ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)- ଏନସିପିର ଚାରିଜଣ ବିଧାୟକ ବିଜେଡ଼ିରେ ମିଶିବା ମାମଲାରେ ସୁପ୍ରିମ କୋର୍ଟ ରାୟର ନକଲ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ହସ୍ତଗତ ହୋଇଛି । ସେ ଏହାର ତର୍ଜମା କରୁଛନ୍ତି ଏବଂ ଶୀର୍ଘ ଆଇନାନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ତେବେ ଏନ ସିପି ସଭାପତି ଉତ୍କଳକେଶରୀ ପରିଡ଼ା ଗଣମାଧ୍ୟମ ଆଗରେ ତାଙ୍କର ପୂର୍ବଦିନର ଦାବି ଦୋହରାଇଛନ୍ତି । ବାଚସ୍ପତି ଶୀଘ୍ର ନିଷ୍ପତି ନଶୁଣାଇଲେ ସେ ପୁନର୍ବାର ଆଇନର ଆଶ୍ରୟ ନେବେ ଓ ଅଦାଲତ ଅବମାନନା ମାମଲାରୁଜୁ କରିବେ ବୋଲି କହିଛନ୍ତି ।
ଏନ ସିପି ସଭାପତି ଶ୍ରୀ ପରିଡ଼ାଙ୍କ ସହ କିଛି ନେତା ବାଚସ୍ପତିଙ୍କୁ ସାକ୍ଷାତକରି ସୁପି୍ରମ କୋର୍ଟ ନିର୍ଦ୍ଦେଶମତେ ଶୀଘ୍ର ନିଷ୍ପତି ଶୁଣାଇବାକୁ ଦାବି କରିଥିଲେ । ବାଚସ୍ପତି କହିଥିଲେ ଯେ ସେ ରାୟର ତର୍ଜମା କରୁଛନ୍ତି, ଆଇନାନୁସାରେ ପଦକ୍ଷେପ ଗ୍ରହଣ କରିବେ ଓ ଯେତେଶୀଘ୍ର ସମ୍ଭବ ନିଷ୍ପତି ଶୁଣାଇବେ ।
ଏହି ମାମଲାରେ ଏବେ ବାଚସ୍ପତିଙ୍କ ସମ୍ମୁଖରେ ତିନିଟି ରାସ୍ତା ରହିଥିବା ସମ୍ବିଧାନ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରଥମତଃ ସେ ସମ୍ପୃକ୍ତ ଚାରିଜଣ ବିଧାୟକଙ୍କ ବିଜେଡ଼ିରେ ଯୋଗଦାନକୁ ସ୍ୱୀକୃତି ଦେବେ, ଦ୍ୱିତୀୟରେ ସେମାନଙ୍କୁ ସ୍ୱାଧୀନ ସଦସ୍ୟ ଭାବେ ଗ୍ରହଣ କରିବେ; ନଚେତ ସେମାନଙ୍କର ସଭ୍ୟପଦ ରଦ୍ଧହେବ ।
ଓଡିଶା ଡଟ୍ କମ୍
Leave a Reply