ଓଡିଶା ନ୍ୟୁଜ/ Odisha News
ଅର୍ଥ-ବ୍ୟବସାୟ

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀ

tendu-leavesଫକିର ଚରଣ ରାଉତ

ଓଡ଼ିଶାରେ କେନ୍ଦୁପତ୍ର ବିଭାଗ ଏକ ଲାଭଜନକ ସଂସ୍ଥା ବୋଲି ଆମେ ସମସ୍ତେ ଜାଣିଛେ । ଓଡ଼ିଶା ସରକାର ବର୍ଷକୁ ହାରାହାରି ୪୨୦କୋଟି ଟଙ୍କାର ବେପାର କରି ୧୦୦ କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସ୍ୱୀକାର କରୁଛନ୍ତି । ଆଜିରଦିନରେ ଓଡ଼ିଶାରେ ୧୯ଟି କେନ୍ଦୁପତ୍ର ଡିଭିଜନ ଓ ୧୪୦ଟି ରେଞ୍ଜ ଓ ୬୦୦୦ ଫଡି ରହିଛି ।

୧୯୭୩ ମସିହା ପୂର୍ବରୁ କେନ୍ଦୁପତ୍ର ତୋଳା ସହିତ ଏହାର ବେପାର ଭାର ଘରୋଇ ସଂସ୍ଥାମାନଙ୍କ ଉପରେ ଆମ ରାଜ୍ୟ ସରକାର ଠିକାଭାବରେ ନ୍ୟସ୍ତ କରିଥିଲେ । ଏହାର ଯେଉଁ ଲାଭ ଆସୁଥିଲା, ତାହା ଘରୋଇ କମ୍ପାନୀମାନେ ନେଉଥିଲେ । ରାଜ୍ୟ ସରକାରଙ୍କୁ ଏଥିରୁ କିଛି ମିଳୁ ନଥିଲା ।

ଶ୍ରୀମତୀ ନନ୍ଦିନୀ ଶତପଥି ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କରି ଅମଳରେ ୧୯୭୪ମସିହାରେ କେନ୍ଦୁପତ୍ର ଜାତୀୟକରଣ ହେଲା ଓ ସରକାର ପ୍ରତ୍ୟକ୍ଷ ଭାବରେ ଏହାର ସମସ୍ତ ପ୍ରକାର କାର୍ଯ୍ୟ କେନ୍ଦୁପତ୍ର ବିଭାଗ ମାଧ୍ୟମରେ ସମ୍ପାଦନ କଲେ । ଏହାର ଲାଭାଂଶ ସରକାରଙ୍କ ନିକଟକୁ ଆସିଲା ।

ରାଜ୍ୟ ସରକାର କେନ୍ଦୁ ଲିଫ୍ ଗ୍ରାଣ୍ଟ୍ ନାମକ ଏକ ଆର୍ଥିକ ଅନୁଦାନ ପଂଚାୟତମାନଙ୍କୁ ପ୍ରଦାନ କରୁଥିଲେ । ସତୁରୀ ଦଶକରେ କେନ୍ଦୁପତ୍ର କର୍ମଚାରୀ ସଂଘର ସରକାରଙ୍କ ନିକଟରେ ଦାବୀଥିଲା ଗୋଟିଏ କେରୀ ପତ୍ରର ଦାମ୍ ୧ପଇସା କରାଯାଉ ।

ଗୋଟିଏ କେରୀରେ ୨୦ଟି ଭଲ ପତ୍ର ସହିତ ତଳ ଓ ଉପରେ ୧ଟି ଲେଖାଁଏ ମୋଟ୍ ୨ଟି ବୁଢ଼ା ପତ୍ର ରହିଥାଏ । ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ୧ପତ୍ରକୁ ୧ପଇସା ପ୍ରଦାନ କରିବାକୁ ସଂଘ ସରକାରଙ୍କ ନିକଟରେ ଦାବୀ କରି ଆସୁଥିଲା ।

୨୦୧୬ ମସିହାବେଳକୁ ଗୋଟିଏ କେରିର ଦାମ ୭୦ପଇସା ହୋଇଛି । ସାରାଓଡ଼ିଶାରେ ଅଳ୍ପ କେତୋଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଚାଲୁ ରହିଛି ।

ଗୋଟିଏ କାରଖାନାର ଶ୍ରମିକମାନଙ୍କୁ ଏକାଠି କରି ଲଢ଼େଇ କରିବା ସହଜ କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରଠାରୁ ମାଲକାନଗିରି ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରୁ ଗଜପତିର ମୋହନା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ଏକାଠିକରି ନିଜ ସ୍ୱାର୍ଥ ନିମନ୍ତେ ଲଢ଼େଇ କରିବାକୁ ସଂଗଠିତ କରିବା ସହଜ ନୁହେଁ ।

ଅଂଶୁଘାତପାଇଁ ସରକାର ଏପ୍ରିଲ ଓ ମେ ମାସରେ ଦିନ ୧୧ଟା ପରେ ଘରୁ ନବାହାରିବା ପାଇଁ ପ୍ରଚାର କରୁଥିବା ସମୟରେ କେନ୍ଦୁପତ୍ର ତୋଳାଳିମାନେ ୪୦ରୁ ୪୫ ଡିଗ୍ରି ତାପମାତ୍ରାକୁ ଖାତିରି ନକରି ନିଜର ପେଟ ପାଇଁ ପିଲା ଛୁଆଙ୍କୁ ଧରି କେନ୍ଦୁପତ୍ର ତୋଳିଥାନ୍ତି । ତା’ସହିତ ଥାଏ ବନ୍ୟଜନ୍ତୁଙ୍କ ଭୟ ।

ହାତୀ,ଭାଲୁ,ବାର୍ହା ଆକ୍ରମଣ, ସାପ କାମୁଡାରେ ଜୀବନକୁ ହାରିବା କଥାକୁ ଭ୍ରୂକ୍ଷେପ ନକରି କେନ୍ଦୁପତ୍ର ତୋଳାଳିମାନେ ପତ୍ର ସଂଗ୍ରହ କରୁଛନ୍ତି ।

କେନ୍ଦୁପତ୍ର ତୋଳାଳିଟିର ଲୁହ,ରକ୍ତ,ଝାଳର ପରିଶ୍ରମରେ ତୋଳାଯାଉଥିବା କେନ୍ଦୁପତ୍ର ଆଜି ସରକାରଙ୍କୁ ଚାରିଶ କୋଟି ଟଙ୍କାର ବେପାରରେ ପହଁଚାଇ ପାରିଛି । ଗଛ ବୃଦ୍ଧିରେ ଯେପରି ଚେରର ପ୍ରମୁଖ ଭୂମିକା ରହିଥାଏ, ଠିକ୍ ସେହିପରି ସରକାରଙ୍କର ରାଜସ୍ୱ ବୃଦ୍ଧିରେ କେନ୍ଦୁପତ୍ର ତୋଳାଳିଙ୍କ ଅବଦାନ ଅତୁଳନୀୟ ।

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳିଟି ଛଟପଟ ହୋଇ ବୁଝି ପାରେନା ତାର ଦୋଷ କଣ? ସରକାର ଘୋଷଣା କରିଛନ୍ତି ଗୋଛାକଟା ମଜୁରୀ ଦିନକୁ ୨୨୦ ଟଙ୍କା । ଗୋଛାକଟାଳିଟିକୁ କାମ ମିଳେ ଅଧାଦିନ । ବାକି ଅଧାଦିନ କାମ ନପାଇ ଘରେ ବସେ । ଏହାର କାରଣ କଣ ସେ ଜାଣିପାରେନା ।

ସେପରି ଗୋଛାକଟା ଏରିଆ ଧିରେ ଧିରେ କମିଯାଉଛି ବୋଲି କେନ୍ଦୁପତ୍ର ତୋଳାଳିମାନେ ଅଭିଯୋଗ କରୁଛନ୍ତି । ଗୋଛାକଟା ପାଇଁ କେତେ ଟଙ୍କା ପ୍ରତିଗ୍ରାମକୁ ଆସେ, ତାହାର ସୂଚନା ଗୋଛାକଟାଳି ବା କେନ୍ଦୁପତ୍ର ତୋଳାଳିମାନଙ୍କ ପାଖରେ ନଥାଏ । କିନ୍ତୁ କେନ୍ଦୁପତ୍ର ବିଭାଗ କୁହେ ଫଡି କମିଟି ସବୁ ବୁଝୁଛି ।

ବାସ୍ତବକଥା ହେଲା ଫଡିକମିଟି କେବଳ କାଗଜ କଲମରେ ଛାଲିଛି । କେନ୍ଦୁପତ୍ର ତୋଳା କାମରେ ପରିବାରର ସମସ୍ତ ସଦସ୍ୟ କାମରେ ଲାଗିଥାନ୍ତି । କିନ୍ତୁ ପରିବାରର ଜଣଙ୍କ ନାମରେ କେନ୍ଦୁପତ୍ର ତୋଳାଳି ପାସ୍ ବହି ଖୋଲାଯାଏ ଓ ସେହିଜଣଙ୍କ ନାମ ବୀମାଭୁକ୍ତ କରାଯାଏ ।

ଅବଶିଷ୍ଟ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରୁ କେହି ଯଦି କେନ୍ଦୁପତ୍ର ତୋଳିବା ସମୟରେ ବନ୍ୟଜନ୍ତୁ ଆକ୍ରମଣ, ସାପକାମୁଡ଼ା ବା ଅଂଶୁଘାତରେ ଜୀବନ ହରାଏ, ପରିବାର ଲୋକଙ୍କୁ କୌଣସି କ୍ଷତିପୂରଣ ମିଳେ ନାହିଁ ।

ସେହିପରି ଗୋଟିଏ କେରୀରେ ୨୦ଟି ବିଡ଼ି ଉପଯୋଗୀ ପତ୍ର ରହିବାର ନିୟମ ଥିଲେ ମଧ୍ୟ ମୁନ୍ଷୀମାନେ ୨୨ରୁ ୨୫ପତ୍ର କେରୀରେ ବାନ୍ଧିବାକୁ ବାଧ୍ୟ କରନ୍ତି । ପତ୍ର ଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଯାଏ ।

ଆଇନତଃ ଶିଶୁ ଶ୍ରମିକ ଲଗାଇବା ବାରଣ ଥିଲେ ମଧ୍ୟ ପ୍ରତ୍ୟେକ ଫଡିରେ ମୁନ୍ଷିମାନେ ଉଚ୍ଚପଦାଧିକାରୀଙ୍କ ଜ୍ଞାତସାରରେ ପତ୍ରଶୁଖା କାମରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଶ୍ରମର ପାଉଣାକୁ ଲୁଟ କରିଥାନ୍ତି ।

ସେହିପରି ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ପତ୍ର ତୋଳିବାର ପାଉଣା ମିଳେ ନାହିଁ । ପ୍ରତ୍ୟେକ ତୋଳାଳୀଙ୍କୁ ଆମ୍ ଆଦ୍ମୀ ବୀମା ଯୋଜନାରେ ସାମିଲ କରାଯାଇଛି ।

ନିୟମ ଅନୁଯାୟୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ବୀମାଧାରୀଙ୍କର ନବମରୁ ଦା୍ୱଦଶ ଶ୍ରେଣୀରେ ପଢୁ ଥିବା ୨ଟି ସନ୍ତାନଙ୍କୁ ପ୍ରତିମାସରେ ୧୦୦ଟଙ୍କା ହିସାବରେ ୬ମାସରେ ୬୦୦ଙ୍କା ଛାତ୍ରବୃତ୍ତି ମିଳିବ । କିନ୍ତୁ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବୀମାଧାରୀଙ୍କର ସନ୍ତାନମାନଙ୍କୁ ସେମାନଙ୍କର ପ୍ରାପ୍ୟ ବିଭିନ୍ନ ଆଳଦେଖାଇ କେନ୍ଦୁପତ୍ର ବିଭାଗ ଦେଇ ନାହିଁ ।

୧୯୯୯ ମସିହାଠାରୁ ସରକାରଙ୍କ ପ୍ରଚେଷ୍ଟା ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ କେନ୍ଦୁପତ୍ର ତୋଳାଳୀ ଆଜି କିଛି କିଛି ସୁବିଧା ପାଇ ପାରୁଛନ୍ତି । ପ୍ରଥମରୁ କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭାଂଶ ରାଜ୍ୟ ସରକାରଙ୍କ ରାଜକୋଷକୁ ଯାଉଥିଲା,ଏବେ ସେଥିରୁ ତୋଳାଳୀମାନଙ୍କୁ କିଛି କିଛି ଦିଆଯାଉଛି ।ରାଜ୍ୟ ସରକାର କେନ୍ଦୁପତ୍ର ବିକାଶ ବୋର୍ଡ ଗଠନ କରିଛନ୍ତି ।

ସେଥିରେ ତୋଳାଳୀ, ବନେ୍ଧଇ ଆଦି କାର୍ଯ୍ୟ କରୁଥିବା ଲୋକମାନଙ୍କର ସଂଘର ପ୍ରତିନିଧି ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡର ବୈଠକ ବସି ତୋଳାଳୀମାନଙ୍କ ହିତ ନିମନ୍ତେ ଯାହା ଆବଶ୍ୟକ, ସେହି ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଯାଉଛି । ମୁନ୍ସୀ, ଚପରାଶି ଆଦିଙ୍କ ପାଇଁ କଲ୍ୟାଣ ପରିଷଦ ଗଠନ କରାଯାଇଛି ଓ ଏଥିରେ ୬ କୋଟି ଟଙ୍କା ଜମା କରାଯାଇଛି ।

ଓଡ଼ିଶାରେ ଜଙ୍ଗଲ ଉନ୍ନୟନ କର୍ପୋରେସନ ଓ ଜଙ୍ଗଲ ବିଭାଗ ମାଧ୍ୟମରେ କେନ୍ଦୁପତ୍ର ବ୍ୟବସାୟ ଚାଲୁ ରହିଛି । ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ସମୁଦାୟ ନେଣ ଦେଣ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯିବାକୁ ସ୍ଥିର ହୋଇଛି ଓ ଚଳିତବର୍ଷ ସମସ୍ତ ଦେୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି ।

ସରକାର କେବଳ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା କହି ନିଜଆଡୁ ଦୋଷ ଖସାଇ ଦେଲେ ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀଟି ଛଟ ପଟ ହେବା ବ୍ୟତୀତ ତାହା ପକ୍ଷରେ ଅନ୍ୟ କିଛି ଚାରାନାହିଁ ।

ତୋଳାଳୀଙ୍କ ସ୍ୱାର୍ଥ ଓ କେନ୍ଦୁପତ୍ର ବିଭାଗ ଲାଭଦୃଷ୍ଟିରୁ ସରକାରଙ୍କୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପ୍ରଥମତଃ କେନ୍ଦୁପତ୍ର ତୋଳୁଥିବା ପରିବାର ସମସ୍ତ ସଦସ୍ୟଙ୍କୁ ଆମ୍ ଆଦମୀ ବୀମା ଯୋଜନାରେ ସାମିଲ କରାଇବା ସହିତ ବୀମାର ସୁବିଧାଗୁଡିକୁ ସରଳ ଉପାୟରେ ଉପଲବ୍ଧ କରାଇବା । ପତ୍ର ଦେବାର ଏକ ସପ୍ତାହ ମଧ୍ୟରେ ପାଉଣା ପ୍ରଦାନ କରିବା ।

ପତ୍ର ଶୁଖା କାମରେ ଶିଶୁଶ୍ରମିକମାନଙ୍କୁ ଲଗାଉଥିବା ମୁନ୍ସୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗୋଛା କଟା ଶୈଳୀରେ ପରିବର୍ତ୍ତନ ଆଣିବା । ତୋଳାଳୀମାନଙ୍କୁ ପ୍ରତିବର୍ଷ ଚପଲର ପାଉଣା ପ୍ରଦାନ କରିବା ଓ ଉନ୍ନତମାନର ପତ୍ର ସଂଗ୍ରହ ପାଇଁ ବାଉଁଶ ଝୁଡି ଯୋଗାଇବା ନିତାନ୍ତ ଜରୁରୀ ।

 

ସୌଜନ୍ୟ: ସମଦୃଷ୍ଟି

Leave a Reply

This site uses Akismet to reduce spam. Learn how your comment data is processed.