ଅନୁଗୁଳ, ଜୁନ୍ ୨୯(ଓଡ଼ିଶା ଡ଼ଟ୍ କମ୍) ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ ବୋଲି ସବୁବେଳେ ଉଲ୍ଲେଖ କରାଯାଉଥିବା ବେଳେ ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ଅନୁଗୁଳ ଜିଲ୍ଲାର ଏକ ଗ୍ରାମ ବିକାଶ ଠାରୁ ବହୁ ଦୂରରେ ରହିଛି ।
ଜିଲ୍ଲା ସଦରମହକୁମା ଠାରୁ ୪୦ କିମି ଦୂରରେ ଅବସ୍ଥିତ ଦୂଇ ଶହରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ପୱାଲା ଗ୍ରାମ । ଏଠାକାର ଲୋକଙ୍କ ଜୀବନ ଶୈଳୀରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ ।
ନିକଟରେ ବିଧାନସଭାରେ ଉପସ୍ଥାପିତ ୨୦୧୦ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲା ଦାରିଦ୍ର୍ୟ ସୀମାରେଖା ଉପରେ ରହିଛି ।
ଜିଲ୍ଲାରେ ଦୃତ ଶିଳ୍ପାୟନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଚତୁଃପାର୍ଶ୍ଵରେ ବିଭିନ୍ନ କଳକାରଖାନା ଗଢି ଉଠିଥିଲେ ମଧ୍ୟ ଏହି ଗ୍ରାମରେ ବିକାଶର ଧାରା ପହଞ୍ଚି ପାରିନାହିଁ । ଉକ୍ତ ଗ୍ରାମବାସୀମାନେ ସାଧାରଣ ଅବଶ୍ୟକତା ଠାରୁ ବଞ୍ଚିତ ହେଉଛନ୍ତି ।
ପଛୁଆ ଅଞ୍ଚଳ ହୋଇଥିବାରୁ ଗ୍ରାମକୁ ଯୋଗାଯୋଗର ବ୍ୟବସ୍ଥା ନଥିବା ବେଳେ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ପହଞ୍ଚି ପାରୁନାହିଁ । ଗମନାଗମନ ପାଇଁ ସବୁ ଦିନିଆ ରାସ୍ତା ମଧ୍ୟ ନାହିଁ । ଶିକ୍ଷା କ୍ଷେତ୍ରରେ ଗ୍ରାମଟି ବହୁ ପଛରେ । ଗାଁରେ ସ୍କୁଲ ଥିଲେ ମଧ୍ୟ ଶିକ୍ଷକ ନାହାନ୍ତି ତେଣୁ ଅଧିକାଶଂ ପିଲା ସ୍କୁଲ ଛାଡ଼ୁଛନ୍ତି ।
ଗାଁର ଅଧିକାଂଶ ଲୋକ କନ୍ଧ ସଂପ୍ରଦାୟର । ସଚେତନତାର ଅଭାବରୁ ସେମାନେ ସବୁବେଳେ ଖଜୁରୀ ତାଡ଼ି ପିଇଥାନ୍ତି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।
ଏଥିଯୋଗୁଁ ଏଠାରେ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ବିଧବା ମହିଳା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି । ଜୀବନ ଜୀବିକା ନିର୍ବାହ କରିବା ପାଇଁ କୌଣସି ମାଧ୍ୟମ ନଥିବାରୁ ସେମାନେ ନିକଟସ୍ଥ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ।
ଗାଁରେ ପ୍ରାୟ ସବୁବେଳେ ହାତୀଙ୍କ ପ୍ରବେଶ ଯୋଗୁଁ ସେମାନେ ଚାଷ କରିବାରୁ ବଞ୍ଚିତ ହେଉଛନ୍ତି ।
ସ୍ୱାସ୍ଥ୍ୟସେବା ପାଇଁ ସେମାନେ ଚେରମୂଳି ଔଷଧ ବ୍ୟବହାର କରନ୍ତି । ଡ଼ାକ୍ତରୀ ଔଷଧ ଉପରେ ସେମାନଙ୍କର ବିଶ୍ୱାସ ନଥିବା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟସେବା ତାଙ୍କ ପାଇଁ ଉପଲବଧ ହୋଇପାରୁ ନାହିଁ ।
କୌଣସି ରାଜନୈତିକ ବ୍ୟକ୍ତି ବା ସରକାରୀ ଅଧିକାରୀ ଏହି ଅସୁବିଧା ସଂପର୍କରେ ଶୁଶୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିବା ବେଳେ କେବେ ପ୍ରଶାସନ ଏହି ଅଞ୍ଚଳରେ ପହଞ୍ଚିବ ତାହା ସେମାନେ ଅପେକ୍ଷା କରି ରହିଛନ୍ତି ।
ଓଡିଶା ଡଟ୍ କମ୍
Leave a Reply