ଭାବ ଓ ଭକ୍ତିର କାଳାତୀତ ସ୍ଵର ; ଦଶଟି ଜଗନ୍ନାଥ ଜଣାଣ

 

janana

କେଦାର ମିଶ୍ର

ସମୁଦ୍ର ବେଳାରେ ଠିଆ ହୋଇ ସବୁଠୁ ସୁନ୍ଦର ଲହଡି ଗଣିବା ସମ୍ଭବପର କି? ଆମେ ପ୍ରୟାସ କଲେ ବି ସବୁ ସୁନ୍ଦର ଭିତରୁ ସୁନ୍ଦରତରକୁ ବାଛିବା ସମ୍ଭବ ହେବନାହିଁ। ଓଡିଆ ଭାବରେ ଆମର ଜୀବନ ସହିତ ଜଗନ୍ନାଥ ଜଣାଣ ଏକୀଭୁତ ହୋଇ ରହିଛି ।

ଏହା ଯେତିକି ଧାର୍ମିକ, ତାଠୁ ଅଧିକ ଭାବଗତ।ଆପଣ ଆସ୍ତିକ ହୁଅନ୍ତୁ ବା ନାସ୍ତିକ, ସ୍ଵର ର ମାଧୁର୍ଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ବିମୋହିତ ହେବାକୁ ବାଧ୍ୟ।

ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଭକ୍ତି ଭାବର ପ୍ରାବଲ୍ୟ ରହିଥିବା ବେଳେ ଓଡିଶାରେ ଭକ୍ତି ଗୀତର ଧାରା ବହୁମୁଖୀ ଓ ବିବିଧ।ଭଜନ. କୀର୍ତନ ଓ ଜଣାଣ ଭିତରେ ଭାବଗତ ମୌଳିକ ପାର୍ଥକ୍ୟ ରହିଛି ।

ଭଜନରେ ଭକ୍ତ ସ୍ତୁତି କରେ, ସ୍ମରଣ କରେ କିମ୍ବା ଆତ୍ମ ସମର୍ପଣ କରେ ।ଜଣାଣ କିନ୍ତୁ ଅଧିକ ଲୌକିକ। ଏଠି ଭକ୍ତ ଓ ଭଗବାନ ସତେକି ପରସ୍ପରର ସମ୍ପର୍କୀୟ। ଜଗନ୍ନାଥ ଜଣାଣରେ ଜଗନ୍ନାଥ ମହାପ୍ରଭୁଂକୁ ଭକ୍ତ ନିଜ କଥା ଜଣାଏ । ମାନ ଓ ଅଭିମାନ ବି କରେ ।

ତେଣୁ ଜଣାଣ ଗାୟନର ପରମ୍ପରା ଅଧିକ ଭାବ ଭିତ୍ତିକ। ଯଦିଓ ଏସବୁ ଗାୟନରେ ଶାସ୍ତ୍ରୀୟ ରାଗ ରାଗିଣୀର ପ୍ରୟୋଗ ଥାଏ, ତେବେ ସେଠି ରାଗର ବ୍ୟାକରଣ ଓ ପ୍ରୟୋଗ ବେଶୀ ଗୁରୁତ୍ଵ ପାଏ ନାହିଁ ।

ଜଣାଣର ଆତ୍ମା ହେଉଛି ଭାବ ଓ ଆବେଗ। ଓଡିଶାରେ ଜଗନ୍ନାଥ ଜଣାଣର ପରମ୍ପରା ବହୁ ପ୍ରାଚୀନ । ତେବେ ଲୋକଶୃତି ରେ କାଳଜୟୀ ଦଶଟି ଜଣାଣର ଆଲୋଚନା ଆମେ କରିବା-

୧. ଜଗନ୍ନାଥାଷ୍ଟକମ୍ – ସୁନନ୍ଦା ପଟ୍ଟନାୟକ । ଶଂକରାଚାର୍ଯ୍ୟ ବିରଚିତ ଜଗନ୍ନାଥାଷ୍ଟକମ୍ ହେଉଛି ଜଗନ୍ନାଥ ସଂସ୍କୃତିର ଅନ୍ୟତମ ମୌଳିକ ସ୍ତୋତ୍ର।ଏହାର ଗାୟନ ଓ ପଠନ ର ବହୁ ଶୈଳୀ ରହିଛି।

କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଏବର ସମୟର ବହୁ ଶିଳ୍ପୀ ଏହି ସଂସ୍କୃତ ସ୍ତବ ପାଠ କରିଛନ୍ତି।ହେଲେ ସୁନନ୍ଦା ପଟ୍ଟନାୟକ ନିଆରା ଗାୟକିର ଅଧିକାରୀ।

ହିନ୍ଦୁସ୍ତାନୀ ଶୈଳୀର ଗାୟନ ସହିତ ଭାବ ବିନ୍ୟାସରେ ଅତି ଅନ୍ତରଂଗ ଭାବ ଏହି ଗୀତ ରେ ରହିଛି। ଗୋଆଲିଅର୍ ଘରାନାର ଗାୟକୀ ସହିତ ଓଡିଶୀ ଭାବର ତନ୍ମୟ ମିଶ୍ରଣ ଯୋଗୁଁ ଏହି ଗୀତ ର କୌଣସି ତୁଳନା ନାହିଁ।

୨. ପତିତ ଜନଂକୁ ଉଦ୍ଧରିବା ପାଇଁ ଉଡାଉଅଛ ପତାକା – ନିମାଇଁ ହରିଚନ୍ଦନ।ନିମାଇଁ ହରିଚନ୍ଦନ ଓଡିଆ ଜଣାଣ ପରମ୍ପରାର ଶ୍ରେଷ୍ଠତମ ଦିଗପାଳ।ତାଂକ କଣ୍ଠରେ ଆର୍ତ୍ତୀ ଓ ଆକୁଳତା ର ବିରଳ ବିନ୍ୟାସ ରହିଛି। ମହାବାହୁ ହେ ….ବୋଲି ସେ ଯେତେବେଳେ ଡାକ ଦିଅନ୍ତି, ସତେକି ତାହା ପ୍ରତ୍ୟେକ ଶ୍ରୋତାଂକ ଅନ୍ତରର ଡାକ।

ତାଂକର ଅଜସ୍ର ଜଣାଣ ଭିତରୁ ଏହି ଜଣାଣରେ ବ୍ୟାକୁଳ ପ୍ରାଣର ବ୍ୟଥା ଓ ବେଦନା ଅତ୍ୟନ୍ତ ମର୍ମସ୍ପର୍ଶୀ।

https://youtu.be/fAFlYmuus4c?t=36

୩. ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ – ରଘୁନାଥ ପାଣିଗ୍ରାହୀ । ଏହା ଗୀତ ନୁହଁ, ଗୋଟେ ଐତିହାସିକ ଜୀବନବୋଧ । ଯବନ କବି ସାଲବେଗଂକ ତନ୍ମୟ ଭକ୍ତିର ଅପୂର୍ବ ଭାବ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ନବଜନ୍ମ ପାଇଛି। ପ୍ରାଚୀନ ଓଡିଶୀ ସ୍ଵରରେ ସାମାନ୍ୟ ଦକ୍ଷିଣୀ ଶୈଳୀର ସାର୍ଥକ ମିଶ୍ରଣ ଏହି ଗୀତକୁ କାଳଜୟୀ କରିଛି ।

୪. ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ – ବାଳକୃଷ୍ଣ ଦାଶ ।ସେ ଗୀତ ନୁହଁ , ଗୋଟେ ଆକୁଳ ପ୍ରାଣର ଅଳି। ଦୀନବନ୍ଧୁଂକ ପାଖରେ ସାଧାରଣ ମଣିଷର ବିଷାଦ ଗାୟନ। ବାଳକୃଷ୍ଣ ଦାଶଂକ କଣ୍ଠ ବେଶୀ ମିଠା ନୁହଁ, କିନ୍ତୁ ଅପୂର୍ବ ଗମ୍ଭୀର।ତାଂକ ସ୍ଵର ସିଧା ଆତ୍ମାର ବାମ୍ଫ ପରି ଆଛନ୍ନ କରେ ।

 

ଦାନାକନା ପଛେ ମନା ହେଉ ମୋତେ ……ଏତିକି କହିଲା ବେଳେ ଯେମିତି କେହି ଜଣେ ହୃଦୟକୁ ମଂଥି ଦେଉଛି ।ଭାବ ର ମଉଡମଣି ବାଳକୃଷ୍ଣ ଦାଶ। ଏ ଗୀତ ଶୁଣିବା ସମ୍ଭବ ନୁହଁ, ୟାକୁ ଅନ୍ତର ଭିତରେ ଅନୁଭବିବାକୁ ହୁଏ ।

୫. ଚକାନୟନକୁ ପତିତ କେହି – ରଘୁନାଥ ପାଣିଗ୍ରାହୀ। ଚନ୍ଦନ ହଜୁରିଂକ ଏହି ବିରଳ ଜଣାଣରେ ଅଳି ଓ ଅଭିମାନର ଭାଷା କୁ ରଘୁନାଥ ପାଣିଗ୍ରାହୀ ତାଂକର ମଖମଲୀ ସ୍ଵରର ଗୋଟେ ଅପୂର୍ବ ପ୍ରଭାବ ରହିଛି।

https://www.youtube.com/watch?v=PZclDhklOZc

ଛନ୍ଦ ଛାଡ ଦେବରାଜେ ହେ, ନନ୍ଦ ନନ୍ଦନ ଶ୍ରୀ ଚରଣାରବିନ୍ଦେ ଚନ୍ଦନ ହଜୁରୀ ଭଜେ ହେ….ଗାଇଲା ବେଳେ ଅଭିଯୋଗ ଓ ଅଭିମାନ ର ଏକ ମଧୁର ସ୍ଵର ଶୁଣିଲା ବେଳେ ମନେହୁଏ – ଏ ଗୀତ କେବେ ବି ସରନ୍ତା ନାହିଁ ଯେମିତି !!

୬. ଭୁଜତଳେ ମୋତେ ରଖ ମହାବାହୁ – ପ୍ରଫୁଲ୍ଲ କର । ଗଜପତି ବୀରକେଶରୀ ଦେବଂକ ଏହି ଜଣାଣ କେବେ ଶୁଣୁ ଶୁଣୁ ଆପଣଙ୍କୁ ହୁଏତ ଲାଗିପାରେ ଯେମିତି ଗୋଟେ ଅଦୃଶ୍ୟ ବଳିୟାର ଭୁଜ ଆପଣଂକୁ ଆଶ୍ରିତ କରି ରଖିଛି ।ପ୍ରଫୁଲ୍ଲ କରଂକ କଣ୍ଠରେ ଏଇ ଗୀତର ଆବେଦନ ନିଆରା।

୭. ଜୟ ଜୟ ଜଗନ୍ନାଥ ଚଢି ନନ୍ଦିଘୋଷ ରଥ- କାଶୀନାଥ ପୂଜାପଣ୍ଡା। ଅନେକଂକ ଲାଗି କାଶୀନାଥ ପୂଜାପଣ୍ଡା ଟିକେ ନୁଆ ନାଁ ଭଳି ଲାଗି ପାରନ୍ତି।ପଚାଶ ଦଶକର ଆକାଶବାଣୀରେ ଯେଉଁ ମାନେ କାଶିନାଥଂକୁ ଶୁଣିନଥିବେ, ସେମାନେ ଏକ ବିରଳ ସୌଭାଗ୍ୟରୁ ବଂଚିତ ବୋଲି କହିବାରେ ଅସୁବିଧା ନାହିଁ।

ପ୍ରାଚୀନ ଓଡିଶୀ ଗୟନର ଶୁଦ୍ଧତା ଓ ପ୍ରବନ୍ଧ ଶୈଳୀ ର ଅନୁପମ ଗାୟକ ସେ ।ଏହି ଗୀତ ରଭାବ ସହିତ ଚୋଖୀ ରାଗର ପ୍ରାଚୀନ ଦେଶୀପଣକୁ ଅତି ସହଜରେ ଅନୁଭବ କରିହୁଏ ।

https://youtu.be/mpjuYhkO04Y

୮. ପତିତପାବନ ବାନା ଆଉ କେତେ ବେଳକୁ – ସିକନ୍ଦର ଆଲାମ୍ ।ତାଂକ କଣ୍ଠ ଯେମିତି ମହୁର ସୁରେଇ। ସିକନ୍ଦର ଆଲାମ ଆମ ସମୟର ସାଲବେଗ।ପତିତପାବନ ବାନା ଆଉ କେତେ ବେଳକୁ……ସେ କେବଳ ପ୍ରଶ୍ନ ନୁହଁ, ଗୋଟେ ଆତୁର ଆର୍ତ୍ତି ।

ଓଡିଆ ଶବ୍ଦର ଉଚାରଣରେ ତାଂକର ସ୍ପଷ୍ଟତା ଓ ଭାବ ପ୍ରବଣତାକୁ ଏହି ଜଣାଣରେ ଅନୁଭବୀ ହୁଏ ।

୯. କେଣେ ଘେନି ଯାଉଚ୍ଛ ଜଗନ୍ନାଥଂକୁ –ଅକ୍ଷୟ ମହାନ୍ତି ।ଇଏ ସେଇ ଅକ୍ଷୟ ମହାନ୍ତି ନୁହନ୍ତି, ଯିଏ ଚପଳ ପ୍ରଜାପତିର ଡେଣାରେ ରଂଗ ମାଖି ଫୁଲରୁ ଫୁଲକୁ ଘୂରୁଥାଏ । ଏ ଗୀତ ଗାଇଲା ବେଳେ ଏକ ଐତିହାସିକ ବିପର୍ଯ୍ୟୟକୁ ଦେଖିଥିବା ସାଲବେଗଂକ କଣ୍ଠ ର ଜୀବନ୍ତ ସାକ୍ଷୀ ଅକ୍ଷୟ ମହାନ୍ତି ।

ମୋଗଲ ଆକ୍ରମଣରୁ ରକ୍ଷା କରିବାକୁ ଶ୍ରୀ ଜଗନ୍ନାଥଂକୁ ଯେତେବେଳେ ମନ୍ଦିରରୁ ଗୋପନ କରି ନିଆ ଯାଉଛି, ସେତେବେଳର ଛାତିଫ଼ଟା ଚିତ୍କାର ଏ ଜଣାଣ। ଅକ୍ଷୟ ମହାନ୍ତି ସତେକି ଚାରି ଶହ ବର୍ଷ ତଳର ସେ ବିଷାଦ ବେଳାର ଗାୟକ। ଏ ଗୀତର କୌଣସି ବିକଳ୍ପ ନାହିଁ ।

୧୦. କୋଠ ଭୋଗ ଖିଆ ମୋ ଚକା ଆଖିଆ ଉଠ ହେ ପହଡ ଭାଂଗି – ଭିକାରୀ ବଳ । ଭଜନ ଥିଲା ତାଂକର ଏକମାତ୍ର ପରିଚୟ ।ତାଂକର ଶହ ଶହ ଭାଜନ ଭିତରୁ ଏଇ ଜଣାଣ ଟି ଭକ୍ତ ର ନୁହଁ, ବରଂ ସେବକର ।ଟିକେ ଅଥୟ ଓ ନିରୀହ ଏ ଗୀତର ପ୍ରବାହ।

ମଧୁର ସେବା ଓ ସ୍ଵରର ଅନାବିଳ ବିନ୍ୟାସ ପାଇଁ ଏହା ସବୁବେଳେ ଆମକୁ ତନ୍ମୟ କରି ରଖିବ ।
https://www.youtube.com/watch?v=BsUZ_KhhJRQ

( ଏଇ ଦଶଟି ଜଣାଣ କଥା ଲେଖିଲାବେଳେ ଆହୁରି ଶହ ଶହ ଜଣାଣ ମନକୁ ଆସୁଛି ।ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର, ସୁମତି ଦେବୀ, ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ,ଚିତ୍ତ ଜେନା, ଫକିର ପଟ୍ଟନାୟକ ଓ ଆହୁରି ଅନେକ ଗାୟକ ଗାୟିକାଂକ କଣ୍ଠ ଉଦବେଳିତ କରୁଛି ।

ତେବେ ବିବିଧତା ଓ ଗାମ୍ଭିର୍ଯ୍ୟର ମାପକାଠିରେ ଏଇ ଦଶଟି ଜଣାଣକୁ ବାଛିଲି।କେବେ ଶୁଣିବେ ଯଦି, ସ୍ଵର ସମୁଦ୍ରରେ ତଲ୍ଲୀନ ହେବେ ନିଶ୍ଚୟ )

ଓଡିଶା ଡଟ କମ