ସମଦୃଷ୍ଟି

ଯୁଦ୍ଧକ୍ଷେତ୍ର ବିଶ୍ୱବିଦ୍ୟାଳୟ

ଗଣତନ୍ତ୍ରର ଅଗ୍ରଦୂତ ଆଜି ବିଶ୍ୱବିଦ୍ୟାଳୟର ଯୁଦ୍ଧକ୍ଷେତ୍ରରେ । ଯେଉଁମାନେ ଭାବିଥାନ୍ତି ଯେ ବିଶ୍ୱବିଦ୍ୟାଳୟମାନଙ୍କରେ ବିଚାରରେ ସ୍ପଷ୍ଟତା ଆସେ , ଅନେକ ବିଚାରକୁ ନେଇ ମତବ୍ୟକ୍ତ କରାଯାଏ, ବିତର୍କ ବି ହୁଏ; ସେମାନେ ଆଜି ବିରୋଧର ସାମ୍ନା କରୁଛନ୍ତି ।

ବିରୋଧ କରୁଛନ୍ତି ସେମାନେ ଯେଉଁମାନଙ୍କ ବିଚାରରେ ରାଷ୍ଟ୍ରର ସରକାରୀ ବିଚାରବୋଧକୁ ଯଦି କୌଣସି ବି ମତ ମୁକାବିଲା କରେ, ତେବେ ତାହା ‘ରାଷ୍ଟ୍ର ବିରୋଧୀ’ ଏବଂ ତା’ର କଣ୍ଠରୋଧ କରାଯିବା ଦରକାର ।

ସଂଘର୍ଷର ସଦ୍ୟତମ ଦୃଶ୍ୟଟି ଦେଖିବାକୁ ମିଳିଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜ ରେ ଯେଉଁଠି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଭାଜପା ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ଗୋଟିଏ ପାଠଚକ୍ରକୁ ବଦମାସୀ କରି ବନ୍ଦ କରାଇଦେଲେ ।

‘ପ୍ରତିବାଦର ସଂସ୍କୃତି’ ବିଷୟ ଉପରେ ଅନୁଷ୍ଠିତ ହେଉଥିବା ଏହି ପାଠଚକ୍ରରେ କହିବା ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ଗବେଷକ ଉମାର ଖଲିଦ୍ଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ଠିକ୍ ତା’ ପରଦିନ ତଥାକଥିତ ବିଦ୍ୟାର୍ଥୀ ପରିଷଦର ‘ଗୁଣ୍ଡା’ମାନେ ସେମାନେ ବଦମାସୀ କରି ବନ୍ଦ କରାଇଥିବା କାମଟିକୁ ଯେଉଁ ଅଧ୍ୟାପକ ଓ ଛାତ୍ରମାନେ ବିରୋଧ କରିଥିଲେ ସେମାନଙ୍କୁ ପଥର ଓ କାଚ ବୋତଲ ଫୋପାଡ଼ି ଆକ୍ରମଣ କରିଥିଲେ ।

କେବଳ ଦେଖଣାହାରୀ ସାଜିଥିବା ଦିଲ୍ଲୀ ପୋଲିସଙ୍କ ଉପସ୍ଥିତିରେ ସେମାନେ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସେମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ ଏଫ୍.ଆଇ.ଆର୍ ଦାୟର ତ କରିନଥିଲେ ବରଂ ଏଫ୍.ଆଇ.ଆର୍. ଲେଖିବା ଦାବୀ ନେଇ ଯେଉଁମାନେ ମରିସ୍ ନଗର ଥାନାକୁ ଯାଇଥିଲେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା ।

ଏବେ ଶାସନରେ ଥିବା ଲୋକେ ଗୋଟିଏ ଧାରାକୁ ଚଳାଇ ରଖିବାର ଦୃଶ୍ୟ ସ୍ପଷ୍ଟ ହୋଇଯାଇଛି – ସେମାନଙ୍କର ମତବାଦ ଓ କାର୍ଯ୍ୟସୂଚୀକୁ ସ୍ୱୀକାର କରୁନଥିବା ତଥା ସମାଲୋଚନା କରୁଥିବା ସମସ୍ତ ସ୍ୱରକୁ କେମିତି ନିସ୍ତବ୍ଧ କରାଇ ଦିଆଯାଇପାରିବ ।

ଏହା ମଧ୍ୟ ସଂଘ ପରିବାରର ଏକ ଦୀର୍ଘକାଳୀନ ରଣନୀତି, ବୌଦ୍ଧିକ ପରିସରଟିକୁ ବିପର୍ଯ୍ୟସ୍ତ କରାଇବା, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ କରାୟତ କରିବା ଓ କୌଣସି ବିତର୍କ, ଆଲୋଚନା ବା ଯୁକ୍ତିର ପ୍ରୟୋଗ ମାଧ୍ୟମରେ ନୁହେଁ ବରଂ ଭୟଭୀତ କରାଇ, ବିଭାଜିତ କରି, ହରକତ କରି ଏବଂ ହିଂସାର ପ୍ରୟୋଗ କରି ।

ଅଧିକାଂଶରେ ରାଷ୍ଟ୍ରୀୟ କଳକୁ ବ୍ୟବହାର କରି ସେମାନେ ଏପରି କରିଥାନ୍ତି । ଏ ବର୍ଷର ପ୍ରାରମ୍ଭରେ ଏଭଳି ଏକ ପରିସ୍ଥିତି ଉପୁଜିଥିଲା । ଯୋଧପୁରଠାରେ ଯେତେବେଳେ ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟ କୁଳସଚିବ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ନିବେଦିତା ମେନନ ଙ୍କ ବିରୁଦ୍ଧରେ ଏକ ଏଫ୍.ଆଇ.ଆର୍. ଦାୟର କଲେ ।

ପ୍ରଫେସର ମେନନ ଙ୍କ ଅପରାଧ ସେ କାଶ୍ମୀର ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଇଥିଲେ । ତାଙ୍କରି ବକ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନଙ୍କ ପାଖରୁ ଆସିଥିଲା ଯେଉଁମାନେ କି ତାଙ୍କୁ ଆଶାନୁରୂପକ ‘ଦେଶଦ୍ରୋହୀ’ ସମ୍ବୋଧନ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଆୟୋଜକ ତଥା ସେହି ବିଶ୍ୱବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ରାଜଶ୍ରୀ ରାନାୱତଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଇଥିଲା ।

ସେପ୍ଟେମ୍ବର ୨୦୧୬ରେ ଅନୁରୂପ ଏକ ଦାବୀ ଉଠିଥିଲା ହରିୟାନା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ସ୍ନେହସତା ମାନବ ଓ ମନୋଜ କୁମାରଙ୍କୁ ସେବା ନିବୃତ୍ତକରିବା ଓ କଠୋର ଦଣ୍ଡବିଧାନ କରିବା ପାଇଁ । ସେମାନଙ୍କର ଅପରାଧ ସେମାନେ ପ୍ରଖ୍ୟାତ ଲେଖିକା ମହାଶ୍ୱେତା ଦେବୀଙ୍କର କ୍ଷୁଦ୍ର ଗଳ୍ପ ‘ଦ୍ରୌପଦୀ’ର ନାଟ୍ୟ ରୂପାନ୍ତର କରିଥିଲେ ।

‘ଭାରତୀୟ ସେନାଙ୍କୁ ଦୁର୍ବଳ ଅବସ୍ଥାରେ’ ଦେଖାଯାଉଥିବାରୁ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ନାଟକଟିକୁ ‘ଦେଶବିରୋଧୀ’ ଘୋଷଣା କରିଥିଲେ ଯଦିଓ ମହାଶ୍ୱେତା ଦେବୀ ନିକଟରେ ମୃତ୍ୟୁବରଣ କରିବା ପରେ ଦେଶବ୍ୟାପୀ ତାଙ୍କର ଜୀବନତମାମ କୃତି ପାଇଁ ଆଦରର ସହ ସମ୍ମାନିତ ହୋଇଥିଲେ ।

ଗୋଟିଏ ବର୍ଷରୁ ଊଦ୍ଧ୍ୱର୍କାଳ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁ ଭଳି ପରିସରଗୁଡ଼ିକୁ ଯେଉଁଭଳି ରଣକ୍ଷେତ୍ର କରିଦିଆଯାଇଛି ଉପରୋକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ସେହି କ୍ରମରେ ସାମିଲ ହୋଇଛନ୍ତି । ଫେବୃୟାରୀ ୯, ୨୦୧୬ରେ ଜେ.ଏନ୍.ୟୁଠାରେ ଯେଉଁ ଘଟଣାଟି ଘଟିଲା ଯେଉଁଠି ଅଫଜଲ ଗୁରୁଙ୍କ ଫାଶୀକୁ ନେଇ ‘ଦେଶପ୍ରେମୀ’ ବନାମ ‘ଦେଶଦ୍ରୋହୀ’ ନାଁ’ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଚାଲିଲା, ତା ପୂର୍ବରୁ ଅଗଷ୍ଟ ୨୦୧୫ରେ ଆଉ ଏକ ଘଟଣା ଘଟିଥିଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀମଲ୍ କଲେଜରେ ‘ମୁଜାଫର ନଗର ବାକି ହେ’ ନାମକ ଏକ ବୃତଚିତ୍ରର ପ୍ରଦର୍ଶନକୁ ନେଇ ଏ.ବି.ଭି.ପି. କର୍ମୀ ମାନେ ଗଣ୍ଡଗୋଳ ସୃଷ୍ଟି କରି ବୃତଚିତ୍ରର ପ୍ରଦର୍ଶନକୁ ବନ୍ଦ କରିଦେଇଥିଲେ । ଆଜିଭଳି ସେହି ଦିନ ବି ସେମାନେ ବୃତତ୍ତଚିତ୍ରଟିକୁ ‘ଧର୍ମ ବିରୋଧୀ’ କହିଥିଲେ ଏବଂ ବୃତ୍ତଚିତ୍ରର ଉଦ୍ଦେଶ୍ୟକୁ ନେଇ ଆପତ୍ତି କରିଥିଲେ ।

ଏ ସମସ୍ତ ଘଟଣା ପୃଥକ ଭାବେ ଏବଂ ଏକାଠି ପ୍ରଦର୍ଶନ କରୁଛନ୍ତି ଯେ କେମିତି ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ଦିନଠାରୁ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୋଟିଏ ଆଦର୍ଶବାଦର ପ୍ରଭାବ ଭିତରକୁ ଆଣିବା ପାଇଁ ସରକାର ନିଜ କ୍ଷମତା ପରିସରର ବାହାରକୁ ଚାଲିଯାଉଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭିନ୍ନ ଭିନ୍ନ ମାଧ୍ୟମ ବ୍ୟବହାର କରାଯାଉଛି ।

ସେଂଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମସ ସାର୍ଟିଫିକେସନର ଅଧ୍ୟକ୍ଷ, ପୁନା ସ୍ଥିତ ଫିଲ୍ମସ ଏଣ୍ଡ୍ ଟେଲିଭିଜନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ଭାରତୀୟ ଇତିହାସ ଗବେଷଣା ପରିଷଦର ଅଧ୍ୟକ୍ଷ ପଦବୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଲୋକମାନଙ୍କୁ ନିଯୁକ୍ତି ଦେବାଠୁ ଆରମ୍ଭ କରି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁର କୁଳପତିମାନଙ୍କୁ ବିଦ୍ୟାର୍ଥୀ ପରିଷଦ ଓ କେନ୍ଦ୍ର ସରକାରଙ୍କ ଆଜ୍ଞାବହ ଭଳି କାମ କରିବାପାଇଁ ପ୍ରସ୍ତୁତ କରିବାଯାଏଁ , ବିଶ୍ୱବିଦ୍ୟାଳୟ ତଥା ଉଚ୍ଚତର ଶିକ୍ଷାନୁଷ୍ଠାନ ମାନଙ୍କରେ ଥିବା ବୌଦ୍ଧିକ କ୍ଷେତ୍ରଗୁଡ଼ିକୁ ସଙ୍କୁଚିତ କରିଦିଆଯାଇଛି ।

ଯଦ୍ୱାରା କି ପ୍ରଶ୍ନ କରିବା ଏବଂ ଭିନ୍ନମତ ଦେବାର ପରିବେଶଟି ଆଜି ବିରୋଧର ସାମ୍ନା କରୁଛି । ଶିକ୍ଷକ ଓ ଛାତ୍ରମାନଙ୍କୁ ରୀତିମତ ଭୟଭୀତ କରାଇ ଗୋଟିଏ ଆଦର୍ଶବାଦକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି, ନଚେତ ସେମାନଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଉଛି । ରାଷ୍ଟ୍ର ଏବଂ ତାହାର ମନ୍ତ୍ରୀଗଣ ତୁହାକୁ ତୁହା ‘ଦେଶଦ୍ରୋହ’ର ଉଚ୍ଚାରଣ କରି ନିଜର ଛାତ୍ରଶାଖାଟିକୁ ସ୍ୱୀକୃତି ଓ ସାହସ ଯୋଗାଉଛନ୍ତି ଯେମିତିକି ସେମାନେ ଶିକ୍ଷାନୁଷ୍ଠାନର ପରିସରଟିକୁ ଧ୍ୱସ୍ତବିଧ୍ୱସ୍ତ କରିପାରିବେ ।

ସେମାନଙ୍କର ବାର୍ତାଟି ସ୍ପଷ୍ଟ; ବର୍ତମାନର ଶାସକମାନଙ୍କ ବିରୁଦ୍ଧରେ ଯିବାଟାକୁ ହିଁ ‘ଦେଶବିରୋଧୀ’ କୁହାଯିବ । ହିଂସା ଓ ଭୟଭୀତ କରାଇବାର ଏହି ସଂସ୍କୃତି ସ୍ୱାଧୀନ ଭାବେ ଚିନ୍ତା କରିବା ଏବଂ ସାମ୍ପ୍ରତିକ ଶାସକମାନଙ୍କ ଦ୍ୱାରା ଚାଲିଥିବା ସଂଖ୍ୟାଗରିଷ୍ଠଙ୍କ ଦର୍ଶନକୁ ବିରୋଧ କରୁଥିବା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି ।

ଭୟଭୀତ କରାଇବା କେବଳ ଆର୍.ଏସ୍.ଏସ୍. – ଭା.ଜ.ପାର ଏକଚାଟିଆ କାରବାର ହୋଇ ରହିନାହିଁ ଯଦିଓ ନିଃସନ୍ଦେହ ସେମାନେ ଏହି କ୍ଷେତ୍ରରେ ଗୁରୁଦେବ ସଦୃଶ । ଉଦାହରଣ ସ୍ୱରୂପ, ଯେତେବେଳେ ବିଦ୍ୟାର୍ଥୀ ପରିଷଦ ଦିଲ୍ଲୀ, ରାଜସ୍ଥାନ, ହରିୟାନା ଇତ୍ୟାଦି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରସଂଘ ନିକଟରେ ଛାତ୍ର କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସଭାକୁ ବାତିଲ କରିଦେଇଛନ୍ତି ।

ଜେ.ଏନ୍.ୟୁର ଛାତ୍ରୀ ଶେୟାଲୀ ରସିଦଙ୍କ ବିରୁଦ୍ଧରେ ଏଫ୍.ଆଇ.ଆର୍. ଦାୟର କରିଛନ୍ତି କାହିଁକି ନା ସେ ନିଜ ଫେସ୍ବୁକ୍ ପୃଷ୍ଠାରେ ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରି ଲେଖିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ବିଭାଜନ ବଢ଼ିଚାଲିବା ତଥା ଅବାଧ ଅଭିବ୍ୟକ୍ତିର କ୍ଷେତ୍ରଗୁଡ଼ିକ ସଙ୍କୁଚିତ ହୋଇ ଚାଲିଥିବା ଘଟଣା ସୂଚିତ କରୁଛି କେମିତି ସଂକୀର୍ଣ୍ଣ ମନୋଭାବ ବଢ଼ିଚାଲିଥିବା ଯୋଗୁଁ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେଉଁଥିପାଇଁ ପ୍ରତିଷ୍ଠିତ ହୋଇଥିଲେ; ତା’ର ବିରୁଦ୍ଧାଚରଣ ହୋଇଚାଲିଛି ।

ବିଶ୍ୱବିଦ୍ୟାଳୟଗୁଡ଼କ ହେଉଛନ୍ତି ଏଭଳି ସ୍ଥାନ ଯେଉଁଠି ଜଣେ ବିବିଧ ଚିନ୍ତାଧାରାଗୁଡ଼ିକୁ ନେଇ ଚର୍ଚ୍ଚା କରିପାରିବ, ନୂଆ ବିଚାର ପ୍ରସ୍ତୁତ କରିପାରିବ ଏବଂ ଯାହା ସବୁ ଜଣାଶୁଣା ଓ ଗ୍ରହଣ କରାଯାଇ ଆସିଛି, ସେ ସବୁକୁ ପ୍ରଶ୍ନ କରିପାରିବ ।

ଯେତେବେଳେ ରାଷ୍ଟ୍ରର ସଂସ୍ଥାଗୁଡ଼ିକ ଅବା ବିଭ୍ରାନ୍ତ ଜନତା ସେହିସବୁ ସ୍ଥାନକୁ ଧ୍ୱଂସ କରିବା ପାଇଁ ଧାଇଁ ଆସନ୍ତି, ଆମେ ନିଶ୍ଚିତ ଭାବେ ସେମାନଙ୍କ ସାଥିରେ ଛିଡ଼ା ହେବାକୁ ପଡ଼ିବ ଯେଉଁମାନେ ଗଣତାନ୍ତ୍ରିକ ଭିନ୍ନମତର ବିଲୟକୁ ବିରୋଧ କରିଆସୁଛନ୍ତି, ଯାହାକି ଗଣତନ୍ତ୍ରର ମୂଳଭିତ୍ତି ।

 

FEBRUARY 25 ,2017 VOL L11 NO 8 EPW -10 ( University as battleground)

(ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ)

Leave a Reply

This site uses Akismet to reduce spam. Learn how your comment data is processed.