ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭାରତ ଜନ ଜ୍ଞାନ ବିଜ୍ଞାନ ସମିତି, ଏନ୍ସିଏସ୍ଟିସି ନେଟୱ୍ୱର୍କ ଦ୍ଵାରା ଆୟୋଜିତ ତଥା ଭାରତ ସରକାରଙ୍କ ରାଷ୍ଟ୍ରୀୟ ବିଜ୍ଞାନ ଏବଂ ପ୍ରୋୟୋଗିକ ସଂଚାର ପରିଷଦ ସହଯୋଗରେ ବରଗଡ଼ ଠାରେ ଚଳିତ ମାସ ୨୮ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୦ ଅନୁଷ୍ଠିତ ହେବ ।
ବରଗଡ଼ ସ୍ଥିତ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ପରିସରରେ ପ୍ରଥମ ଥର ପାଇଁ ଏହା ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଗତ ୧୭ ବର୍ଷ ଧରି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିଲା ।
୨୯ରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାର ମୁଖ୍ୟ ବିଷୟବସ୍ତୁ ହେଉଛି-ଭୂ ସଂପଦ-ବିଶ୍ୱର ସମୃଦ୍ଧି ରହିବ ଅକ୍ଷୁର୍ଣ୍ଣ, ଭବିଷ୍ୟତ ପାଇଁ କଲେ ସଂରକ୍ଷଣ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତୀତ୍ୱ ହାସଲ କରିଥିବା ୧୫୦ ରୁ ୧୮୦ଟି ପ୍ରକଳ୍ପ ପ୍ରତିଯୋଗୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହେବ ।
ଏଥିରେ ଦେଶର ପ୍ରମୁଖ ବୈଜ୍ଞାନିକମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ୨୮ରେ ବିକାଶର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଓ ପ୍ରତିଯୋଗୀଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଏହି ବିଜ୍ଞାନ କଂଗ୍ରେସରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଓଡିଶା ଡଟ୍ କମ୍
Leave a Reply