ପରିବେଶ

ପୋଖରୀ ସଂସ୍କୃତି ବଞ୍ଚାଇ ରଖିବାର ଆବଶ୍ୟକତା

IMG_0384
ପଞ୍ଚାନନ କାନୁନଗୋ

ଜଳାଶୟ ମୁଖ୍ୟତଃ ଦୁଇ ଶ୍ରେଣୀର। ଗୋଟିଏ ବର୍ଗର ଜଳାଶୟ ପ୍ରକୃତି ସୃଷ୍ଠ ଓ ଅନ୍ୟଟି ମନୁଷ୍ୟ କୃତ। ଜଳାଶୟ ବିଭିନ୍ନ ଭାବରେ ଜନ ପଦରେ ପରିଚିତ। ଯଥା- ସାଗର, କଟା, ବନ୍ଧ, ପୋଖରୀ, ଗାଡ଼ିଆ।

ଓଡ଼ିଶାରେ ପ୍ରକୃତି ଓ ଆକୃତିକୁ ନେଇ ଏହାର ନାମ ରହିଛି। ସାଗରଗୁଡ଼ିକ ମୁଖ୍ୟତଃ ବୃହତକାୟ ଜଳାଶୟ, ଯେଉଁଠି ଜଳରାଶି ଠୁଳ ହୁଏ। ପ୍ରବାହିତ ଜଳରାଶିକୁ ବନ୍ଧବାନ୍ଧି ରଖାଗଲେ ତାକୁ ବନ୍ଧ କୁହାଯାଏ।  ବୋହି ଆସିଥିବା ଜଳରାଶିକୁ ନିର୍ଦ୍ଦିଷ୍ଟ ଧାରାରୁ କାଟି ଆଣି ଅଟକାଇବାକୁ କଟା କୁହାଯାଇଥାଏ। ଛୋଟ ଛୋଟ ଜଳାଶୟକୁ ଗାଡ଼ିଆ, ପୋଖରୀ, କୁହାଯାଇଥାଏ।

42
ପଞ୍ଚାନନ କାନୁନଗୋ

ବିଭିନ୍ନ ବର୍ଗର ଜଳାଶୟ ନିର୍ମାଣ କରିବା ଏକ ସାଂସ୍କୃତିକ ଧାରା କହିଲେ ଅତୁ୍ୟକ୍ତି ହେବନାହିଁ। ରାଜା, ମହାରାଜା, ଜମିଦାର ଶାସନ ସମୟରେ ଆର୍ଥିକ ବିକାଶ, ସାମାଜିକ ଆବଶ୍ୟକତା ତଥା ସାଂସ୍କୃତିକ ଚେତନା ଆଧାରରେ ଜଳାଶୟ ନିର୍ମାଣ ହେଉଥିଲା।

ସାଂସ୍କୃତିକ ଓ ଆଧ୍ୟାତ୍ମିକ ଆଧାରରେ ଖୋଳା ଯାଇଥିବା ପୁଷ୍କରିଣୀଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଲିଂଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗର। ଜଗନ୍ନାଥ ଧାମ ପୁରୀରେ ମଧୁର ଜଳଭଣ୍ଡାର ଭାବେ ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେଶ୍ୱର, ନରେନ୍ଦ୍ର ପୋଖରୀ ଆଦି ଆଧ୍ୟାତ୍ମିକ ଭାବଧାରାରେ ଯୋଡ଼ା ହୋଇ ରହିଛି।

ଏହିସବୁ ପୁଷ୍କରିଣୀରେ ସ୍ନାନକଲେ ବା ବୁଡ଼ ପକାଇଲେ ପାତକନାଶିନୀ ଗଙ୍ଗାରେ ସ୍ନାନ କରିବାର ସୁଫଳ ମିଳିବାର ବିଶ୍ୱାସ ଅଛି। ଏହିସବୁ ପୁଷ୍କରିଣୀ ମନ୍ଦିର ନିର୍ମାଣ ସହିତ ଖନନ ହୋଇଥିଲା।

ଅନ୍ୟଏକ ଶ୍ରେଣୀର ପୋଖରୀ ରାଜା ମହାରାଜାମାନେ ଆବଶ୍ୟକତାକୁ ଲକ୍ଷ୍ୟକରି ଖନନ କରିଥିଲେ। ଜଗନ୍ନାଥ ସଡ଼କର ଦୁଇଧାରରେ ଅନେକ ପୁଷ୍କରିଣୀ ଖୋଳା ଯାଇଥିଲା। ତୀର୍ଥ ଯାତ୍ରୀଙ୍କ ରହଣି ସ୍ଥଳରେ ସ୍ନାନ ସୌଚାଦି ନିମନ୍ତେ ଆବଶ୍ୟକତା ଉପଲ୍ବଧି କରି ଏହି କାର୍ଯ୍ୟ ହୋଇଥିଲା।

ସେହିପରି ଅନେକ ଯାତ୍ରୀମାନଙ୍କର ତଥା ସୈନ୍ୟମାନଙ୍କ ସୁବିଧାପାଇଁ ରାଜରାସ୍ତାର ଦୁଇ ପାଶ୍ୱର୍ରେ ଜଳାଶୟ ମାନ ଖୋଳା ଯାଇଥିଲା। ମନ୍ଦିରର ବା ରାସ୍ତାର ଭଗ୍ନାବଶେଷ ପରି ପୋଖରୀଗୁଡ଼ିକ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଏବେବି ଦେଖିବାକୁ ମିଳେ।

ବିଶେଷଭାବେ ଲୋକଙ୍କୁ କାମ ଯୋଗାଇବା ପାଇଁ ଅନେକ ପୁଷ୍କରିଣୀ ଓ ଜଳଭଣ୍ଡାରମାନ ଖୋଳା ଯାଇଥିଲା ବା ପୂର୍ବ ପୋଖରୀ ଗୁଡ଼ିକର ପୁନଃଉଦ୍ଧାର କରାଯାଇଥିଲା। ଜନହିତୈଷୀ ରାଜା, ମହାରାଜା ଜମିଦାରମାନେ ଏହା କରାଇଥିଲେ। ଗଡ଼ଜାତ ଅଞ୍ଚଳରେ ଏ ସବୁ ପୋଖରୀ ବହୁସଂଖ୍ୟାରେ ଅଛି।

କେଶରୀ ବଂଶୀ ଓ ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ରାଜାମାନେ ଅନେକ ବ୍ରାହ୍ମଣ ପରିବାର ଆଣି ଶାସନମାନ ବସାଇଥିଲେ ପରବର୍ତ୍ତୀ ସମୟରେ ରାଜ୍ୟରେ ଥିବା ରାଜା ଜମିଦାରମାନେ ନିଜ ନିଜ ଅଞ୍ଚଳରେ ଶାସନମାନ ପ୍ରତିଷ୍ଠା କଲେ।

ଶାସନଗଠନ ପ୍ରଣାଳିର ମୁଖ୍ୟ ଦିଗଟି ଥିଲା ଶାସନପାଶ୍ୱର୍ରେ ଗୋଟିଏ ଗୋଟିଏ ବଡ଼ ପୋଖରୀର ବ୍ୟବସ୍ଥା କରାଇବା। ଜଳାଶୟର ଏହି ପରମ୍ପରା ସଂସ୍କୃତି ସହିତ ଯୋଡ଼ି ହୋଇଥିଲା ରାଜାମହାରାଜାଙ୍କର ଓ ସ୍ୱାଧିନତା ପରବର୍ତ୍ତୀ ସରକାର ସମୟରେ ଚାଷକୁ ଜଳଯୋଗାଇବା ନିମନ୍ତେ ବଡ଼ ବଡ଼ ଜଳଭଣ୍ଡାର ନିର୍ମାଣ କରିବା।

ଐତିହାସିକ ତଥ୍ୟ କୁହେ ଯେ ଚେଦିବଂଶ ରାଜୁତିକାଳରେ ତୋଷାଳି ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଜଳ ଯୋଗାଣ ପାଇଁ ଗୋଟିଏ ନଦୀ ବା କେନାଲ ଖୋଳା ଯାଇଥିଲା। ଅନେକ ଜାଗାରେ ଗଙ୍ଗବଂଶୀଙ୍କ ନାମରେ ଗଙ୍ଗସାଗର, ଗଙ୍ଗ ପୋଖରୀ ଆଦି ଆଜିବି ଜଳସେଚନ ପାଇଁ ରାଜା ମହାରାଜାଙ୍କ ଅମଳରୁ ଖୋଳାଯାଇଥିବା ଦେଖିବାକୁ ମିଳେ।

ଚୌଦ୍ୱାର ଓ ବାରଙ୍ଗ ନିକଟରେ ଏହାର ପ୍ରମାଣ ରହିଛି। ଅସଂଖ୍ୟ ସାଗର, କଟାବନ୍ଧ ଆଦି ଜଳାଶୟ ସମଗ୍ର ରାଜ୍ୟରେ ବିଛାଡ଼ି ହେଇ ପଡ଼ିଛି। କୋଡ଼ିଏ ଏକରରୁ ଊଦ୍ଧ୍ୱର୍ ପରିମିତ ଜଳ ଧାରଣ କରୁଥିବା ଜଳାଶୟ ସଂଖ୍ୟାର ତାଲିକା ଏଥିସହିତ ପ୍ରଦତ୍ତ ହୋଇଛି। ସେଥିମଧ୍ୟରୁ –

୧୦୦ ଏକରୁ ଊଦ୍ଧ୍ୱର୍ ଜଳଧାରଣା କ୍ଷମତା ଥିବା ସାଗର ବା ପୋଖରୀଗୁଡ଼ିକ ଏଥିସହିତ ନିମ୍ନରେ ରଖାଗଲା ଏବଂ ଏଥିରୁ ସରକାରୀ ହିସାବରେ ଜଳଯୋଗାଣ ହେଉଥିବା ଚାଷ ଜମିର ପରିମାଣ ମଧ୍ୟ ଅଛି।

୧. ସମ୍ବଲପୁର – ବାଂକସାଳ – ୯୭୭୯ ଏକର ଜଳସେଚନ

୨. ଗଜପତି – କୃଷ୍ଣ ସାଗର – ୨୨୪୬.୦୦ ହେକ୍ଟର
ରାମ ସାଗର – ୩୦୬.୦୦ ହେକ୍ଟର
ସୀତା ସାଗର – ୨୫୨.୦୦ ହେକ୍ଟର
ଗଜପତି ସାଗର – ୩୧୧.୦୦ ହେକ୍ଟର

୩. ସୁନ୍ଦରଗଡ଼ ଜିଲ୍ଲାର- ୬ଟି ବଡ଼ ବନ୍ଧ – ୨୬୪୮.୦୦ ହେକ୍ଟର

୪. ଗଞ୍ଜାମ ଜିଲ୍ଲା – ୩୦୦ଗୋଟି – ୨୪୦୯୪.୧୬ ହେକ୍ଟର

୫. ଢେଙ୍କାନାଳ- ୮ ଗୋଟି – ୫୦୨୭.୦୦ ହେକ୍ଟର
କ) ଡମଶାଳ – (୧୨୧୫)
ଖ) ଗୁଣ୍ଡୁରାପୋଷି (୧୦୪୨)
ଗ) ଯେଡ଼ାବାଡ଼ିଆ(୬୦୨)
ଘ) ବେରୁଆାଁପାଳ (୨୪୮)
ଙ) ଧନିଆ ନାଳି (୩୬୨)
ଚ) କାଳି ଯୋଡ଼ି (୩୫୪)
ଛ) ପଣଶପାଳ (୩୨୪)
ଜ) ସରପା (୮୧୦)

୬. ବାଲେଶ୍ୱର ଜିଲ୍ଲା – ଗୋହୀରାଖାଇ – ୮୨୩.୦୦ ହେକ୍ଟର
ଘାଗରା – ୧୪୩.୦୦ ହେକ୍ଟର
ରିଷିଆ- ୧୭୮୨.୦୦ ହେକ୍ଟର
ଓଉପଦା- ୭୧୩୧.୦୦ ହେକ୍ଟର
ଓଉପଦା- ୧୪୩.୪୫.୦୦ ହେକ୍ଟର
ସିନ୍ଧୁଆ- ୧୮୮.୦୦ ହେକ୍ଟର

୭. ଭଞ୍ଜନଗର ଡିଭିଜନ (ଜଳସଂପଦ-କ୍ଷୁଦ୍ର) ଅଧିନରେ ୩୯୭ଟି ଜଳାଶୟ ଅଛି।
ଯୋଥିରୁ ୩୦୦୫୨ ହେକ୍ଟର ଜମିରେ ଜଳ ସେଚନ ହୁଏ।

୮. ପଦ୍ମପୁର ଡିଭିଜନ ଜଳସମ୍ପଦ (କ୍ଷୁଦ୍ର ଜଳସେଚନ) ଅଧିନରେ –
(କ) କୁଲିଆରୀ ଜୋର – ୧୦୨୦ହେକ୍ଟର ଜମିରେ ପାଣି ମାଡ଼େ
(ଖ) କୁମ୍ଳୋ – ୯୯୨.୪୨ ହେକ୍ଟର ଜମିରେ ପାଣି ମାଡ଼େ
(ଗ) ଉଇଲିଯୋର – ନାହିଁ
(ଘ) ପଦ୍ମପୁର ନଳା – ୧୭୦.୦୦ ହେକ୍ଟର ଜମିରେ ପାଣି ମାଡ଼େ
(ଙ) ବିଜେପୁର କଟା – ୧୨୧.୪୧ ହେକ୍ଟର ଜମିରେ ପାଣି ମାଡ଼େ
(ଚ) ତଳଖୋର – ୭୦୧.୦୦ ହେକ୍ଟର ଜମିରେ ପାଣି ମାଡ଼େ
(ଛ) ମାଲକେନ ନଳା – ୫୮୦.୦୦ ହେକ୍ଟର ଜମିରେ ପାଣି ମାଡ଼େ
(ଜ) ଖଣ୍ଡିଝରଣା – ୫୮୮.୮ (ଖରିଫ) ହେକ୍ଟର ଜମିରେ ପାଣି ମାଡ଼େ
ରବି(୨୦୫.୪)

ମାଲକାନଗିରି ରେ ୨୬ଗୋଟି ଜଳଭଣ୍ଡାର ଅଛି। ପାଖାପାଖି ୩ହଜାର ହେକ୍ଟର ଜମିରେ ଜଳସେଚନ ହୋଇଥାଏ।

ଜୟପୁର ଡିଭିଜନ ଅଧିନରେ :-
(କ) ବୈରାଗୀପଦର – ୨୦ ହେକ୍ଟର ପରିମିତ ପୋଖରୀ ୩୫.୧୫ ହେକ୍ଟର
(ଖ) ବେନାସପୁର ୨୭ ହେକ୍ଟର ପରିମିତ ପୋଖରୀ ୪୬.୯୫ ହେକ୍ଟର
(ଗ) ବୋଦି ଗାଁ ୨୫ ହେକ୍ଟର ପରିମିତ ପୋଖରୀ ୨୪.୨୮ ହେକ୍ଟର
(ଘ) ପୁରୁଣା ପାଣି ୬.୩୦ ହେକ୍ଟର ପରିମିତ ପୋଖରୀ ୩୩.୭୩ ହେକ୍ଟର
(ଙ) ରଥାଟି ୨୦ ହେକ୍ଟର ପରିମିତ ପୋଖରୀ ୪୦.୭୫ ହେକ୍ଟର
(ଚ) ସାହାନୀମୁଣ୍ଡା ୧୬.୦୦ ହେକ୍ଟର ପରିମିତ ପୋଖରୀ ୪୭.୬୭ ହେକ୍ଟର
(ଛ) ରାମଗିରି ୧୫.୦୦ ହେକ୍ଟର ପରିମିତ ପୋଖରୀ ୩୪.୨୬ ହେକ୍ଟର
(ଜ) ରଥିଗୁଣା ୨୨.୩୦ ହେକ୍ଟର ପରିମିତ ପୋଖରୀ
(ଝ) ଜଗନ୍ନାଥ ସାଗର ୬୭୬୦ ପରିମିତ ପୋଖରୀ ୪୨.୪୮
(ଟ) କୋତିଗୁମା ୧୯୫.୨୬ ହେକ୍ଟର ୭୯୪.୫୭ହେକ୍ଟର

ଏତଦବ୍ୟତୀତ ରାଜ୍ୟରେ ଅନ୍ୟୁନ ୪ ହଜାରରୁ ଊର୍ଦ୍ଧ୍ଵ ବଡ଼ ଜଳାଶୟ ଅଛି ଓ ସେଥିରୁ ୨୫୮୭୭.୫୩୪ ହେକ୍ଟର ଜଳସେଚନ ହେବା କଥା। ଓଡ଼ିଶା ସରକାରଙ୍କର ମୁଖ୍ୟଯନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ୨୭.୫.୨୦୧୬ରେ ଏହା ଦେଖିବାକୁ ମିଳିଛି।

ରାଜ୍ୟରେ ଛୋଟବଡ଼ ଟୁବ୍ ଗାଡ଼ିଆ ପୋଖରୀ ପ୍ରାୟ ପ୍ରତି ଗାଁରେ ଅଛି। ଏହି ସଂଖ୍ୟା ୪୭ ହଜାର ପାଖାପାଖି ଅଛି। ଏହାର ମୋଟ ଜଳଧାରଣ ଅଞ୍ଚଳ ୧.୧୬ ଲକ୍ଷ ହେକ୍ଟର ବୋଲି ସରକାରୀ ଭାବେ କୁହାଯାଇଛି।

ଏହି ସମସ୍ତ ଟୁବ, ଗାଡ଼ିଆ, ପୋଖରୀ ସାଧାରଣ ସଂପତ୍ତିଭାବେ ପରିଗଣିତ ହୁଏ। ଏଗୁଡ଼ିକ ରାଜ୍ୟ ସରକାରଙ୍କର ତିନିଗୋଟି ବିଭାଗ ଯଥା ପଂଚାୟତିରାଜ। ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ଅଧିନରେ ଅଛି।

ଏଗୁଡ଼ିକରୁ ଚାଷଜମିକୁ ଜଳସେଚନ ପ୍ରାୟତଃ ହୋଇ ନଥାଏ କେବଳ ମାଛ ଚାଷରେ ଓ ସାଧାରଣ ବ୍ୟବହାରରେ ଲାଗିଥାଏ।

ପୋଖରୀ ବା ଜଳାଶୟ ସଂସ୍କୃତିକୁ ବଞ୍ଚାଇ ରଖି ସେଥିରେ ମତ୍ସ୍ୟଚାଷ ସହିତ ଜନସାଧାରଣ, ପଶୁପକ୍ଷୀଙ୍କର ଆବଶ୍ୟକତା ନିମନ୍ତେ ବିନିଯୋଗ ହୋଇପାରିବ।

ଏହା ବାୟୁମଣ୍ଡଳକୁ ଆର୍ଦ୍ର ରଖିବା ସହିତ ଭୂତଳ ଜଳରାଶିର ପରିମାଣ ବୃଦ୍ଧିରେ ସହାୟକ ହେବ। ଏବଂ ଉଠା ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ।

ମାତ୍ର ରାଜ୍ୟରେ କେତେକ ଖାଲୁଆ ପାଟ ଏବଂ ଝିଲ୍ ରହିଛି। ଏହି ସମସ୍ତର ମୋଟ ଅଞ୍ଚଳ ପାଖାପାଖି ୨ଲକ୍ଷ ହେକ୍ଟର ବୋଲି ଧରାଯାଏ। ଏଗୁଡ଼ିକୁ ମାଛ ଚାଷ ସହିତ ଜଳସେଚନ ପାଇଁ ବେଳେବେଳେ ବ୍ୟବହାର କରାଯାଇଥାଏ।

ତେଣ୍ଡା ବା ପମ୍ପସେଟ୍ ସାହାଯ୍ୟରେ ଏହିସବୁ ଜଳାଶୟରୁ ଫସଲ ପାଇଁ ଜଳ ଉତ୍ତୋଳନ କରାଯାଇଥାଏ। ମାତ୍ର ଏହି ଉପରେ ପୂର୍ଣ୍ଣଭାବେ ନିର୍ଭର କରି ହେବନାହିଁ।

ପାଟପାଣି ଜମାହୋଇ ରହିଥିବା ଅଞ୍ଚଳ ବା ଝିଲ ଗୁଡ଼ିକୁ (ପାଖାପାଖି ୨ ଲକ୍ଷ ହେକ୍ଟର) ଖୋଳାଯାଇ ଗଭୀର ଜଳାଶୟ ପ୍ରଭୃତି ହେବା ସହିତ ଜଳ ଉତ୍ତୋଳନ କରି ବର୍ଷ ତମାମ ଚାଷଜମିକୁ ଜଳ ଯୋଗାଯାଇ ପାରିବର ସାମର୍ଥ୍ୟ ରହିଥିଲେ ମଧ୍ୟ ତାହା ହୋଇନାହିଁ।

ଏହା ଖାଲୁଆ ଅଞ୍ଚଳ ହୋଇଥିବା ହେତୁ ପାଟ ଜଳ ଝରିଆସି ଏଥିରେ ଠୁଳ ହୋଇଥାଏ। ଏହାର ଉପଯୁକ୍ତ ପରିଚାଳନା କଲେ ଅନେକ ଜମି ଫସଲ ଉପଯୋଗୀ ହୋଇ ପାରିବ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

କୋଡ଼ିଏ ଏକର ଜମିରୁ ଊଦ୍ଧ୍ୱର୍ ସମସ୍ତ ଜଳାଶୟର ଜଳଧାରଣ କ୍ଷମତା ବଢ଼ାଇ ସବୁ ଜମିକୁ ସର୍ବକାଳିନ ଜଳସେଚନ ବ୍ୟବସ୍ଥା ହୋଇପାରିବ। ଅନ୍ତତଃ ଟ୍ୟାଙ୍କ ଲିଫ୍ଟ ପଏଣ୍ଟ ବସାଇ ଖରିଫ୍ ଓ ରବିଋତୁରେ ଫସଲପାଇଁ ଜଳଯୋଗାଣ ହୋଇପାରିବ। ଏପରି ଜଳସେଚନର ସମ୍ଭାବନା ବାରାନ୍ତରେ ଆଲୋଚିତ ହେବ।

 

(ସୌଜନ୍ୟ : ସଂଚାର)

ଏମ୍.-୭୧, ମଧୁସୂଦନ ନଗର, ଭୁବନେଶ୍ୱର-୭୫୧୦୦୧
ମୋ. : ୯୪୩୮୩୬୦୮୪୯
ଲେଖକ ଓଡିଶାର ପୂର୍ବତନ ଅର୍ଥ ମନ୍ତ୍ରୀ
[email protected]

Leave a Reply

This site uses Akismet to reduce spam. Learn how your comment data is processed.