ପ୍ରଫୁଲ ଦାଶ
ଭୁବନେଶ୍ୱର, ଫେବୃଆରୀ ୨୭ (ଓଡ଼ିଶା ଡ଼ଟ୍ କମ୍), ମଙ୍ଗଳବାର ରେଳ ମନ୍ତ୍ରୀ ପୱନ କୁମାର ବଂଶଲ ଲୋକସଭାରେ ଉପସ୍ଥାପନ କରିଥିବା ରେଳ ବଜେଟ୍ କୁ ନେଇ ଓଡ଼ିଶାରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି ।
କଂଗ୍ରେସ ଏହାକୁ ଏକ ଲୋକାଭିମୁଖୀ ଓ ସମତୁଲ ବଜେଟ୍ କହୁଥିବା ବେଳେ ବିରୋଧି ଦଳମାନେ ଏହାକୁ ସମାଲୋଚନା କରିଛନ୍ତି ।
ଏହି ବଜେଟ୍ ରେ ଓଡ଼ିଶାରେ ୬ଟି ନୂଆ ଏକ୍ସପ୍ରେସ ଟ୍ରେନ ଯାତାୟାତ କରିବ । ସେଗୁଡ଼ିକ ହେଲା ଭୁବନେଶ୍ୱର-ନିଜାମୁଦ୍ଧିନ ଭାୟା ସମ୍ବଲପୁର(ସାପ୍ତାହିକ),ପୁରୀ-ଶିରିଡ଼ି ଭାୟା
ସମ୍ବଲପୁର-ଟିଟିଲାଗଡ଼(ସାପ୍ତାହିକ),ତିରୁପତି-ଭୁବନେଶ୍ୱର(ସାପ୍ତାହିକ),ବିଶାଖାପାଟଣା-ଯୋଧପୁର ଭାୟା କେସିଙ୍ଗା-ଟିଟିଲାଗଡ଼,ପୁରୀ-ଆଜମିର ଏକ୍ସପ୍ରେସ,ହାଓଡ଼ା-ଚେନ୍ନାଇ ଏସି ଏକ୍ସପ୍ରେସ(ସପ୍ତାହରେ ଦୁଇଦିନ) ।
ଏଥିସହ ୩ଟି ଟ୍ରେନ କୁ ସଂପ୍ରସାରିତ କରାଯାଇଛି । ସେଗୁଡ଼ିକ ହେଲା ଭୁବନେଶ୍ୱର-ଭବାନୀପାଟଣାରୁ ଜୁନାଗଡ଼,ଏଲଟିଟି-ଭୁବନେଶ୍ୱରରୁ ପୁରୀ,ପୁରୀ-ଦରଭଙ୍ଗାରୁ ଜୟନଗର ପର୍ଯ୍ୟନ୍ତ ସଂପ୍ରସାରିିତ କରାଯାଇଛି ।
ଏଥିସହିତ ଗଞ୍ଜାମ ରେ ୱାଗନ କାରଖାନା, କଳାହାଣ୍ଡିରେ ମାଲଗାଡ଼ି କୋଚ୍ ମରାମତି କେନ୍ଦ୍ର, ନିରାକାରପୁର-ତାପଙ୍ଗ ନୂଆ ବାଇପାସ୍ ଲାଇନ୍, କୋରାପୁଟରେ ଖୋଲିବ ଯୁବଗୋଷ୍ଠୀ ତାଲିମ କେନ୍ଦ୍ର ଏବଂ ରାୟପୁର-ଝାରସୁଗୁଡ଼ା ନୂଆ ଲାଇନ୍ ନିର୍ମାଣ ହେବ । ସମ୍ବଲପୁର-ହଜୁର ସାହାବ ନନେ୍ଦଦ ଏକ୍ସପ୍ରେସ୍ ଚଳାଚଳ ସପ୍ତାହରେ ତିନିଦିନକୁ ବୃଦ୍ଧି କରାଯାଇଛି ।
ରେଳ ବଜେଟ୍ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ନୈରାଶ୍ୟଜନକ ଅଟେ । ଓଡ଼ିଶା ରେଳ ମନ୍ତ୍ରଣାଳୟ ନିକଟରେ ୩୦୫୦କୋଟି ଟଙ୍କା ଦାବି ରଖିଥିବା ବେଳେ ବଜେଟ୍ ରେ ମାତ୍ର ୮୬୯କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ଓଡ଼ିଶା ବର୍ଷକୁ ରେଳବାଇକୁ ପ୍ରାୟ ୧୪୦୦୦କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ପୁଣି ଥରେ କେନ୍ଦ୍ର ଓଡ଼ିଶାକୁ ନିରାଶ କରିଛି ବୋଲି ସେ କହିଛନ୍ତି ।
ରେଳମନ୍ତ୍ରୀ ଓଡ଼ିଶାକୁ ଭଣ୍ଡାଇଛନ୍ତି ବୋଲି ବିଜେପି ନେତା ଜୁଏଲ ଓରାମ କହିଛନ୍ତି । ଭୁବନେଶ୍ୱରକୁ ଅନ୍ତର୍ଜାତିକ ସ୍ତରର ରେଳ ଷ୍ଟେସନ କରାଯିବ ବୋଲି ଘୋଷଣା କରାଯାଇଥିଲେ ସୁଦ୍ଧା ଏଥର ସେଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ ବୋଲି ସେ କହିଛନ୍ତି ।
ଓଡ଼ିଶା ପାଇଁ ଏହା ସବୁଠୁ ଭଲ ରେଳ ବଜେଟ୍ ବୋଲି କଂଗ୍ରେସ ସାଂସଦ ଭକ୍ତଚରଣ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏହି ବଜେଟ୍ ରେ ଅନେକ ପ୍ରକଳ୍ପ ଓଡ଼ିଶା ପାଇଁ ରହିଛି ଓ ଗୁଡ଼ାଏ ନୂଆ ଟ୍ରେନ ଓଡ଼ିଶା ଦେଇ ଯିବ । ଏଥିରେ କଳାହାଣ୍ଡିରେ ୱାର୍କସପ ପାଇଁ ଘୋଷଣା ରହିଛି । ଯାହାଦ୍ୱାରା ୧୨୦୦ରୁ ୧୫୦୦କର୍ମଚାରୀ ଏଥିରେ ନିଯୁକ୍ତି ପାଇବେ ।
ଏହା ଏକ ନିର୍ବାଚନମୁଖୀ ବଜେଟ୍ ଏହା ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି । ଏଥିରେ ସବୁ ବର୍ଗର ଲୋକଙ୍କୁ ଖୁସି କରିବାକୁ ଛେଷ୍ଟା କରାଯାଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।
ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସ୍ୱାର୍ଥ ପାଇଁ ଏହି ବଜେଟ୍ ପ୍ରସ୍ତୁତ କରିଛି ବୋଲି ସମାଜବାଦୀ ପାର୍ଟି ସଭାପତି ରବି ବେହେରା କହିଛନ୍ତି । ଅଣକଂଗ୍ରେସ ଶାସିତ ରାଜ୍ୟମାନଙ୍କ ପାଇଁ ରେଳ ବଜେଟ୍ ରେ ବିଶେଷ କିଛି ନାହିଁ ।
ରାୟବରେଲି ଭଳି ଆସନ ପାଇଁ ୪ଟି ବଡ଼ ପ୍ରକଳ୍ପ ଘୋଷଣା ପଛରେ ଗାନ୍ଧୀ ପରିବାରର ସ୍ୱାର୍ଥକୁ ଦେଖାଯାଇଛି । ଏହା ପୱନ ଏକ୍ସପ୍ରେସରେ ହାୱା ମିଠାଇ ବୋଲି ଓଡ଼ିଶା ଜନମୋର୍ଚା ତରଫରୁ
କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply