ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର ପୁରୁଣା ବସଷ୍ଟାଣ୍ଡ, ସର୍ଗିଦାର ସମଲେଶ୍ୱରୀ ଢ଼ାବା, ବରତୁଣ୍ଡା ପ୍ରଭୃତି ଅଞ୍ଚଳରେ ମାଓବାଦୀଙ୍କ ପ୍ରଚାର ପତ୍ର ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।
ଏହି ପ୍ରଚାର ପତ୍ର ମାଧ୍ୟମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଂଗଠନର ମହାସମୁନ୍ଦ-ବଲାଙ୍ଗିର-ବରଗଡ଼ ଜୋନାଲ କମିଟି ପକ୍ଷରୁ ୨୫ ଜୁନକୁ କଳାଦିବସ ରୂପେ ପାଳନ କରିବା ସହ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଥିଲା ।
ଏଥିରେ ପ୍ରସ୍ତାବିତ ଏନ୍ସିଟିସି ଗଠନକୁ ବିରୋଧ କରାଯିବା ସହ, ଅପରେସନ ଗ୍ରୀନ ହଣ୍ଟ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଯଦିଓ ଏହି ପ୍ରଚାର ପତ୍ର ଜୁନ ୨୫ ତାରିଖ ପାଇଁ ଉଦ୍ଧିଷ୍ଟ ଥିଲା ତଥାପି ଲୋକେ ଶୁକ୍ରବାର ଏହାକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ।
ବିଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଳାରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
ଓଡ଼ିଶା ଡ଼ଟ୍ କମ୍