ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

ଭିତ୍ତି ଚିତ୍ର
ବିଘ୍ନେଶ୍ୱର ସାହୁ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳୟ ମଧ୍ୟରୁ ବାଦ୍ ଦିଆଯାଇ ନପାରେ ।

ଭିତ୍ତି ଚିତ୍ରର ପରିଭାଷା ହେଉଛି କାନ୍ଥଚିତ୍ର । ଏହି କାନ୍ଥଚିତ୍ର ପାଇଁ ଯେଉଁ ଭୂମି ପ୍ରସ୍ତୁତ କରାଯାଏ, ତାହା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ!

ଅବିଭକ୍ତ ଗଞ୍ଜାମଜିଲ୍ଳାର ବିଭିନ୍ନ ଇଲାକାରେ ଭିତ୍ତି ଚିତ୍ର ବା କାନ୍ଥଚିତ୍ରର ଇତିହାସ ଓ ପରମ୍ପରାକୁ ଦେଖିବା । ରାଜାଶାସନ ସମୟରେ ରାଜାନୁଗ୍ରହରେ ବିଭିନ୍ନ ଜନବହୁଳ ଅଞ୍ଚଳରେ ବୈଷ୍ଣବ ଓ ଶାକ୍ତ ତଥା ଶୈବ ପରମ୍ପରାଭିତ୍ତି କ ମନ୍ଦିରମାନ ଗଢ଼ି ଉଠିଥିଲା ।

ଗଞ୍ଜାମର ବୁଗୁଡ଼ାସ୍ଥ ବିରଞ୍ଚିନାରାୟଣ ମନ୍ଦିର ଅଥବା ଚିକିଟିଗଡ଼ର ରାଧାକାନ୍ତ ମନ୍ଦିର, ଦିଗପହଣ୍ଡିର ରାଧାକୃଷ୍ଣ ମନ୍ଦିର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ରାଜମହଲ ସମ୍ମୁଖ ବଡ଼ରାଧାକାନ୍ତ ମଠ, ରସିକରାଜ ମଠ (ଯାହାକି ଆପନ୍ନାପରିଚ୍ଛା ମଠ ଭାବେ ପରିଚିତ), ପାରଳା ରାଜମହଲ ଭିତର ଦରବାରରେ ଥିବା କାନ୍ଥ ଚିତ୍ର ଏବଂ ମେଳିଆପୁଟି (ଆନ୍ଧ୍ରପ୍ରଦେଶ) ସ୍ଥିତ ରାଧାକୃଷ୍ଣ ମନ୍ଦିର ବେଢ଼ାରେ ଥିବା ଭିତ୍ତି ଚିତ୍ରଗୁଡ଼ିକ ବେଶ୍ ମନୋମୁଗ୍ଧକର ତଥା ଇତିହାସର ସ୍ୱାକ୍ଷର ବହନ କରେ ।

ଏବେ ଅବଶ୍ୟ ପାରଳାର ବର୍ତମାନର ରାଜ ଉତରାଧିକାରୀଙ୍କ ମନୋନୀତ ଜଣେ ତତ୍ୱାବଧାରକଙ୍କ ଅଦୂରଦର୍ଶିତା ତଥା ସ୍ୱୈରାଚାରିତା ଯୋଗୁଁ ପ୍ୟାଲେସ (ମହଲ) ଭିତର ମୂଲ୍ୟବାନ କାନ୍ଥଚିତ୍ରରେ ଚୂନ ବୋଳି ଦିଆଯାଇଛି ।

ଭିତ୍ତି ଚିତ୍ର ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।

ସେହିପରି ପାରଳା ରାଜପ୍ରାସାଦ ସମ୍ମୁଖସ୍ଥ ବଡ଼ରାଧାକାନ୍ତ ମଠ କାନ୍ଥରେ ବର୍ତମାନର ପରିଚାରକଙ୍କ ବୁଦ୍ଧିହୀନତା ଯୋଗୁଁ ତିନିଶହ ବର୍ଷରୁ ଊଦ୍ଧ୍ୱର୍ କାନ୍ଥ ଚିତ୍ରକୁ ମନ୍ଦିର ନବୀକରଣ ନାଁରେ ଏନାମେଲ ପେଂଟ୍ସ୍ ବୋଳି ଦିଆଯାଇଛି ।ଭିତ୍ତି ଚିତ୍ର

ଫଳରେ ଶହ ଶହ ବର୍ଷର ଐତିହ୍ୟ ଓ ଗୌରବ ବହନ କରୁଥିବା ପଟ୍ଟଚିତ୍ର ବା ଭିତ୍ତି ଚିତ୍ରଗୁଡ଼ିକ ଅକାରଣରେ ସମାଧି ନେଇଯାଇଛି ।

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ । ଭିତ୍ତି ଚିତ୍ର

ପ୍ରତ୍ୟେକ ଅଂଚଳରେ(ରାଜା ଅଥବା ଜମିଦାରଶାସିତ ଇଲାକା)ସେଠାକାର ଶାସକବର୍ଗ ଏସବୁର ପୃଷ୍ଠପୋଷକତା କରୁଥିବା ଏଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ।

ବୁଗୁଡ଼ାସ୍ଥ ବିରଂଚିନାରାୟଣ ମନ୍ଦିରକୁ କାଠର କୋଣାର୍କ ଭାବେ ମଧ୍ୟ ଅଭିହିତ କରାଯାଏ । କାରଣ କାଠର ଖୋଦେଇ ଏତେ କାରୁକାର୍ଯ୍ୟପୂର୍ଣ୍ଣ ହୋଇଛି ଯେ କୋଣାର୍କର ପ୍ରସ୍ତର କାରୁକାର୍ଯ୍ୟ ସମ ଏହାକୁ ତୁଳନା କରାଯାଏ ।

ଏହି ମନ୍ଦିରରେ ପେଡ଼ାଚୁନର ପ୍ରସ୍ତୁତ କାନ୍ଥଉପରେ ରନ୍ଧାସିପର ପ୍ରଲେପ ନିଆଯାଇଛି । ଏହି ପ୍ରଲେପ ରସ ସହିତ ବେଲ ଅଠାର ମିଶ୍ରଣରେ ପୁନର୍ବାର ପତଳା ପ୍ରଲେପ ଦିଆଯାଇ ଘଷାପଥରରେ ଘଷି ଭୂମି ପ୍ରସ୍ତୁତ କରାଯାଇଛି ।

ଏହାକୁ ଭିତ୍ତି ଚିତ୍ର ପଦ୍ଧତିରେ ‘ଡ୍ରାଇପ୍ରସେସ୍’ କୁହାଯାଏ । ସଦ୍ୟ ପ୍ରସ୍ତୁତ ଭିଜାଚୁନ କାନ୍ଥରେ ରଙ୍ଗଦେଇ ଅଙ୍କାଯିବା ଭିତ୍ତି ଚିତ୍ରକୁ ‘ୱେଟ୍ପ୍ରସେସ୍’କୁହାଯାଏ । ଅନ୍ୟ ଏକ ଜୟପୁରୀ ଫ୍ରେସ୍କୋପ୍ରସେସ୍ ମଧ୍ୟ ଅଛି । ବିରଂଚିନାରାୟଣ ମନ୍ଦିରର ଚିତ୍ରଭୂମିଠାରୁ ଅଜନ୍ତା ଭୂମିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଅଟେ ।ଭିତ୍ତି ଚିତ୍ର

ଅଜନ୍ତାର ପଥର କାନ୍ଥଉପରେ ଉଈମାଟି, ଚଷୁ, ଶୁଖିଲା ଗୋବରଗୁଣ୍ଡ, ଝୋଟ ଓ ମେଥିପାଣିକୁ ଏକାଠି ପଚାଇ କାନ୍ଥରେ ପଲସ୍ତରା କଲାପରେ ଖଣି ରଙ୍ଗର ପ୍ରଲେପ ଦେଇ ଭୂମି ପ୍ରସ୍ତୁତ କରାଯାଏ ।

ଏହି ମନ୍ଦିରର ଚିତ୍ରଭୂମିର ପ୍ରସ୍ତୁତିକରଣ ପରେ ଅଙ୍କନ ଓ ରଙ୍ଗଲେପନ ପ୍ରଣାଳୀ ମଧ୍ୟ ଆଲୋଚ୍ୟର ବିଷୟ । ଧଳାଭୂମି ଉପରେ ପ୍ରଥମେ ହଳଦିଆ ବା ଗେରୁରଙ୍ଗର ରେଖାଚିତ୍ର ଅଙ୍କନ କରି ତାହା ଭିତରେ ଭରାଟ କରାହୋଇଛି । ବିଶେଷ କରି ଧଳା, କଳା, ଲାଲ, ନୀଳ ଓ ହଳଦିଆ ରଙ୍ଗ ପ୍ରୟୋଗ ହୋଇଥିବାର ଦେଖାଯାଏ ।

ଏହି ରଙ୍ଗଗୁଡ଼ିକ ଯଥାକ୍ରମେ ଶଙ୍ଖ, ପୀଦକଳା, ଢାଉ, ନୀଳବଡ଼ି ଓ ହରିତାଳରୁ ପ୍ରସ୍ତୁତ । ଏହି ରଙ୍ଗର ପ୍ରସ୍ତୁତିକରଣ ପ୍ରଣାଳୀ ପଟ୍ଟଚିତ୍ରର ରଙ୍ଗ-ପ୍ରସ୍ତୁତି ପ୍ରଣାଳୀ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ ।ଭିତ୍ତି ଚିତ୍ର

ଅଧିକାଂଶ ମନ୍ଦିରର ଭିତ୍ତି ଚିତ୍ର ବିଶେଷକରି ରାମାୟଣ ଉପରେ ଆଧାରିତ । ରାମରାବଣ ବା ମହାଭାରତରେ କୌଣସି ମୁଖ୍ୟ ନାୟକ ନାୟିକାଙ୍କୁ ଭିତ୍ତି ଚିତ୍ରର ମଧ୍ୟସ୍ଥଳିରେ ବୃହତ ଆକାରରେ ଅଙ୍କା ଯାଇଥାଏ । ଅନ୍ୟ ପାଶ୍ୱର୍ଚିତ୍ରରେ ଦେବାଦେବୀ, ବୃକ୍ଷଲତା ବା ଜୀବଜନ୍ତୁଙ୍କୁ ତାହା ତୁଳନାରେ ଆକାରରେ କ୍ଷୁଦ୍ର କରାଯାଇଥାଏ ।

କେତେକ ସ୍ଥାନରେ କୃଷ୍ଣଲୀଳାରେ ରାଧାକୃଷ୍ଣଙ୍କୁ ମୁଖ୍ୟସ୍ଥାନ ଦେଇ ସେଥିରେ ଥିବା ଆନୁଷଙ୍ଗିକ ବୃକ୍ଷଲତା ବା ଜୀବଜନ୍ତୁଙ୍କୁ କ୍ଷୁଦ୍ରକରି ଦେଖାଇ ଦିଆଯାଇଥାଏ । ଭିତ୍ତି ଚିତ୍ରରେ ପରସ୍ପେକ୍ଟିଭ୍ ପ୍ରତି ଧ୍ୟାନ ଦିଆଯାଇ ନଥାଏ । ନାରୀ ଚିତ୍ରରେ ନାରୀକୁ ଦଣ୍ଡି, ନୋଥ, ନାକଚଣା, ଅଂଟାସୂତା ଓ ଖଡ଼ୁ ଅତ୍ୟନ୍ତ ଶୋଭନୀୟ ।

ସ୍ଥଳବିଶେଷରେ ପୁରୁଷ ହାତରେ ଖଡ଼ୁ ଓ କାନରେ ନୋଳି ବା କୁଣ୍ଡଳ ତା’ର ପୌରୁଷର ଶୋଭାବର୍ଦ୍ଧନ କରିଥାଏ । ଏହି ମନ୍ଦିରର ପୌରାଣିକ ଚିତ୍ର ମଧ୍ୟରେ ପୁରୀ ରଥଯାତ୍ରା ବା ପୁରୀର ନକ୍ସାଙ୍କନର ଦୃଶ୍ୟ ଅତୀବ ବିଚିତ୍ର ଓ ମହତ୍ୱପୂର୍ଣ୍ଣ ।ଭିତ୍ତି ଚିତ୍ର

ସେହିପରି ଅଧିକାଂଶ ମନ୍ଦିରରେ ଖମ୍ବ, ଓରା, ଶେଣି ଓ ଛାତତଳ (ସିଲିଂ)ଗୁଡ଼ିକରେ ମଧ୍ୟ ବହୁ ଚିତ୍ର ଦେଖିବାକୁ ମିଳିଥାଏ । ଗଞ୍ଜାମର ଏହି ବିରଞ୍ôଚନାରାୟଣ ମନ୍ଦିର ବ୍ୟତୀତ ଜଉଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଝାଡ଼େଶ୍ୱର ମନ୍ଦିର, ଧରାକୋଟ, ବେଲଗୁଣ୍ଠା, କାଇପଦର, ଚିକିଟି, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି, ତାରାତାରିଣୀ ନିକଟସ୍ଥ ଏକ ମଠରେ ମଧ୍ୟ ଭିତ୍ତି ଚିତ୍ର ପରିଦୃଷ୍ଟ ହୁଏ ।

ମୁଖ୍ୟତଃ ତକ୍ରାଳୀନ ରାଜାମାନଙ୍କର ଗଡ଼ଗୁଡ଼ିକରେ ଜଗନ୍ନାଥ ମନ୍ଦିର ଓ ଅନ୍ୟ କେତେକ ମନ୍ଦିରରେ ଏହି ଭିତ୍ତିଚିତ୍ର ସ୍ଥାନ ପାଇଛି । ରାମାୟଣ, ମହାଭାରତର ଗଳ୍ପ, ବିଭିନ୍ନ ଦେବାଦେବୀ, ଦଶ ଅବତାର, ମାଣିକ ଗଉଡ଼ୁଣୀ ଓ ଅନନ୍ତଶୟନ ଆଦିର ଚିତ୍ରଗୁଡ଼ିକ ଏହି ମଠ ମନ୍ଦିରର କାନ୍ଥରେ ଶୋଭାବର୍ଦ୍ଧନକାରୀ ରୂପେ କେବଳ ଯେ ଦୃଶ୍ୟମାନ ତାହା ନୁହେଁ, ଗଞ୍ଜାମ ଜିଲ୍ଲାର ସଂସ୍କୃତି ଓ ତକ୍ରାଳୀନ ଶିଳ୍ପୀମାନଙ୍କର ଉଚ୍ଚମାନର ମଧ୍ୟ ପରିଚୟ ଦେଇଥାଏ ।

ଅବିଭକ୍ତ ଗଞ୍ଜାମ ଜିଲ୍ଳା (ବର୍ତମାନର ଗଜପତି ଜିଲ୍ଳା)ର ପାରଳାଖେମୁଣ୍ଡିର ଅନେକ ଶତାୟୁ ମନ୍ଦିର ମଧ୍ୟରୁ ବଡ଼ ରାଧାକାନ୍ତ ମଠ ଏବଂ ରସିକରାଜ ମଠ କାନ୍ଥରେ ଏଭଳି ଶହ ଶହ ବର୍ଷର ଚିତ୍ର ଅଙ୍କିତ ହୋଇ ରହିଛି ।

ସେଥିରୁ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ରସିକରାଜ ମଠର ଉତରାଧିକାରୀ ମୂରଲୀଧର ପରିଚ୍ଛାଙ୍କ ଆନ୍ତରିକ ଉଦ୍ୟମରୁ ମନ୍ଦିରର ଗୋଟିଏ ପାର୍ଶ୍ଵ କାନ୍ଥରେ କିଛିଟା ଚିତ୍ରକୁ ସଂରକ୍ଷିତ କରାଯାଇପାରିଛି ।

ସେହିପରି ପାରଳା ରାଜପ୍ରାସାଦ ଭିତର କାନ୍ଥରେ ଅନେକ କାନ୍ଥ ଚିତ୍ର ବା ମୁରାଲ ରହିଥିଲା, ଯାହା ଏବେ ଚୂନ ପ୍ରଲେପ ମଧ୍ୟରେ ସମାଧି ନେଇସାରିଛି । ସେହିପରି ପାରଳାଖେମୁଣ୍ଡି ଉପକଣ୍ଠ ବର୍ତମାନର ଆନ୍ଧ୍ରପ୍ରଦେଶର ମେଳିଆପୁଟି ମଣ୍ଡଳର ମେଳିଆପୁଟି ରାଧାକାନ୍ତ ମନ୍ଦିର (ପାରଳା ଗଜପତି ରାଜାଙ୍କ ପୃଷ୍ଣପୋଷକତାରେ ଚାଲିଆସୁଥିବା)ର ଅନେକ ସୁଦୃଶ୍ୟ ଭିତ୍ତି ଚିତ୍ର ବା କାନ୍ଥଚିତ୍ର ଏବେ ବି ଦୃଶ୍ୟମାନ । ଏହା ଯେ କେହି ଦର୍ଶକଙ୍କୁ କିଛି କ୍ଷଣ ଅବାକ୍ କରିଦେବ, ଏଥିରେ ସନ୍ଦେହ ନାହିଁ ।

ରାଜା, ଜମିଦାର ତଥା ମଠମହନ୍ତମାନେ ଶିଳ୍ପୀମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ସମ୍ମାନ ଦେଇ ଏହିଭଳି ମନ୍ଦିର, ମଠ ଆଦିରେ ଭିତ୍ତି ଚିତ୍ର କରାଉଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମନ୍ଦିରର ଭିତ୍ତି ଚିତ୍ରରେ ବୃକ୍ଷଲତା, ପାହାଡ଼ ଓ ଜୀବଜନ୍ତୁ ଚିତ୍ରଗୁଡ଼ିକର ଶୈଳୀକୁ ଲକ୍ଷ୍ୟ କଲେ ସେଥିରେ ରାଜସ୍ଥାନୀ ଶୈଳୀର ପ୍ରଭାବ ପଡ଼ିଥିବାର ପରିଲକ୍ଷିତ ହୁଏ ।

ଏଥିରୁ ସମ୍ପୂର୍ଣ୍ଣ ଅନୁମେୟ ଯେ ତକ୍ରାଳୀନ ଓଡ଼ିଶାର ରାଜା ଓ ଜମିଦାରମାନେ ରାଜସ୍ଥାନୀ ବା ଓଡ଼ିଶା ବାହାରର ଶିଳ୍ପୀଙ୍କୁ ସ୍ୱଦେଶକୁ ନିମନ୍ତ୍ରଣ କରି ଓଡ଼ିଶାର ଶିଳ୍ପୀମାନଙ୍କ ସହିତ ମିଶି ଭିତ୍ତି ଚିତ୍ରାଙ୍କନ କାର୍ଯ୍ୟ କରାଉଥିଲେ । ଶିଳ୍ପୀମାନେ ମଧ୍ୟ ତାଙ୍କର ଶ୍ରମ ଓ ସମୟ ବ୍ୟୟକରି ଗୋଷ୍ଠୀଗତ ଉଦ୍ୟମରେ ଚିତ୍ରାଙ୍କନ ଏକମାତ୍ର ବୃତି ଓ କର୍ତବ୍ୟ ଭାବି ସୃଷ୍ଟି କରିଚାଲିଥିଲେ । ଏବେ ସେ ସମୟ ନାହିଁ ।

ତଥାପି ଗଞ୍ଜାମର ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ସର୍ବସାଧାରଣଙ୍କର କାନ୍ଥରେ ଚିତା ଓ ଚିତ୍ର ମାଧ୍ୟମରେ ପରମ୍ପରା ସୃଷ୍ଟି କରିଛି, ଯାହାକି ଗଞ୍ଜାମର ସହରଠାରୁ ପୁରପଲ୍ଲୀ ଯାଏଁ ଏବଂ ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକର ଧର୍ମ ଜୀବନରେ ଏକ ଅଙ୍ଗ ହୋଇ ଆସିଛି । କଥାରେ ଅଛି, ବାରମାସରେ ତେର ପର୍ବ ।

ଏହି ପର୍ବପର୍ବାଣୀ ଗଞ୍ଜାମର ସହରର ଗ୍ରାମ, ପୁରପଲ୍ଲୀ ଓ ଆଦିବାସୀ ଅଂଚଳରେ ମଧ୍ୟ ବହୁ ସମାରୋହରେ ପାଳିତ ହୋଇଥାଏ । ପିତଳ, ହିଞ୍ଜଳିକାଟୁ, ବ୍ରହ୍ମପୁର, ରମ୍ଭା, କଞ୍ଚଣା ଓ ଖଲିକୋଟର ନିକଟବର୍ତୀ କେତେକ ଅଂଚଳରେ କାର୍ତିକ ମାସରେ ଘରେ ଘରେ କୋଠିଶାଳ ବା ଊଷାକୋଠି ଚିତ୍ର ଦେଖିବାକୁ ମିଳିଥାଏ ।

ସ୍ତ୍ରୀ ଲୋକମାନେ ଠାକୁରଙ୍କ ପାଖରେ ବହୁବିଧ ମାନସିକ କରିଥାନ୍ତି । କାନ୍ଥରେ କୋଠି କାଟି ମଙ୍ଗଳା ଓ ଆନୁଷଙ୍ଗିକ ଚିତ୍ର ନିକଟରେ କଳସୀ ପୂଜା ହୋଇଥାଏ । ଏହି ପୂଜା ସମୟରେ ଗାହାଣ ଗାଇବା ପଦ୍ଧତି ଓଡ଼ିଶାରେ ଅତ୍ୟନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଖୁଦୁରୁକୁଣି ଓଷା ଅବସରରେ ମଧ୍ୟ କାନ୍ଥଚିତ୍ରର ପରମ୍ପରା ଓ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଖୁଦୁରୁକୁଣି ଓଷାରେ କାନ୍ଥରେ ମଙ୍ଗଳା ବା କାଳୀଙ୍କର ଚିତ୍ର ଅଙ୍କନ କରାଯାଇଥାଏ ଯାହାକି ସମ୍ପୂର୍ଣ୍ଣ ଦେଶୀୟ ମାଟି ରଙ୍ଗରେ ପ୍ରସ୍ତୁତ । ଧଳାଖଡ଼ି, ଗେରୁ, ସଢ଼େଇ( ନଡ଼ିଆର ଉପର କଠିନଭାଗ) କଳା, ପତ୍ରର ସବୁଜ ରଙ୍ଗ, ଏଭଳିକି ହଳଦୀକୁ ରଙ୍ଗ ରୂପେ

କାଠିରେ କନା ଗୁଡ଼ାଇ ବା ତୂଳୀ ସାହାଯ୍ୟରେ ବ୍ୟବହାର କରାଯାଇଥାଏ । ମାର୍ଗଶିର ମାସରେ ଗଞ୍ଜାମରେ ଘରେ ଘରେ ହେଉଥିବା ମାଣବସା ପର୍ବରେ ମାଣଠାରୁ ଚଟାଣ, କବାଟ କାନ୍ଥ ଏବଂ ଓଡ଼ିଆ ପୁଡ଼ୁଗ ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଚିତା ବା ଚିତ୍ରାଙ୍କନ ହୋଇଥାଏ ।

ଗଜଲକ୍ଷ୍ମୀ, ଧାନଶିଁଷା, ଲକ୍ଷ୍ମୀପାଦ ଏବଂ କାର୍ତିକ ମାସରେ ଓଲଟ ଶୁଆ, ପୂର୍ଣ୍ଣକୁମ୍ଭ, ଯୋଡ଼ିମାଛ, ନିଶୁଣି, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତା ଓ ଚିତ୍ରାଙ୍କନ କରାଯାଇଥାଏ । ଏହି ଚିତ୍ରପାଇଁ ପ୍ରସ୍ତୁତି ପ୍ରଣାଳୀ ଗୁମ୍ଫା, ମନ୍ଦିର ବା ମଠ ଭିତ୍ତି ଚିତ୍ରର କାନ୍ଥ ଭଳି ହୋଇନଥାଏ ।

ଏହି ଚିତ୍ରର ରଙ୍ଗଗୁଡ଼ିକ ସେଭଳି ଉଚ୍ଚକୋଟିର ନହୋଇପାରେ । ଘରର କାନ୍ଥ ବାରମ୍ବାର ଲିପାଯାଇ ନୂତନ ଚିତ୍ରମାନ ଅଙ୍କା ଯାଇଥିଲେ ମଧ୍ୟ ଏଥିରେ ଭିତ୍ତି ଚିତ୍ର ପରମ୍ପରାର ପ୍ରଭାବ ଯେ ପଡ଼ିଛି, ତାହା ଅସ୍ୱୀକାର କରି ହେବନାହିଁ । ଚିକିଟି ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ।
ଏହା ମଧ୍ୟ ଭିତ୍ତି ଚିତ୍ର ଦ୍ୱାରା ପ୍ରଭାବିତ ଏବଂ ପଟ୍ଟ ମାଧ୍ୟମରେ ଏହା ଏକ ରୂପାନ୍ତର ମାତ୍ର । ଏ ସମ୍ପର୍କରେ ଆମ୍ଭେ ଗଭୀର ଭାବେ ବିଚାର ବିଶ୍ଳେଷଣ କଲେ ଜାଣିପାରିବା ଯେ ଗଞ୍ଜାମର ଭିତ୍ତି ଚିତ୍ରର ପରମ୍ପରା ବଳିଷ୍ଠ ଓ ପ୍ରଭାବଶାଳୀ ।

ଭିତ୍ତି ଚିତ୍ରର ପରମ୍ପରା କେବଳ କାନ୍ଥ ଓ ପଟ୍ଟଉପରେ କାହିଁକି, ମନୁଷ୍ୟର ଦେହକୁ ମଧ୍ୟ ଅଙ୍କନ ମାଧ୍ୟମରେ ପ୍ରଭାବିତ କରିଛି । ଗଞ୍ଜାମବାସୀଙ୍କର ଧର୍ମବିଶ୍ୱାସ ଓ ପରମ୍ପରା ଯେ ସେହି ଭିତ୍ତି ଚିତ୍ରର ପ୍ରଭାବ ଓ ରୂପର ରୂପାନ୍ତର ମାତ୍ର ଏହା କହିଲେ ଅତ୍ୟୁକ୍ତି ହେବନାହିଁ ।

ତେଣୁ ଗଞ୍ଜାମର ଭିତ୍ତି ଚିତ୍ର ଗଞ୍ଜାମବାସୀଙ୍କ ସାମାଜିକ ତଥା ଧର୍ମ ଜୀବନ ଉପରେ କିପରି ପ୍ରଭାବ ପକାଇ ପାରିଛି ତାହା ବେଶ୍ ଅନୁମେୟ ।

ଯୋଗାଯୋଗ:୯୪୩୭୯୨୦୪୪୭