ମନୋରଞ୍ଜନ

ଓଡିଶାରେ ଆଇନଷ୍ଟାଇନ:ଏକ ମହାନ ନାଟକର ଦଶଟି ଲକ୍ଷଣ

k3କେଦାର ମିଶ୍ର

ସତୁରୀ ବର୍ଷର ଆଇନଷ୍ଟାଇନ (୧୪, ମାର୍ଚ୍ଚ, ୧୮୭୯- ୧୮,ଏପ୍ରିଲ୍, ୧୯୫୫) କେମିତି ଚାଲୁଥିବେ, କେମିତି କଥା କହୁଥିବେ, ନିଜ ପଢାଘରେ ବସି ନିଜ ଜୀବନ ଓ ସ୍ମୃତି ସହ କେମିତି ଖେଳ ଖେଳୁଥିବେ- ଏମିତି କେବେ ଆପଣ ଭାବିଛନ୍ତି?

ନିଜ କଳ୍ପନା ରେ ପୃଥିବୀର ସର୍ବଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ ଆଲବର୍ଟ୍ ଆଇନ ଷ୍ଟାଇନ କେମିତି ଗୋଟେ ଜୀବନ ବଞ୍ଚିଥିଲେ ତାର ନକ୍ସା ଆଂକିଛନ୍ତି କି? ହୁଏତ ବହିରେ, ସିନେମାରେ ଅଥବା ଚିତ୍ରରେ ଆମେ ଆଇନଷ୍ଟାଇନକୁ ଜାଣୁ, ହେଲେ ତାଂକ ସହ ଆମର ଭେଟ ହେବାର ନାହିଁ। ନା, ତାଂକୁ ଭେଟିବାକୁ ଚାହାନ୍ତି ଯଦି ଆପଣ ଜଣେ ଭାରତୀୟ ଅଭିନେତା ନାସିରୁଦ୍ଦୀନ ଶାହାଙ୍କ ଆଇନଷ୍ଟାଇନ ନାଟକ ଦେଖନ୍ତୁ ।

ଅତି ସହଜରେ ଓ ଅବିକଳ ଭାବରେ ଦର୍ଶକ ଆଗରେ ଯେଉଁ ବୁଢା ଲୋକଟି ଛିଡା ହେବ ସେ ନାସିରୁଦ୍ଦୀନ ଶାହା କି ଖୋଦ୍ ଆଇନଷ୍ଟାଇନ, ସେକଥା ବୁଝୁ ବୁଝୁ ଆପଣ ଗୋଟେ କୁହୁକ ଅନୁଭବରେ ବାନ୍ଧି ହୋଇ ସାରିଥିବେ। ଜେନ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି ନାଟକ ଟି ଭାରତୀୟ ରଂଗମଂଚ ର ଇତିହାସରେ ଏକ ଅତୁଳନୀୟ କଳାକୃତି କାହିଁକି- ଆସନ୍ତୁ , ବିଚାର କରିବା।-

୧. ଏକକ ନାଟକର ପରମ୍ପରା ଭାରତରେ ବହୁ ଦିନରୁ ରହି ଆସିଛି। କଥକ ବା କଥାକାର ପରମ୍ପରା ରେ ଗୋଟେ ନିର୍ଦ୍ଦିଷ୍ଟ ପ୍ରସଂଗକୁ ଜଣେ ଅଭିନେତା ନିଜର ଆଂଗିକ(ଶାରୀରିକ ଭଂଗୀ ଓ ଅଭିନୟ) ଓ ବାଚିକ (ସଂଳାପ) ମାଧ୍ୟମରେ ପୁନର୍ଜୀବିତ କରେ। ଆଇନଷ୍ଟାଇନ ସେଇ ପୁରୁଣା ପରମ୍ପରା ର ଏକ ଆଧୁନିକ ରୂପ। ଭାଷା ଇଂରାଜୀ ହେଲେ ମଧ୍ୟ ନାଟକର ଆବେଦନ ଓ ଅବତାରଣାରେ ଭାରତୀୟତାର ଝଲକ ରହିଛି।

k4୨. ଜାତୀୟତା ଓ ରାଜନୈତିକ ସୀମା ର ଉର୍ଧ୍ଵ ରେ ମାନବିକତା ଲାଗି ବିଜ୍ଞାନର ଉପଯୋଗିତା ଏହି ନାଟକର ମୂଳ ପ୍ରସଂଗ। ଯଦିଓ ଆଇନଷ୍ଟାଇନ ନାଟକରେ ଆତ୍ମଜୀବନୀର ବର୍ଣନା ସଂଳାପ ମାଧ୍ୟମରେ ଗତିଶୀଳ ହେଉଛି, ଏହାର ସମାନ୍ତରାଳରେ ଆଉ ଏକ ନିରବ ପ୍ରଶ୍ନବାଚୀ ଦର୍ଶକକୁ ସନ୍ତୁଳିତ କରୁଛି।

ସେ ପ୍ରଶ୍ନ ଟି ହେଲା ବିଜ୍ଞାନ ର ମାନବୀୟ ଚରିତ୍ରକୁ ଆମେ କ୍ଷମତାର ଅହଂକାର ଆଗରେ ବଳି ଦେଇ ନାହୁଁ କି?

୩. ନାଟକରେ ୭୫ ମିନିଟ୍ ବ୍ୟାପୀ ଜଣେ ମାତ୍ର ଅଭିନେତା, ଗୋଟିଏ ସେଟ୍ ଓ ସେଟ୍ ରେ କିଛି ବିକ୍ଷିପ୍ତ ବହି, ଗୋଟେ ପଢ଼ା ଟେବଲ୍, ଗୋଟେ ସୋଫା ଓ ଚୌକୀ, କିଛି ପୁରୁଣା ପୋଷାକ ଓ ଗୋଟେ ବିପର୍ୟସ୍ତ ଭାଓଲିନ୍। ନାଟକରେ ଏକକ ଅଭିନେତା ଭାବରେ ନସିରୁଦ୍ଦିନ ଶାହ ସବୁ କିଛିକୁ ନିଜ ନିୟନ୍ତ୍ରଣ ରେ ରଖନ୍ତି।

କେବଳ ମଂଚ ନୁହଁ, ମଂଚ ବାହାରେ ବସିଥିବା ସବୁ ଦର୍ଶକ ଯେମିତି ନସିରଂକ ବଶୀଭୂତ। ଏକା ସାଂଗରେ ସେ ପୁରା ଦର୍ଶକ ଗ୍ୟାଲେରିକୁ ସମ୍ବୋଧନ କରୁନାହାନ୍ତି; ଜଣ ଜଣ କରି ସବୁ ଦର୍ଶକ ସହ ସେ ନିଜ ଜୀବନ କାହାଣୀ ବିଷୟରେ ଗପୁଛନ୍ତି।

୪. ସତ କହିବାକୁ ଗଲେ, ନାଟକଟି ଗୋଟେ ଲମ୍ବା ଗପ ଅଥବା କବିତା। ନାଟକର ଉଦବେଗ, ଉତ୍କଂଠା ଓ ଗତିଶୀଳତା ସହ ଏକ ଚମତ୍କାର କାବ୍ୟୀକତା ଦର୍ଶକକୁ ବାନ୍ଧି ରଖେ। ସେ କେବଳ ମନୋରଂଜନ ପାଇଁ ନାଟକ ଦେଖୁନାହିଁ, ବରଂ ଜୀବନକୁ ନୁଆ କରି ଆବିଷ୍କାର କରିବାର ଏହା ଏକ ଅଭିନବ ମାଧ୍ୟମ।

୫. ସଂଗୀତ ଓ ବିଜ୍ଞାନ ଭିତରେ ସମ୍ପର୍କ କେବଳ ଗାଣିତିକ ନୁହଁ, ଏହି ସମ୍ପର୍କ ଉଭୟଂକୁ ନିବିଡ ଭାବରେ ଆଧ୍ୟାତ୍ମିକ କରେ। ନାଟକରେ ଆଇନଷ୍ଟାଇନ ଭାଓଲିନ୍ ବଜେଇବାକୁ ଚାହୁଁଛନ୍ତି, ହେଲେ ଭାଓଲିନର ବୋ’ ତାଂକୁ ମିଳୁନି। ସଂଗୀତ ଶୁଣିବା ଅପେକ୍ଷା ସଂଗୀତ କୁ ନେଇ ଗୋଟେ ପୃଷ୍ଠଭୂମି ନିର୍ମାଣ କରିବାରେ ନାଟ୍ୟକାର ବେଶ୍ ସଫଳ।

k-1୬. ନାଟକର ସବୁ ଶ୍ରେୟ ନସିରୁଦ୍ଦିନକର କେବଳ ନୁହଁ, ଏହାର ଗୋଟେ ବଡ ଶ୍ରେୟ ନାଟ୍ୟକାର ପାଇବେ। ଆଇନଷ୍ଟାଇନ କେବଳ ଜୀବନ ର ସରଳରୈଖିକ ବର୍ଣନା ନୁହଁ, ଏଥିରେ ସବୁଠୁ ସରଳ ଭାଷାରେ ରାଜନୀତି ଓ ସମୟର ଦ୍ଵନ୍ଦକୁ ନାଟକୀୟ କରାଯାଇପାରିଛି। ନାଟ୍ୟକାର ଗାବରିଏଲ୍ ଇମାନୁଏଲ୍ ରଚନା ମାଧ୍ୟମରେ ଗୋଟେ ଜଟିଳ ସମୟର ତତ୍ଵକୁ ଅତି ସରଳ ଭାବରେ ଫୁଟେଇ ପାରିଛନ୍ତି।

୭. ନାଟକ ଆମେ ବହୁତ ଦେଖିଛୁ, ହେଲେ ନାଟକ ର ଅଂଶ ହେବାର ସୁଯୋଗ ବହୁତ କମ୍ ମିଳିଥାଏ। ଆଇନଷ୍ଟାଇନ ଆମକୁ ଦର୍ଶକ ଅପେକ୍ଷା ବେଶୀ ଭାଗୀଦାର ହେବାର ସୁଯୋଗ ସୃଷ୍ଟି କରିଛି।

୮. କଥା ଓ କଥକତା, ଅଭିନେତା ମାଧ୍ୟମରେ ଦର୍ଶକର ଅନ୍ତରକୁ ସମ୍ପ୍ରସାରିତ ହୁଏ। ବହୁତ୍ କମ୍ ନାଟକର ଆବେଦନ ଦର୍ଶକ ଭିତରେ ଚିରସ୍ଥାୟୀ ହୋଇ ରହେ। ଆପଣ ଆଇନଷ୍ଟାଇନ ଦେଖିଲା ପରେ ଅନେକ ଦିନ ଯାଏ ଆଛନ୍ନ ହେବାକୁ ବାଧ୍ୟ।

୯. ନାଟକରେ ଏମିତି କିଛି ସଂଳାପ ରହିଛି ଯାହା ଅନ୍ତରାତ୍ମାକୁ କେତେ ବେଳେ ଆହତ, କେତେବେଳେ ପରିତୃପ୍ତ କରିଚାଲିଥିବ। ଯେମିତି- “ ପଦାର୍ଥ ବିଜ୍ଞାନ ତୁଳନାରେ ରାଜନୀତି ଅଧିକ ଜଟିଳ”, “ସଂଗୀତ ବିଜ୍ଞାନ ର ଜଟିଳତା କୁ ସରଳ କରିଦିଏ”, “ଈଶ୍ଵର କେବେ ଜୁଆ ଖେଳନ୍ତି ନାହିଁ “ , ଓ ଆହୁରି ଅନେକ।

ଆଇନଷ୍ଟାଇନ କହିଥିବା କଥା ଆମଲାଗି ଗୋଟେ ନୁଆ ସମୟର ସମ୍ଭାବନାକୁ ଉନ୍ମୋଚିତ କରେ।

୧୦. ସବୁ ସଫଳ ନାଟକ ଫର୍ଚା ଆଲୁଅରେ ସମ୍ଭବ ହୁଏ ନାହିଁ। ଛାଇ ଓ ଆଲୁଅର ଖେଳ ଭିତରେ ଅଭିନୟ ଅଧିକ ପ୍ରାଣବନ୍ତ ହୁଏ। ଆଇନଷ୍ଟାଇନ ନାଟକରେ ନସିରଂକ ଅଭିନୟ ସହିତ ତାଳ ଦେଇ ଛାଇ ଓ ଆଲୁଅର ଚମତ୍କାର ସମ୍ପାତ ଦର୍ଶକ ଭିତରେ ଏମିତି ଏକ ଭାବ ବଳୟ ରଚନା କରେ, ଯେଉଁ ବଳୟରୁ ଦର୍ଶକର ତାର ମୁକ୍ତି ନାହିଁ।

 

ଓଡିଶା ଡଟ କମ

2 Comments

  • ଏକକ ନାଟକ ହେଉ, ବା ଅଭିନୟର ଅନ୍ୟାନ୍ୟ ମାଧ୍ୟମ ହେଉ, ନାସିର ଦର୍ଶକ ମନରେ ଗଭିର ପ୍ରଭାବ ଛାଡି଼ବାରେ ସବୁବେଳେ ସଫଳ ହୁଅନ୍ତି।

Leave a Reply

This site uses Akismet to reduce spam. Learn how your comment data is processed.