ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଡ଼ିସେମ୍ବର ମାସରୁ ରାଜ୍ୟବାସୀଙ୍କ ଏକକ ଫଟୋ ପରିଚୟ ପତ୍ର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରାଯାଇ ୨୦୧୧ ଜୁନ୍ ରୁ ତାହାର ଆବଣ୍ଟନ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଏହି ପରିଚୟ ପତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଫଟୋ ସହ ଟିପଚିହ୍ନ ଏବଂ ଆଖିଡ଼ୋଳାର ପ୍ରତିଛବି ମଧ୍ୟ ରହିବ ।
ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ମହାରାଷ୍ଟ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।ଏହି ଆଧାରରେ ଓଡ଼ିଶାରେ ତାହାର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନିଷ୍ପତ୍ତି ଅନୁସାରେ ୨୦୧୦ ଡ଼ିସେମ୍ବରରୁ ୨୦୧୧ ଡ଼ିସେମ୍ବର ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ପ୍ରତ୍ୟେକ ନାଗରିକଙ୍କୁ ଏହି କେନ୍ଦ୍ରୀୟ ଯୋଜନାରେ ବାୟୋ-ମେଟ୍ରିକ କାର୍ଡ଼ ପ୍ରଦାନ କରାଯିବ ।ଏହି ପରିଚୟ ପତ୍ର ପ୍ରସ୍ତୁତ ନିମନ୍ତେ ବର୍ତ୍ତମାନ ଚାଲୁଥିବାର ଜନଗଣନା ସର୍ଭେରୁ ବହୁ ତଥ୍ୟ ମିଳିପାରିବ ।
ତେବେ ଅଧିକ ତଥ୍ୟ ଆହରଣ ପାଇଁ ରାଜସ୍ୱ ବିଭାଗର ତଳସ୍ତରର କର୍ମଚାରୀଙ୍କ ସହାୟତା ନିଆଯିବ । ତେଣୁ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଥିବା ୬୦୦ ଲୋକଙ୍କୁ ନେଇ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଗଣନା କେନ୍ଦ୍ର ସ୍ଥାପନ କରାଯିବ । ଏହି ପରିଚୟ ପତ୍ର ଟେଲିଫୋନ ସଂଯୋଗ, ଗ୍ୟାସ ସଂଯୋଗ, ପାସପୋର୍ଟ, ଭିସା, ଡ଼୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଉପଯୋଗୀ ହେବ ।
ଓଡିଶା ଡଟ୍ କମ୍
Leave a Reply