ଓଡିଶା ନ୍ୟୁଜ/ Odisha News
ମାନବାଧିକାରସ୍ୱାସ୍ଥ୍ୟ

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

କେଦାର ମିଶ୍ର

ହଠାତ୍ ଓଡିଶାର ଗଣମାଧ୍ୟମ ଓ ସାମାଜିକ ଜୀବନରେ ଚର୍ଚା ର କେନ୍ଦ୍ରକୁ ଆସିଚି ଏକ ଗାଁ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ର ନଗଡା ଗାଁ। ଏହା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କନ୍ଧମାଳ କି କୋରାପୁଟ୍ ନୁହଁ, ଯଦିଓ ଏହି ଗାଁ ରେ ଜୁଆଂଗ ଆଦିବାସୀ ବସବାସ କରନ୍ତି ।

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ଶିଳ୍ପ ନଗରୀ କଳିଙ୍ଗ ନଗରଠାରୁ ମାତ୍ର ପଚାଶ କିଲୋମିଟର ଦୂର ଏହି ଗାଁକୁ  ରାସ୍ତା ନାହିଁ। ପାହାଡ ଚଢି ଏହି ଗାଁ ରେ ପହଂଚିବାକୁ ପଡେ।  ସୁକିନ୍ଦା ବ୍ଲକ୍ ର କୁହିକା ଠାରୁ ନଗଡା ଯିବାକୁ ପାଦ ଚଲା ବାଟରେ ଦୁଇ ଘଣ୍ଟା ସମୟ ଲାଗେ ।

ଏହି ଦୁର୍ଗମ ପଥ ଦେଇ ଗାଁ ରେ ପହଂଚିବା ଆଦୌ ସମ୍ଭବ ନୁହଁ । ଏକଥା ଆମେ କହୁନୁ,  ଓଡିଶା ସରକାରଂକ ସ୍ବାସ୍ଥ୍ୟ ସଚିବ ଆରତି ଆହୁଜା ଗତ ୧୩ ଜୁଲାଇ ରେ ଯେଉଁ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି ସେଥିରୁ ଏହି ତଥ୍ୟ ମିଳୁଛି।

malnutrition

ନଗଡା ଗାଁ ର ଏହି ଦାରୁଣ ସମସ୍ୟାକୁ ନେଇ ଏକ ରିପୋର୍ଟ୍ –

୧. ଉପର, ତଳ ଓ ମଝି ନଗଡା ଗାଁ ରେ ମୋଟ୍ ୩୮ ଟି ପରିବାରର ୨୯୫ ଜଣ ଲୋକ ରୁହନ୍ତି । ଏହା ସହିତ ଗୁହିଆଶାଳ ଗାଁ ରେ ୨୬ ଟି ପରିବାରର ୨୪୮ ଜଣ ବାସିନ୍ଦା ଅଛନ୍ତି।ଏମାନଂକ ଗାଁ କୁ ରାସ୍ତା, ପାଣି, ବିଜୁଳି, ରାସନ ଇତ୍ୟାଦିର କୌଣସି ବ୍ୟବସ୍ଥା ନାହିଁ ।

ପ୍ରାୟ ୮-୧୦ କିଲୋମିଟର ଚାଲି ଚାଲି ଆସିଲେ ଯାଇ ଏମାନେ ଖାଦ୍ୟ କିଣି ପାରିବେ  । ତେଣୁ ପିଲାଂକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।ଗତ ଜୁନ୍ ମାସରେ ମୃତ୍ୟୁବରଣ କରିଥିବା ୬ ଜଣ ଶିଶୁ ଅପପୁଷ୍ଟି କାରଣରୁ ହିଁ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତରୀ ରିପୋର୍ଟ୍ କହୁଛି ।

୨. ନଗଡା ଗାଁ ରେ ୧୨୨ ଜଣ ଶିଶୁ ଅଛନ୍ତି ଯେଉଁମାନେ କି କେବଳ ଖାଇବାକୁ ଭାତ ଓ ଲୁଣ ଖାଇବାକୁ ପଆନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଖୋଲାଖୋଲି ସ୍ଵୀକାର କରିଛନ୍ତି ।

୩. ଜାନୁଆରୀ ରୁ ଜୁନ୍ ମାସ ମଧ୍ୟରେ ୨୨  ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଟାଟା ସ୍ଵାସ୍ଥ୍ୟ କେନ୍ଦ୍ରର ରିପୋର୍ଟ୍ ଆଧାରରେ ଏଠିକାର ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ସଂଖ୍ୟା ୧୨ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।

୪. ନଗଡା କୁ ମିଶେଇ ଆଉ ଚାରି ପାଂଚଟି ଗାଁ ପାଇଁ ଜଣେ ଆଶା କର୍ମୀ ଯିଏ କି ନଗଡାଠୁ ପ୍ରାୟ ୧୨ କିଲୋମିଟର୍ ଦୂର ଦେଓ ଗାଁ ରେ ରୁହନ୍ତି।ଜଣେ ଅଙ୍ଗନବାଡି  ଓ ସ୍ଵାସ୍ଥ୍ୟ ସହାୟିକା ନିଯୁକ୍ତି ପାଇଥିଲେ ହେଁ ସେମାନେ ପ୍ରାୟ ୧୦-୧୨ କିଲୋମିଟର୍ ଦୂରରେ ରୁହନ୍ତି।

୫. ଗାଁ ରେ ଲୋକଂକ ଜୀବିକା ହେଉଛି ପୋଡୁ ଚାଷ  ଓ ଛେଳି ଚାଷ । ପିଇବା  ପାଣିର କୌଣସି ସୁବିଧା ନାହିଁ।ପାହାଡ ଉପରକୁ ରାସ୍ତା ତିଆରି କରିବାକୁ ସରକାରୀ ଅଧିକାରୀ ମାନେ ଆଗ୍ରହୀ ନୁହନ୍ତି ।

୬. ପାହାଡ ଛାଡ଼ି ଆଦିବାସୀ ମାନେ ତଳକୁ ଆସନ୍ତୁ ବୋଲି ମନ୍ତ୍ରୀ ଉଷା ଦେବୀ ଓ ସ୍ଥାନୀୟ ବିଧାୟକ ପ୍ରୀତିଶ ଚନ୍ଦ୍ର ଘଡାଇ ଅଦ୍ଭୁତ ଯୁକ୍ତି ଦର୍ଶାଇଛନ୍ତି ।ବିକାଶ ଲାଗି ଉଦବାସ୍ତୁ ହେବାପରି ଅମାନବୀୟ ଓ ମୁର୍ଖତାପୂର୍ଣ ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହଁ ବୋଲି ମାନବ ଅଧିକାର ସଂଗଠନ ଓ ବିରୋଧୀ ଦଳ ଗୁଡିକ କହିଛନ୍ତି  ।

୭. ନଗଡା ଗାଁ ର ଏହି ଦୁର୍ଦ୍ଦିନ ସହିତ ଓଡିଶାର ବିକାଶ ତଥା ଅଭିବୃଦ୍ଧି କୁ କେମିତି ବିଶ୍ଲେଷଣ କରାଯିବ?ରାଜନୀତିରେ ସୁକିନ୍ଦା ର ପ୍ରଭାବଶାଳୀ ନେତୃତ୍ଵ ରହିଆସିଛି ।

ସୁକିନ୍ଦା ର ବିଧାୟକ ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା।ପୂର୍ବତନ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏହି ଅଂଚଳକୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ  କରି ଆସୁଥିଲେ। ଏଠାରେ ଟାଟା କମ୍ପାନୀ ବର୍ଷ ବର୍ଷ ଧରି ଖଣି ପକେଇ ବସିଛି। ତଥାପି ନଗଡା ର ଏହି ଅବସ୍ଥା କାହିଁକି ? ଏହାର  ଉତ୍ତର କିଏ ଦେବ ?

୮. ସ୍ଵାସ୍ଥ୍ୟ ସଚିବ ଆରତି ଆହୁଜାଂକ ଚାରି ପୃଷ୍ଠା ର  ଛୋଟିଆ ରିପୋର୍ଟ୍ ଟି ଗୋଟେ ବଡ ସମସ୍ୟା ବିଷୟରେ ଆମକୁ ଚିନ୍ତିତ କରାଇ ଦେଉଛି । ଯେଉଁ ମାନଂକ ସମ୍ପତ୍ତି କୁ ଖଣିରୁ ଖୋଳି ଆମେ ବିକାଶର ଇମାରତ ଗଢିଲୁ, ସେମାନଂକୁ ଆମେ ଦେଇଛୁ କଣ?

୯. ଓଡିଶା ସରକାର ଜଣ ମଂଗଳ ଯୋଜନା ମାଧ୍ୟମରେ ବାରମ୍ବାର ଲୋକଂକ ଆସ୍ଥା ଭାଜନ ହେଉଛନ୍ତି ବୋଲି କୁହା ଯାଉଛି।ଜନନୀ ସୁରକ୍ଷା ଯୋଜନା ଠୁଁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥାତ୍ ପିଲା ଜନ୍ମ ଠୁ ମୃତ୍ୟୁ ପର୍ଯନ୍ତ ସବୁ କ୍ଷେତ୍ରରେ ଲୋକଂକୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ବୋଲି ରାଜ୍ୟ ବିଜେଡି ସରକାର ବାହାବା ନେଉଛନ୍ତି ।ନଗଡା ଅପପୃଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ରାଜ୍ୟ ସରକାରଂକ କଲ୍ୟାଣକାରୀ ଯୋଜନା ଗୁଡିକର ବିଫଳତା କୁ ପଦାରେ ପକାଇଦେଇଛି ।

୧୦. ରାଜ୍ୟ ସରକାରଂକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ମହିଳା ଓ ଶିଶୁଂକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ତଥା ପୁଷ୍ଟି ଜନିତ ସଚେତନତା ସୃଷ୍ଟି ପାଇଁ ମମତା ଯୋଜନା, ପୁଷ୍ଟି ସହାୟତା ଓ ସଚେତନତା ଯୋଜନା, ଟୀକା କରଣ, ସ୍ବାସ୍ଥ୍ୟ ପରୀକ୍ଷା ସମେତ କନ୍ୟା ସନ୍ତାନ ପାଇଁ ଆହୁରି ଅନେକ ଯୋଜନା ର ଘୋଷଣା କରାଯାଇଛି ।ତେବେ ଘୋଷଣା ସହିତ କାର୍ଯ୍ୟକାରିତାର କୌଣସି ସମ୍ପର୍କ ଯେ ନାହିଁ, ଏହା ନଗଡା ରୁ ପ୍ରମାଣିତ ହେଉଛି ।

୧୧. ପ୍ରତି ମାସର ୧୫ ତାରିଖକୁ ରାଜ୍ୟ ସରକାର ପୁଷ୍ଟିକର ଦିବସ ଭାବରେ ପାଳନ କରି ଆସୁଛନ୍ତି।ଏହ ଦିନ ପ୍ରତି ଜିଲ୍ଲା, ବ୍ଲକ୍, ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ମାନକ ଅନୁଯାୟୀ ପ୍ରତି  ଶିଶୁର ପୁଷ୍ଟି ପରୀକ୍ଷା ହେବା କଥା।ନଗଡା ସମେତ ରାଜ୍ୟର ଆଦିବାସୀ ବହୁଳ ଗାଁ ଗୁଡିକରେ ଏହା ବିଲକୁଲ୍ କାର୍ଯ୍ୟ କରୁନାହିଁ।

ଓଡିଶା ଡଟ କମ

 

 

Leave a Reply

This site uses Akismet to reduce spam. Learn how your comment data is processed.