ସମଦୃଷ୍ଟି

ଆଶାର ଅସହ୍ୟ ବୋଝ

ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଚିତ୍ତାକର୍ଷକ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ବିଜୟ ହିସାବରେ ଦେଖାଯାଉଛି । ଏହି ବିଜୟ ଗରିବ ଲୋକଙ୍କ ମନରେ ଭଲ ଦିନ ଆସିବାର ଆଶାକୁ ବଢ଼େଇ ଦେଇଛି ।

ଯେଉଁ ଦିଗରେ ବର୍ତ୍ତମାନର ସରକାରଙ୍କର ଅର୍ଥନୀତି ଚାଲିଛି, ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସେମାନଙ୍କ ପାଇଁ ଏକ ବହୁତ ବଡ଼ ଆହ୍ୱାନ ହେବ । ସେହି ଦୃଷ୍ଟିରୁ ହିନ୍ଦୁ ଜାତୀୟତାବାଦୀ ସଂଖ୍ୟାବହୁଳଙ୍କ କାର୍ଯ୍ୟସୂଚୀ ଉପରେ ମୋଦୀଙ୍କୁ ନିର୍ଭରଶୀଳ ହେବାକୁ ପଡ଼ିବ ।

୨୦୧୯ ନିର୍ବାଚନରେ ସେ ‘ଭାରତର ଦ୍ୱିତୀୟ ଜନରାଜ୍ୟ’ର ସର୍ବୋଚ୍ଚ ନେତା ହିସାବରେ ଆବିର୍ଭାବ ହେବାର ଯେଉଁ ଆତ୍ମବିଶ୍ୱାସ ରଖିଛନ୍ତି ତା’ର ପୂର୍ବାନୁମାନ କରିହେଇଯାଉଛି, ଯେତେବେଳେ ତାଙ୍କର ରାଜନୈତିକ ବିରୋଧୀମାନଙ୍କର ସବୁ ସ୍ତରରେ ଥିବା ଗୋଳମାଳିଆ ପରିସ୍ଥିତିକୁ ଦେଖାଯାଏ ।

ସେମାନେ ଏକାଠି ହେଲେ ମୋଦୀଙ୍କ ଆଧିପତ୍ୟର ପ୍ରଭାବକୁ ପ୍ରତିହତ କରିବାରେ ଏହି ପରିସ୍ଥିତି ପ୍ରତିବନ୍ଧକ ସୃଷ୍ଟି କରିବ । ଭାରତର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟରେ, ଯେଉଁଥିରେ ୬ଜଣ ଭାରତୀୟଙ୍କ ଭିତରୁ ଜଣେ ବାସ କରନ୍ତି, ଭାଜପାର ପ୍ରାର୍ଥୀମାନେ ଶତକଡ଼ା ୮୦ଭାଗ ଆସନରୁ ଜୟଯୁକ୍ତ ହେଇଛନ୍ତି ।

ଅଧିକାଂଶ ଉତ୍ତରପ୍ରଦେଶ ଭୋଟଦାତାଙ୍କ ନଜରରେ ମୋଦୀ ‘ଆଶା’ର ପ୍ରତିନିଧିତ୍ୱ କରୁଛନ୍ତି । ଜଣେ ଶକ୍ତିମାନ ଏବଂ ଦୁର୍ନୀତିମୁକ୍ତ ନେତୃତ୍ୱ ଯାହାର ଅନୁଗ୍ରହ ନେବା ପାଇଁ ପରିବାରଟିଏ ବି ନାହିଁ, ଏଭଳି ଏକ ଭାବମୂର୍ତି ଉତ୍ତରପ୍ରଦେଶର ଅଧିକାଂଶ ଗରିବ ଲୋକମାନଙ୍କୁ ଆବେଦନ କରିଥିଲା । ୧୯୭୧ରେ ବାଂଲାଦେଶ

ସୃଷ୍ଟି ହେବା ପରେ ଇନ୍ଦିରା ଗାନ୍ଧୀଙ୍କର ଯେଉଁଭଳି ଲୋକପ୍ରିୟତା ସୃଷ୍ଟିହୋଇଥିଲା, ତା’ ପରଠାରୁ ଅନ୍ୟ କୌଣସି ବ୍ୟକ୍ତି ଭାରତୀୟ ରାଜନୀତିରେ ସେତିକି ପତିଆରା ଜାହିର କରିପାରିନାହାଁନ୍ତି । ମୋଦୀ ଆଜି ସେତିକି କରିପାରିଛନ୍ତି ।

କୌଣସି ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ନିର୍ବାଚନରେ ଏମିତି ବ୍ୟାପକ ପ୍ରଚାର ଅଭିଯାନ କରିନଥିଲେ ମୋଦୀ ଯେମିତି ଉତ୍ତରପ୍ରଦେଶ ନିର୍ବାଚନ ବେଳେ କରିଛନ୍ତି ।

ଏଥିପୂର୍ବରୁ ଏହି ରାଜ୍ୟର ନିବାଚନରେ ଏଭଳି ଘଟଣା ମଧ୍ୟ ଘଟି ନଥିଲା ଯେ ଗୋଟିଏ ରାଜନୈତିକ ଦଳ ନିଜ ଯୋଜନାରୁ ଖୋଲାଖୋଲି ମୁସଲମାନମାନଙ୍କୁ ବାଦ୍ ଦେଇପାରିଲା, ଯେଉଁମାନଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫ଭାଗରୁ ଏକ ଭାଗ ।

ମୁସଲମାନଙ୍କ ପାଇଁ ବାର୍ତ୍ତାଟି ସ୍ପଷ୍ଟ ଥିଲା; ଯେହେତୁ ତୁମେ କୌଣସି ପ୍ରକାରେ ଭାଜପାକୁ ଭୋଟ ଦେବନାହିଁ ଆମେ ଗୋଟିଏ ବି ମୁସଲମାନ ପ୍ରାର୍ଥୀ କାହିଁକି ଛିଡ଼ା କରେଇବୁ?

ମୋଦୀ ଏବଂ ତାଙ୍କର ବିଶ୍ୱସ୍ତ ସୈନିକ ଭାଜପା ସଭାପତି ଅମିତ ଶାହା, ଯିଏ ଦକ୍ଷତାର ସହ ତଳସ୍ତରରୁ ନିର୍ବାଚନ ପରିଚାଳନା କଲେ, ଭଲ ଭାବେ ବୁଝି ସାରିଥିଲେ ‘ଫାଷ୍ଟ-ପାଷ୍ଟ- ଦି-ପୋଷ୍ଟ’ ନିର୍ବାଚନ ବ୍ୟବସ୍ଥାରେ ଥିବା ଅନିୟମିତତାକୁ (ଯେଉଁ ବ୍ୟବସ୍ଥାରେ ଭୋଟରମାନଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମୋହର ଦେବାପାଇଁ କୁହାଯାଏ ଏବଂ ଯିଏ ସର୍ବାଧିକ ପସନ୍ଦ ପାଏ ତାକୁ ବିଜେତା ଘୋଷିତ କରାଯାଏ) ।

ଅନ୍ୟ ଅର୍ଥରେ ବିଜେତା ସବୁ କିଛି ନେଇଯାଏ ଏବଂ ପରାଜିତ ସବୁ କିଛି ହରାଇଥାଏ । ଉତ୍ତରପ୍ରଦେଶ ଭଳି ଉତ୍ତରାଖଣ୍ଡରେ ମଧ୍ୟ ଭାଜପା ବିପୁଳ ବିଜୟ ହାସଲ କରିଥିଲା ।

ଉତ୍ତରପ୍ରଦେଶ ତୁଳନାରେ ଉତ୍ତରାଖଣ୍ଡ ରାଜନୀତି ଭିନ୍ନ; ଯେଉଁଠି ୨୦୦୦ ମସିହାରେ ଉତ୍ତରପ୍ରଦେଶରୁ ବାହାରି ଏହି ନୂତନ ରାଜ୍ୟ ଗଠନ ହେବା ପରଠାରୁ କଂଗ୍ରେସ ଓ ଭାଜପା ଭିତରେ କ୍ଷମତାର ଅଦଳବଦଳ ଚାଲିଛି । ପ୍ରତିଟି ନିର୍ବାଚନରେ ଅନ୍ୟ ଦଳଟି କ୍ଷମତାକୁ ଆସୁଛି ।

ଯେଉଁ ରାଜ୍ୟଗୁଡ଼ିକ ଏଥର ନିର୍ବାଚନକୁ ଯାଇଥିଲେ ସେମାନେ ପରସ୍ପର ଠାରୁ ଭିନ୍ନଥିଲେ ବି ଏଥର ସବୁ ରାଜ୍ୟରେ ଶାସନରେ ଥିବା ଦଳମାନେ ପରାଜିତ ହୋଇଛନ୍ତି । ଶାସକ ଦଳ ବିରୋଧୀ ଭାବନା ବହୁତ କମ୍ ଦେଖିବାକୁ ମିଳିଥିଲା ମଣିପୁର ରାଜ୍ୟରେ ଯେଉଁଠି କଂଗ୍ରେସର ଓକ୍ରାମ ଇବୋବି ସିଂହ କ୍ରମାଗତ ତିନିଥର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।

ମଣିପୁର ଏବଂ ଗୋଆରେ କଂଗ୍ରେସ ନେତୃତ୍ୱ (ଯାହା ବି ଟିକିଏ ଅଛି) ବିଜୟର ପଞ୍ଝାରୁ ପରାଜୟକୁ ବରଣ କଲା- ଭାଜପାର ଯୋଗାଡ଼ିଆ ରାଜନୀତିର ଦକ୍ଷତା ସହ ତାଳ ନଦେଇପାରି, ଯେଉଁସବୁ ଦକ୍ଷତା ସେମାନେ କଂଗ୍ରେସ ଦଳଠାରୁ ହିଁ ଶିଖିଥିଲେ ।

ପଞ୍ଜାବରେ ଶିରୋମଣୀ ଅକାଳୀ ଦଳ ଓ ଭାଜପା ଗଠବନ୍ଧନ ୧୦ବର୍ଷ କ୍ଷମତାରେ ରହିବା ପରେ ନିର୍ବାଚନ ହାରିବେ ବୋଲି ଆଶା କରାଯାଇଥିଲା, ତାହା ହିଁ ହେଲା । ଯଦିଓ କିଛି ଅଧିକ ଆସନ ପାଇଥିବା ଆମ୍ ଆଦ୍ମୀ ପାର୍ଟି ତୁଳନାରେ ଏହି ଦୁଇଟି ଦଳ ଅଧିକ ଭୋଟ ପାଇଛନ୍ତି ।

ରାଜ୍ୟ ରାଜନୀତିରେ ଏହି ନୂଆ ଖେଳାଳୀଟି କିନ୍ତୁ ନିଜର ପ୍ରଦର୍ଶନକୁ ନେଇ ଅତି ଅସନ୍ତୁଷ୍ଟ ।

ଗତ ଦୁଇଟି ନିର୍ବାଚନରେ ଅକାଳୀ ଦଳ-ଭାଜପା ଗଠବନ୍ଧନକୁ ଯେଉଁମାନେ ଭୋଟ ଦେଇଥିଲେ ସେମାନଙ୍କ ଭିତରୁ ବଡ଼ ଭାଗଟିଏ କଂଗ୍ରେସକୁ ଭୋଟ ଦେବାପାଇଁ ପସନ୍ଦ କଲେ, କାହିଁକି ନା ଆପ୍ ଦଳର ‘ଉଗ୍ରବାଦୀ’ଙ୍କ ସହ ଘନିଷ୍ଠତା ଅଛି ବୋଲି ଅଭିଯୋଗ ଆସୁଥିଲା, ସେମାନେ ବେଶି ଦିଲ୍ଲୀକୈନ୍ଦ୍ରିକ ଥିଲେ ଏବଂ ଅଭିଜ୍ଞତାର ଅଭାବ ସେମାନଙ୍କ ପାଖରେ ଅଛି ବୋଲି ଏମାନେ ବିବେଚନା କଲେ ।

କୌତୁହଳର କଥାଟି ହେଲାଯେ ବିମୁଦ୍ରୀକରଣର ପ୍ରଭାବ ପଞ୍ଜାବରେ ପରିଲକ୍ଷିତ ହେଇ ନଥିଲା ଉତ୍ତରପ୍ରଦେଶରେ କିନ୍ତୁ ଯାହାକୁ ସ୍ୱଆମନ୍ତ୍ରିତ ବୋଝ ବୋଲି ଅଧିକାଂଶରେ ବିଚାର କରାଯାଉଥିଲା, ମୋଦୀ ତାକୁ ଏକ ରାଜନୈତିକ ସମ୍ପଦରେ ରୂପାନ୍ତରିତ କରିପାରିଥିଲେ ।

ଏହା କେମିତି ହୋଇପାରିଲା?

ଉତ୍ତରପ୍ରଦେଶର ଅନ୍ତିମ ଚରଣ ପାଇଁ ନିର୍ବାଚନ ଅଭିଯାନରେ ମୋଦୀ ଉଲ୍ଲେଖନୀୟ ଭାବେ କହି ଆସିଥିଲେ ଯେ, ଯଦିଓ ସେ ‘ଭୁଲ୍’ କରିପାରନ୍ତି, ତେବେ ତାଙ୍କର ‘ଉଦ୍ଦେଶ୍ୟ’କୁ କେହି ସନ୍ଦେହ କରିବା ଉଚିତ ହେବନାହିଁ ।

ବିମୁଦ୍ରାୟନ କଳାଧନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ଅବା ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଜାଲ୍ ଟଙ୍କାକୁ ମଧ୍ୟ ବନ୍ଦ କରାଇପାରିବନି । ମୁଦ୍ରା ଉପରେ ‘କମ୍ ନିର୍ଭରଶୀଳ’ ହେବା ପାଇଁ ମଧ୍ୟ ଭାରତକୁ ସମୟ ଲାଗିବ ।

ମୋଦୀ ଯେଉଁଠି ନିଜ ସମାଲୋଚକଙ୍କୁ ଦୃଢ଼ ମୁକାବିଲା କଲେ, ତାହା ହେଉଛି ତାଙ୍କର ଜନଗଣଙ୍କୁ ବାର୍ତ୍ତା ଦେବାର ଦକ୍ଷତା । ବିମୁଦ୍ରାୟନର ବିରୋଧୀମାନଙ୍କ ପାଇଁ ବାସ୍ତବତାକୁ ବୁଝିବାର ଏହା ଏକ କ୍ଷଣ ଥିଲା ।

ଦୁର୍ଜନଙ୍କ ନେତା ହିସାବରେ ପ୍ରଧାନମନ୍ତ୍ରୀଙ୍କ ଆଚରଣ ସର୍ବୋକ୍ରୃଷ୍ଟ ଥିଲା । ବିମୁଦ୍ରାୟନକୁ ସମାନତାର ପ୍ରତୀକ ହିସାବରେ ଦେଖାଗଲା ଯେଉଁଠି, ଗରିବ, ମଧ୍ୟବିତ ଶ୍ରେଣୀ ଓ ଧନୀକ ଶ୍ରେଣୀର କିଛି ଲୋକ ଗୋଟିଏ ଧାଡ଼ିରେ ବ୍ୟାଙ୍କ ଆଗରେ ଛିଡ଼ା ହେଉଥିଲେ ।

ବିମୁଦ୍ରାୟନର ଗଭୀର ସାଙ୍କେତିକ ରାଜନୀତିକୁ ଆମେ ବୁଝି ପାରିନଥିଲୁ ଯେଉଁମାନେ ଏହାର ଅର୍ଥନୈତିକ କୁପ୍ରଭାବଗୁଡ଼ିକ ଉପରେ ଆଲୋକପାତ କରୁଥିଲୁ । ଗରିବଲୋକଙ୍କ ପାଇଁ ଜୀବନଟା ସବୁବେଳେ କଠିନ ଥିଲା, ମୋଦୀ କିନ୍ତୁ ଏଭଳି ଏକ ବୁଝାମଣା ଦକ୍ଷତାର ସୃଷ୍ଟି କରିପାରିଲେ ଯେ, ଧନୀମାନଙ୍କ ଭିତରୁ କିଛି ସେମାନଙ୍କ ଭଳି ଅସୁବିଧା ଭୋଗିବେ ବା ସେମାନଙ୍କ ସହ ଅସୁବିଧାଗୁଡ଼ିକୁ ଏକାଠି ନିଭାଇବେ ।

ଏହି କଥା ଅର୍ଥନୀତି ଦୃଷ୍ଟିରୁ ଅପେକ୍ଷାକୃତ ପଛୁଆ ରାଜ୍ୟ ଉତ୍ତରପ୍ରଦେଶରେ ଭଲ କାମ ଦେଲା, ଯେଉଁଠି କୃଷି ଦୃଷ୍ଟିରୁ ଉନ୍ନତ ପଞ୍ଜାବ ତୁଳନାରେ ଆକାଂକ୍ଷା/ ଅଭିଳାଷଗୁଡ଼ିକର ଅଧିକ ପ୍ରଚାର କରାଯାଇଥାଏ ।

ଧନୀମାନଙ୍କ ଅପେକ୍ଷା ଗରିବମାନଙ୍କୁ ବିମୁଦ୍ରାୟନ ନିଶ୍ଚିତ ଭାବେ ଅଧିକ ଆଘାତ ପହଂଚାଇଛି । କିନ୍ତୁ ଏହାର ସମାଲୋଚକମାନେ (ଏହି ପତ୍ରିକା ପାଇଁ ଲେଖିଥିବା ଲୋକଙ୍କ ସମେତ) ସ୍ପଷ୍ଟଭାବେ ମୋଦୀଙ୍କ ‘ମୁକ୍ତିଦାତାର ଉତ୍ସାହ’କୁ ଗୌଣ କରିଦେଇଥିଲେ ।

ଏହି ଉତ୍ସାହ ଯୋଗୁ ବିମୁଦ୍ରାୟନ ଭଳି ଅଦ୍ଭୁତପୂର୍ବ ପଦକ୍ଷେପ ‘ଭଲ ଉଦ୍ଦେଶ୍ୟ’ରେ କରାଯାଇଛି ଏବଂ ତାହା ଅର୍ଥନୈତିକ ଦୃଷ୍ଟିରୁ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ଗୋଟିଏ ବାର୍ତାକୁ ବିକ୍ରି କରାଯାଇପାରିଥିଲା ।

‘ପୁଞ୍ଜିବାଦୀ’ ମୋଦୀ ଏବଂ ‘ସମାଜବାଦୀ’ ଇନ୍ଦିରା ଗାନ୍ଧୀଙ୍କ ସ୍ୱେଚ୍ଛାଚାରୀ କାର୍ଯ୍ୟଧାରା ଭିତରେ ଥିବା ସାମଞ୍ଜସ୍ୟତାକୁ ନେଇ ବହୁତ କଥା କୁହାଯାଇଛି । କିନ୍ତୁ ସେମାନଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଭିନ୍ନତା ରହିଆସିଛି ।

‘ଗରିବୀ ହଟାଅ’ ନାରାଟି ଏଭଳି ଜନପ୍ରିୟତାର ଏପରି ଏକ ସ୍ତରକୁ ନେଇଆସିଥିଲା ଯେ, କଂଗ୍ରେସର ଏହି ‘ଏକମାତ୍ର ପୁରୁଷ’ ଜଣକ ନିଜ ଦଳଟିକୁ ୨ଥର ବିଭାଜିତ କରିପାରିଲେ, ଦେଶର ଅଧିକାଂଶ ବ୍ୟାଙ୍କମାନଙ୍କର ଜାତୀୟକରଣ କରିପାରିଲେ ଏବଂ ପୂର୍ବତନ ରାଜା-ମହାରାଜାମାନଙ୍କୁ ଦିଆଯାଉଥିବା ଭତା ‘ପ୍ରିଭି ପର୍ସ୍’କୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇପାରିଲେ ।

ପ୍ରଧାନମନ୍ତ୍ରୀଙ୍କ ନୂତନ ଭାଷଣ କଳାରେ ଗରିବୀ ହଟେଇବାର ସ୍ଥାନ ନାହିଁ ବରଂ ରହିଛି ଅପେକ୍ଷାକୃତ ଏକ ଭଲ ଜୀବନ ପାଇଁ ସୁଯୋଗର ପ୍ରତିଶ୍ରୁତି ।
ଏବେ କିଛିଦିନ ହେବ, ଯେମିତି ଭାରତର ଜନସଂଖ୍ୟାର ଶତକଡ଼ା ୮୦ଭାଗ ଲୋକଙ୍କ ହିନ୍ଦୁ ଅସ୍ମିତା ସହ ଆର୍.ଏସ୍.ଏସ୍ ଏବଂ ଭା.ଜ.ପାର ଜାତୀୟତାବାଦ୍କୁ ଯୋଡ଼ି ଦିଆଯାଇଛି, ସେହିଭଳି ସଂଘ ପରିବାରର ହିନ୍ଦୁତ୍ୱ କାର୍ଯ୍ୟସୂଚୀରେ ‘ବିକାଶ’କୁ ମିଶାଇ ଦିଆଯାଇଛି ।

ଯେତେବେଳେ କି ମୋଦୀ କହୁଛନ୍ତି ସେ ଦରିଦ୍ରମାନଙ୍କୁ ଅନୁଗ୍ରହ ବିତରଣ କରିବା ସପକ୍ଷରେ ସେ ନାହାନ୍ତି ବରଂ ସେମାନଙ୍କୁ ନିଯୁକ୍ତି ଦେବେ, ସେ ପୂର୍ବ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କିଛି କଲ୍ୟାଣକାରୀ ଯୋଜନାକୁ ଅଧିକ ଉନ୍ନତ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି (ଯେମିତିକି ରନ୍ଧନ ଗ୍ୟାସ ପାଇଁ ରିହାତି ଦେବାଠାରୁ ଆରମ୍ଭ କରି ଶୂନ୍ୟ ପଇସା ଥାଇ ବ୍ୟାଙ୍କଖାତା ଖୋଲିବା ଯାଏଁ) । ଭିନ୍ନତାଟି ପୁଣିଥରେ ଅଭିନବ ନାରାବାଜିରେ ହିଁ ପ୍ରତିଫଳିତ ହେଉଛି ।

ଆମ ଦେଶରେ ଏବଂ ଅନ୍ୟତ୍ର ମଧ୍ୟ ପୁଞ୍ଜିବାଦର ଢାଂଚାଗତ ଯୁକ୍ତିଟି ବିଷମତା ଓ ନିଯୁକ୍ତିବିହୀନ ଅଭିବୃଦ୍ଧିକୁ ଅଧିକ ଶାଣିତ କରୁଛି । ଯେହେତୁ ମୁଦ୍ରାସ୍ଫୀତିଜନିତ ଚାପ ବଢ଼ୁଛି ଏବଂ ଶ୍ରମକୁ ପୁଞ୍ଜି ଦ୍ୱାରା ହଟାଇ ଅଭିବୃଦ୍ଧି ବଢ଼ାଉଥିବା ଘରୋଇ କ୍ଷେତ୍ର ପାଇଁ ନିଯୁକ୍ତି ସୃଷ୍ଟି କରିବା ତୁଳନାତ୍ମକ ଭାବେ ଅଧିକ କଠିନ କାମ ହେଇଯାଉଛି, ଅଛେ ଦିନ ବା ଭଲ ଦିନ ଆଣିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ମୋଦୀଙ୍କ ପାଇଁ କଷ୍ଟକର ହେବ ।

ଯେହେତୁ ଅଧିକ ଲୋକ ଏକଥା ଅନୁଭବ କରୁଛନ୍ତି, ଲୋକମାନଙ୍କୁ ଭାଗ ଭାଗ କରିବାପାଇଁ ମୋଦୀ ତାଙ୍କ ପରିଚିତ ରେଖାଟିକୁ ପ୍ରୟୋଗ କରିବାକୁ ପଡ଼ିବ, ଯଥା-‘ତୁମେ ଆମ ସହ ଅଛ ନଚେତ ତୁମେ ଆମ ବିରୋଧରେ ଅଛ’ ।

ଭୟଭୀତ କରାଇ ମୁକ୍ତ ଅଭିବ୍ୟକ୍ତିକୁ ଚପାଇ ଦିଆଯିବ କେତେବେଳେ ଜାତୀୟତା ଆଉ କେତେବେଳେ ଦେଶ ବିରୋଧ ଶବ୍ଦର ପ୍ରୟୋଗ କରି । ଲୋକପ୍ରିୟତା ପାଇବା ପାଇଁ ସେ ୟୁନିଫର୍ମ ସିଭିଲ୍ କୋଡ଼ ଆଣିବା ପାଇଁ କହିପାରନ୍ତି (ମୁସଲମାନ ମହିଳାମାନଙ୍କୁ ତିନିଥର ‘ତଲାକ୍’ ନିର୍ଯାତନାରୁ ମୁକ୍ତ କରିବା ପାଇଁ) ଏବଂ ବିଧାନସଭାରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେଇପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟସଭାରେ ଭାଜପା ସଂଖ୍ୟା -ଗରିଷ୍ଠତା ହାସଲ କରିବା କଥାଟି ଦେଖାଯାଉଛି । ସମ୍ବିଧାନର ମୁଖବନ୍ଧଟିକୁ ସଂଶୋଧିତ କରି ସେଠୁ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦଗୁଡ଼ିକୁ ହଟେଇ ଦେବାପାଇଁ ମଧ୍ୟ ଉଦ୍ୟମ ହୋଇପାରେ ।

ଭାଜପାର ସମର୍ଥକମାନେ ଉତ୍ତରପ୍ରଦେଶ ନିର୍ବାଚନରେ ଜାତିଭିତିକ ଅସ୍ମିତାର ପରାଜୟ ହୋଇଛି ବୋଲି ଏକ ବାଖ୍ୟାକରି ବିଜୟ ଉଲ୍ଲାସ ମନାଉଛନ୍ତି । ଏହା ଏକ ସରଳ ଭାବନା । ଅଧିକାଂଶ ଅଣଯାତବ ଦଳିତମାନେ ବହୁଜନ ସମାଜପାର୍ଟି (ବି.ଏସ୍.ପି.) ସହ ସାଥି ଦେଇନଥିଲେ ।

ଅନ୍ୟାନ୍ୟ ପଛୁଆଶ୍ରେଣୀର ଅଣଯାଦବ ଭୋଟରମାନେ ସମାଜବାଦୀ ପାର୍ଟିର ସରକାର ଯାଦବଙ୍କ ପକ୍ଷ ନେଉଥବା ମନେ କରୁଥିଲେ ।

ଯଦିଓ ଉଭୟ ବି.ଏସ୍.ପି. ଓ ସମାଜବାଦୀ ପାର୍ଟିର ପାରମ୍ପରିକ ଭୋଟଦାତାମାନେ ସେମାନଙ୍କୁ ଛାଡ଼ି ଚାଲିଯାଇନାହାଁନ୍ତି, ତେବେ କେଉଁ ଜାତିଗୁଡ଼ିକୁ ସେମାନେ ନିଜ ସହ ନେଇପାରିବେ ଏଭଳି ଏକ ସୁଚିନ୍ତିତ ରଣନୀତି ଭାଜପାର କାମରେ ଆସିପାରିଛି ।

ବି.ଏସ୍.ପି.ର ସର୍ବୋଚ୍ଚନେତ୍ରୀ ମାୟାବତୀଙ୍କର ନିକଟର ରାଜନୈତିକ ଭବିଷ୍ୟତ କ୍ଷୀଣ ଦେଖାଯାଉଛି । ନିଜ ରାଜ୍ୟସଭା ଆସନଟିକୁ ବଂଚାଇବା ପାଇଁ ମଧ୍ୟ ସେ ବିଫଳ ହେଇପାରନ୍ତି । ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ନିଜ ପାଦ ତଳୁ ଖସିଯାଇଥିବା ମାଟିକୁ ସଜାଡ଼ିବା ପାଇଁ ଏବଂ ପାରିବାରିକ ଅନ୍ତଦ୍ୱନ୍ଦ ଯୋଗୁଁ ଘଟିଥିବା କ୍ଷତିର ଭରଣା ପାଇଁ ଅଧିକ ସମୟ ନେବେ ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପାଇଁ ଯେତେ କମ୍ କୁହାଯିବ ଭଲ । ଭାରତରେ ଏକ ପ୍ରଭାବଶାଳୀ ରାଜନୈତିକ ଦଳ ହିସାବରେ ସେମାନଙ୍କ ସ୍ଥାନ ଦଖଲ କରିଥିବା ଭାଜପା ଦ୍ୱାରା ସେମାନଙ୍କର ଦୟନୀୟ ପରାଜୟର କାରଣଗୁଡ଼ିକୁ ସ୍ୱୀକାର କରିବାପାଇଁ ସେ ଏଯାଏଁ ପ୍ରସ୍ତୁତ ନାହାନ୍ତି ।

ପଞ୍ଜାବରେ ଦଳର ବିଜୟକୁ ନେଇ ତାଙ୍କୁ କୌଣସି ଶ୍ରେୟ ଦିଆଯାଇପାରିବ ନାହିଁ । କଂଗ୍ରେସ ନିଜର ପୁର୍ନଃବିନ୍ୟାସ କରିପାରିବ କି, ଗାନ୍ଧୀ ନେହେରୁ ପରିବାରକୁ ସମାଲୋଚନାରୁ ସୁରକ୍ଷା ଦେଉଥିବା ଗୋଷ୍ଠିଟିକୁ ବାଦ ଦିଆଯାଇପାରିବ କି ଏବଂ ଶୂନରୁ ଗୋଟିଏ ତୃଣମୂଳ ସ୍ତରର ସଙ୍ଗଠନ ତିଆରି କରାଯାଇ ପାରିବ କି? ଏହା ହେଇପାରିବ, ସନ୍ଦେହ ଲାଗୁଛି ।

ଅଧିକ ଦ୍ରୁତଗତିରେ ବିଲୁପ୍ତ ହେଇଯିବା ବ୍ୟତୀତ, କଂଗ୍ରେସର ଆଉ ଅନ୍ୟକିଛି ବିକଳ୍ପ ନାହିଁ । କିନ୍ତୁ ଟିକିଏ ରହିଯାଆନ୍ତୁ । ଏକ କଂଗ୍ରେସମୁକ୍ତ ଭାରତ ସମ୍ପର୍କରେ ଅନେକ କଥା କହିବା ସତ୍ୱେ ନିଜର ମୁଖ୍ୟ ‘ପ୍ରତିପକ୍ଷ’ ହିସାବରେ କଂଗ୍ରେସ ଓ ରାହୁଳଙ୍କୁ ରଖିବା ପାଇଁ ଭାଜପା ଭୟଙ୍କର ଭାବେ ଚାହେଁ ।

ଭାଜପାର ରାଜନୈତିକ ବିରୋଧୀମାନେ ଏବେ ଯିବେ କୁଆଡ଼େ? ପଞ୍ଜାବରେ ଖରାପ ପ୍ରଦର୍ଶନ ଏବଂ ଗୋଆରେ ଗୋଟିଏ ବି ଆସନ ପାଇବାରେ ବିଫଳ ହେଇଥିବା ଆପ୍ ଦଳ ଭବିଷ୍ୟତଟି ଦିଲ୍ଲୀ ପୌର ନିର୍ବାଚନରେ କଠୋର ପରୀକ୍ଷାର ସମ୍ମୁଖୀନ ହେବ ।

ଏହି ନିର୍ବାଚନରେ ଭାଜପା କୌଣସି ପୁରୁଣା ପାରିଷଦଙ୍କୁ ଟିକେଟ ଦେଇନାହିଁ । ଆପ୍ର ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ସର୍ବଭାରତୀୟ ଆକାଂକ୍ଷାକୁ ନେଇ ଗଭୀରତାର ସହ ବିଚାର କରିବାକୁ ପଡ଼ିବ । ଯେଉଁମାନେ ତାଙ୍କୁ ଅହଙ୍କାରବାଦୀ କହି ଛାଡ଼ି ଯାଇଥିଲେ, ସେମାନଙ୍କ ସହ ସମ୍ପର୍କର ସେତୁ ବାନ୍ଧିବାକୁ ଯଦି ପଡ଼େ, ସେ ନିଷ୍ପତି ମଧ୍ୟ ତାଙ୍କୁ ନେବାକୁ ପଡ଼ିବ ।

ଏକଥା ନିଶ୍ଚିତ ଯେ ପଶ୍ଚିମବଙ୍ଗରେ ବାମମେଂଟଙ୍କୁ ପଛରେ ପକାଇ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ କଂଗ୍ରେସର ମୁଖ୍ୟ ବିରୋଧୀ ହେବାପାଇଁ ଭାଜପା କଠିନ ଉଦ୍ୟମ କରୁଛି । ଏହି ରାଜ୍ୟ ଘୃଣ୍ୟ ରାଜନୈତିକ ହିଂସାର ପରବର୍ତୀ ଯୁଦ୍ଧଭୂମି ପାଲଟିଯିବ, ହୁଏତ ଯାହା ସାମ୍ପ୍ରଦାୟିକ ରଙ୍ଗ ନେଇପାରେ ।

ଏକଥା ଭାବିବା ମଧ୍ୟ ଅତି ସରଳ ହେବ ଯେ, ଭାଜପାକୁ ବିରୋଧ କରୁଥିବା ସବୁ ରାଜନୈତିକ ଶକ୍ତିମାନେ ବିରୋଧୀ ଭଳି ଏକାଠି ହୋଇ ଗୋଟିଏ ମହା ମେଳି ବା ଗଠବନ୍ଧନ କରିବେ ।

ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ, ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍ର ସବୁ ଗୋଷ୍ଠୀ ଓ ଡ୍ରାଭିଡ଼ ମୁନ୍ନେତ୍ରା କାଝାଗମ୍ ନିଜ ଭିତରେ ଭିନ୍ନତାକୁ ଭୁଲିଯାଇ ସମସ୍ତଙ୍କର ଥିବା ଗୋଟିଏ ଶତ୍ରୁ ବିରୁଦ୍ଧରେ ଏକାଠି ହେବେ – ଏକଥା ସହଜ ଲାଗୁନାହିଁ ।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଭାଜପା ବିରୋଧୀ ସମୂହର ସର୍ବସମ୍ମତ ନେତା ହିସାବରେ ବେଶ୍ ଭଲଭାବେ ବାହାରି ପାରନ୍ତି । ସେ ନିଶ୍ଚୟ ଭାଗ୍ୟକୁ ସାଧୁବାଦ ଦେଉଥିବେ ଯେ ବିମୁଦ୍ରାୟନକୁ ସମାଲୋଚନା କରିବା ପାଇଁ ସେ ସମୟ ନେଲେ, ତାହା ବି ମୂକ ଭଳି ।

ନିଜ ନିରାଶାକୁ ଅତିକ୍ରମ କରିବା ମୋଦୀବିରୋଧୀଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଆସନ୍ତା ନିର୍ବାଚନରେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ଭଲ ପ୍ରଦର୍ଶନ କରିବାର ପ୍ରତ୍ୟେକଟି ସମ୍ଭାବନା ଅଛି ।

ନିଜେ ଦେଇଥିବା ପ୍ରତିଶ୍ରୁତି ଯାହା ପୂରଣ ହେଇପାରୁନାହିଁ ସେଥିରୁ ଧ୍ୟାନ ହଟାଇବା ପାଇଁ ଯଦିଓ ମୋଦୀ ହିନ୍ଦୁତ୍ୱ ଓ ଭଲ ଦିନ ଆସିବା ଉପରେ ଅଧିକ ଗୁରୁତ୍ୱ ଦେବେ, ତେବେ ତାଙ୍କର ପ୍ରତିପକ୍ଷମାନେ ଏକାଠି ହେବାରେ ଯେଉଁ ଅସୁବିଧାର ସାମ୍ନା କରୁଛନ୍ତି ତାହା ମୋଦୀଙ୍କ ସପକ୍ଷରେ ଯିବ ।

March 18 ,2017 VOL L 11 NO 11 EPW -3 ( Unbearable Burden of Expectations)

Leave a Reply

This site uses Akismet to reduce spam. Learn how your comment data is processed.