ଓଡ଼ିଶା ଡ଼ଟ୍ କମ୍ ସମ୍ବାଦ ଦାତା
କଳାହାଣ୍ଡି, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଅନୁଷ୍ଠିତ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ଅସ୍ତ୍ରୋପଚାର କରାଇଥିବା ୧୭ ଜଣ ଦୃଷ୍ଟିଶକ୍ତି ହରାଇବା ଆଶଂକା ପ୍ରକାଶ ପାଇଛି ।
ସମ୍ବଲପୁରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଗତ ସେପ୍ଟେମ୍ବର ୯ରୁ ୨୩ ପର୍ଯ୍ୟନ୍ତ ଏହି ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିରରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨୧୦ ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଏହାର କିଛି ଦିନପରେ ୨୬ ଜଣଙ୍କ ଆଖିରୁ ପାଣି ବୋହିବା ସହ ଯନ୍ତ୍ରଣା ହେଉଥିବା ସଂପୃକ୍ତ ରୋଗୀମାନେ ଅଭିଯୋଗ କରିଥିଲେ ।
ଚିକିତ୍ସା ପରେ ଏମାନଙ୍କ ମଧ୍ୟରୁ ଦଶ ଜଣ ଅରୋଗ୍ୟଲାଭ କରିଥିବା ବେଳେ ଅନ୍ୟ ୧୭ ଜଣ ଦୃଷ୍ଟିଶକ୍ତି ହରାଇବା ଆଶଙ୍କା କରାଯାଉଛି ।
କେତେକ ରୋଗୀ ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସା କରାଇଥିବା ବେଳେ ଅନ୍ୟମାନେ ଅସ୍ତ୍ରୋପଚାର କରାଯାଇଥିବା ଡ଼ାକ୍ତରଖାନାକୁ ଯାଇଥିଲେ ।
ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଶିବିରର ଆୟୋଜନ କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଯୋଗାଯୋଗ କରି ରୋଗୀ ମାନଙ୍କୁ ସମ୍ବଲପୁର ପଠାଇଥିଲେ । ସେଠାରେ ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।
ତେବେ ଅସ୍ତ୍ରୋପଚାର ପରେ ଆଖି କିପରି ସଂକ୍ରମିତ ହେଲା ତାହା ଜଣାପଡ଼ି ନାହିଁ ଓ ଯେଉଁମାନେ ଦୃଷ୍ଟିଶକ୍ତି ହରାଇଛନ୍ତି ସେମାନଙ୍କ ଉପଯୁକ୍ତ ଚିକିତ୍ସା କରାଯିବ ବୋଲି ଉପଖଣ୍ଡ ଡ଼ାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।
ଓଡିଶା ଡଟ୍ କମ
Leave a Reply