ଓଡିଶା ନ୍ୟୁଜ/ Odisha News
ରୋକ ଠୋକ

ଘର ନାହିଁ ଯାହାର

ଘର ନାହିଁ ଯାହାର

ଘର ନାହିଁ ଯାହାର

 

ଶୀତର ଜାଡରେ ଘର ଭିତରେ ଶୋଇଥିବା ବେଳେ ଦେହରୁ କମ୍ବଳ ଖସିଗଲେ ନିଦ ଭାଙ୍ଗି ଯାଉଛି । ହେଲେ ଭାଗ୍ୟର ବିଡମ୍ବନା, କେବଳ ଶୀତ ନୁହେଁ, ଖରା ଓ ବର୍ଷାରେ ବି ଅନେକଙ୍କ ରାତି କଟୁଛି ରାସ୍ତା କଡରେ, ବସ ଷ୍ଟାଣ୍ଡରେ, ରେଳ ଷ୍ଟେଶନରେ, ମନ୍ଦିରର ବାରଣ୍ଡାରେ, ଫ୍ଲାଇ ଓଭର ତଳେ । ଗାଁରେ ଚାଷ ଉଜୁଡି ଯାଉଛି, କୂଳ ବେଉସା ବୁଡିଯାଉଛି, ନିଯୁକ୍ତି ସୁଯୋଗ ସଂକୁଚିତ ହେଉଛି ।

ଗ୍ରାମାଂଚଳର ଭୂଷୁଡି ଯାଉଥିବା ଅର୍ଥନୀତି ଅନେକଙ୍କୁ ବାସ୍ତୁହରା କରିଦେଇଛି । ସହରମାନେ ଏବେ ପ୍ରଗତିର ଇଂଜିନ ସାଜିଛନ୍ତି । ଏଣୁ ସମସ୍ତେ ବର୍ତ୍ତମାନ ସହରମୁହାଁ । କୁହାଯାଉଛି ୨୦୩୦ ବେଳକୁ ଭାରତର ଅଧା ଜନସଂଖ୍ୟା ସହରରେ ରହୁଥିବେ । ଭାରତ ଏକ ଗ୍ରାମ ବହୁଳ ଦେଶ ବୋଲି ଆମେ ଲେଖି ଆସୁଥିବା ରଚନାର ପ୍ରଥମ ଧାଡିରେ ପରିବର୍ତ୍ତନ ହେବ ।

କିନ୍ତୁ ଲୋକଙ୍କ ଭାଗ୍ୟରେ କି ପରିବର୍ତ୍ତନ ଆସିବ ? ରୋଜଗାର ଆଶାରେ ସହରକୁ ଚାଲି ଆସିଥିବା ଗାଁର ଏହି ମଣିଷମାନେ ଏଠି ତ ଅଧିକ ବେସାହାରା ଓ ଅସହାୟ ! ମଧ୍ୟ ରାତ୍ରିର ନିଶୁନ ସମୟରେ କେବେ ଯଦି ସହର ବୁଲିବେ ତେବେ ସମ୍ଭ୍ରାନ୍ତ ମନେ ହେଉଥିବା ସହରଟି କେତେ ମାତ୍ରାରେ ଦରିଦ୍ର ଓ ସହନୁଭୂତିହୀନ ଜାଣିହେବ । ଦିନସାରା ଝାଳବୁହାଇ ରକ୍ସା ଟାଣିଥିବା ଲୋକଟି ଯାହା ମିଳିଳା

ଗଣ୍ଡେ ଖାଇ ନିଜ ରିକ୍ସାରେହିଁ ଶୋଇଯାଇଥିବ । ଦେହ ଉପରେ ଚାଦରଟିଏ ଥିଲେ ସେଇଟା ତାର ଭାଗ୍ୟ । ସକାଳୁ ଅଲଗା ହୋଇଯାଇଥିବା ପରିବାର, ଦୋକାନ ବନ୍ଦ ହେବାଯାଏ ଅପେକ୍ଷା କରେ ଏକତ୍ରିତ ହେବାକୁ କାରଣ ଦୋକାନର ବାରଣ୍ଡାହିଁ ସେମାନଙ୍କ ଘର । ଯେଉଁଠି ପ୍ରତି ମୁହୁର୍ତ୍ତରେ ବଚିଂବା ପାଇଁ ଏମିତି ସଂଘର୍ଷ, ସେଠି ପିଲାଙ୍କର ଶିକ୍ଷା, ଗର୍ଭବତୀ ମହିଳାର ଚିକିତ୍ସା, ବୁଢା ବାପର ସମାଜିକ ସୁରକ୍ଷା ଚିନ୍ତା କରିବା ବି ସ୍ୱପ୍ନ ।

୨୦୧୧ ଜନଗଣନା ଅନୁଯାୟୀ ଆମ ଦେଶରେ ଏହିଭଳି ବାସହରାଙ୍କ ସଂଖ୍ୟା ୧.୯୪ ମିଲିୟନ । ଆକଳନ କହେ ସହରର ମୋଟ ଜନସଂଖ୍ୟାର ଅତିକମରେ ଏକ ଭାଗ ଲୋକଙ୍କର ରହିବା ପାଇଁ ଘରନାହିଁ । ବାସହାରା ଏହି ସହରି ମଣିଷମାନେ ସବୁବେଳେ ଅସୁରକ୍ଷାର ବଳୟରେ ରୁହନ୍ତି । ଗୋଟିଏ ପଟେ ଅନିଶ୍ଚିତ ରୋଜଗାର ଆଉ ଅପର ପକ୍ଷରେ ବଜାର ନିର୍ଭରଶୀଳ ସହରି ଜୀବନରେ ପ୍ରତି ମୂହୁର୍ତ୍ତରେ ଖର୍ଚର ଆବଶ୍ୟକତା ।

ଏପରିକି ଝାଡା, ପାରିଶ୍ରା ନିମନ୍ତେ ଶୌଚାଳୟ ଖର୍ଚ ସେମାନଙ୍କୁ ବ୍ୟତିବ୍ୟସ୍ତ କରାଏ । ଗଣ୍ଡେ ଖାଇବା, ଶ୍ୱାସ୍ଥ୍ୟ ସେବାର ସୁଯୋଗ ପାଇଁ ସେମାନଙ୍କୁ ଅନ୍ୟର ଦୟା ଉପରେ ନିର୍ଭର କରିବାକୁ ପଡେ । ରାତିରେ ଖାଲି ପେଟରେ ଶୋଇବା ଏମାନଙ୍କ ଦେହସୁହା ହୋଇଯାଇଛି । ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏମାନଙ୍କ ଭିତରୁ ପ୍ରାୟ ୮୦ ଭାଗ ଲୋକ ରାତିରେ ଖାଲି ବା ଅଧା ପେଟରେ ଶୁଅନ୍ତି । ଏହି ପରିସ୍ଥିତିରେ ମହିଳା ଓ ଶିଶୁମାନେ ଅଧିକ ବିପଦଶଂକୁଳ ହୁଅନ୍ତି । ପ୍ରତିଦିନ ଏମାନେ ଶୋଷଣ ଓ ନିର୍ଯ୍ୟାତନାର ଶିକାର ହେଉଥିଲେବି ଭାଗ୍ୟ ଆଦରି ସହି ଯାଆନ୍ତି ।

ଅଂଚଳରେ କିଛି ଅପରାଧ ଘଟିଲେ ଏମାନଙ୍କ ଉପରେ ପ୍ରଥମେ ପୁଲିସ ଜୁଲୁମ କରେ । ସହର ସୌନ୍ଦର୍ଯ୍ୟ କରଣ ଆଳରେ ପ୍ରତି ମୁହୁର୍ତ୍ତରେ ଏହି ଅନିଶ୍ଚିତ ବାସସ୍ଥାନରୁ ବି ବିସ୍ଥାପନର ଭୟ ଏମାନଙ୍କର ଚିର ସହଚର । ସମସ୍ତଙ୍କ ଟାହିଟାପରା ଓ ଶାସନ, ପ୍ରଶାସନର ଅବହେଳାର ଶିକାର ହେଉଥିବା ଏହି ସହରି ବାସହରାମାନେ ଗଣତନ୍ତ୍ରରେ ରହିବି କେବେ ଭୋଟ ଦେବାର ସୁଯୋଗ ପାଆନ୍ତି ନାହିଁ । ସତେ ଯେମିତି ଏମାନେ ସ୍ୱାଧିନ ଭାରତର ନାଗରିକ ନୁହନ୍ତି ।

ଆମ ଦେଶର ଉଚ୍ଚତମ ନ୍ୟାୟାଳୟ କିନ୍ତୁ ଘଟଣାଟିକୁ ଗୁରୁତ୍ୱର ସହ ନେଇଛନ୍ତି । ବାସହରା ସ୍ଥିତିକୁ ସ୍ୱାଭିମାନ ସହ ବଂଚିବାର ମୌଳିକ ଅଧିକାରର ପରିପନ୍ଥି ମନେକରି ରାଜ୍ୟମାନଙ୍କୁ ଏଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୦ ମସିହା ଜାନୁୟାରୀ ୧୦ ଓ ମେ ୨୦ ରେ ଦେଇଥିବା ନିର୍ଦ୍ଦେଶରେ ରାଜ୍ୟରେ ବାସହରାଙ୍କ ଗଣନା କରାଯିବା ସହ, ଏମାନଙ୍କ ପାଇଁ ମୌଳିକ ସୁବିଧା ସଂଯୁକ୍ତ ଆଶ୍ରୟ ସ୍ଥଳି ତିଆରି କରିବାକୁ କୁହାଯାଇଛି ।

ଏପରିକି ମହିଳା, ବୃଦ୍ଧ, ମାନସିକ ଅସୁସ୍ଥଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟ ସ୍ଥଳି ଉପରେ ଗୁରୁତ୍ୱ ଦିଆଯାଇଛି । ଉଚ୍ଚତମ ନ୍ୟାୟାଳୟଙ୍କ ଏହି ଆଦେଶର କିନ୍ତୁ ଧର୍ମକୁ ଆଖିଠାର ଭଳି କାର୍ଯ୍ୟାନ୍ୱୟନ ହେଉଛି । କେବଳ ଦିଲ୍ଲୀକୁ ଛାଡିଦେଲେ ଅନ୍ୟ ପ୍ରମୁଖ ସହର ଯଥା ମୁମ୍ବାଇ, କୋଲକତା, ଚେନ୍ନାଇ, ବାଙ୍ଗାଲୋର, ଲଖନୌ ଭଳି କୌଣସି ବି ସହରରେ ଆବଶ୍ୟକ ସଂଖ୍ୟକ ଆଶ୍ରୟ ସ୍ଥଳି ନାହିଁ ।

ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱରରେ ୭ଟି, କଟକରେ ୬ଟି ଓ ପୁରୀରେ ୨ଟି ଆଶ୍ରୟ ସ୍ଥଳି ଖୋଲାଯିବାର ପ୍ରସ୍ତାବ ଥିଲା । ପ୍ରାଥମିକ ପର୍ଯ୍ୟାୟରେ ୨୦୧୧ ମସିହା ଜାନୁୟାରୀରେ ୨ଟି ଓ ପରେ ୨୦୧୫ ରେ ୩ଟି ଏପରି ମୋଟ ୫ଟି ଆଶ୍ରୟ ସ୍ଥଳି ଖୋଲି ସା୍ମର୍ଟ ସହର ପାଇଁ ପ୍ରସ୍ତୁତ ହେଉଥିବା ଭୁବନେଶ୍ୱର ନିଜ ଦାୟୀତ୍ୱ ତୁଟେଇ ଦେଇଛି । ୨୦୧୧ ଜନଗଣନା ଅନୁଯାୟୀ ଭୁବନେଶ୍ୱର ଜନସଂଖ୍ୟା ଆଠ ଲକ୍ଷ ।

ଊଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଏକ ଲକ୍ଷ ଜନସଂଖ୍ୟାରେ ଅତିକମରେ ଗୋଟିଏ ଆଶ୍ରୟ ସ୍ଥଳି ଖୋଲାଯିବା କଥା, ଯାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ରାଜ୍ୟର ଅନ୍ୟ ସହରାଚଂଳର କଥା ନକହିବା ଭଲ । ଜରି ଓ କପଡା ଘେରା ଘରେ ଅନେକଙ୍କ ଜୀବନ କଟୁଛି । ସହର ଗଠନରେ ଏହି ବାସହରା ଲୋକଙ୍କ ଅବଦାନ ଅନେକ । ଏମାନଙ୍କ ଭିତରୁ କିଏ ଆମ ଘରେ ଖବର କାଗଜ ଦଉଛି, କିଏ ଘର ପୋଛୁଛି ।

ତାଙ୍କରି ଭିତରୁ ଅନେକେ ଆବର୍ଜନା ଗୋଟାନ୍ତି ତ ଅଉକିଛି ସହରର ରାସ୍ତା ଘାଟ, କୋଠାବାଡି ନିର୍ମାଣ, ଦ୍ରବ୍ୟ ପରିବହନ ପାଇଁ ଶସ୍ତାରେ ଶ୍ରମ ଦିଅନ୍ତି । ଜୀବିକା ଉପର୍ଜନର କିଛି ପନ୍ଥା ନମିଳିଳେ ଭିକ ମାଗି ଚଳନ୍ତି । ଚଉଡା ରାସ୍ତା, ଉଚ୍ଚ କୋଠା କେବଳ ସହରକୁ ସ୍ମାର୍ଟ କରି ପାରିବ ନାହିଁ । ଏଥି ପାଇଁ ପ୍ରଶାସନକୁ ସମ୍ବେଦନଶୀଳ ଓ ଲୋକାଭିମୁଖି ହେବାକୁ ପଡିବ ।

ଊଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନ ପୁର୍ବକ ସହରାଚଂଳ ବାସହରାଙ୍କ ଗଣତି କରାଯାଇ ଅବଶ୍ୟକତା ମୁତାବକ ଆଶ୍ରୟ ସ୍ଥଳି ନିର୍ମାଣ, ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମସ୍ତଙ୍କୁ ଆବାସ ଓ କର୍ମ ନିୟୋଜନ ଯୋଗେଇ ପାରିଲେ ସହରରେ ରହୁଥିବା ସବୁଠାରୁ ଅସହାୟ ଲୋକଙ୍କ ଅଧିକାର ସୁରକ୍ଷିତ ହୋଇ ପାରିବ ଓ ଅମେ ନିଜକୁ ସ୍ମର୍ଟ ବୋଲି କହିବାରେ ଗର୍ବ ଅନୁଭବ କରିବା ।

 

Leave a Reply

This site uses Akismet to reduce spam. Learn how your comment data is processed.