ସମଦୃଷ୍ଟି

ସାଧାରଣ ଔଷଧ ପାଇଁ ଡାକ୍ତରୀ ଚିଠା

ଏସ୍. ଶ୍ରୀନିବାସ ଲେଖିଛନ୍ତି : ଔଷଧର ସାଧାରଣ ନାଁରେ ହିଁ ଡାକ୍ତର ରୋଗୀଙ୍କର ଚିଠା ଲେଖିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ପାରାଙ୍କ ଗହଣରେ ବିଲେଇଟିକୁ ଛାଡ଼ିଦେବା ସଦୃଶ ।

ଏହା ଏକ ସୁଚିନ୍ତିତ ପଦକ୍ଷେପ ନୁହେଁ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ସଙ୍କଟ ତଥା ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ସୁଲଭ ଦରରେ ଔଷଧ ଉପଲବ୍ଧ ହେବାର ବିଫଳତା ପ୍ରତି ଆମର ଧ୍ୟାନକୁ ହଟାଇ ଅଲଗା ଆଡ଼କୁ ଟାଣି ନେଉଛି ।

ଭାରତର ଘରୋଇ ଔଷଧ ବଜାରରେ ଯେଉଁ ୧ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହେଉଛି ସେଥିରୁ ଅନ୍ତତଃ ଶତକଡ଼ା ୯୦ଭାଗ ଔଷଧ, ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ନାଁରେ ବିକ୍ରି ହେଉଛି ।

ବିକ୍ରି ହେଉଥିବା ବ୍ରାଣ୍ଡ ନାଁ’ରେ ବା କମ୍ପାନୀ ପ୍ରଦତ୍ତ ନାଁ’ରେ ମିଳୁଥିବା ଔଷଧର ସମତୁଲ ସାଧାରଣ ନାଁରେ ଔଷଧ ବଜାରରେ ମିଳୁନାହିଁ । ବଜାରରେ ମିଳୁଥିବା ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଔଷଧରେ ବିଭିନ୍ନ ଔଷଧର ମିଶ୍ରଣ ଥାଏ ।

ଅଧା ସେଥିର ମିଶ୍ରଣ ଅଯୌକ୍ତିକ । ଅନେକ ମିଶ୍ରିତ ଡୋଜ୍ ଥିବା ଔଷଧରେ ୮ରୁ ୯ପ୍ରକାର ଔଷଧ ଥାଏ । ହଜାର ହଜାର ଏହିଭଳି ଏଫ୍.ଡି.ସି. (ମିଶ୍ରିତ ଔଷଧ) ବ୍ରାଣ୍ଡର ଔଷଧ ବଜାରରେ ଥିବାବେଳେ, ପ୍ରତିଟି ଔଷଧରେ କେଉଁସବୁ ଅନ୍ୟ ଔଷଧ ରହିଛି ଏବଂ ସେସବୁର ସାଧାରଣ ନାଁ କ’ଣ ତାକୁ ମନେ ରଖିବା ଓ ଲେଖିବା ଏକ ଅବାସ୍ତବ କଥା ।

ଯଦି ବି ଡାକ୍ତର କେବଳ ଗୋଟିଏ ଔଷଧର ମାତ୍ରା ଥିବା ଔଷଧଟିର ସାଧାରଣ ନାଁ’ଟି ରୋଗୀଙ୍କ ଚିଠାରେ ଲେଖିଦିଅନ୍ତି, ଫାର୍ମାସିଷ୍ଟମାନେ ବା ଔଷଧ ଦୋକାନୀ ସେହି ବ୍ରାଣ୍ଡର ଔଷଧ ବିକିବ ଯେଉଁଥିରେ ତାକୁ ବେଶୀ ଲାଭ ମିଳିବ ଏବଂ ସମ୍ଭବତଃ ସମାନ ଗୁଣବତା ଥିବା କମ୍ ଦାମର ଔଷଧ ମହଜୁଦ ରଖିବ ନାହିଁ- ତାହା ବ୍ରାଣ୍ଡ୍ ଔଷଧ ହେଉ ବା ସାଧାରଣ ଔଷଧ ହେଉ ।

ଏହାଦ୍ୱାରା ଖାଉଟିମାନଙ୍କ ପାଇଁ ସୁଲଭ ଦରରେ ଔଷଧ ଉପଲବ୍ଧ କରିବା ନିମନ୍ତେ ଯେଉଁ ଉଦ୍ଦେଶ୍ୟ ରଖାଯାଇଛି ତାହା ବିଫଳ ହେଉଛି ।
ସାଧାରଣ ଔଷଧ ଡାକ୍ତର ଲେଖିବା ଦ୍ୱାରା ନିୟନ୍ତ୍ରଣଟି ଔଷଧ କମ୍ପାନୀମାନଙ୍କର ହାତରୁ ଯାଇ ଔଷଧ ବିକ୍ରେତା ପାଖରେ ପହଂଚିଛି; ଡାକ୍ତରଠାରୁ ଅନେକ ଦୂରରେ ଏବଂ ବ୍ୟବସାୟ ବି ଯେମିତି ଚାଲିଛି ସେମିତି ଚାଲିବ । ରୋଗୀଙ୍କ ଚିକିତ୍ସା ଖର୍ଚ୍ଚର ଶତକଡ଼ା ୫୦ରୁ ୮୦ଭାଗ ପୂର୍ବଭଳି ଔଷଧ ବାବଦରେ ଖର୍ଚ୍ଚ ହେବ ।

ଭାରତ ସରକାର ଜନଔଷଧି ନାଁ’ରେ ଔଷଧ ଦୋକାନ ଖୋଲି ଯେତେ ସମ୍ଭବ ସାଧାରଣ ଔଷଧ ବିକ୍ରି କରିଆସିଛନ୍ତି । ସେଥିରେ ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠିତ ଔଷଧ କମ୍ପାନୀମାନଙ୍କୁ ପ୍ରାଥମିକତା ଦିଆଯାଇ ଆସିଛି ।

କିନ୍ତୁ ଯଥେଷ୍ଟ ଜନଔଷଧି ଦୋକାନ ଖୋଲାଯାଇ ପାରିନାହିଁ ଯେଉଁମାନଙ୍କ ସଂଖ୍ୟା ମାତ୍ର ୩୦୦୦ ହେବ । କିନ୍ତୁ ଖୁଚୁରା ଔଷଧ ଦୋକାନଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ଥିବାବେଳେ ଏହି ସଂଖ୍ୟାଟି ଅତିକମ୍ ଏବଂ ଅଧିକାଂଶ ଗ୍ରାମାଂଚଳରେ ଜନଔଷଧି ପହଂଚି ପାରିନାହିଁ ।

ଜନଔଷଧିର ପରିଚାଳନା ପାଇଁ ଡ୍ରଗସ୍ ଟେକ୍ନିକାଲ ଆଡ଼ଭାଇଜରୀ ବୋର୍ଡ଼ ୨୦୧୬ ମସିହା ମେ ମାସରେ ଡ୍ରଗସ ଓ କସମେଟିକସ ଆଇନ ୧୯୪୦ର ନିୟମ ୬୫ (୧୧କ)କୁ ସଂଶୋଧନ କରିବା ପାଇଁ ବିଚାର କରିଥିଲେ, ଯାହାଫଳରେ ଔଷଧ ଦୋକାନୀମାନେ ଔଷଧର ବ୍ରାଣ୍ଡ୍ ନାଁ’ରେ ଲେଖାଯାଇଥିବା ଔଷଧ ଚିଠାକୁ ଦେଖି ସାଧାରଣ ଔଷଧ ବା ତା ସମତୁଲ ବ୍ରାଣ୍ଡ ଔଷଧ ଦେଇପାରିବେ ।

କିନ୍ତୁ ଏହି ବିଚାରରୁ ବୋର୍ଡ଼ ଏଇଥିପାଇଁ ନିବୃତ୍ତ ରହିଲେ ଯେ ସାଧାରଣ ଔଷଧର ଜୈବ ଉପଲବ୍ଧତା ବ୍ରାଣ୍ଡ୍ ଔଷଧ ତୁଳନାରେ ଭଲ ନହୋଇପରେ । (ଚିକିତ୍ସା ଦୃଷ୍ଟିରୁ ସକ୍ରିୟ ଥିବା ଗୋଟିଏ ଔଷଧ ଯାହା ଶରୀର ଭିତରେ ପ୍ରଚଳନ ହୁଏ ଏବଂ ସେଥିପାଇଁ ଯେଉଁ ସ୍ଥାନରେ ତାହା କାମ କରିବା କଥା ସେହି ସ୍ଥାନରେ ପହଂଚିଥାଏ – ତାକୁ ମାପିବାର ମାପକାଠିଟିକୁ ଜୈବ ଉପଲବ୍ଧତା କୁହାଯାଏ ।

ଅନ୍ୟପଟେ ସାଧାରଣ ଔଷଧ ଓ ବ୍ରାଣ୍ଡ୍ ଔଷଧର ଜୈବ ଉପଲବ୍ଧତା ତୁଳନା କରିବା ପାଇଁ ସେମାନଙ୍କ ପାଖରେ ସମାନ ଜୈବ ଗୁଣବତା ଅଛି କି ନାହିଁ ପରୀକ୍ଷା କରାଯାଇଥାଏ) ଅନ୍ୟଅର୍ଥରେ କହିବାକୁ ଗଲେ ସରକାରଙ୍କର ଔଷଧ ବ୍ୟାପାରରେ ନୀତି-ନିଷ୍ପତି ନେବାକୁ ଥିବା ସର୍ବୋଚ୍ଚ ସଂସ୍ଥା ନିଶ୍ଚିତ ହୋଇପାରୁ ନାହାନ୍ତି ଯେ ସରକାରୀ ଔଷଧ କମ୍ପାନୀମାନେ ଠିକ୍ ଗୁଣମାନର ଔଷଧ ତିଆରି କରୁଛନ୍ତି ।

ସରକାରଙ୍କର ଡ୍ରଗସ ବୋର୍ଡ଼ ବାୟୋୱେଭର ବା ଜୈବ ଉପଲବ୍ଧତା ଓ ସମାନ ଜୈବ ଗୁଣମାନ ଅଛି କି ନାହିଁ ହେଉଥିବା ଅଧ୍ୟୟନଗୁଡ଼ିକୁ ଔଷଧ ପାଇଁ ମଞ୍ଜୁରୀ ଦେବା କ୍ଷେତ୍ରରେ ଛାଡ଼ କରିବାପାଇଁ ସୁପାରିଶ କରିପାରିଥାନ୍ତେ ।

ବିଶେଷକରି ସ୍ୱାସ୍ଥ୍ୟ ସେବାକୁ ସୁନିୟନ୍ତ୍ରିତ କରିଥିବା ଦେଶମାନଙ୍କରେ ଔଷଧ ଉପଯୋଗର ଆବଶ୍ୟକତା ଏବଂ ଗ୍ରହଣୀୟତାକୁ ନେଇ ଯେଉଁଭଳି ଛାଡ଼ କରାଯାଇଥାଏ, ଠିକ୍ ସେହି ଭଳି ।

ଜୈବ ଉପଲବ୍ଧତା ଓ ସମାନ ଜୈବ ଗୁଣବତ୍ତା ସମ୍ପର୍କିୟ ଅଧ୍ୟୟନଗୁଡ଼ିକ କେତୋଟି ମହତ୍ୱପୂର୍ଣ୍ଣ ଔଷଧର ପରିମାଣ ନିର୍ଣ୍ଣୟ ଏବଂ ସୀମିତ ଚିକିତ୍ସା କ୍ଷେତ୍ରରେ ଔଷଧମାନଙ୍କ କ୍ଷେତ୍ରରେ ଆବଶ୍ୟକ, ଯାହାର ସଂଖ୍ୟା ବହୁତ କମ୍ ।

ଅନ୍ୟ ଅର୍ଥରେ କହିଲେ, ଡ୍ରଗସ ବୋର୍ଡ଼ର ସନ୍ଦେହ ଯେ ସାଧାରଣ ଔଷଧଗୁଡ଼ିକର ଗ୍ରହଣୀୟ ଜୈବ ଉପଲବ୍ଧତା ଏବଂ ସମାନ ଜୈବ ଗୁଣବତା ଥିବ ସମ୍ଭବତଃ, ବୋର୍ଡ଼ର ଏହି ବିଶ୍ୱାସ ନାହିଁ ଯେ ଦେଶର ଔଷଧ ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ଔଷଧର ଗୁଣମାନର ଆବଶ୍ୟକତାକୁ ନିଷ୍ଠାର ସହିତ ତଦାରଖ କରିପାରିବେ ।

ଗୁଣାତ୍ମକ ପ୍ରତିଶ୍ରୁତି ଦେଇପାରିବା ବ୍ୟବସ୍ଥା ଯୋଗୁଁ ତାମିଲନାଡ଼ୁ ଓ ରାଜସ୍ଥାନର ସରକାରମାନେ ବର୍ଷ ପରେ ବର୍ଷ ଭଲ ଦରରେ ସାଧାରଣ ଔଷଧ ସଂଗ୍ରହ କରିପାରୁଛନ୍ତି ଏବଂ କୋଟି କୋଟି ଔଷଧ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରୋଗୀଙ୍କ ପାଇଁ ଉପଲବ୍ଧ ହେଇପାରୁଛି ।

ଏହି ଦୁଇଟି ରାଜ୍ୟର ଔଷଧ ସଂଗ୍ରହ ବ୍ୟବସ୍ଥାର ସଫଳତା, ସାଧାରଣ ଔଷଧଗୁଡ଼ିକ କେବେ ଭଲ ହେଇପାରିବ ନାହିଁ ବୋଲି ଯେଉଁ ପ୍ରତିକୂଳ ପ୍ରଚାର ଚାଲିଛି, ତାକୁ ପ୍ରତିହତ କରିପାରିଛି ।

ଦେଶବ୍ୟାପୀ ସାଧାରଣ ଔଷଧ ପହଂଚାଇବାର ଆହ୍ୱାନକୁ ନ୍ୟୁନ କରିବା ପାଇଁ ଏକଥା କୁହାଯାଉ ନାହିଁ । ବରଂ ଏହା ସେହି ଡାକ୍ତରୀ ବିଶେଷଜ୍ଞମାନଙ୍କ ପାଇଁ କୁହାଯାଉଛି ଯେଉଁମାନେ ଔଷଧ କମ୍ପାନୀମାନଙ୍କର ମିଛ ପ୍ରଚାରର ଶିକାର ହୋଇ ଗରିବ ରୋଗୀମାନଙ୍କୁ ଏକଥା କହି ବ୍ୟାପକ କ୍ଷତି ପହଞ୍ଚାଉଛନ୍ତି ଯେ, ବ୍ରାଣ୍ଡ୍ ଔଷଧ ତୁଳନାରେ ସାଧାରଣ ଔଷଧର ଜୈବ ଉପଲବ୍ଧତା ନଥାଏ ।

ଭାରତର ଭେଷଦ ପରିଷଦ ବା ଏମ୍.ସି.ଆଇ ଅକ୍ଟୋବର ୨୦୧୬ରେ ହେଇଥିବା ଡାକ୍ତରମାନଙ୍କ ଆଚରଣ ବିଧିରେ ଏକ ସଂଶୋଧନ ଆଣି ସୁପାରିଶ କରିଥିଲେ ଯେ, ପ୍ରତ୍ୟେକ ଡାକ୍ତର, ‘ସ୍ପଷ୍ଟ ଅକ୍ଷରରେ ଲେଖିବେ ସାଧାରଣ ଔଷଧର ନାଁ ରୋଗୀମାନଙ୍କ ପାଇଁ ଲେଖିବେ…. ଏବଂ ସେ ନିଶ୍ଚିତ କରାଇବେ ଯେ ପ୍ରେସକ୍ରିପସନ ବା ତାଙ୍କ ଚିଠାଟି ଏବଂ ଔଷଧର ବ୍ୟବହାରଟି ଯେମିତି ଯୁକ୍ତିଯୁକ୍ତ ହୋଇଥାଏ ।’

ଏସବୁ ମାପିବା ପାଇଁ କୌଣସି ବ୍ୟବସ୍ଥା ନଥାଇ ଏମ୍.ସି.ଆଇ କେମିତି ଡାକ୍ତରୀ ଚିଠା ବା ଔଷଧର ଯୁକ୍ତିଯୁକ୍ତତା ମାଗିପାରିବ ତାହା ଯେ କେହି ବି ଅନୁମାନ କରିପାରିବେ । ଔଷଧର ବ୍ୟବହାର ଓ ଡାକ୍ତରୀ ଚିଠାର ଯୁକ୍ତିଯୁକ୍ତତା ଡାକ୍ତର, ଔଷଧ ଦୋକାନୀ, ଔଷଧ ନିୟନ୍ତ୍ରକ ଏବଂ ଖାଉଟିମାନଙ୍କ ଉପରେ ନିର୍ଭର କରେ ।

ଯୁକ୍ତିଯୁକ୍ତ ବ୍ୟବହାରର କିଛି ଆବଶ୍ୟକତା ଭିତରେ ନିମ୍ନ କିଛି କଥା ରହିଛି; କେବଳ ଡାକ୍ତରୀ ଚିଠା ପାଇଲେ ହିଁ ଯେଉଁ ଔଷଧ ଦିଆଯାଏ (ସେଡ୍ୟୁଲ ଜି.ଏଚ୍.ଏଚ୍.ୱାନ, ଏବଂ ଏକ୍ସ) ତାହା ମୁକ୍ତ ଭାବେ ଔଷଧ ଦୋକାନରେ ଉପଲବ୍ଧ ହେବା କଥା ନୁହେଁ; ଡାକ୍ତର ଏବଂ ମୋନଙ୍କର ବୃତ୍ତିଗତ ସଙ୍ଗଠନମାନେ ନିୟନ୍ତ୍ରକଙ୍କ ସହ ମିଶି ଏକଥା ନିଶ୍ଚିତ କରାଇବା କଥା ଯେ ଯେମିତି ଆଂଟି-ବାୟୋଟିକ୍ ଏବଂ ମହତ୍ୱପୂର୍ଣ୍ଣ ଔଷଧ ଗୁଡ଼ିକର ଦୁରୁପଯୋଗ ନହୁଏ; ଏବଂ ଯେତେକ ଅଦରକାରୀ /କ୍ଷତିକାରକ ଅନୁପଯୋଗୀ ଔଷଧକୁ ବଜାରରୁ ଅପସରି ନିଆଯାଏ ।

ଔଷଧର ବ୍ୟବହାର ପାଇଁ ବ୍ୟବହାରିକ ନିର୍ଦ୍ଦେଶାବଳୀ ଏବଂ ଚିଠା ଲେଖା ଯାଉଥିବା ଔଷଧଗୁଡ଼ିକର ସମୀକ୍ଷା ନିହାତି ପ୍ରସ୍ତୁତ କରାଯାଇ ଡାକ୍ତରମାନଙ୍କ ଦ୍ୱାରା ବ୍ୟବହାର କରାଯିବା ଦରକାର ।

ରୋଗୀମାନଙ୍କ ପାଇଁ ଦରକାର ପଡ଼ୁ ନଥିବା ଔଷଧର ବ୍ରାଣ୍ଡ ନାଁ ଦେବାକଥାକୁ ନିରୁତ୍ସାହିତ କରାଯିବା ଦରକାର ଯାହାକି ଅନେକ ଉତମ ନିୟନ୍ତ୍ରିତ ଦେଶମାନେ କରିଆସିଛନ୍ତି । ୧୯୭୫ର ହାତି କମିଟି ରିପୋର୍ଟରେ ମଧ୍ୟ ବ୍ରାଣ୍ଡ୍ ନାଁ ନ ଦେବା ପାଇଁ ସୁପାରିଶ କରାଯାଇଥିଲା ।

୨୦୦୩ରେ ଉଚ୍ଚତମ ନ୍ୟାୟାଳୟ ଯେପରି ରାୟ ଦେଇଥିଲେ, ଦରକାରୀ ଏବଂ ଜୀବନ ରକ୍ଷାକାରୀ ଔଷଧଗୁଡ଼ିକର ମୂଲ୍ୟର ନିୟନ୍ତ୍ରଣ ହେବା ଦରକାର ।

୨୦୧୩ରେ ଆସିଥିବା ଔଷଧ ଓ ଦର ନିୟନ୍ତ୍ରଣ ନିର୍ଦ୍ଦେଶ ବଜାରଭିତିକ ଦର ନିୟନ୍ତ୍ରଣ ନୀତି ଉପରେ ଆଧାରିତ ତାକୁ ଆମେ କେବଳ ଏକ ଉପହାସ କହିବା କାହିଁକି ନା ଏହି ଆଦେଶ ଫଳରେ କିଛି ଔଷଧର ଦର ସ୍ଥାନେ ସ୍ଥାନେ ଏପରି ରହିଛି ଯେ ଶତକଡ଼ା ୨୦୦୦ ଭାଗରୁ ୩୦୦୦ ଭାଗ ଲାଭ ମିଳୁଛି ।

କେତେକ କ୍ଷେତ୍ରରେ ଏମିତିକି ୧୦୦ ଟଙ୍କାରେ ୧୦,୦୦୦ ଟଙ୍କା ଲାଭ ମଧ୍ୟ ମିଳିପାରୁଛି । ଏହା ବଦଳରେ ୧୯୯୫ରେ ଦିଆଯାଇଥିବା ଔଷଧ ଓ ଦର ନିୟନ୍ତ୍ରଣ ନିର୍ଦ୍ଦେଶାବଳୀକୁ କାମରେ ଲଗାଇବା ଦରକାର ଯେଉଁଠି ଔଷଧର ସର୍ବୋଚ୍ଚ ଦର ଉତ୍ପାଦନ ମୂଲ୍ୟରେ କିଛି ଯୁକ୍ତ କରି ସ୍ଥିର କରାଯାଉଥିଲା ।

ତେଣୁକରି ଆମର ସର୍ବପ୍ରଥମ ପ୍ରାଥମିକତା ହେବା କଥା ଆମେ କେମିତି ସବୁ ରାଜ୍ୟରେ ତାମିଲନାଡ଼ୁ ଏବଂ ରାଜସ୍ଥାନରେ ଢାଂଚାଟିକୁ କାମରେ ଲଗାଇ ମାଗଣାରେ ଔଷଧ ଉପଲବ୍ଧ କରାଇବା ଏବଂ ଏଥିପାଇଁ ସରକାରୀ ଔଷଧ କମ୍ପାନୀମାନଙ୍କଠୁ ପୁଞ୍ଜି ପ୍ରତ୍ୟାହାର ନକରି ବରଂ ଆମେ ସେମାନଙ୍କୁ କେମିତି ପୁନଃବିନ୍ୟାସ କରାଇବା ତଥା ସେମାନଙ୍କ ଭିତରେ ନୂତନତ୍ୱ ନେଇ ଆସିବା ।

 

April 29, 2017 vol L II no 17 Prescribing Generic Medicines

Leave a Reply