ଓଡିଶା ନ୍ୟୁଜ/ Odisha News
ସାହିତ୍ୟ

ଦେବଦାସଂକ କଲମ ଓ ବିଭୁକିଶୋରଂକ କଣ୍ଠର ଯୁଗଳବନ୍ଦୀ “ବ୍ଲୁ ମୁଡ୍”

2-copy

 

କେଦାର ମିଶ୍ର

ଦେବଦାସ ଛୋଟରାୟଂକ ପାଖରେ ସତେ ଅବା ଅଟକି ଯାଇଛି କୈଶୋର ଆଖିରେ ଆଖିଏ ସ୍ଵପ୍ନ ନେଇ କଟକର ଗଳିରାସ୍ତାରେ ସାଇକଲ୍ ଚଳେଇ ଗୋଟେ ତରୁଣ କବି ଆଜିବି ଗୀତ ଗାଉଛି । ବିନ୍ଦାସ୍ ସମୟର ଟିପେ ବି ଦାଗ ଲାଗିନାହିଁ କବିତାରେ । ପ୍ରଜାପତିର ରଂଗୀନ ଡେଣାରେ ଅଧଲେଖା ଫଗୁଣର କବିତା ଦେବଦାସ ଛୋଟରାୟଂକ କବିତା ।

ଏବେ ଏବେ ତାଂକ ନୁଆ କବିତାର ସିଡି ଆସିଛି ବଜାରକୁ । “ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା ଭିତରେ ଗୋଟେ ସ୍ବଛନ୍ଦ ମାଦକତା । କବିତାକୁ ସୁରରେ ସଜେଇଛନ୍ତି ଆମ ସମୟର ଖ୍ୟାତନାମା ଗାୟକ ବିଭୁ କିଶୋର ।

‘ଆମର ମ୍ୟୁଜିକ୍’ ଦ୍ଵାରା ପ୍ରସ୍ତୁତ ଏହି ସଂଗୀତ ସିଡିର ପ୍ରଯୋଜନା କରିଛନ୍ତି ବିଶିଷ୍ଟ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଓଡିଆ କବିତା ଓ ସଂଗୀତ କ୍ଷେତ୍ରରେ ଗୋଟେ ନୁଆ ପ୍ରୟୋଗ ଓ ଗୋଟେ ଅଭିନବ ଆବିସ୍କାରର କାହାଣୀ କହୁଥିବା “ବ୍ଲୁ ମୁଡ୍ “ କୁ ନେଇ କିଛି କଥା ।

୧. ଗୀତ ଓ କବିତା ଭିତରେ ଗୋଟେ ମୌଳିକ ଫରକ୍ ରହିଛି । ସବୁ କବିତା ଗୀତ ହୋଇପାରେ ହେଲେ ସବୁ ଗୀତ କବିତା ହୋଇ ପାରନ୍ତି ନାହିଁ । ଗୀତରେ ହୁଏତ ଗୋଟେ ଛନ୍ଦ ଥାଏ, ସ୍ଵରର ଲାଳିତ୍ୟ ଥାଏ,ଶବ୍ଦର ସୁଷମା ଥାଏ, ହେଲେ କବିତାରେ ଏସବୁରୁ କିଛି ନଥାଇ, ସବୁ କିଛି କୁ ପାଇ ହୁଏ ।

କବିତା ତାର ମୁକ୍ତ କାୟାରେ ଛନ୍ଦକୁ ଗୋପନ ରଖିଥାଏ । ଚିହ୍ନରା ଗାୟକ ତାକୁ ଠିକ ଚିହ୍ନେ, ଠିକ ସୁରରେ ବାଂଧେ ଓ ତାର ଭାବକୁ ନୀରବତା ଭିତରୁ ପ୍ରକଟିତ କରାଏ ।

1୨. “ବ୍ଲୁ ମୁଡ୍” ଗୀତ ନୁହଁ, କବିତା । ତାର ଛନ୍ଦ ମୁକ୍ତ, ଭାବ ଅବାରିତ ଓ ଅର୍ଥ ବହୁ ପ୍ରସ୍ଥିୟ । କବିଂକ ଭାଷାରେ ଏ ସବୁ ଶ୍ୟାମଳ ସ୍ବପ୍ନ (ହୁଏତ ଅନ୍ଧକାରର ସ୍ବପ୍ନ) ଓ ବିଷାଦ ର କବିତା। କୈଶୋରର ନୁଆ ସ୍ବପ୍ନ ଓ ସ୍ମୃତିକୁ ନେଇ ଏଇ କବିତା ସବୁ ଆମକୁ ଗୋଟେ ନିଛାଟିଆ ସହରର ଶୁନଶାନ ଗଳିରେ ଠିଆ କରେଇ ଦିଅନ୍ତି । ପବନର ଗୀଟାରରେ ଏଇ କବିତା ହାଲକା ହାଲକା ଆମକୁ ରୋମାଂଚିତ କରେ ।

୩. ବିଭୁ କିଶୋର ଓ ଦେବଦାସ ଦୁଇ ଭିନ୍ନ ପ୍ରଜନ୍ମ ର ଶିଳ୍ପୀ । ଅକ୍ଷୟ ମହାନ୍ତି ଯେଉଁ ଦେବଦାସଂକ ଗୀତକୁ ସ୍ଵର କରିଥିଲେ, ସେ ଦେବଦାସ, ବିଭୁକିଶୋରଂକ କଣ୍ଠରେ ସେମିତି ନୁହନ୍ତି । ଏ ଦେବଦାସ ସମୟର ପ୍ରବାହରେ ଆଉ ଏକ ଧାର । ବିଭୁ ତାଂକ କଣ୍ଠରେ ଦେବଦାସଂକ କବିତାକୁ ନୁଆ କରି ଆବିସ୍କାର କରିଛନ୍ତି ।

2୪. ଦେବଦାସଂକ ବ୍ୟାକୁଳତା, ଅଧିର ହେବାର ସ୍ପନ୍ଦନ, ତାଂକର ବିଷାଦ, ଏକଲାପଣ ଓ ଅସରନ୍ତି ସ୍ବପ୍ନର ମହୋତ୍ସବ, ବିଭୁ କିଶୋରଂକ କଣ୍ଠରେ ନୁଆ ଯୁଗର ସୁର ହୋଇ ଝରୁଛି । ୟାକୁ ଉର୍ଦୁ ଗୀତ୍ ବା ନଜମ୍ ର ଏକ ପ୍ରତିରୂପ ବୋଲି କୁହାଯାଇପାରେ । ତେବେ ଏଥିରେ ନଜମ୍ ର ସ୍ଥିର ଓ ମାର୍ମିକ ପ୍ରବାହ ନାହିଁ । ଏ କବିତା ସବୁ ଭୀଷଣ ଭାବରେ ଅସ୍ଥିର ।

୫. ବଂଗଳା କବିତା ଓ ଗୀତର ସମ୍ପର୍କ ବହୁ ପୁରୁଣା । ନଚିକେତା, କବୀର ସୁମନ ଓ ଆହୁରି ଅନେକ ଶିଳ୍ପୀ କବିତାକୁ ମୁକ୍ତ କଣ୍ଠରେ ଓ ମୁକ୍ତ ଛନ୍ଦରେ ଗାଇଛନ୍ତି। ଓଡିଶାରେ ତାର ପ୍ରଭାବ ସେତେ ବେଶୀ ନାହିଁ । କବିତାକୁ ନେଇ ଗାୟନର ଏହି ଧାରା ଆମକୁ ଗୋଟେ ନୁଆ ଦିଗ ତିଆରି କରିବାରେ ସହାୟକ ହେବ ।

3୬. ତେବେ ବ୍ଲୁ କଥା କହିଲା ବେଳେ ଆମେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାରେ ରହୁଥିବା କୃଷ୍ଣକାୟ ଆଫ୍ରିକାନ୍ ମାନଂକ ସଂଗୀତ କଥା ନିହାତି ମାନେ ପକେଇବା । ଶ୍ରମଜୀବୀ ମଣିଷର କ୍ଷୋଭ, ନିରାଶା, ସ୍ମୃତି ଓ ନିଷ୍ଠୁର ସ୍ବପ୍ନର ସେ ଗୀତ ସବୁ ଏବେ କ୍ଲାସିକ୍ ପାଲଟି ସାରିଛି । ତେବେ ଦେବଦାସଂକ “ବ୍ଲୁ ମୁଡ୍” ରେ ଶ୍ରମ ନାହିଁ- ସ୍ମୃତି ଓ ସ୍ବପ୍ନ କିନ୍ତୁ ଭରପୁର ।

୭. କିଛି ନ ଫୁଟି ଥିବା ଗୋଲାପ
ଓ ଗୋଟେ ଧରା ପଡିନଥିବା ବାଘ
ଯେଉଁ କବିତାର ସାରାଂଶ
ତମେ ମୋତେ ସେଇଠି ଖୋଜିବ……

କବିତା ସବୁ ବେଳେ ବେଳେ ଏତେ ମୁକ୍ତ ଯେ ତାକୁ ସ୍ବରରେ ବାନ୍ଧିବାକୁ ବିଭୁକିଶୋରଂକ ପରିଶ୍ରମ ବାରୀ ହୋଇ ପଡୁଛି । ଅନେକ ସମୟରେ ବିଭୁ ନିଜ ସ୍ବର କୁ ଶୀର୍ଷ କୁ ନେବାର ଚେଷ୍ଟା କରିଛନ୍ତି ଓ କବିତାର ତରଂଗକୁ ଭାବରେ ରୂପାନ୍ତରିତ କରିବାର କୌଶଳ ତିଆରିଛନ୍ତି ।

4୮. ସବୁ କବିତା କୁ ଗୀତ ରେ ନକହି କଥାରେ ବି କହିହେବ । ଯେମିତି- ଯେତେବେଳେ ତୁମେ ନଥିଲ, କିଛି ନଥିଲା, ଜହ୍ନ ଦିଶୁଥିଲା ଗୋଟାଏ ତୁଷାର କ୍ଷତ ପରି , ସୂର୍ୟ ଥିଲା,ଯଖ୍ମା ରୋଗୀର ହୃଦୟ ପରିକା ……ଏଠି ପ୍ରବଳ ବିଷାଦ । ବିଭୁ କିଶୋର ବିଶାଦକୁ ମଧୁର ଅର୍ଥ ଦେଇ ପାରନ୍ତି ତାଂକ ଗଳାରେ ।

୯. କବିତାକୁ ନେଇ ଗୋଟେ ବ୍ୟବସାୟର ସ୍ବପ୍ନ ଦେଖାଯାଇ ପାରେ କି ? ଏ ପ୍ରଶ୍ନ ପ୍ରଯୋଜକ ଅକ୍ଷୟ ପରିଜାଂକୁ କେବେ ଥରେ ପଚାରିବି ନିଶ୍ଚୟ । ତେବେ ଏ ସାହସ (ବରଂ ଦୁଃସାହସ) ଲାଗି ତାଂକୁ ଅନେକ ଅନେକ ଅଭିନନ୍ଦନ ।

୧୦. ଶେଷରେ “ବ୍ଲୁ ମୁଡ୍” କୁ ନେଇ ଏତିକି କୁହା ଯାଇପାରେ ଯେ- ମୁଁ ଦିନେ ଇତିହାସକୁ ଧଳାବାଲିର ଅପନ୍ତରା କରିଦେବି , ତୁମେ ଦେଖିବ । ସେଦିନ ଦେଖିବାକୁ ବୋଧ ହୁଏ “ବ୍ଲୁ ମୁଡ୍” ର ଜନ୍ମ ।

1 Comment

  • ଓଡିଆ କଣ୍ଠଶିଳ୍ପୀଙ୍କ କଣ୍ଠରେ ଅଧିକରୁ ଅଧିକ ଆଦର ପାଇବ । ଏହା ପୂର୍ବରୁ କବି ମାୟାଧର ମାନସିଂହଙ୍କ କବିତା ମଧ୍ୟ ସିଡି କରା ହୋଇଛି । ଆମ ସାହିତ୍ୟ ପ୍ରସାର ପାଇଁ ଏହା ଏକ ମହତ ଉଦ୍ୟମ ।

Leave a Reply

This site uses Akismet to reduce spam. Learn how your comment data is processed.