ସମଦୃଷ୍ଟି

ଅପରାଧ ଓ ଦଣ୍ଡ

ଏ ମାସରେ ଗଣଧର୍ଷଣ ମାମଲା ଉପରେ ତିନୋଟି ରାୟ ପ୍ରକାଶ ପାଇଥିଲା । କେତେକ ଏକାଠି ଦିଆଯାଇଥିବା ବେଳେ, ଆଉ କିଛି ପୃଥକ୍ ଭାବେ ଦିଆଯାଇଥିଲା । କିନ୍ତୁ ରାୟଗୁଡ଼ିକ କୌଣସି ସ୍ଥିର ମାନଦଣ୍ଡ ଉପରେ ଆଧାରିତ ନଥିଲା । କେଉଁ ମାମଲାଗୁଡ଼ିକୁ ନ୍ୟାୟାଳୟ ବିରଳମାନଙ୍କ ଭିତରେ ବିରଳତମ କହୁଛନ୍ତି, ଯେଉଁଥିପାଇଁ ମୃତ୍ୟୁଦଣ୍ଡ ଦିଆଯିବ ସେ ସମ୍ପର୍କରେ ସ୍ପଷ୍ଟ ନଥିଲେ ।

ତିନୋଟି ମାମଲା ଭିତରୁ ସବୁଠାରୁ ପୁରୁଣା ମାମଲା ହେଉଛି ଗୁଜୁରାଟର ରାଧିକାପୁର ଗାଁ’ର ବିଲ୍କିସ୍ ବାନୁଙ୍କର । ମାର୍ଚ୍ଚ ୩, ୨୦୦୨ ଦିନ ସେତେବେଳେ ଗର୍ଭବତୀ ଥିବା ୧୯ବର୍ଷୀୟ ବିଲ୍କିସ୍ ବାନୁଙ୍କୁ ସେହି ଗାଁ’ର ହିନ୍ଦୁମାନଙ୍କ ଗୁଣ୍ଡାବାହିନୀ ଗଣଧର୍ଷଣ କରିଥିଲେ ଏବଂ ତାଙ୍କୁ ମରିଗଲେ ଭାବି ଛାଡ଼ି ଚାଲିଯାଇଥିଲେ । ତାଙ୍କର ଶିଶୁକନ୍ୟାଙ୍କୁ ତାଙ୍କରି ଆଖିଆଗରେ ହତ୍ୟା କରିଥିଲେ ।

ତାଙ୍କ ପରିବାରର ଅନ୍ୟ ୧୪ଜଣଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏଭଳି ଏକ ଭୟଙ୍କର ଘଟଣା ପରେ, ଯେତେବେଳେ ସେ ଚେତା ଫେରି ପାଇଲେ, ବିଲ୍କିସ୍ କଷ୍ଟେମଷ୍ଟେ ଥାନାରେ ପହଞ୍ôଚ ନିଜର ଅଭିଯୋଗ ଦାଖଲ କରିଥିଲେ । କାର୍ଯ୍ୟରତ ପୋଲିସ କର୍ମଚାରୀ ତାଙ୍କର ଏଫ୍.ଆଇ.ଆର୍ ବା ଅଭିଯୋଗ ପତ୍ରକୁ ପଞ୍ଜିକୃତ କଲେ ନାହିଁ ।

ଏଫ୍.ଆଇ.ଆର୍ ଦର୍ଜ କରିବା ପାଇଁ ୧୫ଦିନ କାଳ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଲା । ତଥାପି ବି ପୋଲିସ ଜାଣିଶୁଣି ବିଲ୍କିସଙ୍କୁ ଧର୍ଷଣ କରିଥିବା ଏବଂ ତାଙ୍କ ପରିବାରଙ୍କୁ ହତ୍ୟା କରିଥିବା ଲୋକମାନଙ୍କ ନାଁଗୁଡ଼ିକୁ ଅଣଦେଖ କରିଥିଲେ । ଆଶ୍ଚର୍ଯ୍ୟ ଲାଗିଲାନି, ଯେତେବେଳେ ମାଜିଷ୍ଟ୍ରେଟ୍ ମାମଲାଟିକୁ ନାକଚ କରିଦେଲେ ।

ଯାହାକୁ ସେ ‘ନ୍ୟାୟ’ କୁହନ୍ତି, ତାକୁ ପାଇବା ପାଇଁ ଏହି ଉଲ୍ଲେଖନୀୟଭାବେ ସାହସୀ ମହିଳାଙ୍କୁ ୧୫ବର୍ଷ ଲାଗିଗଲା । ମେ ମାସ ୪ତାରିଖ ଦିନ, ବମ୍ବେର ଉଚ୍ଚ ନ୍ୟାୟାଳୟ ୨୦୦୮ ମସିହାରେ ସ୍ୱତନ୍ତ୍ର ଅଦାଲତ ଯେଉଁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ଜଣେ ପୋଲିସ କର୍ମଚାରୀଙ୍କୁ,
ଏଫ୍.ଆଇ.ଆର. ଗ୍ରହଣ ନକରିଥିବା ଯୋଗୁଁ ଦୋଷୀ ସାବ୍ୟସ୍ତ କରିଥିଲେ, ତାକୁ କାଏମ ରଖିଲେ ।

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଏହି ସ୍ୱତନ୍ତ୍ର ଅଦାଲତ ଗୁଜୁରାଟ ସୀମା ବାହାରକୁ ଆସି ଶୁଣାଣୀ କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, ବିଚାର ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରିବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରୁ ମୁକ୍ତ କରାଯାଇଥିବା ୨ଜଣ ଡାକ୍ତର ଓ ୫ଜଣ ପୋଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କରିବା କଥାଟିକୁ ଅଗ୍ରାହ୍ୟ କରିଦେଇଥିଲେ ।

ନ୍ୟାୟିକ ପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି କରିବାରେ ରାଷ୍ଟ୍ରର ସମ୍ପୃକ୍ତିକୁ ସ୍ୱୀକାର କରିବା ଏକ ନିହାତି ବିରଳ ଘଟଣା । କିନ୍ତୁ ଗଣଧର୍ଷଣ ଓ ହତ୍ୟା ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ କରାଯାଇଥିବା ଆବେଦନକୁ ଗୁରୁତ୍ୱ ନଦେବା ଦଣ୍ଡବିଧାନ ପ୍ରକ୍ରିୟାରେ ରହିଥିବା ଅସଙ୍ଗତିକୁ ସୂଚିତ କରୁଛି ।

ବମ୍ବେ ଉଚ୍ଚ ନ୍ୟାୟାଳୟର ରାୟ ଆସିବାର ଦିନକ ପରେ, ଉଚ୍ଚତମ ନ୍ୟାୟାଳୟ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏବଂ ନିମ୍ନ ଅଦାଲତ ଦ୍ୱାରା ୪ଜଣ ଅଭିଯୁକ୍ତଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ଅଭିଯୁକ୍ତମାନେ ୨୦୧୨ ମସିହା ଡିସେମ୍ବର ମାସରେ ଜ୍ୟୋତି ସିଂହ ନାମକ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ଧର୍ଷଣକରି ହତ୍ୟା କରିଦେଇଥିଲେ ।

ମାମଲାଟିର ବିଚାର ୪ବର୍ଷ ଚାଲିଲା ଯାହାକି ଏକ ଅପେକ୍ଷାକୃତ ସଂକ୍ଷିପ୍ତ ସମୟ । ଏହାର ଏକ କାରଣ ହେଉଛି ଯେ ଯେଉଁ ୧୩ଦିନ ଜ୍ୟୋତି ସିଂ ଜୀବନ ସହ ସଂଘର୍ଷ କରୁଥିଲେ, ତାହାର ତୀବ୍ର ପ୍ରତିକ୍ରିୟା ଚାପ ସୃଷ୍ଟି କରିଥିଲା ।

ଏହି ଘଟଣା ପରେ ନ୍ୟାୟମୂର୍ତ୍ତି ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା ଯେ ଅହର୍ନିଶି କାମ କରି ଧର୍ଷଣ ସମ୍ପର୍କିତ କାନୁନ୍ରେ ପରିବର୍ତ୍ତନ ଆଣିବା ପାଇଁ ସୁପାରିଶ କରିଥିଲେ । ଜନଗଣଙ୍କର ‘ଚାପ’ର ଶକ୍ତି କେତେ ଏଥିରୁ ଜଣାପଡ଼ୁଥିଲା ।

ତଥାପି ଆମେ ଏଠି ସତର୍କ କରାଇଦେବା ଯେ, ଯେଉଁ ସହାନୁଭୂତି ନାରୀଙ୍କ ନିରାପତ୍ତା ପାଇଁ ଆମେ ଦେଖୁଛେ ଏବଂ ସେମାନଙ୍କ ଉପରେ ହିଂସ୍ର ଆକ୍ରମଣକୁ ନେଇ ଯେଉଁ ଅସନ୍ତୋଷ ଦେଖାଯାଉଛି ତାହା ସର୍ବତ୍ର ଦେଖିବାକୁ ମିଳି ନଥାଏ । ଗୋଟିଏ ଭୁଷୁଡ଼ି ଯାଇଥିବା ଅପରାଧିକ ନ୍ୟାୟିକ ବ୍ୟବସ୍ଥା ଯୋଗୁଁ ଦୈନନ୍ଦିନ ଜୀବନରେ ଯୌନ ଶୋଷଣର ଶିକାର ହେଉଥିବା ବିଲ୍କିସ୍ଙ୍କ ଭଳି ଅନେକ ଗରିବ ମହିଳାଙ୍କୁ ନ୍ୟାୟ ମିଳିନଥାଏ ।

କିନ୍ତୁ ସେମାନଙ୍କ ମାମଲାଗୁଡ଼ିକରେ ଏତେ ଜନ ପ୍ରତିକ୍ରିୟା ଦେଖିବାକୁ ମିଳିନଥାଏ ବା ଆଇନରେ ପରିବର୍ତ୍ତନ ଆଣିବା ପାଇଁ ଦାବୀ ହେଇ ନଥାଏ । ଯଦିଓ ନ୍ୟାୟମୂର୍ତ୍ତି ବର୍ମାଙ୍କ କମିଟି ଧର୍ଷଣ ପାଇଁ ମୃତ୍ୟୁଦଣ୍ଡ ବିରୋଧରେ ଦୃଢ଼ ଯୁକ୍ତି ରଖିଥିଲେ, ତେବେ ସରକାର ଜନଗହଳିରେ ଶୁଣାଯାଉଥିବା ଦାବୀଗୁଡ଼ିକୁ ମାନିନେଇ ଅପରାଧିକ (ସଂଶୋଧନ) ଆଇନ, ୨୦୧୩ରେ ମୃତ୍ୟୁଦଣ୍ଡ ବ୍ୟବସ୍ଥାଟିକୁ ଯୋଡ଼ି ଦେଲେ ।

ଜ୍ୟୋତି ସିଂହ ମାମଲାରେ ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ଅପରାଧକୁ ‘ବିରଳଙ୍କ ଭିତରେ ବିରଳତମ’ ଶ୍ରେଣୀଭୁକ୍ତ କରି ମୃତ୍ୟୁଦଣ୍ଡ ଦେବା କଥାଟିକୁ ଯୁକ୍ତିସିଦ୍ଧ କରାଇଥିଲେ ।

ଏଭଳି ଏକ ଯୁକ୍ତିକୁ ପୁନାର ଏକ ନିମ୍ନ ଅଦାଲତ ମେ ୯ ତାରିଖ ଦିନ ଗ୍ରହଣ କରିଥିଲେ, ୨୮ବର୍ଷୀୟ ଇଞ୍ଜିନିୟର ନୟନା ପୂଜାରୀଙ୍କ ଧର୍ଷଣ ଏବଂ ହତ୍ୟା ମାମଲାର ରାୟ ଶୁଣାଇବାବେଳେ । ନୟନା ନିଜ କାର୍ଯ୍ୟସ୍ଥଳୀରୁ ଫେରିବା ରାସ୍ତାରୁ ତାଙ୍କୁ ଉଠାଇ ନିଆଗଲା, ୪ଜଣ ପୁରୁଷ ତାଙ୍କୁ ଧର୍ଷଣ କଲେ, ଗଳାଚିପି ହତ୍ୟା କଲେ ଏବଂ ଶବଟିକୁ ଯେମିତି ଚିହ୍ନି ହେବନାହିଁ ସେଭଳି ବିକୃତ କରି ଦେଇଥିଲେ ।

ଏହି ଘଟଣାଟିକୁ ମଧ୍ୟ ବିରଳଙ୍କ ଭିତରେ ବିରଳତମ କହି ମୃତ୍ୟୁଦଣ୍ଡାଦେଶକୁ ଯୁକ୍ତିଯୁକ୍ତ କୁହାଯାଇଥିଲା । ଉଭୟ କ୍ଷେତ୍ରରେ ହତ୍ୟାର ଅଭିଯୋଗକୁ ହିଁ ମୃତ୍ୟୁଦଣ୍ଡାଦେଶ ପାଇଁ ବ୍ୟବହାର କରାଯାଇଥିଲା; ଯେହେତୁ ଏସବୁ ମମଲାଗୁଡ଼ିକ କ୍ଷେତ୍ରରେ ୨୦୧୩ରେ ଧର୍ଷଣ ଆଇନରେ ହେଇଥିବା ସଂଶୋଧନଟି ପ୍ରୟୋଗ କରାଯିବାର ସୁଯୋଗ ନଥିଲା ।

ତଥାପି ବିଲ୍କିସ ବାନୋ ମାମଲାରେ, ଏକ ଭୟଙ୍କର ଧର୍ଷଣ ଓ ହତ୍ୟା ଘଟଣାର ଶିକାର ଓ ସାକ୍ଷୀ ହୋଇଥିବା ସତ୍ତେ୍ୱ, ଅଦାଲତ ଭିନ୍ନ ଏକ ଯୁକ୍ତି ରଖିଥିଲେ ଯେ, ଯଦିଓ ଏହା ଏକ ବିରଳ ଗଣହତ୍ୟା ଯେଉଁଥିରେ ଘୃଣ୍ୟ ଶତ୍ରୁତା ଓ ଆକ୍ରୋଶ ଥିଲା, ତେବେ ଅଭିଯୁକ୍ତମାନେ ‘ମୁସଲମାନମାନଙ୍କ ବିରୁଦ୍ଧରେ ପ୍ରତିଶୋଧ’ ନେବା ପାଇଁ କ୍ରୋଧ ଜର୍ଜରିତ ଥିବା ଗୋଟିଏ ବିଶୃଙ୍ଖଳିତ ଜନଗୋଷ୍ଠୀର ଥିଲେ ।

ଆମେ ତା’ହେଲେ ଏଭଳି ଅର୍ଥ କରିପାରିବା କି ଯେ, ସାମ୍ପ୍ରଦାୟିକ ଦ୍ୱେଷକୁ ନେଇ ଥିବା ପରିସ୍ଥିତିରେ ଧର୍ଷଣ ଓ ହତ୍ୟା ଏକ ନ୍ୟୁନସ୍ତରର ଅପରାଧ; ଅଦାଲତ ଆହୁରି ଯୁକ୍ତି ରଖିଥିଲେ ଯେ ଏହି ଅଭିଯୁକ୍ତମାନଙ୍କର ପୂର୍ବରୁ ଅପରାଧର ଇତିହାସ କିଛି ନଥିଲା । ସେମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଯୁକ୍ତିଯୁକ୍ତ ନୁହେଁ । କିନ୍ତୁ ଜ୍ୟୋତି ସିଂ ମାମଲାରେ ସେହି ଯୁକ୍ତିଟି ୪ଜଣ ଅପରାଧୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇ ନଥିଲା ।

ତେବେ, ତା’ହେଲେ ମୃତ୍ୟୁଦଣ୍ଡ ଦେବାପାଇଁ କେଉଁ ପ୍ରକାର ନ୍ୟାୟର ମାପକାଠି ନିର୍ଦ୍ଧାରଣ କରାଯାଇପାରିବ, ସ୍ପଷ୍ଟ ହେବା ଉଚିତ ।

ଗତବର୍ଷ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ମୃତ୍ୟୁଦଣ୍ଡର ଅଭିଯୁକ୍ତ ତାଲିକାରେ ଥିବା ଲୋକମାନଙ୍କର ସାକ୍ଷାତକାରକୁ ନେଇ ଏକ ସ୍ୱତନ୍ତ୍ର ଗବେଷଣା ପ୍ରକଳ୍ପର ରିପୋର୍ଯକୁ ଉନ୍ମୋଚନ କରିଥିଲେ । ସେମାନେ ଦେଖିଥିଲେ ଯେ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀମାନଙ୍କ ଏକ ବଡ଼ ଭାଗ
ଅର୍ଥାତ ଶତକଡ଼ା ୮୦ଭାଗ ଲୋକ ଗରିବ ଶ୍ରେଣୀର, ପଛୁଆ ଜାତିର ଅବା ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ ।

ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ଦଣ୍ଡିତ ବ୍ୟକ୍ତିମାନଙ୍କର ନ୍ୟାୟ ପ୍ରକ୍ରିୟାରେ ଭାଗ ନେବାପାଇଁ ସାମର୍ଥ୍ୟ ନାହିଁ । କେତେଜଣ ଦୋଷୀ ସାବ୍ୟସ୍ତ ଲୋକ ନିଜ ଓକିଲଙ୍କ ନାଁ ମଧ୍ୟ ଜାଣନ୍ତି ନାହିଁ । ରିପୋର୍ଟଟିର ଲୋକାର୍ପଣ କଲାବେଳେ ନ୍ୟାୟମୂର୍ତ୍ତି ମଦନ ବି ଲୋକୁର କହିଥିଲେ, ମୁଁ ଜାଣିନି ମୃତ୍ୟୁଦଣ୍ଡ ବିଧାନକୁ ନେଇ ଆମ ନ୍ୟାୟଶାସ୍ତ୍ରର କିଛି ଦର୍ଶନ ଅଛି କି ନାହିଁ ଯେ ଏଭଳି ଏକ ଦଣ୍ଡବିଧାନ, ଅପରାଧ କରିବା ପାଇଁ ନିରୁତ୍ସାହିତ କରିବ ବା କିଛି ସଂସ୍କାର ଆଣିବ ବା କିଛି ପ୍ରତିକାର କରିବ ।’ ସେ ଠିକ୍ କହିଛନ୍ତି ।

ଏକ ସଭ୍ୟ ସମାଜରେ ମୃତ୍ୟୁଦଣ୍ଡ ଉଠାଇଦେବା ପାଇଁ ଆମେ ଯୁକ୍ତି ରଖିବାବେଳେ ଏକଥା ମଧ୍ୟ କହିବୁ ଯେ ଯେତେଦିନ ଯାଏଁ ଏହି ଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଉଠେଇ ନ ଦିଆଯାଇଛି, ଏହାର ପ୍ରୟୋଗ କଲାବେଳେ ସଙ୍ଗତ ଥିବା ମାନଦଣ୍ଡ ବ୍ୟବହାର କରାଯାଉ ।

Crime and Punishment EPW May 13, 2017 Vol LII No 19

Leave a Reply