ମନୋରଞ୍ଜନ

ସୁବର୍ଣପୁରର ଲଂକାପୋଡି ଉତ୍ସବ; ଏକ ନିଆରା ପରମ୍ପରା

kedar3

କେଦାର ମିଶ୍ର

ଅମାବାସ୍ୟା ଅନ୍ଧାରରେ ସାରା ସହର ହଠାତ୍ ଆଲୋକିତ ହୋଇଉଠେ ।  ଶହ ଶହ ହନୁମାନ ଲାଂଜରେ ନିଆଁ ଲଗେଇ ବାହାରି ପଡନ୍ତି ଶୋଭାଯାତ୍ରାରେ।

ସେମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତିଆରି ହୋଇଥିବା ଟେରାକୋଟା ର ପ୍ରତିମା। ହନୁମାନ ମୂର୍ତ୍ତି ସବୁ ଦେଖିବାକୁ ଅଦ୍ଭୁତ। ମୁଣ୍ଡରେ ମୁକୁଟ, ଦାନ୍ତ ଦେଖା ହସ, ଚାରି ଗୋଡରେ ଭରା ଦେଇ ସେ ଠିଆ ହୋଇଥାନ୍ତି ଓ ଲାଂଜଟି ମୋଡି ହୋଇ ମୁଣ୍ଡ ଉପରେ ଠିଆ ହୋଇଥାଏ ।

ଲାଂଜ ଅଗରେ ମଶାଲ୍ ଲଗେଇ ଅବା ଶୁଖିଲା ଗୋବର ଭର୍ତି ମାଟି ସରେଇ ରେ ନିଆଁ ଧରେ ଦିଆଯାଏ।ହନୁମାନ ଦେହସାରା ରଂଗ ବେରଂଗ ଚିତ୍ର, ବେକରେ ମନ୍ଦାର ଫୁଲର ମାଳା, ଚାରି ପାଖେ ଡାଳ ପତ୍ରର ମଣ୍ଡଣୀ ଓ ପାଦରେ ବାଉଁଶ ଗଳେଇ ଲଗା ଯାଇଥାଏ ଚାରୋଟି ଚକ ।
kedar2
ଚକ ରେ ଗଡି ଗଡି ହନୁମାନ ଲଂକାପୋଡି ଶୋଭାଯାତ୍ରାରେ ବାହାରନ୍ତି।ପ୍ରାଚୀନ ସୋନପୁର ବା ସୁବର୍ଣପୁର ସହରରେ ଭାଦ୍ରବ ଅମାବାସ୍ୟା ରାତିରେ ଏମିତି ଏକ ଅନନ୍ୟ ଶୋଭାଯାତ୍ରା ଦେଖିବାକୁ ମିଳିଥାଏ।

ଜନ ଜୀବନରେ ଏହା ଲଂକାପୋଡି ଯାତ୍ରା, ପୁରା ଉଆଂସ, ହନୁମାନ ପୋଡି ଇତ୍ୟାଦି ନାମରେ ପରିଚିତ । ଏହି ନିଆରା ଯାତ୍ରାକୁ ନେଇ କେତୋଟି ବିଶେଷ କଥା-

୧. ସପ୍ତପୁରୀ ଅମାବାସ୍ୟା ପଶ୍ଚିମ ଓଡିଶାରେ ପୁରା ଉଆଁସ ନାଁ ରେ ପାଳିତ ହୁଏ ।

ତେବେ ଅନ୍ୟାନ୍ୟ ସ୍ଥାନ ତୁଳନା ରେ ସୋନପୁର ସହରରେ ଏହାର ପରିପାଳନ ଟିକେ ନିଆରା। ସକାଳୁ ରାତି ଯାଏଁ ବିଭିନ୍ନ ପର୍ୟାୟ ରେ ଏହି ଯାତ୍ରା ଭିନ୍ନ ଭିନ୍ନ ଶୈଳୀ ରେ ପାଳନ କରାଯାଏ ।

୨. ସୋନପୁର ର ଦୁଇଟି କାରିଗର ଗୋଷ୍ଠୀ କୁମ୍ଭାର ଓ ଚିତ୍ରକର, ଏହି ଯାତ୍ରାର ମୁଖ୍ୟ ଯୋଗାଣିଆଁ । ଚିତ୍ରକର ମାନେ କାଠରେ ତିଆରି ହାତୀ, ଘୋଡା, ବଳଦ ଇତ୍ୟାଦିରେ ରଂଗ ଦେଇ , କାଠ ଚକ ଖଂଜି ବଜାରରେ ବିକ୍ରୀ କରନ୍ତି।

ପ୍ରତ୍ୟେକ ଘରେ ସକାଳୁ ଏହି ଘୋଡା ହାତୀଙ୍କୁ ବନ୍ଦାପନା କରି ପିଲା ମାନଂକୁ ଖେଳିବାକୁ ଦିଆଯାଏ ।

kedar1
୩. ସକାଳ ପୂଜାରେ କାଠ ର ରଂଗୀନ ଘୋଡା ହାତୀ ଓ ମାଟିର ହନୁମାନ ପୂଜା ହୁଅନ୍ତି । ମାଟି ର କୁନି କୁନି ସରେଇ ରେ ଖଇ, ଛତୁ, ହୁଡୁମ, ମୁଢୀ ଇତ୍ୟାଦି ଖାଦ୍ୟକୁ ଗୁଡରେ ପାଗ କରି ବଢା ଯାଇଥାଏ ।

ଘର ଓ ପାଖ ପଡିଶାର ପିଲା ମାନଂକୁ ସ୍ତ୍ରୀଲୋକ ମାନେ ବନ୍ଦାଇ ଏହି ସବୁ ସରେଇ (ସ୍ଥାନୀୟ ଭାଷାରେ କୁଣ୍ଡି କାଂଚୀ ) ର ଖାଦ୍ୟକୁ ପିଲାଂକୁ ଉପହାର ଭାବରେ ଦିଅନ୍ତି ।

୪. ଝିଅ ମାନେ ମାଟିରେ ତିଆରି ଏହି ସବୁ କୁନି କୁନି ଘର କରଣା କୁ କୁଲେଇ ରେ ନେଇ ଦିପହର ସାରା ଖେଳରେ ବ୍ୟସ୍ତ ରୁହନ୍ତି । ଖଇ, ହୁଡୁମ,ମୁଢି କୁ ଭାତ ତିଅଣର ବିକଳ୍ପ ଭାବେ ନିଆଯାଏ।

ମାଟିର ଛୋଟିଆ ଚୁଲିରେ ମିଛି ମିଛିକା ରୋଷେଇ ହୁଏ। ସେଠି କଣ୍ଢେଇ ବାହାଘର ବି ହୁଏ । ଯେମିତି କି ସେ ଏକ ଘରକରଣା ତାଲିମ ।

୫. ସୋନପୁର ର କୁମ୍ଭାର ମାନେ ଏହି ସମୟରେ ହଜାର ହଜାର ସରେଇ ଓ ମାଟିର ହନୁମାନ ତିଆରି କରି ବଜାରରେ ବିକ୍ରୀ କରିଥାନ୍ତି ।

୬. ବାସ୍ତୁକଳା ଓ ଶିଳ୍ପ ଚାତୁରୀ ଅନୁସାରେ ସୋନପୁର ହନୁମାନର ଗଢଣ ଶୈଳୀ ସ୍ବତନ୍ତ୍ର। ପୃଥିବୀ ର ବହୁ ବିଖ୍ୟାତ ସଂଗ୍ରହାଳୟରେ ଏହା ସଂଗୃହିତ ହୋଇ ରହିଛି ।

କଂଚା ମାଟିରେ କୁମ୍ଭାର ଶାଳରେ ଏହାକୁ ନିର୍ମାଣ କରିବାର ଏକ ପାରମ୍ପରିକ କଳା କୌଶଳ ରହିଛି । ଏହି କଳା ରେ ପାରଦର୍ଶିତା ପ୍ରଦର୍ଶନ କରି ସୋନପୁର ର ଲୋକନାଥ ରଣା ବହୁ ଦେଶ ଓ ବିଦେଶ ରେ ସମ୍ମାନ ଲାଭ କରିଛନ୍ତି ।

୭. ସନ୍ଧ୍ୟାରେ ସହର ର ସବୁ ଘରୁ ନିଆଁ ଲଗେଇ ହନୁମାନ ବାହାରନ୍ତି । ଶୋଭାଯାତ୍ରା ଶେଷରେ ସମଲେଇ ବା ସମଲେଶ୍ବରୀ ମଂଦିର ଟିକିରା ରେ ହନୁମାନ ମୁର୍ତୀ ସବୁ କଚାଡି ଭଂଗୀ ଦିଆଯାଏ । ଏହାକୁ କେହି କେହି ଏକ ତାନ୍ତ୍ରିକ ଉପଚାର ର ପ୍ରତୀକ ବୋଲି କହିଥାନ୍ତି ।

୮. ଏହା ଏମିତି ଏକ ପର୍ବ ଯେଉଁଠି କଳା, କାରିଗରୀ ଓ କୃଷି ସଭ୍ୟତା ର ମିଳନ ଦେଖିବାକୁ ମିଳେ । ସେହିପରି ଝିଅମାନେ ଏହି ପର୍ବରେ ବେଶ୍ ସମ୍ମାନ ପାଇଥାନ୍ତି। ନେପାଳର କୁମାରୀ ପୂଜା ଓ ପୁରା ଉଆଂସ ର କୁମାରୀ ପୁଜାର ଏକ ପରୋକ୍ଷ ଯୋଗସୂତ୍ର ରହିଛି ।

୯. ଏହା ହନୁମାନ ପୁଜା ନା ଲଂକାରେ ହନୁମାନ ସୃଷ୍ଟି କରିଥିବା ଉତ୍ପାତ ର ସ୍ମୃତି ଚାରଣ, ତାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଇତିହାସ ରେ ଓ ଲୋକ କଥା ରେ ସୁବର୍ଣପୁରକୁ ଲଂକା ଅବା ପଶ୍ଚିମ ଲଂକା ବୋଲି କୁହା ଯାଇଛି । ସେହି ଦୃଷ୍ଟିରୁ ଏହି ପର୍ବକୁ ଏକ ଐତିହାସିକ ପୃଷ୍ଠଭୂମି ରେ ମଧ୍ୟ ଦେଖା ଯାଇ ପାରେ।

୧୦. ଗୋଟିଏ ପର୍ବରେ ବହୁ ସାଂସ୍କୃତିକ ବିବିଧତା ର ସମନ୍ବୟ ଘଟାଇ ଲଂକାପୋଡି ଯାତ୍ରା ଏକ ନିଆରା ପରମ୍ପରା ସୃଷ୍ଟି କରିଛି। ସମୟ ସହିତ ପର୍ବ ପାଳନର ଧାରା ମଧ୍ୟ ବଦଳୁଛି ।

ତେବେ ମୌଳିକ ଶିଳ୍ପ କଳା ଭାବରେ ହନୁମାନ ନିର୍ମାଣର କଳା କୌଶଳ ସହ କୌଣସି ସାଲିସ କରିବା ଉଚିତ ହେବ ନାହିଁ । ଏହି କଳା ର ସୁରକ୍ଷା ଲାଗି ସୋନପୁରରେ ଏକ ଟେରାକୋଟା ସଂଗ୍ରହାଳୟର ଆବଶ୍ୟକତା ରହିଛି ।

 

ଓଡିଶା ଡଟ କମ

1 Comment

  • Thanks for the feature story. Please continue to enrich our minds with more such feature stories. Thank you again. Sunil Patnaik.

Leave a Reply