ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଅକ୍ଟୋବର ୨ (ଓଡ଼ିଶା ଡ଼ଟ୍ କମ୍) – ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଏମ୍ସିର ୫୦ ନମ୍ବର ୱାର୍ଡ କଳିଙ୍ଗ ବସ୍ତିରୁ ବିଜେଡିର ଜନସଂପର୍କ ପଦ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ।
ପଦଯାତ୍ରା ରେ ୫୦ ନମ୍ବର ୱାର୍ଡ ଅନ୍ତଗତ ବ୍ରହ୍ମେଶ୍ୱର ମେଲଣ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଓଡିଶାର ୪କୋଟି ଜନତା ବିଜେଡିର ଶକ୍ତି ।
ଓଡିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ବିଜେଡି ୧୨ ବର୍ଷ ହେଲା ଲୋକଙ୍କ ସେବା କରୁଛି । ତାଙ୍କ ସରକାର ରାଜ୍ୟରେ ଲୋକଙ୍କ ଆର୍ଥିକ ବିକାଶ ଓ ଜନମଙ୍ଗଳ କାର୍ଯ୍ୟ ଲାଗି ନିଜର ପ୍ରୟାସ ଜାରି ରଖିବ ।
କୋରାପୁଟରୁ କଟକ,ମୟୁରଭଂଜରୁ ମାଲକାନାଗିରି ସାରା ରାଜ୍ୟରେ ଏହି ଜନସଂର୍ପକ ପଦ ଯାତ୍ରା କରାଯାଉଛି । ଲୋକଙ୍କ ପାଖରେ ପହଂଚିବା, ଲୋକଙ୍କ ସମସ୍ୟା ବୁଝିବା ସହ କେନ୍ଦ୍ର ସରକାରଙ୍କ ଅବହେଳା ଲୋକଙ୍କୁ ଜଣାଇଦେବା ଏହାର ଯାତ୍ରାର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ କେବିକେ ଯୋଜନା ଆରମ୍ଭକରି ପଶ୍ଚିମ ଓଡିଶାବାସୀଙ୍କ ଉନ୍ନତି କରିଛନ୍ତି ।
ମା ଓ ଶିଶୁଙ୍କ ଉନ୍ନତି ପାଇଁ ମମତା ଯୋଜନା, ବୟସ୍କମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା, ଗରିବଙ୍କ ପାଇଁ ୨ ଟଙ୍କିଆ ଚାଉଳ, ଆଦିବାସୀ ଛାତ୍ରଙ୍କ ପାଇଁ ହଷ୍ଟେଲ, ଶିକ୍ଷା କ୍ଷେତ୍ରରେ ବାଳିକାମାନଙ୍କ ପାଇଁ ସମସ୍ତଙ୍କୁ ମାଗଣାରେ ସାଇକେଲ ପ୍ରଦାନ କରୁଥିବା ବେଳେ ସହରରେ ରହୁଥିବା ଭୂମିହୀନମାନଙ୍କୁ ଜମି ଯୋଗାଇଦେବାକୁ ନିସ୍ପତିି ନେଇଛନ୍ତି ।
ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ପ୍ରକାଶ ବସ୍ତିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ଭାଗିରଥୀ ବଡଜେନା, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବିଜେଡିର ବହୁ ନେତା ଯୋଗଦେଇ ଆସନ୍ତା ନିର୍ବାଚନରେ ବିଜେଡିକୁ ପୁର୍ନବାର କ୍ଷମତାକୁ ଆଣି ନବୀନ ପଟନାୟକଙ୍କ ହାତମୁଠାକୁ ଦୃଢ କରିବାକୁ ଆହ୍ୱାନ ଦେଇଥିଲେ ।
ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥି ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଏହି ପଦ ଅକ୍ଟୋବର ୧୧ ତାରିଖ ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଶେଷହେବ ।
ଓଡ଼ିଶା ଡ଼ଟ୍ କମ୍
Leave a Reply