ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା
ଭୁବନେଶ୍ୱର,ମଇ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆଉ ନଅଟି ନୂତନ ଶିଳ୍ପ ପ୍ରକଳ୍ପ ସ୍ଥାପନକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଷମତାସଂପନ୍ନ କମିଟି ବୁଧବାର ଅନୁମୋଦନ କରିଛି ।
ଏହି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଏବଂ ଏହାଦ୍ୱାରା ୩୦ ହଜାର ୭୦୦ ଲୋକ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ ବୋଲି କୁହାଯାଇଛି । ଏହି ଅନୁମୋଦନ ଯୋଗୁଁ ଶେଷରେ ପ୍ରଥମ ଥର ପାଇଁ କୋଇଲାରୁ ତରଳ ଇନ୍ଧନ ପ୍ରସ୍ତୁତ କାରଖାନା ସ୍ଥାପିତ ହେବ ।
ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଦୁଇଟି କୋଇଲା ଭିତ୍ତିକ କାରଖାନା, ଦୁଇଟି ଇସ୍ପାତ ପ୍ରକଳ୍ପ, ଦୁଇଟି ଆଲୁମିନା ପ୍ରକଳ୍ପ, ଗୋଟିଏ ବୟନଶିଳ୍ପ ପ୍ରକଳ୍ପ, ଗୋଟିଏ କାଗଜ କଳ ଓ ଗୋଟିଏ ଶକ୍ତି ପ୍ରକଳ୍ପ ଅର୍ନ୍ତଭୁକ୍ତ । ଏହି ନଅଟି ପ୍ରକଳ୍ପ ମଧ୍ୟରୁ ୪ଟି ସଂପ୍ରସାରଣ ପ୍ରକଳ୍ପ ଏବଂ ୫ଟି ନୂତନ ପ୍ରକଳ୍ପ ରହିଛି ।
୪୨ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଠାରେ କୋଇଲାରୁ ଡିଜେଲ ପ୍ରସ୍ତୁତ କାରଖାନା ପ୍ରତିଷ୍ଠା କରିବ ଓ ଏଥିରେ ଛଅ ହଜାର ପାଞ୍ଚଶହ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ । ଟାଟା ଓ କ୍ଷିଣ ଆଫ୍ରିକାର ସାସୋଲ କମ୍ପାନୀ ମିଳିତ ଭାବେ ଢେଙ୍କାନାଳ ଜିଲ୍ଲାର ଗୁଡ଼ିଆକାଟେଣୀରେ ୪୫ହଜାର କୋଟି ଟଙ୍କା ବିନିଯୋଗରେ ଏକ ଯୁଗ୍ମ ପ୍ରକଳ୍ପ ପ୍ରତିଷ୍ଠା କରିବେ ଓ ଏଥିରେ ଚାରି ହଜାର ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ । ଆଧୁନିକ ମେଟାଲିକ୍ କୁଆଁରମୁଣ୍ଡା ଠାରେ ଥିବା ପ୍ରକଳ୍ପର ସମ୍ପ୍ରସାରଣ କରିବ । ପ୍ରକଳ୍ପ କ୍ଷମତା ୦.୪୧ନିୟୁତ ଟନ୍ରୁ ୩.୨ନିୟୁତ ଟନ୍କୁ ବୃଦ୍ଧି କରାଯିବ । ଏଥିରେ ୮ହଜାର ୧୨୫କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଓସିଏଲ୍ ଆଇରନ୍ ଆଣ୍ଡ ଷ୍ଟିଲ୍ ରାଜଗାଙ୍ଗପୁର ନିକଟସ୍ଥ କୁଟୁଣିଆଁ ଠାରେ ଥିବା ପ୍ରକଳ୍ପର ସମ୍ପ୍ରସାରଣ କରିବ । ପ୍ରକଳ୍ପର କ୍ଷମତା ୦.୨ ନିୟୁତ ଟନ୍ରୁ ୦.୯୫ ନିୟୁତ ଟନ୍କୁ ବୃଦ୍ଧି ହେବାକୁ ଥିବା ବେଳେ ଏଥିପାଇଁ ୨୮୩୪ କୋଟି ଟଙ୍କା ଖର୍ଚ୍ଚ କରିବ ।
ଲାଲକୋବାବନ୍ଧ ପାୱାର କମ୍ପାନୀର ଢେଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦ ଠାରେ ୧୩୨୦ ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ ପ୍ରକଳ୍ପକୁ ୨୬୪୦ ମେଗାୱାଟ୍କୁ ସମ୍ପ୍ରସାରଣ କରିବ । ଏହି ପ୍ରକଳ୍ପରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ ହେବ ଓ ଏଥିରେ ଆଠ ଶହ ଲୋକ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ପାଇବେ ।
ଏନ୍ଏସ୍ଏଲ୍ ଟେକ୍ସଟାଇଲ୍ସ ୧୫ଶହ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରି ରାୟଗଡ଼ା ଜିଲ୍ଳାରେ ଏକ ବୟନ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା କରିବ ଓ ଏଥିରେ ଛଅ ହଜାର ଲୋକ ନିଯୁକ୍ତି ପାଇବେ ।
ସେହିପରି ଜେକେ ପେପର ମିଲ୍ର ସମ୍ପ୍ରସାରଣ କରାଯିବ ଓ ଏହି ପ୍ରକଳ୍ପ ପାଇଁ ୧୪୭୫କୋଟି ଟଙ୍କା ଖର୍ଚ୍ଚ ହେବ । ଆଦି ଆଲୁମିନିୟମ ସମ୍ବଲପୁର ଜିଲ୍ଲା ଲପଙ୍ଗା ଠାରେ ଦୁଇ ଶହ ଏକର ଜମିରେ ଏକ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରିବ ।
ଏଲ୍ଆଣ୍ଡଟି ଏବଂ ଦୁବାଇ ଆଲୁମିନିୟମ୍ ଯୁଗ୍ମ କମ୍ପାନୀ ଭାବେ ରାୟଗଡ଼ା ଜିଲ୍ଲାରେ ତିନି ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ପ୍ରକଳ୍ପ ପ୍ରତିଷ୍ଠା କରିବ ।
ଓଡ଼ିଶା ଡ଼ଟ୍ କମ୍
Leave a Reply