ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପଠାଣି ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
“ଜୀବନର ଚଲାପଥେ’ ଆତ୍ମଜୀବନୀ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ସହ ପୁରସ୍କାର ବାବଦରେ ତାଙ୍କୁ ଏକ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।
୧୯୨୮ ସେପ୍ଟେମ୍ବର ୨୯ରେ ଜନ୍ମଗ୍ରହଣ କରିଥିବା ପଟ୍ଟନାୟକ ତାଙ୍କ ଲେଖନୀ ପାଇଁ ୧୯୯୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୯୪ରେ ସାରଳା ସମ୍ମାନ, ୨୦୦୧ରେ ସାହିତ୍ୟ ଭାରତୀ ସମ୍ମାନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି ।
ପୁରୀରେ ହାଇସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ କରିବା ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଡ଼ିଗ୍ରି ହାସଲ କରିଥିଲେ । ୧୯୫୪ରୁ ଅଧ୍ୟାପନା ବୃତ୍ତିରେ ପ୍ରବେଶ କରି ୧୯୫୪ରୁ ୧୯୮୨ ପର୍ଯ୍ୟନ୍ତ ଖ୍ରୀଷ୍ଟ କଲେଜ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ଏହି କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ସେ ୨୪ଟି ପ୍ରବନ୍ଧ ଓ ୧୩ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍