ଓଡିଶା ନ୍ୟୁଜ/ Odisha News
ରୋକ ଠୋକ

ନବକଳେବର : ଯାହା ଆମେ ଜାଣିଲୁ ନାହିଁ (ରୋକ୍ ଠୋକ୍ )

କେଦାର ମିଶ୍ର

ଗତ ୬ମାସ ଭିତରେ ପ୍ରତ୍ୟେକ ଓଡ଼ିଶାବାସୀଙ୍କ କାନରେ ଗୋଟିଏ ଶବ୍ଦ ଗୁ୍‍ଞ୍ଜରିତ ହେଉଛି : ନବକଳେବର ।

ଗଣମାଧ୍ୟମର ସୌଜନ୍ୟରୁ ଆମେ ପ୍ରତି ମିନିଟ୍‍ ରେ ଏହି ଶବ୍ଦଟିକୁ ଶୁଣୁଛୁ ଓ ଏହାକୁ ନେଇ ଆମର କଳ୍ପନା ତ୍ୱରାନ୍ୱିତ ହେଉଛି ।

ନବକଳେବର କ’ଣ , କାହିଁକି ହୁଏ , କେମିତି ହୁଏ, କିଏ କିଏ ସବୁ ଏହାର ଅଂଶୀଦାର ଓ ଏହାକୁ ନେଇ କେତେପ୍ରକାର ବିଭ୍ରାଟ ଘଟିଛି, ତା’ର ବିଷଦ ବିବରଣୀ ଆମେ ଶୁଣୁଛୁ ।

ବିଶେଷକରି ଗତ ଜୁନ୍‍ ୧୫ତାରିଖ ରାତିରେ ଘଟ ପରିବର୍ତ୍ତନ ହୋଇ ନପାରିବାର ଦୁଃଖରେ ଓଡ଼ିଶା ରାଜନୀତି ଉଠୁଛି ଓ ପଡୁଛି । ଏହି ଘଟଣାରେ ଏତେବଡ଼ ରାଜନୈତିକ ଝଡ଼ ଉଠିବ ବୋଲି କେହି ହୁଏତ ଭାବିପାରିନଥିଲେ ।

ଜଗନ୍ନାଥ ଯେ କେବଳ ଆମ ସଂସ୍କୃତିର ପ୍ରାଣ କେନ୍ଦ୍ର ନୁହଁନ୍ତି, ସେ ଆମ ରାଜନୀତିରେ ମଧ୍ୟ ଚାଳିକାଶକ୍ତି ଏହା ପୁଣି ଥରେ ପ୍ରମାଣିତ ହୋଇଛି ।

ତେବେ ନବକଳେବରର ରାଜନୀତି ଓ ଚର୍ଚ୍ଚା ଭିତରେ ଅନେକ ଐତିହାସିକ ତଥ୍ୟ ରହିଛି, ଯାହାକି ନବକଳେବରକୁ ଆମ ସମାଜ ନିର୍ମାଣର ମୌଳିକ ଆଧାର ଭୂମି ଭାବରେ ପ୍ରତିପାଦିତ କରିପାରନ୍ତା । ସେ ସମ୍ପର୍କରେ ଗଣମାଧ୍ୟମ ଆଖିବୁଜି ବସିଛି ।

ନବକଳେବର କେବଳ ଏକ ପୂଜା ଉପଚାର ନୁହେଁ । ଏହା ସହିତ ପାଖାପାଖି ହଜାର ବର୍ଷର ଓଡ଼ିଶା ରାଜନୀତି ଓ ତା’ର ଇତିହାସ ଜଡ଼ିତ । ମାଦଳା ପାଞ୍ଜି ଅନୁସାରେ ପ୍ରଥମ ନବକଳେବରର ବର୍ଣ୍ଣନା ସହିତ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସମ୍ବନ୍ଧ ସ୍ପଷ୍ଟ ବାରି ହୋଇ ପଡ଼େ ।

ସେ ସମ୍ପର୍କରେ ଆମର ଗଣମାଧ୍ୟମ ଓ ଜଗନ୍ନାଥ ତତ୍ତ୍ୱବିତ୍‍ମାନେ ଏକପ୍ରକାର ନିରବ । ପ୍ରଥମ ନବକଳେବରର ବର୍ଣ୍ଣନା କରିବାକୁ ଯାଇ ମାଦଳା ପାଞ୍ଜିର ବର୍ଣ୍ଣନାଟି ପଢାଯାଉ ।

ଶୋଭନ ଦେବଙ୍କ ରାଜତ୍ୱ କାଳରେ ଡିଲି (ଦିଲ୍ଲୀ)ରୁ ରକ୍ତବାହୁ ଆସି ଆକ୍ରମଣ କରିବାରୁ ପରମେଶ୍ୱରଙ୍କୁ ସୁନୁପୁର (ସୋନପୁର)ର ଗୋପାଳୀକୁ ସ୍ଥାନାନ୍ତରିତ କରାଗଲା ।

“ ଏଠାରୁ କେଶରୀ ପାଟରାଜା ହୋଇଥିଲେ । ପ୍ରଥମ ପାଟ ଯଯାତି କେଶରୀ ହୋଇଲେ । ଏ ରାଜା ବଡ଼ ଶୂରବନ୍ତ ମହାଦାନୀ । ଏ ମହାରାଜାଙ୍କ ୧୧ଅଙ୍କେ ସନ୍ନ୍ୟାସୀ ବ୍ରହ୍ମଚାରୀ ବ୍ରାହ୍ମଣମାନଙ୍କୁ ପଚାରିଲେ ଓଡ଼ିଶା ରାଜାର ପ୍ରଭୁ ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ସେ କାହିଁଛନ୍ତି ?

ସେମାନେ କହିଲେ ମୁଗଲ ଗୋଳ ହୋଇଲାକୁ ସୋମାଦ୍ର ମାଡ଼ି ଆଇଲାକୁ ଅପାର ଦିନ ହୋଇଲା । ଶ୍ରୀ ପରମେଶ୍ୱରଙ୍କୁ ପାତାଲୀ କରି ସୁନୁପୁର ଆଡ଼େ କେଉଁଠାରେ ବିଜେ କରାଇଲେ ଗାଁତବ ନାହିଁ । ଏହା ଶୁଣି ମହାରାଜା ସୁନୁପୁରୁ ଗଲେ ।

ସେଠାରେ ଖଣ୍ଡାଇତଙ୍କୁ ପଚାରିଲେ । ସେମାନେ କହିଲେ ଆମ୍ଭେ ଗାଁତବ ନୋହୁ । ଆମ୍ଭ ବାପା ଅଜା କହନ୍ତି ଦିଅଁବର ଏହି । ଏଥି ତଳେ ଦିଅଁକୁ ପୋତି ଥିଲେ । ଏହା ଶୁଣି ରାଜା କଟୁରିଆ ବ୍ରାହ୍ମଣଙ୍କୁ ଆଣି ସେ ଗଛ କଟାଇ ଖୋଳାଇଲେ । ପରମେଶ୍ୱରଙ୍କୁ ବାହାର କଲେ ।

ସେ ଦିନେ ଶ୍ରୀ ମୂର୍ତ୍ତିମାନ ମାଟି ଖାଇ ଛିନ୍ନଭିନ୍ନ ହୋଇଛନ୍ତି । ଦେଅଁମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରେଇ ମୁଦାଇଲେ । ଏ ଉତ୍ତାରୁ ଦଇତାପତିଙ୍କୁ ଲୋଡ଼ାଇଲେ । ଦଇତାମାନେ ବିରିବନ୍ଧରେ ଥିଲେ । ପତିମାନେ ରତନପୁର ସୀମାରେ ଥିଲେ ।

ଏମାନଙ୍କୁ ଅଣାଇ ବିଧିପତ୍ର ପ୍ରମାଣେ ଦାରୁ ଛେଦନ କରାଇ ପରମେଶ୍ୱରଙ୍କୁ ସୁମୂର୍ତ୍ତି କରାଇଲେ । ଏ ଘଟଣାବେଳେ ରାଜାସେବକ ତାଟି ଭିତର କଲେ । ଗଛକଟା କଟୁରିଆ ବ୍ରାହ୍ମଣ ପାଞ୍ଚ ସେବା । ଏହାଙ୍କ ଗୋତ୍ର ବଚ୍ଛସ ୫ ଜଣକୁ ୪୦ ଜଣ । ପତିମାନଙ୍କର ଏଗାରହ ଜଣକୁ ଛଅ ଜଣ ।

ଦଇତାମାନଙ୍କର ଉଲୁକ ଗୋତ୍ର । ୮ ଜଣକୁ ୮ ଜଣ ପରିଛା ଗାଏ ଚବିସ ଜଣ । ଶ୍ରୀ ପୁରୁଷୋତ୍ତମ ଶଙ୍ଖନାଭି ମଣ୍ଡଳେ ୩୮ ହାତ କରି ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶ୍ୱରଙ୍କୁ ବିଜେ କରାଇଲେ ।”

ସୋନପୁରର କୋଟ ସମ୍‍ଲେଇରୁ ପୁଣି ଥରେ ଶଙ୍ଖନାଭି ମଣ୍ଡଳକୁ ଫେରିବା ବେଳର ଏହି ପ୍ରଥମ ନବକଳେବର ସମ୍ପର୍କରେ କୌଣସି ପ୍ରକାର ତଥ୍ୟ, ସୂଚନା ବା ଆଲୋଚନା ଗଣମାଧ୍ୟମରେ ଆମେ ଦେଖିବାକୁ ପାଇଲେ ନାହିଁ ।

ଅଥଚ ଏହି ପ୍ରଥମ ନବକଳେବର ସହିତ ଜଗନ୍ନାଥ ସଂସ୍କୃତିର ମୂଳ ସମ୍ପୃକ୍ତ । ଆଦିବାସୀ, ଶୁଦ୍ର ଓ ବ୍ରାହ୍ମଣ୍ୟ ଧାରାର ଯେଉଁ ମିଶ୍ରଣ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଘଟିଛି, ତା’ର ମୂଳ ଏହି ଆଦ୍ୟ ନବକଳେବରରେ ରହିଛି । ତା’ର ତର୍ଜମା ଆମେ କରିପାରିଲୁ ନାହିଁ । ପୁନଶ୍ଚ ନବକଳେବର ବିଧାନ ସହିତ ପଶ୍ଚିମ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଳାର ତିନୋଟି ପରମ୍ପରାର ସାମ୍ୟ ରହିଛି ।

କନ୍ଧମାନଙ୍କର ପରମ୍ପରାରେ ଗ୍ରାମଦେବୀଙ୍କ ଘଟ ପରିବର୍ତ୍ତନ ନୀତି ସହିତ ନବକଳେବରର ସମାନତା ରହିଛି । ସେହିପରି ପଶ୍ଚିମ ଓଡ଼ିଶାର ଡୁମାଲ୍‍ ଜାତିର ଇଷ୍ଟଦେବୀ ଖମ୍ବେଶ୍ୱରୀ ତଥା ପରମେଶ୍ୱରୀଙ୍କ ନବକଳେବର ବିଧାନ ସହିତ ଶ୍ରୀ ଜଗନ୍ନାଥଙ୍କ ନବକଳେବରର ଅତୁଳନୀୟ ସାମ୍ୟ ଦେଖାଯାଏ ।

ଅନ୍ୟ ଏକ ଉଦାହରଣ କ୍ରମରେ ସୋନପୁରର ବିଭିନ୍ନ ମନ୍ଦିରରେ ରହିଥିବା ‘ଜୁଡ଼ା ଖୁମ୍ବ’ଗୁଡ଼ିକର ପରିବର୍ତ୍ତନ ଓ ନବକଳେବର ବିଧାନ ପ୍ରାୟ ଏକା । ଏ ସମ୍ପର୍କରେ କୌଣସି ରିପୋର୍ଟ ବା ଆଲୋଚନା ଆମେ ଦେଖିବାକୁ ପାଇଲୁ ନାହିଁ । ଏହା ହିଁ ଦୁର୍ଭାଗ୍ୟ ।

ନବକଳେବର ଆଲୋଚନାବେଳେ କେବଳ ପ୍ରବଚକମାନେ ଜଗନ୍ନାଥ ସଂସ୍କୃତି ବିଷାରଦ ପାଲଟିଗଲେ । ଐତିହାସିକ ଏବଂ ସମାଜତାତ୍ତ୍ୱିକ ଆଲୋଚନା ବଦଳରେ ମହାପ୍ରଭୁଙ୍କୁ ଧାର୍ମିକ ଉନ୍ମାଦନାର ଶକ୍ତିକେନ୍ଦ୍ର ଭାବରେ ବର୍ଣ୍ଣନା କରିବାକୁ ଗଣମାଧ୍ୟମ ତତ୍ପର ହୋଇ ଉଠିଲା ।

ଯାହାଫଳରେ ନବକଳେବରର ନୃତାତ୍ତ୍ୱିକ ଓ ସମାଜତାତ୍ତ୍ୱିକ ଦିଗ ବିଷୟରେ ଆଲୋଚନା ସମ୍ଭବ ହେଲା ନାହିଁ । ଏପରିକି ନବକଳେବରକୁ ନେଇ ଘଟିଥିବା ବହୁ ଐତିହାସିକ ଘଟଣା ମଧ୍ୟ ଆଲୋଚିତ ହେଲା ନାହିଁ ।

ଯାହା ଫଳରେ ନବକଳେବରର ପରମ୍ପରା ବିଭ୍ରାନ୍ତି, ବିଭ୍ରାଟ ଓ ବିପର୍ଯ୍ୟୟରେ ପରିଣତ ହେଲା । ଏହି ପ୍ରସଙ୍ଗରେ ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କର ଉଦାହରଣ ଦିଆଯାଇପାରେ ।

ତକୀ ଖାଁଙ୍କ ଆକ୍ରମଣ ସମୟରେ ପରିସ୍ଥିତିରେ ପଡ଼ି ଖୋର୍ଦ୍ଧା ରାଜା ଗଜପତି ରାମଚନ୍ଦ୍ର ଦେବ ଧର୍ମାନ୍ତରିତ ହୋଇ ହାଫିଜ୍‍ କାଦର୍‍ ନାମ ଗ୍ରହଣ କରିଥିଲେ । ଗଜପତି ଧର୍ମାନ୍ତରିତ ହୋଇଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ତାଙ୍କର ଭୂମିକା ସୀମିତ ଥିଲା ।

ଏହାକୁ ଆଳ କରି ମହାରାଣୀ ଲଳିତା ପାଟ ମହାଦେଇ ଓ ରାମଚନ୍ଦ୍ର ଦେବଙ୍କ ଭିତରେ କ୍ଷମତା ଯୁଦ୍ଧ ଲାଗି ରହିଥିଲା । ଏହି କ୍ଷମତା ଯୁଦ୍ଧରେ ବିଜୟୀ ହେବା ପାଇଁ ନବକଳେବରକୁ ଅସ୍ତ୍ର ଭାବରେ ଲଳିତା ପାଟ ମହାଦେଇ ବ୍ୟବହାର କରିବାକୁ ଚାହୁଁଥିଲେ ।

ଚିଲିକା ଭିତରେ ଗୋପ୍ୟ ହୋଇ ରହିଥିବା ଦାରୁ ବ୍ରହ୍ମଙ୍କୁ ନ ଆଣି ନୂଆ ଦାରୁ ଓ ନୂଆ ବ୍ରହ୍ମ ପ୍ରତିଷ୍ଠା କରି ନିଜର ରାଜନୈତିକ ପତିଆରା ଜାହିର୍‍ କରିବାକୁ ଲଳିତା ପାଟ ମହାଦେଇ ଉଦ୍ୟମ କରିଥିଲେ । ଏହାର ବିଷଦ ବର୍ଣ୍ଣନା ସୁରେନ୍ଦ୍ର ମହାନ୍ତି ତାଙ୍କର ଉପନ୍ୟାସ ‘ନୀଳାଦ୍ରି ବିଜୟ’ରେ କରିଛନ୍ତି ।

କ୍ଷମତା ଓ ରାଜନୀତିର ଯୁଦ୍ଧରେ ନବକଳେବର ଏକ ସାର୍ଥକ ମାଧ୍ୟମ ପାଲଟିଥିଲା । ତେଣୁ ଆଜି ଯେତେବେଳେ ନବକଳେବରକୁ ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ରାଜନୀତି କରୁଛନ୍ତି, ସେଥିରେ ଚକିତ ହେବାର କିଛି ନାହିଁ ।

ନବକଳେବର ବିଧାନ ସହ ସଂକୀର୍ଣ୍ଣ ରାଜନୀତିର ଦୀର୍ଘଦିନର ସମ୍ପର୍କ ରହିଛି । ତେବେ ଏହି ରାଜନୀତି ଭିତରୁ ଜଗନ୍ନାଥଙ୍କର ସମନ୍ୱୟ ସୂତ୍ରଟି ମଧ୍ୟ ଫିଟି ଉଠିଛି ।

ଶ୍ରୀ ଜଗନ୍ନାଥଙ୍କୁ ଯେତେ ବ୍ରାହ୍ମଣ୍ୟଧର୍ମ ଭିତରେ ସୀମିତ ରଖିବାର ପ୍ରୟାସ ହୋଇଛି, ମହାପ୍ରଭୁ ସେତେ ଅଧିକ ଗାଣତାନ୍ତ୍ରିକ ଓ ସର୍ବୋଦୟୀ ହୋଇଛନ୍ତି । ତାଙ୍କରି ସେବା ପୂଜା ଭିତରେ ଜାତି, ଧର୍ମ ଓ ବର୍ଣ୍ଣର ସୀମାରେଖା ଲିଭିଛି । ନବକଳେବର ବିଧାନ ସହିତ ଆଉ ଏକ ସୂତ୍ର ମଧ୍ୟ ରହିଛି ।

ମହାପ୍ରଭୁ କେବଳ ଶଙ୍ଖନାଭି ମଣ୍ଡଳରେ ସୀମିତ ନୁହଁନ୍ତି । କ୍ଷେତ୍ରରୁ ବନ ଆଡ଼କୁ ପୁଣିଥରେ ଉଜାଣି ସୁଅରେ ସେ ଫେରି ଆସନ୍ତି । ପୁଣି ଥରେ ଦାରୁ ଭିତରେ ତାଙ୍କର ନୂତନ ସଂରଚନା ହୁଏ । ଏହାହିଁ ନବକଳେବରର ମୂଳ ସୂତ୍ର ।

ସବୁ ଜାତି ଓ ସବୁ ଧର୍ମର ସମ୍ପୃକ୍ତି ନବକଳେବରରେ କେଉଁଠି ନା କେଉଁଠି ଦେଖିବାକୁ ମିଳେ । ଦୁର୍ଭାଗ୍ୟର ବିଷୟ ହେଉଛି ଆମର ଗଣମାଧ୍ୟମ ନବକଳେବରର ଏହି ସମନ୍ୱୟ ବିଚାରକୁ ଆଦୌ ଗୁରୁତ୍ୱ ଦେଇନାହିଁ ।

୧୯୫୦ ମସିହାର ନବକଳେବର ସମୟରେ ଶ୍ରୀ ବଳଭଦ୍ରଙ୍କ ଦାରୁ କାକଟପୁର ନିକଟବର୍ତ୍ତୀ ଜଲାଲ୍‍ପୁର ଗ୍ରାମରୁ ମିଳିଥିଲା । ଏହି ଦାରୁର ମାଲିକ ଥିଲେ ଜଣେ ମୁସଲମାନ୍‍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦାରୁ କାଟିବା ପାଇଁ ସେ ଅମଙ୍ଗ ହେଉଥିଲେ ।

ତେବେ ତାଙ୍କର ପତ୍ନୀ ଦାରୁ ଛେଦନ ପାଇଁ କେବଳ ଅନୁମତି ଦେଲେ ନାହିଁ, ଦଇତା ଓ ସେବାୟତମାନଙ୍କର ସମ୍ପୂର୍ଣ୍ଣ ରହଣିର ବ୍ୟବସ୍ଥା କରାଇଦେଲେ । ଏହା ଆମ ସଂସ୍କୃତିର ଧର୍ମନିରପେକ୍ଷ ଗୁଣକୁ ଆଉ ପାଦେ ଆଗେଇ ନେଇଛି । ଜଗନ୍ନାଥଙ୍କ ପାଖରେ ଜାତି ଓ ଧର୍ମର କୌଣସି ବାରଣ ନାହିଁ । ଜଲାଲ୍‍ପୁର ତା’ର ଏକ ଉଦାହରଣ ।

ଚଳିତ ବର୍ଷର ନବକଳେବର ପ୍ରସଙ୍ଗ ଉତ୍ଥାପନ କଲାବେଳେ ଆମେ ନବକଳେବରର ବହୁମୁଖୀ ଧାରା ବିଷୟରେ ବିଲ୍‍କୁଲ୍‍ ଚିନ୍ତା କଲୁ ନାହିଁ । ଆମେ କୌଣସି କନ୍ଧ ଗାଁକୁ ଯାଇ ଗ୍ରାମଦେବୀଙ୍କ ନବକଳେବର ବିଧାନ କେମିତି ହୁଏ, ଦେଖିବାକୁ ଚେଷ୍ଟା କଲୁ ନାହିଁ ।

ଆମର ଗଣମାଧ୍ୟମର ଉତ୍ସାହିତ ସାମ୍ବାଦିକମାନେ ସୋନପୁର କି ଜଲାଲ୍‍ପୁର ବିଷୟରେ କୌଣସି ତଥ୍ୟ ଉପସ୍ଥାପନ କଲେ ନାହିଁ । ତାଙ୍କୁ ବ୍ରହ୍ମ ଚୋରି ଭଳି ଅତ୍ୟନ୍ତ ନିକୃଷ୍ଟ ବିଚାର ଏମିତି ଗ୍ରାସ କଲା ଯେ, ସେମାନେ ନବକଳେବରର ବିବିଧ ଧାରା ବିଷୟରେ ଜାଣିବାର କି ଶୁଣିବାର ଉଦ୍ୟମ କଲେ ନାହିଁ । ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ !

ଫୋନ୍‍ : ୯୪୩୭୧୫୪୪୪୫

Leave a Reply

This site uses Akismet to reduce spam. Learn how your comment data is processed.