ଦୁର୍ନୀତିଗ୍ରସ୍ତଙ୍କୁ ଧରିବା

ସେ ପ୍ରାୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ; ଏବେ ସେ ଜେଲ୍ ର ଚାରିକାନ୍ଥ ଭିତରେ । ଡିସେମ୍ବର ୫, ୨୦୧୬ରେ ଚେନ୍ନାଇରେ ମୃତ୍ୟୁବରଣ କରିବା ଦିନଠାରୁ ପରଲୋକରେ ଥିବା ଏ.ଆଇ.ଡି.ଏମ୍.କେର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଏକଦା ଆଶ୍ରିତା ଭି.କେ. ଶଶିକଳାଙ୍କ ଭବିଷ୍ୟତକୁ ନେଇ ଗଣମାଧ୍ୟମ ଓ ତାମିଲ ଜନସାଧାରଣ ଏତେ ମଜ୍ଜି ଯାଇଛନ୍ତି ଯେ ଅନ୍ୟ କିଛି ଚିନ୍ତା କରିପାରୁନାହାନ୍ତି ।

ଫେବୃୟାରୀ ୧୪, ୨୦୧୭ ଦିନ ସବୁ କଳ୍ପନାଜଳ୍ପନାର ନାଟକୀୟ ଅନ୍ତ ଘଟିଲା ଯେତେବେଳେ ଭାରତର ଉଚ୍ଚତମ ନ୍ୟାୟାଳୟ ଅହେତୁକ ବିଳମ୍ବ ଘଟିଥିବା ଦୁଇ ଦଶନ୍ଧି ପୁରୁଣା ଏକ ହିସାବ ବହିର୍ଭୂତ ସମ୍ପତ୍ତି ମାମଲାରେ ରାୟ ପ୍ରଦାନ କଲେ । ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅନୁଯାୟୀ ଅଭିଯୁକ୍ତ ଜୟଲଳିତା, ଶଶିକଳା ଓ ତାଙ୍କର ଦୁଇଜଣ ସମ୍ପର୍କୀୟ ଭି.ଏନ୍. ସୁଧାକରନ ଏବଂ ଜେ.ଇଲାଭରସିଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କଲେ ।

ଗଣମାଧ୍ୟମ ଯେତେବେଳେ ଶଶିକଳା କେମିତି ତାମିଲନାଡ଼ୁ ଶାସନର ମଙ୍ଗ ଧରିବା ପାଇଁ ନିଜର ଅନୁଗାମୀ ବିଧାୟକମାନଙ୍କୁ ଗୋଟିଏ ଅବସର ବିନୋଦନ ରିସର୍ଟରେ ଆବଦ୍ଧ କରି ରଖିଛନ୍ତି, ସେଭଳି ଏକ ରାଜନୈତିକ ନାଟକବାଜୀ ଉପରେ ଅତ୍ୟଧିକ ଧ୍ୟାନ ଦେଇଚାଲିଥିଲେ, ହିସାବ ବହିର୍ଭୂତ ସମ୍ପ ତ୍ତି ଠୁଳ କରିଥିବା ମାମଲାଟି ଯେମିତି ତା’ର ମହତ୍ୱ ହଜାଇ ସାରିଥିଲା ।

ଯଦିଓ ଉଚ୍ଚତମ ନ୍ୟାୟାଳୟ ରାୟ ପ୍ରକାଶନ ସମୟଟିକୁ ନେଇ ଅନେକ ପ୍ରଶ୍ନ ଉଠାଯାଇଛି, ତେବେ ରାୟଟିର ଗୁରୁତ୍ୱ କୌଣସି ଦୃଷ୍ଟିରୁ କମ୍ ନୁହେଁ ।

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମେ ୧୧, ୨୦୧୫ରେ ଗୋଟିଏ ରାୟ ପ୍ରକାଶ କରିଥିଲେ ଯେଉଁଠି ସେପ୍ଟେମ୍ବର ୨୦୧୪ରେ ଗୋଟିଏ ସ୍ୱତନ୍ତ୍ର ଅଦାଲତ ଜୟଲଳିତାଙ୍କ ହିସାବ ବହିର୍ଭୂତ ସମ୍ପତି ତଥା ଶଶିକଳା ତାଙ୍କ ବନ୍ଧୁବାନ୍ଧବଙ୍କ ସହଯୋଗରେ ସେହି ସମ୍ପତି ଲୁଚାଇବା ପାଇଁ କରିଥିବା ପ୍ରୟାସକୁ ଅନୁଧ୍ୟାନ କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଯେଉଁ ରାୟ ଦେଇଥିଲେ ତାକୁ ନାକଚ କରିଦେଇଥିଲେ ।

ସେହି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ରାୟ ବିରୁଦ୍ଧରେ କରାଯାଇଥିବା ଆବେଦନଟିର ଶୁଣାଣୀ କରି ଉଚ୍ଚତମ ନ୍ୟାୟାଳୟ ଏକଥା ମଧ୍ୟ କହିଛନ୍ତି ଯେ, ଯଦିଓ ପ୍ରଥମ ଅଭିଯୁକ୍ତ ଜୟଲଳିତା ମରିଯାଇଛନ୍ତି ତେବେ ଶଶିକଳାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ତଳ କୋର୍ଟ ପ୍ରଦାନ କରିଥିବା ଦଣ୍ଡ ଭୋଗ କରିବେ ଏବଂ ପ୍ରତ୍ୟେକେ ୧୦କୋଟି ଟଙ୍କା ଜରିମାନା ଦେବେ ।

୫୭୦ ପୃଷ୍ଠାରେ ଗୋଟିଏ ବିସ୍ତୃତ ରାୟରେ ନ୍ୟାୟମୂର୍ତି ଶ୍ରୀ ପିନାକୀ ଚନ୍ଦ୍ର ଘୋଷ ଏବଂ ଅମିତାଭ ରାୟ ଯାହା କହିଛନ୍ତି ତାହା ଆୟ ବହିର୍ଭୂତ ସମ୍ପ ତ୍ତିକୁ କେମିତି ଲୁଚାଯାଇ ପାରେ, ତାହାର ଶିକ୍ଷା ଲାଭ କରିବା ପାଇଁ ଏକ ପ୍ରାଥମିକ ପୁସ୍ତକ ସଦୃଶ ।

ସ୍ୱତନ୍ତ୍ର ଅଦାଲତରେ ବିଚାରପତି ଜନ ମିଖାଇଲ୍ ଡିକୁନାହ କେମିତି ଜୟଲଳିତାଙ୍କ ହିସାବ ବହିର୍ଭୂତ ସମ୍ପତିକୁ ଶଶିକଳା ଲୁଚାଇବା ପାଇଁ କ’ଣ ସବୁ ଉଦ୍ୟମ କରିଛନ୍ତି, ସେସବୁର ଯେଉଁଭଳି ତଥ୍ୟ ପ୍ରଦାନ କରିଛନ୍ତି ଏହି ରାୟରେ ତାହାର ବର୍ଣ୍ଣନା କରାଯାଇଛି ।

ଯେଉଁ ସବୁ ଉପାୟ ଅବଲମ୍ବନ କରି ସମ୍ପତ୍ତି ଗୁଡ଼ିକୁ ଲୁଚାଯାଇଛି ସେଥିରେ ନା କିଛି ନୂତନତ୍ୱ ଅଛି ନା ଅଛି ମୌଳିକତା । ଭାରତରେ ଅବୈଧ ଉପାୟରେ ସାଧାରଣ ଜୀବନରେ ହେଉ ଅବା ଘରୋଇ ଜୀବନରେ; ଅର୍ଜିତ ହେଉଥିବା ଅର୍ଥକୁ ଲୁଚାଇବା ପାଇଁ ଏଭଳି ସବୁ ଉପାୟର ସାହାରା ନିଆଯାଇଥାଏ ।

ଜୟଲଳିତା/ ଶଶିକଳାଙ୍କ ମାମଲାରେ ଗୋଟିଏ ଠିକଣାରେ ଏଭଳି ୩୪ଟି କମ୍ପାନୀକୁ ପଞ୍ଜିକୃତ କରାଯାଇଛି ଯେଉଁ କମ୍ପାନୀମାନେ କୌଣସି ବାଣିଜ୍ୟ କାରବାର ଆଦୌ କରନ୍ତି ନାହିଁ; ୧୦ଟି କମ୍ପାନୀ ଗୋଟିଏ ଦିନରେ ପଞ୍ଜିକୃତ ହୋଇଛି ଏବଂ ଆଉ ୬ଟି ତା’ ପରଦିନ । ଏହି ସବୁ କମ୍ପାନୀମାନଙ୍କ ପାଇଁ ୫୦ଟି ବ୍ୟାଙ୍କ ଖୋଲାଯାଇଛି । ସେ ଭିତରୁ ୪୭ଟି ଖାତା ଗୋଟିଏ ବ୍ୟାଙ୍କରେ ଖୋଲାଯାଇଛି ।

ଅଧିକାଂଶରେ ଏହି କମ୍ପାନୀମାନଙ୍କ ଏକମାତ୍ର କାମ ହେଉଛି ଅବମୂଲ୍ୟାୟନ କରାଯାଇଥିବା ସମ୍ପତିଗୁଡ଼ିକୁ ଅଧିଗ୍ରହଣ କରିବା । ଗୋଟିଏ ବ୍ୟାଙ୍କ ଖାତାରୁ ଆଉ ଗୋଟିଏ ବ୍ୟାଙ୍କ ଖାତାକୁ ଟଙ୍କା ଚାଲିଯାଏ । ବ୍ୟାଙ୍କରୁ ଟଙ୍କା ନେଇ ଉଧାର ବୋଝଟିକୁ ଦେଖାଇ ଦିଆଯାଉଥିଲା ଯେତେବେଳେ କି ମୂଳରୁ ହିଁ ଋଣଟଙ୍କା ଦିଆଯାଇନଥିଲା ।

ଯେଉଁଭଳି ନିର୍ଲ୍ଲଜ ଭାବେ ସେମାନେ କିଛି କାର୍ଯ୍ୟକଳାପ ଚଳାଇଥିଲେ ଜଣାପଡ଼ୁଥିଲା ଯେ ଏହି ଅପରାଧୀମାନେ କେବେ ବି ଧରା ପଡ଼ିବେ ନାହିଁ- ଏମିତି ଏକ ଦୃଢ଼ବିଶ୍ୱାସ ସେମାନଙ୍କର ଥିଲା । ଯାହାର କେଉଁଥିରେ କିଛି ଯାଏ ଆସେ ନାହିଁ, ସେଭଳି ଏକ ରାଜନେତା ସୁବ୍ରମନିୟନ୍ ସ୍ୱାମୀଙ୍କ ଦ୍ୱାରା ୧୯୯୬ରେ ଦାଖଲ ହୋଇଥିବା ମାମଲାର ରାୟ ଦାନ ପ୍ରକ୍ରିୟାରେ ଅନେକ ବିଳମ୍ବ ହୋଇଥିବା

ସେ ଉଭୟ ନିମ୍ନ ଅଦାଲତ ଏବଂ ଉଚ୍ଚତମ ନ୍ୟାୟାଳୟ ଏମାନଙ୍କ କାର୍ଯ୍ୟକଳାପକୁ ଅପରାଧ ହିସାବରେ ବିଚାର କରିବା ଭବିଷ୍ୟତ ଦୃଷ୍ଟିରୁ ଗୋଟିଏ ଉଦାହରଣ ସୃଷ୍ଟି କରିଛି ନିଶ୍ଚୟ  ।

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତି ସି.ଆର କୁମାରସ୍ୱାମୀଙ୍କ ରାୟ ଯାହା ଜୟଲଳିତାଙ୍କୁ ଦୋଷମୁକ୍ତ କରାଇଥିଲେ, ତାକୁ ନାକଚ କରିଥିବାବେଳେ ନ୍ୟାୟାଳୟ କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟ ତଥ୍ୟ / ପ୍ରମାଣଗୁଡ଼ିକୁ ଭୁଲ୍ ଭାବେ ପଢ଼ିଛନ୍ତି ଏବଂ ସମ୍ପତିର ଆକଳନ କରିବାରେ ମଧ୍ୟ ଭୁଲ୍ ହିସାବ କରିଛନ୍ତି; ବିଶେଷ କରି ଆୟ, ସମ୍ପତି ଏବଂ ଋଣ ବୋଝ ଇତ୍ୟାଦି ହିସାବ କରିବା କ୍ଷେତ୍ରରେ ।

ନିମ୍ନ ଅଦାଲତର ରାୟକୁ ଏମିତି ସୁରକ୍ଷା ଦେଇ ଉଚ୍ଚତମ ନ୍ୟାୟାଳୟ ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ତଳପ୍ୟାହ୍ୟାର ସ୍ୱତବ ଅଦାଲତଟି ଜୁଲାଇ ୧, ୧୯୯୧ରୁ ଏପ୍ରିଲ ୩୦, ୧୯୯୬ ଯାଏଁ ଜୟଲଳିତା କରିଥିବା ସମସ୍ତ ସମ୍ପତ୍ତି ଏବଂ ତାହାର ଆଧାରଗୁଡ଼ିକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ ଏବଂ ଏଭଳି ଏକ ସିଦ୍ଧାନ୍ତରେ ପହଞ୍ଚି ଥିଲେ ଯେ ୧୯୯୧ରେ ଯେଉଁ ସମ୍ପତ୍ତି ର ମୂଲ୍ୟ ୨କୋଟି ଏକ ଲକ୍ଷ ଥିଲା, ତାହା ଯେଭଳି ୧୯୯୬ ବେଳକୁ ୬୪ କୋଟି ୪୪ଲକ୍ଷରେ ପହଂଚିଲା, ତାହା ସ୍ପଷ୍ଟ ଇଙ୍ଗିତ କରୁଛି ଯେ ଏସବୁ ସମ୍ପତ୍ତି ହିସାବ ବହିର୍ଭୂତ ।

ନିମ୍ନ ଅଦାଲତ କେଉଁଭଳି ଅତି ସତର୍କତା, ସମ୍ବେଦନଶୀଳତା ଓ ଜାଗରୁକତାର ସହ ତଥା ଉଚିତ ଭାବେ ରାୟ ଦେଇଛନ୍ତି ଯାହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସ୍ୱୀକୃତି ଦେଇଛନ୍ତି ତାହା ବିରଳ ।

ଏହି ରାୟ ବିଚାର ବ୍ୟବସ୍ଥାରେ ସ୍ୱାଗତଯୋଗ୍ୟ ଉଦାହରଣ ସୃଷ୍ଟି କରିପାରିଛି; ବିଚିତ୍ର ଭାବେ ସମ୍ବୋଧିତ ‘ପବ୍ଲିକ୍ ସରଭାଂଟ୍’ ବା ‘ଜନସାଧାରଣଙ୍କ ସେବକ’ ବର୍ଗଭୁକ୍ତ ଏହି ଶକ୍ତିଶାଳୀମାନେ ଆଇନର ଉଲ୍ଲଂଘନ କଲେ ବିଚାର ବ୍ୟବସ୍ଥା କ’ଣ ସବୁ କରିପାରେ ।

ନିମ୍ନ ଅଦାଲତରେ ଏକାକୀ ବିଚାର କରୁଥିବା ବିଚାରପତିଜଣକ ଅପରାଧର ଅନୁସନ୍ଧାନ କରାଯାଉଥିବା ଜଣେ ଶକ୍ତିଶାଳୀ ରାଜନେତାଙ୍କ ଦ୍ୱାରା ପ୍ରଭାବିତ ହୋଇନଥିଲେ ଏବଂ ତାଙ୍କର ବିସ୍ତୃତ ରାୟଟିରେ ଯେଭଳି ପ୍ରତ୍ୟେକଟି ଅଭିଯୋଗ ଓ ତା’ର ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଇଛି, ତାହାର ଅଧ୍ୟୟନ ଅତ୍ୟନ୍ତ ମୂଲ୍ୟବାନ । ମାମଲାଟିକୁ ତାମିଲନାଡ଼ୁରୁ କର୍ଣ୍ଣାଟକ ନେଇଯିବା ସହାୟ ହୋଇପାରିଛି ।

ସରକାରୀ ପଦପଦବୀରେ ଲୋକେ ‘ଉପହାର’ ଗ୍ରହଣ କଲେ ତାକୁ ଆଇନଗତ ଆୟ ହିସାବରେ ଦେଖାଯାଇପାରିବ ନାହିଁ, ଜୟଲଳିତା ଯେଉଁଭଳି କରିବା ପାଇଁ ଉଦ୍ୟମ କରିଥିଲେ । କାରଣ, ଉପହାର ପରୋକ୍ଷ ଭାବେ ଦିଆଯାଉଥିବା ଉକ୍ରୋଚ ବୋଲି ବୁଝାଯାଇପାରିବ ।

ଟଙ୍କା ବା ଜିନିଷ ଉପହାର ଆକାରରେ ଗ୍ରହଣ କରିଛି ବୋଲି ଘୋଷଣାଟିଏ କେବଳ କରିଦେଲେ ସେସସବୁ ‘ଆଇନଗତ ଆୟ’ର ମାନ୍ୟତା ଦେଇ ହେବ ନାହିଁ ।

ଏଭଳି ଏକ ରାୟ କିଛି ସରକାରୀ ଅନୁଗ୍ରହ ଦେଇ ବଦଳରେ ‘ଉପହାର’ ଗ୍ରହଣ କରିବାକୁ ଏକ ଅଭ୍ୟାସ କରିନେଇଥିବା ଏବଂ ସେସବୁ ଆୟ ବହିର୍ଭୂତ ସମ୍ପତିକୁ ଟିକସ କର୍ତୃପକ୍ଷଙ୍କ ଆଖିରୁ ଲୁଚାଇବା ପାଇଁ ଉପାୟ ତିଆରି କରିବାର କଳ୍ପନା କରିଆସୁଥିବା ହଜାର ହଜାର ସରକାରୀ ପଦାଧିକାରୀଙ୍କ ପାଇଁ ପ୍ରତିବନ୍ଧକ ଆଣିପାରିବ କି ନାହିଁ ଭବିଷ୍ୟତ ହିଁ କହିବ ।

ଯେଉଁ କଥାଟିକୁ ଏହି ରାୟ ପ୍ରତିଷ୍ଠିତ କରୁଛି ତାହା ହେଲା ଯେ, ଭାରତର ଦୁର୍ନୀତି ପ୍ରତିରୋଧ ଆଇନ ଏବଂ ଅନ୍ୟାନ୍ୟ ଅନୁରୂପ ଆଇନଗୁଡ଼ିକ ସେତିକି ଫଳପ୍ରଦ ହୋଇପାରିବ, ଏ ଦେଶରେ ନାଗରିକମାନେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ତାହାର ପ୍ରୟୋଗ କରିବା ପାଇଁ ଯେତିକି ଦକ୍ଷତାର ସହ କାମ କରିପାରିବେ ।

ଦୁର୍ଭାଗ୍ୟର କଥା ଏହା ଯେ ଆମ ଆଇନ ବ୍ୟବସ୍ଥାରେ ଯେଉଁଭଳି ସମୟ ନିଆଯାଇଛି ସର୍ବଶେଷ ରାୟ ପ୍ରଦାନ ସମେତ, ତାହା ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଥିବା ଆଇନର ପ୍ରୟୋଗ ପାଇଁ ସଂକଳ୍ପବଦ୍ଧ ଭାବେ ସକ୍ରିୟ ଥିବା ଲୋକଙ୍କର ମନୋବଳକୁ ଦୁର୍ବଳ କରିଦେଇଥାଏ ।

 

FEBRUARY 18 ,2017 VOL L 11 NO 7 EPW -9 ( Catching the Corrupt)