• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଆତଙ୍କ ସୃଷ୍ଟି କରିବାଲାଗି ମାଓବାଦୀ ଚଳାଇଛନ୍ତି ନରସଂହାର (ସାକ୍ଷାତକାର)

July 14, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ : ଅଜିତ ନାୟକ

ସମ୍ବଲପୁର, ଜୁଲାଇ ୧୪ (ଓଡିଶା ଡଟ୍ କମ୍), ଓଡିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଜୁମୁରା ଥାନା ଇଲାକା ଗୁଡିକରେ ସମ୍ପ୍ରତି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସରଳ ନିରୀହ ଗ୍ରାମବାସୀମାନେ ମାଓବାଦୀଙ୍କ ଆକ୍ରମଣର ଶିକାର ହେଉଛନ୍ତି ।

ବିଗତ ଦୁଇ ମାସ ମଧ୍ୟରେ ଉକ୍ତ ଅଞ୍ଚଳରେ ଦୁଇଟି ବଡଧରଣର ଅତି ବିଭତ୍ସ ଗଣହତ୍ୟା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ମେ’ ମାସ ୨୭ ତାରିଖରେ ମାଓବାଦୀମାନେ ଜିଲ୍ଲାର ବୁରୁଦା ଗ୍ରାମରେ ତିନି ଜଣଙ୍କୁ ହତ୍ୟା କରିଥିଲେ ।

ଏହାପରେ ଗତ ଜୁଲାଇ ୭ ତାରିଖ ଦିନ ଭୋରବେଳା ସେହି ଅଞ୍ଚଳରେ ଥିବା ତିନି ଖଣ୍ଡ ଗାଁର ଅନ୍ୟ ପାଞ୍ଚ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ରାଜ୍ୟ ପୋଲିସ ବାହିନୀ ନିମନ୍ତେ ମାଓବାଦୀଙ୍କ ଏହି ଜଘନ୍ୟକାଣ୍ଡ ଏକ ଖୋଲା ଚାଲେଞ୍ଜ ବୋଲି ତଥ୍ୟାଭିଜ୍ଞ ମହଲ ବିବେଚନା କରୁଛନ୍ତି ।

ଅନ୍ୟପକ୍ଷରେ ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ନିନ୍ଦାର ପାତ୍ର ହୋଇଛି । ଆତଙ୍କିତ ଗ୍ରାମବାସୀମାନେ ନିଜର ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଉଛନ୍ତି ।

ଏଭଳି ଅଭାବନୀୟ ପରିସ୍ଥିତିରେ ଜିଲ୍ଲାର ପ୍ରକୃତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ ହେବା ଲାଗି ଆମ ପ୍ରତିନିଧି ସାକ୍ଷାତ କରିଥିଲେ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ ସୁଶାନ୍ତ କୁମାର ନାଥଙ୍କୁ । ସେହି ସାକ୍ଷାତକାରର କିୟଦଂଶ………

ଜିଲ୍ଲାର ମାଓବାଦୀ ଉପଦ୍ରୁତ ଇଲାକା ଗୁଡିକ ସମ୍ପର୍କରେ କିଛି କହିବେ କି ?

ଛାମୁଣ୍ଡା ଓ ମେଘପାଳ ପଞ୍ଚାୟତର ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ଏହି ଉଭୟ ସ୍ଥାନ ଯୁଜୁମୁରା ଥାନା ଅଧିନରେ ଅଛି । ପୂର୍ବରୁ ମାଓବାଦୀମାନେ ସେମାନଙ୍କର କାର୍ଯ୍ୟକଳାପ ସମ୍ବଲପୁର ତଥା ଦେବଗଡ ଜିଲ୍ଲାର ସୀମାବର୍ତ୍ତୀ ଗ୍ରାମ ଗୁଡିକରେ ଜାରୀ ରଖିଥିଲେ ।

ତେବେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ସେମାନେ ଜଙ୍ଗଲ ଆଖପାଖ ଅଞ୍ଚଳରେ ନିଜ ପ୍ରଭାବକୁ ସୀମିତ ରଖିଛନ୍ତି ।

ମାଓବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଆପଣଙ୍କ ବିଭାଗକୁ କେବେ ଆଭାସ ମିଳିଲା ଏବଂ ସମସ୍ୟାର ସମାଧାନ ଲାଗି ଆପଣଙ୍କ ବିଭାଗ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି?

୨୦୦୩ ମସିହାରେ ମେଘପାଳର ପୂର୍ବତନ ସରପଞ୍ଚ କାଦାର ସିଂହଙ୍କ ହତ୍ୟାକାଣ୍ଡ ପରେ ପ୍ରଥମେ ଆମକୁ ମାଓବାଦୀମାନଙ୍କ ଉପସ୍ଥିତି ନେଇ ସୁରାକ ମିଳିଥିଲା । ପରେ ଘଟଣାରେ ସଂଶ୍ଲିଷ୍ଟ କେତେକ ସନ୍ଦିଗ୍ଧ ମାଓବାଦୀଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ।

ଯେଉଁମାନେ କୌଶଳରେ ଆତ୍ମଗୋପନ କରିଥିଲେ, ସେମାନଙ୍କୁ ବି ଗିରଫ କରାଯାଇଥିଲା । ପ୍ରଥମେ ପ୍ରଥମେ ସେମାନେ ପୋଲିସର ବିଷଦୃଷ୍ଟିଠାରୁ ନିରାପଦ ଦୂରତ୍ୱ ବଜାୟ ରଖି କେତେକ ଗ୍ରାମବାସୀଙ୍କ ସହଯୋଗରେ ବଣଜଙ୍ଗଲରେ ନିଜର କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ ।

ପୋଲିସକୁ ଏହାର ସୁରାକ ମିଳିବାପରେ ଖାନତଲାସୀ ଅଭିଯାନ ଚଳାଇ ଅନେକଙ୍କୁ ଠାବ କରିବାରେ କୌଣସି ହେଳା କରାଯାଇନଥିଲା ।

ବିଗତ ଦୁଇ ବର୍ଷ ମଧ୍ୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ଦ୍ୱିଗୁଣିତ ହୋଇଛି ଏବଂ ସେମାନଙ୍କର ଶକ୍ତି ସମ୍ପର୍କରେ ପୋଲିସର ଗୁଇନ୍ଦା ବିଭାଗ ସାମାନ୍ୟତମ ଟେର୍ ମଧ୍ୟ ପାଇ ପାରୁନି । ଏହାକୁ ଆପଣ ପୋଲିସର ବିଫଳତା ବୋଲି ସ୍ୱୀକାର କରୁଛନ୍ତି କି?

ଆପଣଙ୍କ ଏହି ପ୍ରଶ୍ନ ସହ ମୁଁ କଦାପି ଏକମତ ହୋଇପାରିବି ନାହିଁ । ମାଓବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ଲାଗି ଜିଲ୍ଲା ପୋଲିସ ବାହିନୀ ସର୍ବଦା ସକ୍ରିୟ ଓ ସତର୍କ ରହିଛି । ଆମ କର୍ମଚାରୀମାନେ ସମ୍ମିଳିତଭାବେ ସେମାନଙ୍କର ଗତିରୋଧ କରିବା ନିମିତ୍ତ ସବୁମନ୍ତେ ଉଦ୍ୟମ ଚଳାଇ ଆସୁଛନ୍ତି ।

ଆମେ ସେମାନଙ୍କ ଗୋଷ୍ଠୀର ଅନେକ ପୋଖତ ଏବଂ ଅଭିଜ୍ଞ ସଦସ୍ୟଙ୍କ ସମେତ ପ୍ରାୟ ୬୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛୁ । ଅପରପକ୍ଷରେ କେତେକ ସ୍ଥାନରେ ସ୍ଥାନୀୟ ଯୁବକମାନେ ମାଓବାଦୀମାନଙ୍କୁ ଅଦୃଶ୍ୟ ଭାବରେ ସାହାଯ୍ୟ କରୁଛନ୍ତି ।

ଏହାଛଡା ବିଭିନ୍ନ ଗଭୀର ନାଳ, ଖାଲ, ଢିପ ଭରା ଘଞ୍ଚ ଜଙ୍ଗଲରେ ସେମାନେ ନିଜର ଆସ୍ଥାନ ଜମାଇ ଥିବାରୁ ଖାନତଲାସୀ ଅଭିଯାନରେ ନାନା ବାଧା ଉପୁଜୁଛି ଏବଂ ପୋଲିସ ଆସିବାର ସୁରାକ ପାଇ ସେମାନେ ଆତ୍ମଗୋପନ କରିବାକୁ ବେଶ୍ ସକ୍ଷମ ହୋଇପାରୁଛନ୍ତି ।

ସରଳ, ନିରୀହ ଲୋକମାନେ ପୋଲିସକୁ ଖବର ଦେଉଥିବାର ସନ୍ଦେହକରି ମାଓବାଦୀମାନେ ସେମାନଙ୍କୁ ଏଭଳି ହତ୍ୟା କରୁଛନ୍ତି କି?

କାରଣ, ବୋଧହୁଏ ସେୟା ନୁହେଁ । ମୁଁ’ ଏମିତି ହେଉଥିବ ବୋଲି ମଧ୍ୟ ଭାବି ପାରୁନାହିଁ । ପ୍ରଥମେ ପ୍ରଥମେ ସେମାନେ ଭବିଥିଲେ ଯେ, ଭୟବଶତଃ ବହୁ ସଂଖ୍ୟକ ଲୋକ ସେମାନଙ୍କ ନିର୍ଦ୍ଦେଶନାମାକୁ ମାନିବେ । ସେମାନଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି ଅନେକ ଯୁବକଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଥିଲେ ।

ତେବେ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଅଧିକ ପ୍ରଚାର କରିପାରିନଥିଲେ । ନିଜ କାର୍ଯ୍ୟକଳାପ ସମ୍ପର୍କରେ ନିଜେ ସନ୍ଦିହାନ ହୋଇପଡିଥିଲେ ଏବଂ ନିରୀହ ଲୋକମାନଙ୍କ ସଂହାର ଆରମ୍ଭ କରି ଦେଇଥିଲେ ।

ଏହାର ଅନ୍ୟତମ ଲୁକାୟିତ କାରଣ ହେଲା, ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ଜନମତ ସୃଷ୍ଟି କରିବା । ତେବେ ଜନସାଧାରଣ ଯେଉଁଭଳି ଢଙ୍ଗରେ ଏହାର ମୁକାବିଲା କରିବାକୁ ଆଗେଇ ଆସିଲେ ତାହା ମାଓବାଦୀମାନଙ୍କ ଦୁଶ୍ଚିନ୍ତାକୁ ବଢାଇ ଦେଇଥିଲା ।

ନିକଟରେ ତିନୋଟି ଗାଁରେ ହୋଇଥିବା ହତ୍ୟାକାଣ୍ଡକୁ ସୁକ୍ଷ୍ମଭାବେ ଅନୁଧ୍ୟାନ କଲେ ଏହା ପଛରେ ରହିଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବାରେ କୌଣସି ସମସ୍ୟା ରହିବ ନାହିଁ । ସବୁ ପୀଡିତମାନେ ସେମାନଙ୍କର ଆଗରେ ମଥାନତ କରିନଥିଲେ । ମାଓବାଦୀମାନେ ସେମାନଙ୍କୁ ପ୍ରଭାବିତ କରିବା ଲାଗି ସବୁମନ୍ତେ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲେ ।

ଅପରପକ୍ଷରେ ପୋଲିସ ସେମାନଙ୍କର ଛାଉଣୀ ଠାବ କରି ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ସ୍ଥାନୀୟ ଯୁବକମାନଙ୍କୁ ଦୁଇଟି କାରଣରୁ ସେମାନେ ହତ୍ୟା କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରଥମତଃ ଥରେ ସେମାନେ ଦଳସହ ସାମିଲ ହୋଇଗଲା ପରେ ସାଧାରଣ ଜୀବନଶୈଳୀକୁ ଫେରିବା ଯୁବପିଢୀ ନିମନ୍ତେ କାଠିକର ପାଠ ହୋଇଯିବ ।

ଦ୍ୱିତୀୟତଃ ନିଜର ଲୋକମାନଙ୍କୁ ହତ୍ୟା କରିବା ଦ୍ୱାରା ସେମାନଙ୍କ ମନରେ ନିଷ୍ଠୁରତା ବସା ବାନ୍ଧିବ ।

ସମସ୍ୟାର ସମାଧାନ ଲାଗି ପୋଲିସର ବିକଳ୍ପ ପନ୍ଥା କଣ ? ଅନୁରୂପ ଘଟଣାର ପୁନରାବୃତ୍ତି ଲାଗି ଉଦ୍ୟମ ହେଲେ ଆପଣଙ୍କ ବିଭାଗ ତାହାକୁ ରୋକିବାକୁ ସଫଳ ହେବ ତ ?

ବର୍ତ୍ତମାନ ୧୦ଟି ସ୍ଥାନରେ ପୋଲିସ ଶିବିର ମାନ ଖୋଲାଯାଇଛି । ଗୋଟିଏ କମ୍ପାନୀ ସିଆର୍ପିଏଫ୍ ଫୋର୍ସ, ନଅ ପ୍ଲାଟୁନ୍ ଓଏସ୍ଏପି ଫୋର୍ସ ଏବଂ ଅନ୍ୟାନ୍ୟ ପୋଲିସ ଅଫିସରମାନଙ୍କୁ ନେଇ ଜୋରସୋରରେ ତଲାସୀ ଅଭିଯାନ ଅବ୍ୟାହତ ରହିଛି ।

ତେବେ ପୋଲିସର ସକ୍ରିୟତା ସତ୍ତ୍ୱେ ହଠାତ୍ ମାଓବାଦୀମାନେ ଦବି ଯିବେ ବୋଲି ମୁଁ କାହିଁକି ଭାବୁନାହିଁ । ବରଂ ପୋଲିସ ଅଧିକ ମାତ୍ରାରେ ସକ୍ରିୟ ଥିବାରୁ ସେମାନେ ଏଭଳି ହୀନ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ।

ଏତଦ୍ଭିନ୍ନ ପୋଲିସକୁ ବିଚଳିତ କରିବାସହ ଜନସାଧାରଣଙ୍କୁ ଦିଗଭ୍ରଷ୍ଟ ମଧ୍ୟ କରୁଛନ୍ତି । ଆମ ବିଭାଗ ଏ ବିଷୟରେ ସଂପୂର୍ଣ୍ଣ ସଜାଗ ରହିଛି । ଆଇଜି ଅପରେସନରେ ଫଳାଫଳ ଆପଣମାନେ ଖୁବଶିଘ୍ର ଜାଣିପାରିବେ ।

ସୁରକ୍ଷା ଦୃଷ୍ଟିକୋଣରୁ ମୁଁ ବର୍ତ୍ତମାନ ଆପଣଙ୍କ ନିକଟରେ ପୋଲିସର ରଣନୀତିକୁ ପ୍ରକାଶ କରୁନାହିଁ । ତେବେ ଏକଥା ଧ୍ରୁବ ସତ୍ୟ ଯେ, ହତ୍ୟାକାଣ୍ଡ ପରେ ମାଓବାଦୀ ଦଳରେ ବିଭାଜନ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେମାନେ ବିଚଳିତ ହୋଇ ନିକଟ ଭବିଷ୍ୟତରେ ନିଶ୍ଚିତଭାବେ ଏଭଳି କୌଣସି ତ୍ରୁଟି କରିବେ ଯାହାକୁ ପୁଞ୍ଜିକରି ଆମେ ସେମାନଙ୍କର ଦଳକୁ ନିପାତ କରିବୁ ।

ମାଓବାଦୀ ଉପଦ୍ରୁତ ଇଲାକାର ଲୋକମାନେ ପୋଲିସ ଉପରୁ ଆସ୍ଥା ତୁଟାଇ ନିଜ ନିଜର ଘର ଛାଡି ପଳାଇ ଯାଉଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ କଣ?

ମାଓବାଦୀମାନେ ଠିକ୍ ଏହା ହିଁ ଚାହୁଁଛନ୍ତି । କିନ୍ତୁ ଆପଣଙ୍କ ଜାଣିବା ଲାଗି କହୁଛି ଯେ, ଲୋକମାନେ ଗାଁ ଛାଡି ଯିବାକୁ ଚାହୁଁ ନାହାନ୍ତି । କେବଳ ଆପଣଙ୍କ ଗଣମାଧ୍ୟମ ଗୁଡିକ ହିଁ ଏଭଳି ପ୍ରଚାର ଚଳାଇଛନ୍ତି । ଅବଶ୍ୟ ସେମାନେ ଭୟଭୀତ ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ଲୋକମାନେ ନିଜର ଭିଟାମାଟି ଛାଡି ଯିବେ କୁଆଡେ? ପୋଲିସ ଲୋକମାନଙ୍କ ବିଶ୍ୱାସ ଫେରାଇ ଆଣିବାକୁ ସବୁମନ୍ତେ ଉଦ୍ୟମ ଚଳାଇଛି । ଯଦି ସେମାନେ ପୋଲିସ ଉପରୁ ବିଶ୍ୱାସ ହରାଇଛନ୍ତି, ତାହାହେଲେ ପୋଲିସ ସୁରକ୍ଷା ପାଇଁ ଦାବି କରୁଛନ୍ତି କାହିଁକି?

ତେଣୁ ଏଭଳି ମିଥ୍ୟା ଖବର ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ ନକରିବା ନିମନ୍ତେ ନିବେଦନ କରୁଛି ।

ବିରୋଧୀ ଦଳର ଦାବି ବିଷୟରେ କଣ କହିବେ ? ସେମାନେ ଆପଣଙ୍କ ବଦଳି କାହିଁକି ଚାହୁଁଛନ୍ତି ?

ମୁଁ ଏ ବିଷୟରେ କେମିତି କହିବି ? ସେମାନେ ସେମାନଙ୍କ କାମ କରୁଛନ୍ତି । ମୋତେ ସମ୍ବଲପୁର ଜିଲ୍ଲା ପୋଲିସ ବାହିନୀର ଦାୟିତ୍ୱ ଦିଆଯାଇଛି । ତେଣୁ ସରକାର ଯଦି ବଦଳି ଆଦେଶ ଦିଅନ୍ତି, ଏଠାରୁ ଚାଲିଯିବି । ବଦଳି ଆଦେଶ ନପାଇବା ପର୍ଯ୍ୟନ୍ତ ନିଷ୍ଠାର ସହ ମୋ କର୍ତ୍ତବ୍ୟ କରିବି ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଅଜିତ ନାୟକ, ମାଓବାଦୀ, ସମ୍ବଲପୁର, ସାକ୍ଷାତକାର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version