ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ୱର, ମଇ ୨୨ (ଓଡିଶା ଡଟ କମ) ନିକଟରେ ଅନୁଷ୍ଠିତ ହୋଇଥିବା ଭୁବନେଶ୍ଵର ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ଦୁଇ ଦିନିଆ ୨୨ତମ ବାର୍ଷିକ ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ଲୋକଙ୍କୁ ସମ୍ମାନିତ କରାଯାଇଥିବା ଏହାର ଆୟୋଜକ କହିଛନ୍ତି ।
ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ସମାହିତ ଏହି ଉତ୍ସବରେ ଗତ ବର୍ଷ ଅନଗୁଳ ଠାରେ ଘଟିଥିବା ବିଦ୍ୟୁତ ଆଘାତରେ ପିତା ମାତାଙ୍କ ମୃତ୍ୟୁ ଘଟଣାରେ ଅସୀମ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇ ବିପନ୍ନ ପୁତ୍ରକୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଥିବା ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇ ଏବାବଦକୁ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ଟ୍ରଫି ଓ ଏକ ହଜାର ତାଙ୍କ ପ୍ରଦାନ କରାଯାଇଥିଲା ।
ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ପ୍ରୀତିସୁଧା ମହାନ୍ତି, ବୟସ ଅନୁପାତିକ ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତୃତ ସଫଳତା ପାଇଁ ଛାତ୍ରୀ ବିଦିଶା ପଣ୍ଡା, ସଂଘର ସାଂସ୍କୃତିକ ମଞ୍ଚ ରୁ ଅଭିନୟ ଜୀବନ ଆରମ୍ଭ କରି ରାଜ୍ୟରେ ଏକ ସ୍ୱନାମଧନ୍ୟ ନାଟ୍ୟ ସଂସ୍ଥାରେ ପ୍ରମୁଖ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିବା ଲିପିନା ପାଲ୍ ଏବଂ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଏହି ଉତ୍ସବରେ ସମାଜସେବୀ ଇଂ. ଅଭୟ କୁମାର ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ଓ ଶ୍ରୀ ଦେବୀ ପ୍ରସାଦ ମଲ୍ଲିକ୍, ଶ୍ରୀ ଚନ୍ଦ୍ର ଶେଖର ପତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ସଂଘର ଏହି ନିରବଚ୍ଛିନ୍ନ ପ୍ରୟାସକୁ ପ୍ରଶଂସା କରିଥିଲେ ।
ମହିଳା ସଶକ୍ତିକରଣର ବାର୍ତ୍ତା ସହିତ ସାମିଲ ହୋଇ ସଂଘ ଏହାର ଗୁରୁତ୍ୱ ଉପରେ ଏ ବର୍ଷର ଉତ୍ସବକୁ ସମର୍ପିତ କରିଥିଲା ।ସଂଘର ୨୨ ବର୍ଷର ନିରନ୍ତର ଯାତ୍ରା ମଧ୍ୟରେ ପରଲୋକ ଗମନ କରିଥିବା ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତ ପୀତାମ୍ବର ମହାନ୍ତି, ପ୍ରତିଷ୍ଠାତା ସଭ୍ୟ ସତ୍ୟବ୍ରତ ଦାସ ଏବଂ ମନତୋଷ ମହାପାତ୍ରଙ୍କ ନିଃସ୍ୱାର୍ଥପର ଅବଦାନକୁ ମନେରଖିବା ଉଦ୍ଦେଶ୍ୟରେ ଉପରୋକ୍ତ ପୁରସ୍କାରସବୁକୁ ନାମିତ କରାଯାଇଥିଲା ।
ଉତ୍ସବର ପ୍ରାରମ୍ଭରେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ବିୟୋଗ ତଥା ନେପାଳର ଭୟାବହ ଭୂମିକମ୍ପରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଶେଷରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ)ଙ୍କ ଧନ୍ୟବାଦ ପ୍ରସ୍ତାବ ସହ ମହିଳା ସଶକ୍ତିକରଣ ଭିତ୍ତିକ ନାଟକ ଦ୍ୱୟ ପ୍ରଥମ ସଂଧ୍ୟାରେ ‘ବରଷା ରାଣୀର ଭିଜା ଓଢଣି’ ଏବଂ ଦ୍ୱିତୀୟ ସଂଧ୍ୟାରେ ‘କଇଁଚି କାକୁଡି ନଳିତା ପିତା’ ମଞ୍ଚସ୍ଥ ହୋଇଥିଲା । ଏହି ୨ ଦିନିଆ ଅହୋରାତ୍ର ନାଟକ ଉତ୍ସବକୁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ମନଭରି ଉପଭୋଗ କରିଥିଲେ ।
ଓଡିଶା ଡଟ କମ