ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଗତ ସେପ୍ଟେମ୍ବର ମାସରେ ହୋଇଥିବା ଦୁଇଥର ବନ୍ୟାରେ କ୍ଷତିଗ୍ରସ୍ତ ପଞ୍ଚାୟତ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ସହାୟତା ଦେବାକୁ ସରକାର ନିଷ୍ପତି ନେଇଛନ୍ତି ।
ଏହି ପଂଚାୟତ ଗୁଡ଼ିକରେ ପେନ୍ସନ୍ ପାଉଥିବା ବିଧବା ମହିଳା, ବୃଦ୍ଧ, ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କୁ ଅତିରିକ୍ତ ଏକ ମାସର ସହାୟତା ଦେବା ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ହିତାଧିକାରୀମାନେ ପାଉଥିବା ମାସିକ ସହାୟତା ଅନୁରୂପ ଏହି ଅତିରିକ୍ତ ସହାୟତା ପାଇବେ । ଆସନ୍ତା ଡ଼ିସେମ୍ବର ମାସରେ ଏହି ସହାୟତା ପ୍ରଦାନ କରାଯିବ ଓ ଏହି ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ।
ଏହାଦ୍ୱାରା ସାତ ଲକ୍ଷ ହିତାଧିକାରୀ ଲାଭବାନ ହେବେ ଓ ଏଥିପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବନ୍ୟାରେ ତଦନ୍ତ ଓ କଞ୍ଚାମାଲ ହରାଇଥିବା ବୁଣାକାର ମାନଙ୍କ ପାଇଁ ୨ କୋଟି ୨୮ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି ।
ଏହାଦ୍ୱାରା୨୨୫୮ ଜଣ ବୁଣାକାର ଏବଂ ୩୭୭ ଜଣ ରେଶମ ଚାଷୀ ଉପକୃତ ହେବେ । ବନ୍ୟାରେ ଡ଼ଙ୍ଗା
ଭାଙ୍ଗିଯାଇଥିବା ଧିବର ମାନଙ୍କ ପାଇଁ ମଧ୍ୟ ୨ କୋଟି ୬୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡ଼ଙ୍ଗା ପାଇଁ ୭୫୦୦ ଟଙ୍କା ଓ ଆଂଶିକ ଭାଙ୍ଗି ଯାଇଥିବା ଡ଼ଙ୍ଗା ପାଇଁ ୨୫୦୦ ଟଙ୍କା ପ୍ରଦାନ କରାଯିବ ।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ଟି ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍