆମ ଜୀବନର ଅଂଶ ପାଲଟିଯାଇଛି ।

ନାଚିବା କଥା ଉଠିଲେ ରଙ୍ଗବତୀ ଗୀତଠୁ ବିକଳ୍ପ ଉପାଦାନ ଆଉ କିଛିନାହିଁ । ଏହାର ଦୁଇ ମହାନ୍‍ କଣ୍ଠଶିଳ୍ପୀ ଜିତେନ୍ଦ୍ରୀୟ ହରିପାଲ୍‍ ଓ କୃଷ୍ଣା ପଟେଲ୍‍ ଆମ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଏମିତି ବି କୁହାଯାଇପାରେ ଯେ ରଙ୍ଗବତୀ ଗୀତ ଓଡ଼ିଶାର ଭୌଗୋଳିକ ସୀମା ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତିକ ପରିସରକୁ ମଧ୍ୟ ଯାଇଛି ।

ବିଭିନ୍ନ ଭାରତୀୟ ଭାଷାରେ ଏହାର ନୂଆ ସଂସ୍କରଣ ବାହାରିଛି । ହଠାତ୍‍ ଏହି ବର୍ଷ ରଙ୍ଗବତୀ ନୂଆ ରୂପରେ ପ୍ରତ୍ୟାବର୍ତ୍ତନ କରୁଛି ବୋଲି ଆମେ ଶୁଣିଲୁ ଓ ଶୁଣିଲା ପରେ ଆମେ ଯାହା ଦେଖିଲୁ ତାହା ରଙ୍ଗବତୀ ନଥିଲା, ତାହା ରଙ୍ଗବତୀର କଙ୍କାଳରେ ମଖମଲି ଝାଲର ପିନ୍ଧାଯାଇଥିବା ଏକ ଭୟଙ୍କର ଶବଯାତ୍ରା ।

ମୁମ୍ବାଇରେ ଖ୍ୟାତିଲାଭ କରିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଓ ଉଦୀୟମାନ ତାରକା ଋତୁରାଜ ମହାନ୍ତି ‘ରଙ୍ଗବତୀ ରିଟର୍ଣ୍ଣସ୍‍’ ନାମରେ ଏହି ଗୀତର ରିମିକ୍ସ ପ୍ରସିଦ୍ଧ କୋକ୍‍ ଷ୍ଟୁଡ଼ିଓରେ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମଟି ପ୍ରସାରିତ ହେବା ପୂର୍ବରୁ ୟୁ ଟୁ୍ୟବ୍‍ରେ ଏହାକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଲା ।

ରଙ୍ଗବତୀ ପୁଣିଥରେ ଫେରି ଆସିଥିବାରୁ ଓ ଏହା ସାରା ପୃଥିବୀର ଦର୍ଶକଙ୍କୁ ନୂଆ ଆନନ୍ଦ ଦେବାର ସମ୍ଭାବନାକୁ ନେଇ ଆମର ଯୁବ ଶ୍ରୋତାମାନେ ଉତ୍‍ଫୁଲ୍ଲିତ ହୋଇ ପଡ଼ିଲେ । ତେବେ ଏହି ଆନନ୍ଦ ଦୀର୍ଘସ୍ଥାୟୀ ହେଲା ନାହିଁ । ଗୀତଟି ଶୁଣିବା ପରେ ଲାଗିଲା ଗାୟିକା ସୋନା ମହାପାତ୍ର ରଙ୍ଗବତୀ ଗୀତର ଭାବକୁ କେବଳ ନଷ୍ଟ କରିନାହାନ୍ତି, ଏହାର ସୁର, ତାଳ, ଲୟ ଓ ଛନ୍ଦକୁ ପୂରାପୂରି ନଷ୍ଟ କରିଛନ୍ତି ।

ରିମିକ୍ସ ଯୁଗରେ ଏପ୍ରକାର ସ୍ୱାଧୀନତା ହୁଏତ ଜଣେ ସଂଗୀତକାର ନେଇପାରେ ! କିନ୍ତୁ ଏହାରସବୁଠୁ ଅପରାଧିକ ଦିଗଟି ହେଉଛି ଗୀତଟିକୁ ଭୁଲ୍‍ଭାଲ୍‍ କରି ଗାଇବାର ଅପସାହସ । ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ଗୀତଟିର ମର୍ମ ବୁଝିବା ଦୂରେ ଥାଉ ଏହାର ଶବ୍ଦ ବୁଝି ପାରିନାହାନ୍ତି । ଆମେ ଯେଉଁ ‘କିମପିକରାଳମ୍‍’ ଓ ‘ଭୀମବକରାଳମ୍‍’ର ଉଦାହରଣ ଆରମ୍ଭରୁ ଦେଇଥିଲୁ ଏଥିରେ ତାହା ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳୁଛି ।

ସୋନା ମହାପାତ୍ର ରଙ୍ଗବତୀକୁ ଅନେକ ସମୟରେ ରଙ୍ଗ ରଙ୍ଗ ବୋଲି ସମ୍ବୋଧନ କରିଛନ୍ତି । ସେ ଜାଣନ୍ତି ନାହିଁ ଯେ କୋଶଳୀ ଭାଷାରେ ରଙ୍ଗ ଶବ୍ଦର ଅର୍ଥ ତୃତୀୟ ଲିଙ୍ଗକୁ ବୁଝାଯାଏ । ରଙ୍ଗବତୀ ସ୍ଥାନରେ ରଙ୍ଗର ଉଚ୍ଚାରଣ ଗୀତଟିକୁ ଅର୍ଦ୍ଧପାଗଳଙ୍କ ସାରେଗାମାରେ ରୂପାନ୍ତରିତ କରିଛି ।

ଗୀତରେ ମାତ୍ର ଗୋଟିଏ ମୁଖୁଡ଼ା ଓ ଗୋଟିଏ ଅନ୍ତରା ନିଆଯାଇଛି । ଆଠଧାଡ଼ି ଭିତରେ ଚାରିଧାଡ଼ି ଭୁଲ୍‍ ରହିଛି । ଉଦାହରଣ ଦେଇ କୁହାଯାଇପାରେ – ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ ସ୍ଥାନରେ ଲାଜେ ଲାଜେ ନଇଁ ଯାଉଛି ମଥା, ରାନୀ ଟାଗେ ସୂତା ମାଲି ହେଲାନ ଗୁନ୍ଥା ସ୍ଥାନରେ ରାନୀ ଟାଗେ ସୂତା ମାଲି ହେଲା କୂରୁତା, ବନେ ମଲୀ ମହକନ ସ୍ଥାନରେ ମାନେ ମାଲି ମହକନ ଓ ଉବୁଟୁବୁ ମନେ କଲେ ସୁରୁତା ସ୍ଥାନରେ ଗୋଟେ ଅଦ୍‍ଭୁତ ଧାଡ଼ି ସୋନା ମହାପାତ୍ର ଉଚ୍ଚାରଣ କରିଛନ୍ତି ।

ସେମିତି ବିହି ଖଞ୍ଜିଦେଲା ସାଙ୍ଗ ସରିସାକୁ ମଧ୍ୟ ଅତ୍ୟନ୍ତ ବିକୃତ ଭାବରେ ଗାନ କରାଯାଇଛି । ମୋଟାମୋଟି ଦେଖିବାକୁ ଗଲେ ୧୦ ଧାଡ଼ିର ଗୀତରେ ପାଞ୍ଚ ଧାଡ଼ି ଭୁଲ୍‍ । ତଥାପି ଏହାକୁ ନେଇ ଆମେ ଗର୍ବିତ ହେବା ଉଚିତ ବୋଲି କେହି କେହି ଆମକୁ ଉପଦେଶ ଦେଉଛନ୍ତି ।

ରଙ୍ଗବତୀ ଗୀତ କୋକ ଷ୍ଟୁଡ଼ିଓ ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ପ୍ରବେଶ କଲା ଓ ନୂଆ ପିଢି ଏହାକୁ ଶୁଣି ତାଙ୍କ ଚେରକୁ ଫେରିଯିବାର ସମ୍ଭାବନା ଥିବାରୁ ସୋନା ମହାପାତ୍ରଙ୍କୁ ଓଡ଼ିଆମାନେ ଧନ୍ୟବାଦ ଦେବା ଉଚିତ ବୋଲି କେହି କେହି କହୁଛନ୍ତି । କହିବାରେ ମନା ନାହିଁ ।

ତେବେ ସୋନା ମହାପାତ୍ରଙ୍କ ଦୟା ଉପରେ ରଙ୍ଗବତୀ ଗୀତର ଲୋକପ୍ରିୟତା ନିର୍ଭର କରେ ନାହିଁ । ମୂଳ ରଙ୍ଗବତୀ ଗୀତ ଆଜି ମଧ୍ୟ ଭୀଷଣ ଭାବରେ ଲୋକପ୍ରିୟ ଓ ଏହାର ନବ ଆବିଷ୍କାର ଯଦି କରିବା କଥା, ସେ ଶକ୍ତି ଏହାର ମୂଳ ଗାୟକ ଜିତେନ୍ଦ୍ରୀୟ ହରିପାଲ୍‍ଙ୍କ ପାଖରେ ରହିଛି ।

ଏହି ଗୀତର ଚାରି ସେନାପତି ପ୍ରଭୁଦତ୍ତ ପ୍ରଧାନ, ମିତ୍ରଭାନୁ ଗଉନ୍ତିଆ, ଜିତେନ୍ଦ୍ରୀୟ ହରିପାଲ୍‍ ଓ କ୍ରିଷ୍ଣା ପଟେଲ୍‍ଙ୍କ ପାଖରେ ଏହାର ସୃଜନଶୀଳ ଅଧିକାର ରହିଛି । ତାଙ୍କର ବିନା ଅନୁମତିରେ ଏହି ଗୀତର ଦୂରୁପଯୋଗ ଯିଏ ବି କରୁ, ତା’କୁ ଗ୍ରହଣ କରାଯାଇପାରିବ ନାହିଁ ।

ଗାୟିକା ସୋନା ମହାପାତ୍ର ଓ ପ୍ରଯୋଜକ ରାମ ସମ୍ପତ୍‍ ନିଜ ଗୁଣରେ ପ୍ରସିଦ୍ଧ । ତାଙ୍କର ସୃଜନଶୀଳତା ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ତେବେ କଳାକାରଭାବରେ ନିଜ ପୂର୍ବସୁରୀଙ୍କ ପ୍ରତି ସୋନା ସାମାନ୍ୟତମ ମର୍ଯ୍ୟାଦା ପ୍ରଦର୍ଶନ କରି ନାହାନ୍ତି ।

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ନିଜେ ନିଜର ମାନସିକତା ପରୀକ୍ଷା କରାଇବା ଉଚିତ ।

ଗୀତର ଶବ୍ଦ ନ ବୁଝି, ଭାବ ନ ଜାଣି ଓ ମରମରେ ଅନୁଭବ ନ କରି ଏହାର ନୂଆ ଆବିଷ୍କାର ସମ୍ଭବ ନୁହଁ । କହିବାରେ ଦ୍ୱିଧା ନାହିଁ ଯେ, ସୋନା ଏବଂ ରାମ୍‍ ଏହାକୁ ଆବିଷ୍କାର କରିବାରେ ବିଫଳ ହୋଇଛନ୍ତି ।

ସବୁଠୁ ପ୍ରଳମ୍ବଅଶୁଦ୍ଧି ହେଉଛି ରଙ୍ଗବତୀ ଭଳି ଏକ ପ୍ରେମ ଗୀତ ସହିତ ଓଡ଼ିଶାର ଜାତୀୟ ସଂଗୀତ ବନେ୍ଦ ଉକ୍ରଳ ଜନନୀର ଅଦ୍ଭୁତ ସମାଗମ । ରଙ୍ଗବତୀ ଗୀତର ଉନ୍ମାଦନା ସହିତ ବନେ୍ଦ ଉକ୍ରଳ ଜନନୀର ସ୍ୱଦେଶ ପ୍ରେମ କେଉଁ ଦୃଷ୍ଟିରୁ ଗୋଟିଏ ସୂତ୍ରରେ ଗୁନ୍ଥା ହେବେ ତାହା ଆମେ ବୁଝିପାରୁନୁ ।

ପୁନଶ୍ଚ ଏକ ଜାତୀୟ ସଙ୍ଗୀତ ଗାନ କରିବାର ନିର୍ଦ୍ଧିଷ୍ଟ ନୀତି ନିୟମ ରହିଛି । ତାହା ନ କରି ପାଗଳଙ୍କ ପରି ନାଚି ନାଚି ବନେ୍ଦ ଉକ୍ରଳ ଜନନୀ ଗାଇବାଟା ଓଡ଼ିଶା ପ୍ରତି ସମ୍ମାନ ନା ଅପମାନ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରନ୍ତୁ ।

ପ୍ରତ୍ୟେକ ସୃଜନଶୀଳ ସ୍ରଷ୍ଟାର ନିଜସ୍ୱ ସ୍ୱାଧୀନତା ଓ ଅଧିକାର ରହିଛି । ଏତେ ସବୁ ଅଭିଯୋଗ ସତ୍ତ୍ୱେ ସୋନା ମହାପାତ୍ର ରାମ ସମ୍ପତ୍‍ ଓ ଋତୁରାଜ ମହାନ୍ତିଙ୍କ ପ୍ରତି ଆମର ସମ୍ମାନ ରହିଛି ଓ ତାଙ୍କର ସ୍ୱାଧୀନତା ଉପରେ ଆମ ପ୍ରଶ୍ନଚିହ୍ନ ଲଗାଉ ନାହୁଁ ।

ତେବେ ଏତିକି ନିଶ୍ଚୟ କହିବୁ ଯେ କୌଣସି ଗୀତକୁ ନୂଆ କରି ଆବିଷ୍କାର କରିବା ପାଇଁ ଯଦି ଚାହୁଁଛନ୍ତି, ସେ ଗୀତକୁ ପ୍ରଥମେ ବୁଝନ୍ତୁ, ମନ ଦେଇ ଭଲପା’ନ୍ତୁ ଓ ତା’ପରେ ଯାଇ ତାକୁ ନୂଆ ପରିବେଷଣ କରିବାରେ ସାହସ କରନ୍ତୁ ।

ନହେଲେ ସମୁଦାୟ ଗୀତଟି ଗୋଟେ ଅର୍ଥହୀନ ଭୀମବକରାଳରେ ପରିଣତ ହେବା ସାର ହେବ । ଏଥିରେ ଗୌରବ ତୁଳନାରେ ଜାତିର ଗୌରବ ମାଟିରେ ମିଶିଯିବ ।

ଫୋନ୍‍ : ୯୪୩୭୧୫୪୪୪୫

News Bureau
News Bureau

Filed Under: ମନୋରଞ୍ଜନ, ରୋକ ଠୋକ Tagged With: ଜିତେନ୍ଦ୍ରିୟ ହରିପାଳ, ରଙ୍ଗବତୀ, ସୋନା ମହାପାତ୍ର

ନିଜର କେବୁଲ ଗ୍ରାହକଙ୍କୁ ଓରଟେଲର ମାଗଣା ବ୍ରଡବ୍ୟାଣ୍ଡ ସେବା

July 7, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୭ ଜୁଲାଇ (ଓଡିଶା ଡଟ୍ କମ୍): ଓରଟେଲ କମ୍ୟୁନିକେସନ ଲିମିଟେଡ ନିଜର କେବୁଲ ଟିଭି ଗ୍ରାହକଙ୍କୁ ଏବେ ମାଗଣା ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଓରଟେଲର କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ବିଭୁ ପ୍ରସାଦ ରଥ କହିଛନ୍ତି ଯେ ଏହି ସେବା ଅନୁସାରେ ଗ୍ରାହକମାନେ ମାସିକ ଏକ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ଡାଟା ବ୍ୟବହାର କରିପାରିବେ ।

ଯଦି ଗ୍ରାହକ ଅଧିକ ଡାଟା ଆବଶ୍ୟକ କରନ୍ତି ତେବେ ତାଙ୍କୁ ଏଥିପାଇଁ ସ୍ୱଳ୍ପ ଦେୟ ପଇଠ କରିବାକୁ ପଡିବ ।

ସେହିପରି ଉପଭୋକ୍ତା ଯଦି ଓରଟେଲ ଅନ୍ୟ କୌଣସି ଇଣ୍ଟରନେଟ ସେବା ଗ୍ରହଣ କରିବାକୁ ଚାହାଁନ୍ତି ତେବେ ଏଥିପାଇଁ ସେମାନଙ୍କୁ ସୁଯୋଗ ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି।

ଗ୍ରାହକଙ୍କୁ ଶସ୍ତାରେ ଇଣ୍ଟରନେଟ ସେବା ଯୋଗାଇବା ପାଇଁ କମ୍ପାନୀର ଏହା ଏକ ଅନ୍ୟତମ ପ୍ରୟାସ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଓରଟେଲ, କେବୁଲ

ଅଗଷ୍ଟ ୧୯ ରୁ ବିଧାନସଭା ମୌସୁମୀ ଅଧିବେଶନ

July 7, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୭ ଜୁଲାଇ (ଓଡିଶା ଡଟ୍ କମ୍): ଆସନ୍ତା ଅଗଷ୍ଟ ୧୯ ରୁ ଆରମ୍ଭ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ ।

ଏହି ଅଧିବେଶନରେ ବ୍ରହ୍ମ ପରିବର୍ତ୍ତନରେ ହୋଇଥିବା ବିଭ୍ରାଟକୁ ବିରୋଧି ଦଳ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପିତ କରିପାରନ୍ତି ।

ଏହି ଅଧିବେଶନ ଅଗଷ୍ଟ ୨୯ ପର୍ଯ୍ୟନ୍ତ ଚାଲିବାନେଇ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ବିଧାନ ସଭା

ସଞ୍ଜୀବ ପଣ୍ଡା ଓଏସ୍ଏପି ଆଇଜି

July 6, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୬ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟସରକାର ସୋମବାର ବରିଷ୍ଠ ଆଇପିଏସ୍ କ୍ଷେତ୍ରରେ ସାମାନ୍ୟ ଅଦଳବଦଳ କରିଛନ୍ତି ।

ଏସ.ସାଇନିଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡ଼ିଆଇଜି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବି. ରାଧିକାଙ୍କୁ ଅତିରିକ୍ତ ମହାନିର୍ଦେଶକ (ଏଡିଜି) ଭାବେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏସସିଆରବି) ର ଦାୟିତ୍ୱ ପ୍ରଦାନ କରାଯାଇଛି ।

ପଣ୍ଡା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସ୍ଏପି) ର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ଅଦଳବଦଳ, ପୁଲିସ

ରାସ୍ତା ଦବି ଯିବାରୁ ପୁରୀରେ ବିରୋଧିଦଳର ପ୍ରତିବାଦ

July 6, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ, ୬ ଜୁଲାଇ (ଓଡିଶା ଡଟ୍ କମ୍) ଶ୍ରୀଜୀଉଙ୍କର ନବକଳେବର ଉପଲକ୍ଷେ ପୁରୀର ମୁଖ୍ୟ ପ୍ରବେଶ ପଥରେ ନିର୍ମିତି ହୋଇଥିବା ନୂଆ ରାସ୍ତା ତଳକୁ ଦବି ଯିବାରୁ କମ ନିମ୍ନ ମନର ହୋଇଥିବା ଅଭିଯୋଗ କରି ବିରୋଧୀ ବିଜେପି ଓ କଂଗ୍ରେସ ଏହାର ପ୍ରତିବାଦ କରିଛନ୍ତି ।

ରବିବାର ଏକ ଗୋଡି ବୋଝେଇ ହାୱାଇ ଟ୍ରକ ପୁରୀର ମୁଖ୍ୟ ପ୍ରବେଶ ପଥ ଦେଇ ଯାଉଥିବାବେଳେ ହଠାତ ରାସ୍ତାଟି ତଳକୁ ଦବିଯାଇଥିଲା। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରଲିକୁ ଚାପି ଦେବାରୁ ଉଭୟ ଟ୍ରକ ଓ ଟ୍ରଲିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଟ୍ରଲି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି ବହୁ ସମୟ ଧରି ରାସ୍ତା ଅବରୋଧ କରିବା ଥିଲେ ଓ ପରେ ଭିଜିଲାନ୍ସ କତୃପକ୍ଷଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଏକ ଦାବିପତ୍ର ଦେଇଥିଲେ ।

ଏହି ଖବର ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ଚନ୍ଦ୍ର ମାଝି ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଆସନ୍ତା ଦୁଇଦିନ ମଧ୍ୟରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ନବ କଳେବର, ନିମ୍ନ ମାନର କାମ, ପୁରୀ

ନିଖୋଜ ରଗବୀ ଖେଳାଳିଙ୍କୁ ପ୍ରେମିକ ସହ ଠାବ କଲା ପୁଲିସ

July 5, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୫ ଜୁଲାଇ (ଓଡିଶା ଡଟ୍ କମ୍): ଗତ ଏକ ମାସରୁ ଉର୍ଦ୍ଧ୍ଵ ସମୟ ଧରି ନିଖୋଜ ଥିବା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ ପୁଲିସ ତାଙ୍କ ପ୍ରେମିକ ସହ ନୟାଗଡ଼ ଅଞ୍ଚଳରେ ଠାବ କରି ଭୁବନେଶ୍ୱର ଆଣିଛି ।

ଜୁନ ୨୩ ତାରିଖରୁ ସେ ନିଖୋଜ ଥିଲେ । ତାଙ୍କ ପିତା କୈଳାସ ପ୍ରଧାନଏ ସଂକ୍ରାନ୍ତରେ ନନ୍ଦନକାନନ ଥାନାକୁ ଜଣାଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ନୟାଗଡ଼ର ଏକ ଅଞ୍ଚଳରେ ସେମାନେ ଥିବା ଖବର ପାଇ ପୁଲିସ ଚଢାଉ କରିଥିଲା ।

ତାଙ୍କୁ ଅପହରଣ କରାଯାଇ ନ ଥିବା ଓ ସେ ସ୍ଵଇଚ୍ଛାରେ ନିଜ ପ୍ରେମିକ ପ୍ରଭାତଙ୍କ ସହ ଯାଇଥିବା ସୁଜାତା କହିଛନ୍ତି । ସେମାନେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିବା ସେ ସୂଚନା ଦେଇଛନ୍ତି । ତେବେ ସୁଜାତା ଜଣେ ନାବାଳିକା ହୋଇଥିବାରୁ ତାଙ୍କ ପ୍ରେମିକଙ୍କ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

ବରାଙ୍ଗର କୁଞ୍ଜ ବିହାରୀ ମହାବିଦ୍ୟାଳୟର ଯୁକ୍ତଦୁଇ ଶେଷ ବର୍ଷର ଛାତ୍ରୀ ସୁଜାତା କେରଳରେ ଅନୁଷ୍ଠିତ ହୋଇଥିବା ଜାତୀୟ ମହିଳା ରଗବୀ ଚମ୍ପିୟନଶିପରେ ଅଂଶ ଗ୍ରହଣ କରି ସ୍ଵର୍ଣ୍ଣ ପଦକ ଜିତିବା ସହ ୨୦୧୪-୧୫ର ୬୦ତମ ଜାତୀୟ ସ୍କୁଲ ରଗବୀ ଚମ୍ପିୟନଶିପରେ ୧୯ ବର୍ଷରୁ କମ ବୟସର ପ୍ରତିଯୋଗିତାରେ ଭାଗନେଇ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ଜିତି ଥିଲେ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଅପରାଧ Tagged With: ରଗବୀ ଖେଳାଳି, ସୁଜାତା ପ୍ରଧାନ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 33
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ