ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ
ଚିକତ୍ସାଳୟରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାର ପ୍ରତିରୋଧ ପାଇଁଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅନୁ ଗର୍ଗ ସମସ୍ତ
ଜିଲ୍ଲାର ଜିଲ୍ଲାପାଳ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଦୁର୍ଘଟଣା ସମୟରେ ଜୀବନ ରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ।
ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଜିଇଡି ପକ୍ଷରୁ ବିଦ୍ୟୁତ ସଂଯୋଗକୁ ନିୟମିତ ଯାଂଚ କରିବା ଏବଂ ଡାକ୍ତରଖାନାର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା, ସ୍ୱତନ୍ତ୍ର ନବଜାତ ଶିଶୁ ୟୁନିଟ୍ ପ୍ରତିଷ୍ଠା କରାଯାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନର ସେହି ସବୁ ୟୁନିଟ୍ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ସବୁ କାର୍ଯ୍ୟ ପାଇଁ ରୋଗୀକଲ୍ୟାଣ ସମିତି, ରେଡକ୍ରସ କିମ୍ବା ପେରିଫେରୀ ଉନ୍ନୟନ ବାବଦକୁ ଥିବା ଅର୍ଥ ବିନିଯୋଗ କରାଯିବା ବା ବିଭାଗକୁ ଅର୍ଥ ମଞ୍ଜୁର ନିମନ୍ତେ ପ୍ରସ୍ତାବ ପଠାଇବାକୁ କୁହାଯାଇଛି ।
ଏଥିପାଇଁ ଶକ୍ତି ବିଭାଗ ସଚିବଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ , ଗୃହ ଓ ନଗର
ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଏବଂ ପୂର୍ତ୍ତ ବିଭାଗ ଶାସନ ସଚିବଙ୍କୁ ସ୍ୱାସ୍ଥ୍ୟ
ଅନୁଷ୍ଠାନ ଗୁଡିକର ଉପଯୁକ୍ତ ରକ୍ଷଣା ବେକ୍ଷଣ ପାଇଁ ଅନୁରୋଧ କରାଯାଇଛି ।
ତେବେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟ ସଚିବ ଅଗ୍ନିଶମ ବିଭାଗର ପଦସ୍ଥ ଅଧକାରୀଙ୍କ ସହ ଆଲୋଚନା କରିଛନ୍ତି ।
ତୁରନ୍ତ ରାଜ୍ୟର ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ ସମସ୍ତ ସରକାରୀ
ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ପରିଦର୍ଶନ କରି ଲାଗିଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକୁ ଯାଞ୍ଚ୍ କରିବା , ଆଉ କଣ କଣ କରାଯିବା ଆବଶ୍ୟକ ସେ ନେଇ ପରାମର୍ଶ ଦେବା , କର୍ମଚାରୀମାନଙ୍କୁ ତାଲିମ୍ ଦେବା , ମକ୍-ଡ୍ରିଲ ଆଦି କରାଇବା ପାଇଁ ସେ କହିଛନ୍ତି ।
ସେହିପରି ସେମାନେ ରାଜ୍ୟରେ ଥିବା ସମସ୍ତ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ଯାଞ୍ଚ୍ କରି
ସେହି ସବୁ ଅନୁଷ୍ଠାନମାନଙ୍କରେ ଅଗ୍ନି ପ୍ରତିରୋଧ ବ୍ୟବସ୍ଥା ସୁନିଶ୍ଚିତ କରାଇବା ଏବଂ ଯାଞ୍ଚ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍