କେଦାର ମିଶ୍ର
ଫଟୋ : ଅରବିନ୍ଦ ମହାପାତ୍ର
କୃଷ୍ଣଲୀଳା ଓଡ଼ିଶୀ ରଚନାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶହ ଶହ ବର୍ଷ ଧରି ଓଡ଼ିଶୀ ନୃତ୍ୟ ପରମ୍ପରାରେ କୃଷ୍ଣଙ୍କର ବିବିଧ ଲୀଳାକୁ ପ୍ରଦର୍ଶିତ କରାଯାଇ ଆସୁଛି ।
ପ୍ରାଚୀନ ପରମ୍ପରାଠୁ ଆରମ୍ଭ କରି ଓଡ଼ିଶୀର ନବନିର୍ମାଣ ପ୍ରକ୍ରିୟାରେ କୃଷ୍ଣଲୀଳାର ଶହଶହ କମନୀୟ ନୃତ୍ୟ ଛନ୍ଦ ଆମେ ଦେଖି ଆସିଛୁ । ତେଣୁ ଓଡ଼ିଶୀର ଓଡ଼ିଆ ଦର୍ଶକ ଭାବରେ ଆମ ପାଇଁ କୃଷ୍ଣଲୀଳା ଆମ ରକ୍ତର ଅଂଶ ।
ସେହି କ୍ରମରେ ଯେତେବେଳେ ଜଣେ ବିଦେଶୀ ନୃତ୍ୟଗୁରୁ ଓ ନର୍ତ୍ତକ କୃଷ୍ଣଲୀଳାର ନବଆବିଷ୍କାର କଥା କହନ୍ତି ସେଠି ଆମେ ଟିକେ ଚକିତ ହେବାକୁ ବାଧ୍ୟ । ମାଲେସିଆର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ରାମ୍ଲୀ ଇବ୍ରାହିମ୍ ତାଙ୍କର ନୂଆ ନୃତ୍ୟ ରଚନା “କୃଷ୍ଣପ୍ରେମ : ଏକ ନୂଆ ଆବିଷ୍କାର” ମାଧ୍ୟମରେ ଏବେ ପୃଥିବୀର ବିଭିନ୍ନ ସହରରେ ନିଜ ନୃତ୍ୟ ପରିବେଷଣ କରୁଛନ୍ତି ।
ରାମ୍ଲୀ ଇବ୍ରାହିମ୍ଙ୍କ ସହ ଓଡ଼ିଶୀର ସମ୍ପର୍କ ଯେତିକି ପୁରୁଣା ଓଡ଼ିଶୀକୁ ନେଇ ତାଙ୍କର ଅଣପାରମ୍ପରିକ ଦୃଷ୍ଟିଭଙ୍ଗୀ ମଧ୍ୟ ସେତିକି ବିବଦମାନ । ରାମ୍ଲୀ ଓଡ଼ିଶାର ସବୁଠୁ ପୁରୁଣା ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ଶିଷ୍ୟ ।
ପରବର୍ତ୍ତୀ ସମୟରେ ସେ ଗୁରୁ ଦେବପ୍ରସାଦଙ୍କ ଦୁଇ ପ୍ରମୁଖ ଶିଷ୍ୟ ଗୁରୁ ଦୁର୍ଗାଚରଣ ରଣବୀର୍ ଓ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡାଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ଅନ୍ୟ ସମୟରେ କେବେ କେବେ ତାଙ୍କ ଛାତ୍ରମାନେ ଗୁରୁ ମୀରା ଦାସଙ୍କ ସମେତ ଅନ୍ୟ ଗୁରୁମାନଙ୍କଠାରୁ ମଧ୍ୟ ନୃତ୍ୟଶିକ୍ଷା ଗ୍ରହଣ କରନ୍ତି ।
ମୋଟାମୋଟି କୌଣସି ନିର୍ଦ୍ଧିଷ୍ଟ ଓଡ଼ିଶୀ ଧାରା ଅପେକ୍ଷା ବହୁ ମିଶ୍ର ଧାରାର ସମନ୍ୱୟ ତାଙ୍କ ସୂତ୍ର ଥିଏଟରରେ ଘଟିଛି । ଏହା ଅଣପାରମ୍ପରିକ ହେଲେ ମଧ୍ୟ ସୃଜନଶୀଳତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଗୋଟିଏ ଶୈଳୀରେ ଆବଦ୍ଧ ନ ହୋଇ ବହୁ ଶୈଳୀର ସମ୍ମିଶ୍ରଣ ଘଟାଇ ରାମ୍ଲୀ ଏକ ନିଜସ୍ୱ ଧାରା ପ୍ରୟୋଗ କରିବାର ଚେଷ୍ଟା କରିଥା’ନ୍ତି । ସେଥିରେ ସେ କେତେ ସଫଳ ଏହା ଅବଶ୍ୟ ଏକ ପ୍ରଶ୍ନବାଚୀ !
ଗତ ୨୦ ତାରିଖ ଦିନ ରବୀନ୍ଦ୍ରମଣ୍ଡପରେ ରାମ୍ଲୀଙ୍କର ନୂଆ ସଂରଚନା ଦେଖିବାକୁ ମିଳିଲା । ରାମ୍ଲୀଙ୍କର ଏକ ନିଜସ୍ୱ ପରିବେଷଣ ଶୈଳୀ ରହିଛି । ତାଙ୍କର ଲାଇଟ୍ ଡିଜାଇନର୍ ଶିବ ନଟରାଜନ୍ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଲାଇଟ୍ ଡିଜାଇନର୍ ଭାବରେ ବିବେଚିତ । ଶିବାଙ୍କ ଆଲୋକ୍ ସମ୍ପାଦନାରେ ଯାଦୁକରୀ ରହିଛି । ଏହା ରାମ୍ଲୀଙ୍କ ସଂରଚନାକୁ ଗୋଟେ ନୂଆ ପ୍ରଭାବ ଦେଇଥାଏ ।
ଶିବାଙ୍କ ଯାଦୁକରୀ ଛାଇ ଆଲୁଅର ଖେଳ ସହିତ ମଞ୍ଚସଜ୍ଜା ଅତ୍ୟନ୍ତ ଚମକ୍ରାର । ତେବେ ରାମ୍ଲୀ ଯାହାକୁ ନୂଆ ଆବିଷ୍କାର ବୋଲି କହିଛନ୍ତି, ସେ ଆବିଷ୍କାର କେତେ ନୂଆ, ତାହାର ବିବେଚନା କରାଯାଇପାରେ । ରାମ୍ଲୀ ତାଙ୍କର ଘଣ୍ଟାଏରୁ ଟିକିଏ ଅଧିକ ସମୟ ଧରି ପରିକଳ୍ପିତ ନୃତ୍ୟରେ ନୂଆ କୌଣସି ସଂରଚନା ନେଇ ନାହାନ୍ତି ।
ଦେବପ୍ରସାଦ ଦାସଙ୍କ ସଂରଚନାରୁ ସ୍ଥାୟୀ, କୃଷ୍ଣତାଣ୍ଡବ, ବଜ୍ରକାନ୍ତିପଲ୍ଲବୀ ଓ ମୋକ୍ଷ ଅଙ୍ଗ ନେଇଥିବାବେଳେ ଅଭିନୟରୁ ମୋହନ ଦେଲି ଚାହିଁ, ଆଗୋ ପ୍ରିୟ ସହି…. ତଥା କେଳୁଚରଣ ମହାପାତ୍ରଙ୍କ ରଚନାରୁ ନାଚନ୍ତି ରଙ୍ଗେ ଶ୍ରୀହରି… ଗୀତ ଦୁଇଟିକୁ ନେଇଛନ୍ତି । ସବୁଗୁଡ଼ିକ ପ୍ରାଚୀନ ନୃତ୍ୟ ରଚନା ।
ନାଚନ୍ତି ରଙ୍ଗେ ଶ୍ରୀହରିରେ… କେଳୁଚରଣ ମହାପାତ୍ରଙ୍କ ମୂଳ ବୋଲ୍ ସମେତ ଘନଶ୍ୟାମ ପଣ୍ଡାଙ୍କ ଗୀତକୁ ନିଆଯାଇଛି । ଏଥିରେ ନୂଆ ପଣ କ’ଣ ? ପୁରୁଣା ଗୁରୁଙ୍କ କ୍ଲାସିକ୍ ପର୍ଯ୍ୟାୟର ରଚନାକୁ ଭିଡ଼ାମୋଡ଼ା କରି ନିଜ ଛାଇରେ ପକାଇବା ପାଇଁ ଏହା ଏକ ଅପପ୍ରୟାସ ମାତ୍ର । ରାମ୍ଲୀଙ୍କ ନିଜସ୍ୱ ନୃତ୍ୟଶୈଳୀରେ ଓଡ଼ିଶୀର ଛଟା ଖୁବ୍ ବେଶୀ ନଥାଏ । ତାଙ୍କର ନୃତ୍ୟଶୈଳୀ ଏକପ୍ରକାର ମିଶ୍ର ଶୈଳୀ ।
ସେଠି କିଛିକାଂଶରେ ଭରତନାଟ୍ୟମ୍, ବାଲେ ଓ ସୁଫିଆନା ଶୈଳୀର ମିଶ୍ରଣ ଘଟିଥାଏ । ତେଣୁ ଓଡ଼ିଶୀର ମୌଳିକ ଗତି, ଭଙ୍ଗୀ, ଲାସ୍ୟ, ଛଟା ଓ ଅଭିନୟ ଖୋଜିଲେ ସେଠି ନିରାଶ ହେବାକୁ ପଡ଼େ । କୃଷ୍ଣପ୍ରେମ ଭଳି ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟର ଭାବକୁ ବ୍ୟକ୍ତ କଲାବେଳେ ରାମ୍ଲୀ ମୁଖାଭିନୟ ତୁଳନାରେ ଶାରୀରିକ ଗତିକୁ ଅଧିକ ଗୁରୁତ୍ୱ ଦିଅନ୍ତି ।
ଗୋଟିପୁଅ ନୃତ୍ୟର ବନ୍ଧ ସହିତ ବାଲେର ମିଶ୍ରଣ ଘଟାଇ ନୃତ୍ୟକୁ ଏକପ୍ରକାର ବ୍ୟାୟାମର ସ୍ଥିତିରେ ପହଞ୍ଚାଇବା ଉଦ୍ୟମ ତାଙ୍କର ରହିଛି । ତେବେ ବ୍ୟାୟାମ୍ ମାଧ୍ୟମରେ ଅଭିନୟର ଅଭିବ୍ୟକ୍ତି ପ୍ରକାଶିତ ହୋଇପାରେ ନାହିଁ । ଦର୍ଶକ ଗତି ସଂଚାରକୁ ଦେଖି ହୁଏତ ତାଳି ମାରିବେ, ତେବେ ଏଥିରେ ଅଭିଭୂତ ହେବାର କିଛି ନାହିଁ ।
ରାମ୍ଲୀଙ୍କ ନୃତ୍ୟସଂରଚନାରେ ଶୃଙ୍ଖଳା ରହିଛି, ଆଗମନ ଓ ପ୍ରସ୍ଥାନରେ ସୌନ୍ଦର୍ଯ୍ୟ ଅଛି, ଆଲୋକ ସମ୍ପାତ୍ରେ କୁହୁକ ଅଛି, ସେଟ୍ ଡିଜାଇନ୍ରେ ନୂଆପଣ ଅଛି – ହେଲେ ତାଙ୍କ ନୃତ୍ୟସଂରଚନାରେ କୌଣସି ନୂତନତ୍ୱ ନାହିଁ । ନୃତ୍ୟର ବୌଦ୍ଧିକ ପରିକଳ୍ପନା ଓ ନୃତ୍ୟର ଗତିରେ କୌଣସି ଭାବ ଉଦ୍ରେକକାରୀ ଗୁଣ ନାହିଁ ।
ଅନେକ ସମୟରେ ସମାନ ପଦପାତ, ମୁଦ୍ରା ଓ ଭଙ୍ଗୀ ବିରକ୍ତିଜନକ ମନେ ହେବ । ବିଶେଷକରି ହସ୍ତଚାଳନା ଓ ପଦଚାଳନାରେ ରାମ୍ଲୀଙ୍କ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଦୁର୍ବଳ । ତାଙ୍କର ଗତିରେ ଗୋଟେ ପ୍ରକାର ଚାଲାକି ଅଛି । ଯେଉଁ ଚାଲାକିରେ ତାଳ କଟିବାର ଦୁର୍ବଳତାକୁ ସହଜରେ ଏଡେଇ ଯାଇ ହେବ ।
ମୋଟାମୋଟି ରାମ୍ଲୀଙ୍କ ଏହି ନୂଆ ସଂରଚନା ପୁରୁଣାର ଅବିକଳ ନକଲ ମାତ୍ର । ଆମେ ଆଶା କରୁଛୁ ରାମ୍ଲୀ ତାଙ୍କ ନିଜସ୍ୱ ସଂରଚନା କେବେ ଥରେ ପ୍ରସ୍ତୁତ କରିବେ ନିଶ୍ଚୟ ।
ଆଜି ପର୍ଯ୍ୟନ୍ତ “କପି ପେଷ୍ଟ” କୋରିଓଗ୍ରାଫି ମାଧ୍ୟମରେ ରାମ୍ଲୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅନ୍ୟ ଗୁରୁଙ୍କର ନୃତ୍ୟ ରଚନାକୁ ନିଜ ଶୈଳୀରେ ପକାଇବାକୁ ଯାଇ ଗୁରୁମାନଙ୍କୁ ସେ କେତେଦୂର ସମ୍ମାନ ଦେଇଛନ୍ତି, ତାହା ସମୟ କହିବ । ତେବେ ନିଜସ୍ୱ ସଂଗୀତ ଓ ନୃତ୍ୟ ରଚନା ନ କରିବା ଯାଏ ତାଙ୍କୁ ଜଣେ ମୌଳିକ ନୃତ୍ୟଗୁରୁ ଭାବରେ ଗ୍ରହଣ କରିହେବ ନାହିଁ ।
Leave a Reply