• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଘୃଣା ଯେତେବେଳେ ସହିଷ୍ଣୁତା ଉପରେ ବିଜୟଲାଭ କରେ

March 13, 2017 by ଓଡିଶା ଡଟ କମ Leave a Comment

ଏହି କଥାଟି ନିଶ୍ଚିତଭାବେ ଅଡ଼ୁଆ ଲାଗୁଛି ଯେତେବେଳେ ନିଜ ଦେଶ ଭାରତରେ ଚାଲିଥିବା ଘୃଣାଜନିତ ଅପରାଧଗୁଡ଼ିକ ଉପରେ ନିରବ ରହି ଆସିଥିବା ସରକାରଟି ଆମେରିକା ଭଳି ଆଉ ଗୋଟିଏ ଦେଶରେ ଘଟିଥିବା ଘୃଣାଜନିତ ଅପରାଧକୁ ସେ ଦେଶରେ ରାଷ୍ଟ୍ର ମୁଖ୍ୟ ନିନ୍ଦା କରନ୍ତୁ ବୋଲି ଦାବି କରୁଛି, କାହିଁକି ନା ସେଠି ଏପରି ଅପରାଧର ଶିକାର ହୋଇଥିବା ଲୋକଟି ଜଣେ ଭାରତୀୟ ।
ଫେବୃୟାରୀ ୨୨ ଦିନ କାନସାସ୍ର ଓଲେଧ ନାମକ ଏକ ସ୍ଥାନରେ ଆମ ଦେଶ ଛାଡ଼ି ଚାଲିଯାଅ ଦାବି କରି ଜଣେ ଶ୍ୱେତାଙ୍ଗ ଆମେରିକୀୟ ଶ୍ରୀନିବାସ କୁଚ୍ଛିଭୋଟଲା ନାମକ ଜଣେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ, ଆଉ ଜଣଙ୍କୁ ଆହତ କରିଥିଲେ । ଗୋଟିଏ ଘୃଣାଜନିତ ଅପରାଧ ଘଟିଛି ଜଣାପଡ଼ିବାର ଗୋଟିଏ ସପ୍ତାହଯାଏଁ ଆମେରିକା ସରକାରଙ୍କର କୌଣସି ପ୍ରତିକ୍ରିୟା ନଥିଲା ।

ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ର ପ୍ରେସ୍ ସେକ୍ରେଟାରୀ ଘଟଣାଟି ‘ବିବ୍ରତ’ କରିଛି କହି ସେତିକିରେ କାମ ସାରି ଦେଇଥିଲେ । ତା’ପରେ ଫେବୃୟାରୀ ୨୮ଦିନ ଆମେରିକୀୟ କଂଗ୍ରେସର ଉଭୟ ଗୃହକୁ ଏକାବେଳେ ଉଦ୍ବୋଧନ ଦେବାବେଳେ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ୍ କେବଳ କାନସାସ୍ ଗୁଳିକାଣ୍ଡଟି କଥା ନିଜ ବକ୍ତବ୍ୟର ପ୍ରାରମ୍ଭରେ ଉଲ୍ଲେଖ କରିଥିଲେ ।

ସେତିକିରେ ଭାରତର ଗଣମାଧ୍ୟମ ଆଗକୁ କୁଦିପଡ଼ି ଟ୍ରମ୍ପ୍ଙ୍କ ସବୁ ମନ୍ତବ୍ୟଗୁଡ଼ିକରେ କିଛି ବିଶେଷଣ ବ୍ୟବହାର କରି କହିଚାଲିଲେ ଯେ ସେ ନିନ୍ଦା କରିଛନ୍ତି ।

ଯାହା ସବୁ ଟ୍ରମ୍ପ କହିଲେ ତାହା ଏଭଳି ଥିଲା- ‘ଇହୁଦୀମାନଙ୍କର ଗୋଷ୍ଠି କେନ୍ଦ୍ର ଓ କବରଖାନାଗୁଡ଼ିକ ଯେଉଁ ଆତଙ୍କ ଓ ଆକ୍ରମଣ ଭିତର ଦେଇ ଗତି କରୁଛନ୍ତି ଏବଂ କାନସାସ୍ରେ ଯେଉଁ ଗୁଳିକାଣ୍ଡ ଘଟିଲା; ତାହା ଆମକୁ ମନେ ପକାଇ ଦେଉଛି ଯେ ଜାତି ହିସାବରେ ନୀତିମାନଙ୍କୁ ନେଇ ଆମେ ଯେତେ ବିଭାଜିତ ହେଲେ ବି, ଦେଶ ହିସାବରେ ବିଭିନ୍ନ ବୀଭତ୍ସ ରୂପରେ ପ୍ରକାଶିତ ହେଉଥିବା ଘୃଣାକୁ ନିନ୍ଦା କରିବାରେ ଆମେ ଏକ ।

ସେ ଯାହା ସ୍ୱୀକାର କରିନଥିଲେ ତାହା ଥିଲା ଯେ, ଅଦାଲତୀ ହସ୍ତକ୍ଷେପ ଯୋଗୁଁ ସ୍ଥଗିତ ଥିବା ତାଙ୍କ ପ୍ରଶାସନର କିଛି ନୀତି ଓ ଘୋଷଣା ଯେମିତିକି ୭ଟି ମୁସଲିମ ଦେଶର ବାସିନ୍ଦାଙ୍କୁ ଆମେରିକାରେ ପ୍ରବେଶ କରିବା କ୍ଷେତ୍ରରେ ବାସନ୍ଦ କରିବା ଇତ୍ୟାଦି ସବୁ ଘୃଣାଜନିତ ଅପରାଧ ଘଟାଇବା ପାଇଁ ଗୋଟିଏ ବାତାବରଣ ସୃଷ୍ଟି କରିଛି ।

ଯଦିଓ ଆମେରିକା ସମେତ ଯେକୌଣସି ବି ଦେଶରେ ସମାଜର ବିଭିନ୍ନ ବର୍ଗଙ୍କ ଭିତରେ ପରସ୍ପରବିରୋଧୀ କ୍ରୋଧ ଓ ବିଦ୍ୱେଷ ଭାବ ଉନ୍ମାଦ ସ୍ତରରେ ରହିଆସିଛି, ତେବେ ସରକାରମାନେ ଏହି ସାମାଜିକ ବିଭାଜନଗୁଡ଼ିକୁ ଅଧିକ ଖରାପ କରିପାରିବେ ସେମାନେ ଯଦି ନିଜ ନୀତିଗୁଡ଼ିକର ପରିଣାମସ୍ୱରୂପ ଏସବୁ ହେଉଛି ବୋଲି ସ୍ୱୀକାର ନକରନ୍ତି ।

ଆଜି ଯାହା ଆମେରିକାର ଘଟୁଛି ଦୀର୍ଘ ଅଢ଼େଇ ବର୍ଷ ଧରି ଭାରତରେ ଚାଲିଥିବା ଘଟଣାଗୁଡ଼ିକରେ ତାହା ପ୍ରତିଫଳିତ । ମେ, ୨୦୧୪ରେ ଭାଜପା ଓ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ବିଜୟ ପରେ, ଆମେ କେବଳ ଯେ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଘୃଣା ଅପରାଧ ନିୟମିତ ବଢ଼ିଚାଲିଥିବା କଥା ଦେଖୁନାହୁଁ, ବରଂ ଭାରତରେ ମୁସଲମାନମାନଙ୍କୁ ଜାଣିଶୁଣି ପୈଶାଚିକ ରୂପଦେଇ ଭିନ୍ନଭାବେ ଉପସ୍ଥାପନ କରିବାର ପ୍ରବୃତି ବଢ଼ି ଚାଲିଥିବା କଥା ଦେଖିଆସିଛୁ ।

ନିଷ୍ଠୁର ଭାବେ ହତ୍ୟା କରିବା ଏବଂ ‘ପ୍ରେମ ଧର୍ମଯୁଦ୍ଧ’ର ଅଭିଯୋଗ ଆଣିବାଠୁ ଆରମ୍ଭ କରି, ନିକଟରେ ଘଟିଥିବା ଉତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରବେଳେ ପର୍ଦ୍ଦା ପଛରୁ ମୋଦୀଙ୍କ ସାମ୍ପ୍ରଦାୟିକ ଉଚ୍ଚାରଣ ଯାଏଁ, ଭାରତୀୟ ସମାଜରେ ସେମାନଙ୍କର ସ୍ଥାନକୁ ନେଇ ମୁସଲମାନମାନଙ୍କ ଭିତରେ ଅସୁରକ୍ଷିତ ମନୋଭାବ ବଢ଼ିଚାଲିଛି ।

କେବଳ ଘୃଣା ମନୋଭାବରେ ଭରା ଏଠିସେଠି କେତୋଟି ବ୍ୟକ୍ତିଙ୍କ ଦ୍ୱାରା ଅବା ଶାସକଦଳ ଭଳି ହିନ୍ଦୁତ୍ୱରେ ବିଶ୍ୱାସ ରଖୁଥିବା କିଛି ଗୋଷ୍ଠୀ ବା ସଙ୍ଗଠନମାନଙ୍କ ଦ୍ୱାରା ଏଭଳି କାମ ସଙ୍ଗଠିତ ହୋଇପାରିବ ନାହିଁ । ଏଭଳି ଘଟଣା ସବୁ ସେତେବେଳେ ଘଟିଥାଏ ଯେତେବେଳେ ଶୀର୍ଷରେ ଥିବା ଶାସକଟି ଏଭଳି ଏକ ବାର୍ତା ଦେଇଥାଏ ଯେ ସଂଖ୍ୟାଲଘୁମାନଙ୍କ ବିରୁଦ୍ଧରେ ତମେ ଯାହା ଅପରାଧ କଲେ ବି ନିନ୍ଦା କରାଯିବ ନାହିଁ ବା ତୁମକୁ ତେଜ୍ୟ କରାଯିବ ନାହିଁ ।

ଉତରପ୍ରଦେଶର ଦାଦ୍ରୀଠାରେ ମହମ୍ମଦ ଅଖ୍ଲାଖ୍ଙ୍କ ହତ୍ୟା ଭଳି ପ୍ରତ୍ୟେକ ଘୃଣାଜନିତ ଅପରାଧ ପରେ ଶୀର୍ଷରେ ଥିବା ଶାସକ ଭୟଙ୍କର ଭାବେ ନୀରବ ରହିଆସିଛନ୍ତି । ସେହିଦୃଷ୍ଟିରୁ କାନସାସ୍ ଘଟଣା ଉପରେ ଟ୍ରମ୍ପ୍ ଯେତେ କମ୍ କହିଥିଲେ ବି ପ୍ରତିଟି ଘୃଣାଜନିତ ଅପରାଧ ପରେ ମୋଦୀଙ୍କ ନୀରବତା ତୁଳନାରେ ଯଥେଷ୍ଟ ଅଧିକ ।

ଆମେରିକା ଓ ଭାରତ ଭିତରେ ଚାଲିଥିବା ସମାନ୍ତରାଳ ଘଟଣା ପ୍ରବାହ ଏତିକିରେ ସରୁନାହିଁ । ଆଉ ଗୋଟିଏ ସମାନ୍ତରାଳ ହେଉଛି ‘ଜାତି’ ବା ଦେଶର ସଂଜ୍ଞା ନିରୂପଣ । ଆମେରିକାକୁ ପୁଣିଥରେ ମହାନ କରି ତୋଳିବା ପାଇଁ ତୁହାକୁ ତୁହା ଟ୍ରମ୍ପ୍ କହି ଚାଲିଛନ୍ତି । କିନ୍ତୁ ସେଇଟା କେଉଁ ଆମେରିକା?

ଏହି ଆମେରିକାରେ କ’ଣ ମୁସଲମାନମାନଙ୍କ ସମେତ ଅନେକ ଦେଶରୁ ଆସି ରହିଥିବା ପ୍ରବାସୀମାନଙ୍କର ସ୍ଥାନ ରହିବ? ନା ସେମାନେ ଆମେରିକାର ପୂର୍ବ ଗୌରବ ଫେରାଇ ଆଣିବା ନାଁ’ରେ ଚାଲିଥିବା ମହା ଅଭିଯାନର ଶିକାର ହେବେ? ଯେଉଁ ବକ୍ତବ୍ୟରେ ଟ୍ରମ୍ପ୍ କାନସାସ୍ ଗୁଳିକାଣ୍ଡଟି ଉଲ୍ଲେଖ କରିଥିଲେ, ସେହି ବକ୍ତବ୍ୟରେ ସେ ‘ଭଏସ୍’ କଥା ମଧ୍ୟ ରଖିଥିଲେ ।

ତାହା ହେଉଛି ‘ଭିକଟିମ୍ସ ଅଫ୍ ଇମିଗ୍ରେସନ୍ କ୍ରାଇମ୍ସ୍ ଏନ୍ଗେଜମେଂଟ’ ବା ଅପ୍ରବାସୀମାନଙ୍କ ଅପରାଧର ଶିକାର ସଂଶ୍ଳିଷ୍ଟ କର୍ତୃପକ୍ଷର ଗଠନ । ଏହି କର୍ତୃପକ୍ଷ ଅପ୍ରବାସୀମାନଙ୍କ ଅପରାଧର ଶିକାର ହେଉଥିବା ‘ଆମେରିକୀୟମାନଙ୍କର’ ସେବାରେ କାମ କରିବ ।

ଅପ୍ରବାସୀଙ୍କ ଦ୍ୱାରା ହତ୍ୟା କରାଯାଇଛି ବୋଲି ଅଭିଯୋଗ ହେଉଥିବା କିଛି ପୋଲିସ ଅଧିକାରୀଙ୍କ ଗୁଣଗାନ କଲାବେଳେ ସେ ଏକଥା କହିନଥିଲେ ଯେ ଏହି ଅପରାଧଗୁଡ଼ିକ ଆମେରିକୀୟ ବୋଲି ସେ ଭାବୁଥିବା ଲୋକମାନଙ୍କ ଦ୍ୱାରା ଅପ୍ରବାସୀମାନଙ୍କ ଉପରେ ହେଉଥିବା ଅପରାଧ ତୁଳନାରେ କେତେ ଅନୁପାତରେ ଅଧିକ ।

ଅପ୍ରବାସୀ କାହାକୁ କୁହାଯିବ ସ୍ଥିର ନକରି ଅପ୍ରବାସୀ ଶବ୍ଦର ଉଚ୍ଚାରଣ କରି ଟ୍ରମ୍ପ୍ କେବଳ କୁଚ୍ଛୁ ଭୋଟଲାଙ୍କୁ ଗୁଳି କରିଥିବା ଲୋକମାନଙ୍କ ହାତରେ ଖେଳନାଟିଏ ସାଜିଛନ୍ତି । ଏହି ଲୋକମାନଙ୍କ ପାଇଁ ଯିଏ ଟିକିଏ ଭିନ୍ନ ଜଣାପଡ଼େ, ଯାହାର ଶରୀରର ରଙ୍ଗ ଭିନ୍ନ, ଯେ ଭିନ୍ନ ଭାଷା କହେ, ଭିନ୍ନ ପୋଷାକ ପରିଧାନ କରେ, ସେ ଜଣେ ‘ବେଆଇନ୍ ଅନୁପ୍ରବେଶକାରୀ’, ‘ବାହାରିଆ ଲୋକ’, ‘ଆମେରିକା ପ୍ରତି ଏକ ଆତଙ୍କ’ ।

ଭାରତରେ, ସାମ୍ପ୍ରତିକ ସରକାର ‘ଜାତି’ ଓ ‘ଜାତୀୟବାଦୀ’କୁ ନେଇ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ସବୁ ଭାରତୀୟ ହିନ୍ଦୁମାନେ ‘ଜାତୀୟତାବାଦୀ’, ଭିନ୍ନ ପ୍ରମାଣିତ ନହେବା ଯାଏଁ । କିନ୍ତୁ ସବୁ ଭାରତୀୟ ମୁସଲମାନମାନଙ୍କୁ ପ୍ରମାଣ ଦେବାକୁ ପଡ଼ିବ ଯେ ସେମାନେ ଜାତୀୟତାବାଦୀ ।

ତା’ସହିତ ଆଉ ଗୋଟିଏ କଥା ଅଛି, ଯେଉଁମାନେ ସରକାର ଓ ତାଙ୍କ ନୀତିକୁ ବିରୋଧ କରୁଛନ୍ତି , ଯେଉଁମାନେ ନିଜ ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରିବା ପାଇଁ କାଶ୍ମୀରବାସୀଙ୍କ ଅଧିକାରକୁ ସମର୍ଥନ କରୁଛନ୍ତି, ଯେଉଁମାନେ କାଶ୍ମୀର, ବସ୍ତର ଏବଂ ଉତରପୂର୍ବ ରାଜ୍ୟମାନଙ୍କରେ ନିରାପତା ବାହିନୀର ହିଂସାକୁ ନିନ୍ଦା କରନ୍ତି ଏବଂ ଯେଉଁମାନେ ଗୁରୁତ୍ୱ ଦେଇ କୁହନ୍ତି ଯେ ବାକ୍ ସ୍ୱାଧୀନତା ପ୍ରତିଟି ଭାରତୀୟଙ୍କୁ ପ୍ରତିବାଦର ଅଧିକାର ଦେଇଛି ସେମାନେ ସମସ୍ତେ ‘ଦେଶଦ୍ରୋହୀ’ ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ଅନୁସାରେ, ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜରେ ‘ପ୍ରତିବାଦର ସଂସ୍କୃତି’ ଶୀର୍ଷକ ପାଠଚକ୍ରରେ ଯୋଗ ଦେଉଥିବା ଛାତ୍ର ଓ ଅଧ୍ୟାପକମାନଙ୍କ ଉପରେ ଭାଜପାର ଛାତ୍ରଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କର୍ମମାନଙ୍କ ଦ୍ୱାରା ଯେଉଁ ଆକ୍ରମଣ ହେଲା, ତାହା ‘ଉଗ୍ର ବାମପନ୍ଥୀ’ ଓ ‘ଜାତୀୟତାବାଦୀ’ ମାନଙ୍କ ମଧ୍ୟରେ ଏକ ବୈଚାରିକ ସଂଘର୍ଷ ଥିଲା ।

କେବଳ ଏ.ବି.ଭି.ପି.ର କର୍ମୀମାନେ ହିଁ ‘ଜାତୀୟତାବାଦୀ’, ଏକଥା ସ୍ପଷ୍ଟ କୁହାଯାଉଛି । ଏଭଳି ଭୟଙ୍କର ଦୋହରା ନୀତିକୁ ଆମେରିକା ଓ ଭାରତର ସରକାରମାନେ ସମର୍ଥନ ଜଣାଇ ଆସିଛନ୍ତି । ଏଠି ସେମାନେ ଏ.ବି.ଭି.ପି. ଭଳି ଗୋଷ୍ଠୀମାନଙ୍କୁ ନିଜ ବିଚାର – ‘ଜାତୀୟତାବାଦ’ର ପ୍ରୟୋଗ ପାଇଁ ଅନୁମତି ପତ୍ର ପ୍ରଦାନ କରୁଛନ୍ତି ।

ଆମେରିକାରେ ସମସ୍ତ ବ୍ୟକ୍ତି ବା ରାଷ୍ଟ୍ରର ପ୍ରତିନିଧିମାନେ ସେମାନେ ଯେଉଁମାନଙ୍କୁ ବେଆଇନ ଅପ୍ରବାସୀ ବା ‘ଦେଶ’ ପାଇଁ ଏକ ବିପଦ ଭାବୁଛନ୍ତି ସେମାନଙ୍କୁ ଖୋଜି ବାହାର କରିବେ ଏବଂ ହତ୍ୟା ବି କରିବେ । ଅନ୍ତିମ ପରିଣତି ହେଉଛି ଏହା ଯେ, ଏହି ସରକାରମାନେ ଆମ ସମାଜରେ ଘୃଣାର କ୍ଷେତ୍ରଗୁଡ଼ିକୁ ଊର୍ବର କରାଇବା ଏବଂ ଉସୁକାଉଣା ମାଧ୍ୟମରେ, ସହିଷ୍ଣୁତା ଏବଂ ଆଲୋଚନା ପାଇଁ ଥିବା ପରିସରଗୁଡ଼ିକୁ ନଷ୍ଟ କରିଚାଲିଛନ୍ତି ।

 

( When Hate Trumps Tolerance – MARCH 4,2017 VOL L II NO 9- EPW EDITORIAL-3 )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଘୃଣାଜନିତ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version