ମନୋରଞ୍ଜନ

ସପନର ପଥେ ପଥେ ; ଓଡିଆ ଗୀତର ଅନନ୍ୟ ଗାୟକ ସିକନ୍ଦର ଆଲାମ୍

sikandar

କେଦାର ମିଶ୍ର

୨୨ ମାର୍ଚ୍ଚ, ୧୯୬୨ ମସିହା, କଟକର କ୍ୟାପିଟାଲ୍ ସିନେମା ରେ ରିଲିଜ୍ ହୁଏ ସିନେମା “ଲକ୍ଷ୍ମୀ” । ବାଳକୃଷ୍ଣ ଦାଶଂକ ସଂଗୀତ ନିର୍ଦ୍ଦେଶନା ରେ ସେଥିରେ ଥିଲା ଜଣେ ନୂଆ ଓ ତରୁଣ ଗାୟକଂକର ଦୁଇଟି ଗୀତ ।

“ ଆରତ ସୁରେ ବାରେ କରେ ମିନତିରେ, ଚକା ନୟନ ଚାହାଁ ମାଗେ ମାଗୁଣୀ ରେ….” ଜଣେ ଅନ୍ଧ ଭିକାରୀ କଣ୍ଠରେ ଦରଦ ଭରା ଏକ ପ୍ରାର୍ଥନା ଓ ଆରଟି “ବାରିଦରେ ଯା’ ନା ତୁ… “ ଏକ ରୋମାଣ୍ଟିକ ଭାବର ଗୀତ ।

ସେ ଗୀତ ଦୁଇଟି ଓଡିଶାର ଅଗଣିତ ଶ୍ରୋତା ଓ ଦର୍ଶକଂକୁ ସେତେବେଳେ ପାଗଳ କରିଥିଲା।

ସେହି ଗୀତ ଦୁଇଟି ସହ ଓଡିଆ ସଂଗୀତ ଆକାଶରେ ଏକ ତାରକାର ଉଦୟ ହୋଇଥିଲା, ଯାହାର ବିଲୟ ଆଉ ହୋଇନାହିଁ।ନିଜ କଂଠର ମାଦକତା ଓ ମଧୁରତା ରେ ପଚାଶ ବର୍ଷ ଧରି ଓଡିଆ ଦର୍ଶକଂକ ମନକୁ ବାନ୍ଧିରଖିଥିବା ଏହି ଗାୟକ ଥିଲେ ମହମ୍ମଦ ସିକନ୍ଦର ଆଲାମ୍ ।

ପଚାଶ ବର୍ଷଧରି ଆକାଶବାଣୀ, ଓଡିଆ ସିନେମା, ଦୂରଦର୍ଶନ ଓ ସଂଗୀତ ଆସରରେ ଓଡିଆ ଶ୍ରୋତା ସିକନ୍ଦର ଆଲାମଂକୁ ଶୁଣିଛନ୍ତି ଓ ତାଂକ ହୃଦୟରେ ସେ ସ୍ଵରକୁ ଅମର କରିଛନ୍ତି ।

ଶହ ଶହ ଗୀତ ସେ ଗାଇଛନ୍ତି, ସବୁ ଗୀତରେ ଜୀବନକୁ ଓ ଓଡିଶାର ସଂସ୍କୃତିକୁ ପ୍ରାଣବନ୍ତ କରିଥିବା ଏହି କାଳଜୟୀ ଶିଳ୍ପୀ ଓ ସାଧକଂକ ଜୀବନକୁ ନେଇ କେତୋଟି କଥା-

sikandar2୧. ସିକନ୍ଦର ଆଲାମଂକ ଜନ୍ମ ୨୭, ଜୁଲାଇ, ୧୯୩୯ ଓ ସେ ଆମଠୁ ଚିରଦିନ ବିଦାୟ ନିଅନ୍ତି ୮ ,ଅଗଷ୍ଟ,୨୦୧୦ ରେ । ମାତ୍ର ୭୧ ବର୍ଷର ଜୀବନକାଳରେ ଓଡିଆ ଗୀତି ଜଗତରେ ଗୋଟେ ଯୁଗର ନିର୍ମାଣ କରିଥିବା ସିକନ୍ଦର ଆଲାମ କଟକ ଜିଲାର ରାଉତରା ପୁର ଗାଁ ରେ ଜନ୍ମ ଗ୍ରହଣ କରିଥିଲେ।

ବାପା ଥିଲେ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ।

୨. ସଂଗୀତ ପ୍ରତି ତାଂକର ଆକର୍ଷଣ ଓ ମିଠା ଗଳାର ଯାଦୁକରୀ ତାଂକୁ ଅତି ଅଳ୍ପ ବୟସରୁ ଲୋକପ୍ରିୟ ହେବାର ସୁଯୋଗ ଦେଇଥିଲା। ପିଲା ଦିନୁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତରେ ତାଲିମ୍ ନେବା ପରେ ପଚାଶ ଦଶକରେ କଟକ ଆକାଶବାଣୀର ଜଣେ କଣ୍ଠଶିଳ୍ପୀ ଭାବରେ ସେ ସୁଯୋଗ ପାଆନ୍ତି।

୩. ପଚାଶ ଦଶକର ଆକାଶବାଣୀ, କଟକ ଥିଲା ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର।ତତ୍କାଳୀନ ନିର୍ଦ୍ଦେଶକ ପି.ଭି.କୃଷ୍ଣମୂର୍ତୀ ଓଡିଶାର ପ୍ରତିଭାଦୀପ୍ତ କଳାକାରମାନଂକୁ ଖୋଜି ଖୋଜି ଆକାଶବାଣୀରେ ସୁଯୋଗ ଦେଉଥିଲେ।ତାଂକରି ପ୍ରେରଣାରେ ଅକ୍ଷୟ ମହାନ୍ତି, ପ୍ରଣବ ପଟନାୟକ ଓ ସିକନ୍ଦର ଆଲାମ।

ଓଡିଆ ସୁଗମ ସଂଗୀତର ସ୍ଵର୍ଣ ତ୍ରୀଭୁଜ ଭାବରେ ଜଣ ମାନସରେ ପ୍ରତିଷ୍ଠା ହାସଲ କରିଥିଲେ ।

୪. ୧୯୬୨ ରେ ଲକ୍ଷ୍ମୀ ସିନେମାରେ ପ୍ରଛଦଶିଳ୍ପୀ ଭାବରେ ତାଂକୁ ଗୀତ ଗାଇବାର ସୁଯୋଗ ଦିଅନ୍ତି ଗୌର ଘୋଷ୍ ଓ ଶାରଦା ପ୍ରସନ୍ନ ନାୟକ। ବାଳକୃଷ୍ଣ ଦାଶଂକ ମଧୁର ସଂଗୀତ ସଂଯୋଜନାରେ “ଆରତ ସୁରେ ବାରେ …ଓ “ବାରିଦରେ ଯା’ ନା ତୁ..” ସେତେବେଳେ ତରୁଣ ସିକନ୍ଦର୍ଂକୁ ତାରକା ଗାୟକର ମାନ୍ୟତା ଦେଇଥିଲା ।

୫.ସିକନ୍ଦର ଆଲାମ ୫୦ ରୁ ଅଧିକ ସିନେମା ରେ କଣ୍ଠ ଦାନ କରିଛନ୍ତି । ଯେଉଁ ଗୀତ ଗାଇଛନ୍ତି ସେ ଗୀତ ଆପେ ଆପେ ପ୍ରସିଦ୍ଧ ହୋଇ ଯାଇଛି ।ତାର ଏକ ମାତ୍ର କାରଣ ହେଉଛି ତାଂକ ଗଳାର ଯାଦୁକରୀ ମାଧୁର୍ଯ୍ୟ ।ତାଂକ ଗଳା ଟି ଯେତିକି ମିଠା, ତାଂକ ଉଛାରଣ ସେତିକି ସ୍ପଷ୍ଟ ।ଓଡିଆ ଶବ୍ଦର ଉଛାରଣରେ ତାଂକର ଏକ ସ୍ଵତନ୍ତ୍ର ଭାବ ରହିଥିଲା ।

୬. ସାଗରେ ଅଧୀର ନୀଳ ତରଂଗ …, ସପନର ପଥେ ପଥେ….କୁହନା ଆହା କୁହନା.. ପରି ଅନେକ କାଳଜୟୀ ଗୀତ ତାଂକ କଣ୍ଠରେ ଶ୍ରୋତାଂକୁ ଆଜି ବି ମୁଗ୍ଧ କରେ। ମୂଳତଃ ସେ ରୋମାଣ୍ଟିକ୍ ଭାବର ଶିଳ୍ପୀ । ପ୍ରେମ, ଜୀବନ ଓ ପ୍ରକୃତିକୁ ମୁର୍ଛନା ଦେବାରେ ତାଂକର ସାର୍ଥକତା ।

୭. ତେବେ ସବୁ ସଫଳତା ର ଉପରେ ତାଂକର ସାମାଜିକ ଅବଦାନ ତାଂକୁ ଅମର କରି ରଖିବ । ତାଂକ କଣ୍ଠରେ ଓଡିଆ ଭଜନର ଯିଏ ଶୁଣିନି, ସେ ଜଗନ୍ନାଥଂକୁ ଦର୍ଶନ କରିନି । ଅପୂର୍ବ ଭାବ ତନ୍ମୟତାର ଶିଳ୍ପୀ ସେ।

ପତିତପାବନ ବାନା ଆଉ କେତେ ବେଳକୁ ….ହେଉ ଅଥବା ବୃନ୍ଦାବନେ ବଂଶୀ କେ ବଜାଇଲା….ଗୋ ରାଧେ ବଂଶୀ ଦିଅ ମୋର ଦିଅ….କି ଅନ୍ଧ କରି ମୋତେ କରିଲୁ ରେ ଧନ୍ୟ…..ସବୁ ଭଜନରେ ସେ ଭାବର ଅମୃତ ଢାଳି ଦେଇଛନ୍ତି ।

୮. କହିବାରେ ହୁଏତ ସେ ଜାତିରେ ଯବନ (ତାଂକ ପ୍ରିୟ କବି ସାଲବେଗଂକ ଭାଷାରେ ) । ମୁସଲମାନ ପରିବାରରେ ଜନ୍ମ ନେଇ ଈଶ୍ଵର ଓ ଆଲ୍ଲା ତାଂକ ଲାଗି ଏକାକାର।

ସେ ସାଲବେଗ ପରମ୍ପରାର ସୁଯୋଗ୍ୟ ଦାୟାଦ । ଜୀବନର ଅନ୍ତିମ କ୍ଷଣ ଯାଏଁ ସେ ଥିଲେ ଗୋଟାପଣେ ଓଡିଆ ।ସଂହତି ଓ ସମନ୍ଵୟର ସେ ଥିଲେ ସାର୍ଥକ ଯୋଗସୂତ୍ର ।

୯. ଜୀବନ କାଳରେ ତାଂକୁ ଓଡିଆ ସିନେମାର ସର୍ବୋଚ୍ଛ ସମ୍ମାନ କି ସଂଗୀତର ବଡ ପୁରଷ୍କାର ଦିଆଗଲା ନାହିଁ ।ହେଲେ ସବୁ ପୁରଷ୍କାର ଠୁଁ ବଡ ସେ ଓଡିଆ ଶ୍ରୋତାଂକ ମନର ସିକନ୍ଦର ।

୧୦. ୮. ଅଗଷ୍ଟ ୨୦୧୦ ରେ ଏହି ମହାନ ଶିଳ୍ପୀ ଆଖି ବୁଜିଦେଲେ।ତାଂକ ଅମ୍ଲାନ ସ୍ମୃତି ଓ ସଂଗୀତ କିନ୍ତୁ ଏବେ ବି ସାଗରେ ଅଧୀର ନୀଳ ତରଂଗ ଅବା ସପନର ପଥେ ପଥେ ଚାଲୁଥିବା ସ୍ମୃତି ଟିଏ ପରି ।

ଓଡିଶା ଡଟ କମ

Leave a Reply

This site uses Akismet to reduce spam. Learn how your comment data is processed.