• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

admin

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

September 27, 2012 by admin 1 Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍)-କେ.ବି.କେ ତଥା ଅନ୍ୟ ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାର ସଂପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ସନ୍ଧ୍ୟାରେ ସଚିବାଳୟରେ ପଟ୍ଟନାୟକ କେ.ବି.କେ, କନ୍ଧମାଳ, ଗଜପତି, ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ସେମାନଙ୍କ ଜିଳ୍ଲାରେ ଜଳସେଚନ ବ୍ୟବସ୍ଥାର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଉପରୋକ୍ତ ଜିଲ୍ଲାମାନଙ୍କରେ ଥିବା ଜଳସେଚନ ସମ୍ଭାବନାର ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଚେକ୍ଡ୍ୟାମ, ଡିପ୍ ବୋରୱେଲ ତଥା ବୃହତ୍ ଉଠାଜଳସେଚନ ଯୋଜନାର କାର୍ଯ୍ୟକାରୀତା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୃଷି ତଥା ଉଦ୍ୟାନ କୃଷିର ବିକାଶ ପାଇଁ ସେହି ସବୁ ଅଞ୍ଚଳରେ ଏହା ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ । ଏଥିପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ସହିତ ଅଗ୍ରଗତି ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଉପରୋକ୍ତ ଜଳସେଚନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ଜିଲ୍ଲାସ୍ତରରେ ଏସ୍.ପି , ଏମ୍.ଏଲ୍.ଏ ମାନଙ୍କୁ ନେଇ ଏକ କମିଟି ଗଠନ କରି ପ୍ରତି ତିନିମାସରେ ଅଗ୍ରଗତିର ସମୀକ୍ଷା କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏତଦ୍ୱ୍ୟତୀତ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଗୁଡିକର ମରାମତି ଓ ପୁନରୁଦ୍ଧାର କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା ।

୩୫ ଭାଗରୁ କମ୍ ଜଳସେଚନ ସୁବିଧାଥିବା ବ୍ଲକ୍ ମାନଙ୍କୁ ପ୍ରାଥମିକତା ଦେବାପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ଓ ଜଳସେଚନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଆଦିବାସୀ, ଜଳସେଚନ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସଚିବାଳୟ

ସୁଦର୍ଶନଜୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶାରେ ସାମୁହିକ ତିଳ ତର୍ପଣ

September 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) – ସ୍ଥାନୀୟ ବିନ୍ଦୁ ସାଗରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପଞ୍ଚମ ସରସଙ୍ଘଚାଳକ କୂପହଲ୍ଲୀ ସୀତାରାମାୟା ସୁଦର୍ଶନଜୀଙ୍କ ଉଦେ୍ଧଶ୍ୟରେ ବୁଧବାର ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୁଦର୍ଶନଜୀଙ୍କ ଦ୍ୱାଦଶକର୍ମ ଉପଲକ୍ଷେ ଏହିକାର୍ଯ୍ୟକ୍ରମରେ ପାଞ୍ଚ ଶହ ପଞ୍ଚାବନ ଜଣ ସ୍ୱୟଂସେବକ ସାମୂହିକ ଭାବେ ତିଳତର୍ପଣ କରିଥିଲେ । ସଙ୍ଘର ମହାନଗର ସଂଘଚାଳକ ବୈକୁଣ୍ଠଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ବୋଲି ସଂଘର ରାଜ୍ୟ ମିଡିଆସେଲ ସଂପାଦକ ଶ୍ରୀ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ସର-ସଂଘଚାଳକ ଶ୍ରୀ କୁପହଲ୍ଲୀ ସୀତାରାମେୟା ସୁଦର୍ଶନଜୀ ୨୦୧୨ ସେପ୍ଟେମ୍ବର ୧୫ ତାରିଖ ସକାଳ ୬ଟା ୫୦ମିନିଟରେ ହୃଦଘାତର ଶିକାର ହୋଇଥିଲେ ଏବଂ ତାଙ୍କ ପରଲୋକ ଘଟିଥିଲା । ସେ ସକାଳେ ପ୍ରାତଃଭ୍ରମଣରେ ଫେରି କାର୍ଯ୍ୟାଳୟରେ ଥିବା ତାଙ୍କ କୋଠରୀରେ ପ୍ରାଣାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ।

ସୁଦର୍ଶନଙ୍କ ମରଶରୀରକୁ ନାଗପୁରକୁ ଅଣାଯାଇଥିଲା । ନାଗପୁରରେ ଡା.ହେଡଗୱାର ସ୍ମୃତି ମନ୍ଦିର ପରିସରରେ ସୁଦର୍ଶନଙ୍କ ମରଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଥିଲା ।

ସମାଜର ବରିଷ୍ଠ ନାଗରିକ,ସଂଘର କାର୍ଯ୍ୟକର୍ତ୍ତା ଓ ସ୍ୱୟଂସେବକମାନେ ନାଗପୁରରେ ପହଞ୍ଚି ସୁଦର୍ଶନଙ୍କ ଶେଷଦର୍ଶନ କରିଥିଲେ । କୁପ୍ପାହାଲ୍ଲି ଗାଁର ବାସିନ୍ଦା ସୁଦର୍ଶନ ଶାରୀରିକ ଓ ବୌଦ୍ଧିକ ଲାଗି ସଂଘର ସ୍ୱୟଂସେବକଙ୍କ ମଧ୍ୟରେ ବେଶ ପରିଚିତ ।

୧୬ ସେପ୍ଟେମ୍ବରରେ ନାଗପୁରର ଗଙ୍ଗାବାଇ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା । ସନ୍ଧ୍ୟା ସମୟରେ ସୁଦର୍ଶନଙ୍କ ଭାଇ କଶ୍ମୀର ରମେଶ ମୁଖାଗ୍ନି ଦେଇଥିଲେ । ୨୫ ସେପ୍ଟେମ୍ବରର ସକାଳେ ତାଙ୍କର ଅସ୍ତିକୁ ହରିଦ୍ୱାରରେ ବିସର୍ଜନ କରାଯାଇଛି ।

ସୁଦର୍ଶନଜୀଙ୍କ ଆତ୍ମାର ସଦଗତି କାମନା କରି ଓଡିଶାରେ ସଂଘଶାଖା ଚାଲୁଥିବା ଗ୍ରାମ,ପଞ୍ଚାୟତ,ତହସିଲ ଓ ଜିଲ୍ଲାସ୍ତରରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭା,ସ୍ମୃତିସଭା,ଓ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ତିଳ ତର୍ପଣ

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲାସ୍ତରୀୟ ବିଚାର ବର୍ଗ

September 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିର ପରିସରରେ ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସ୍ତରୀୟ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧ ଶତୀ ସମାରୋହ ସମିତିର ଜିଲ୍ଲା ସହସଂଯୋଜକ କିଶୋର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅଭିମନ୍ୟୁ ଗୋଚ୍ଛାୟତ ଉଦ୍ଘାଟନ କରି ଆଜି ଦେଶକୁ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଠାରୁ ରକ୍ଷା କରିବା ପାଇଁ ସମସ୍ତଙ୍କଠାରେ ଗାନ୍ଧିଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଜାଗ୍ରତ କରାଇବା ଦରକାର ବୋଲି କହିଥିଲେ ।

ମଞ୍ଚର କ୍ଷେତ୍ରୀୟ ସଙ୍ଗଠନ ମନ୍ତ୍ରୀ ଅନ୍ନଦା ଶଙ୍କର ପାଣିଗ୍ରାହୀ ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ସମ୍ବନ୍ଧରେ ଆଲୋଚନା କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଉବୁଟୁବୁ ହେଉଥିବା କେନ୍ଦ୍ର ସରକାରଙ୍କର କୋଇଲା, ଟୁଜି ସ୍ପେକ୍ଟ୍ରମ୍, ଆଦର୍ଶ ହାଉସିଂ, ରାଜ୍ୟ ଗୋଷ୍ଠୀ କ୍ରୀଡା ଆଦି ଲକ୍ଷ ଲକ୍ଷ କୋଟି ଟଙ୍କାର ମହାଦୁର୍ନୀତି ଯୋଗୁଁ ଆଜି ଦେଶର ଅର୍ଥନୀତି ଦୁର୍ବଳ ହୋଇପଡିଛି ବୋଲି କହି ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ।

ମଞ୍ଚର ପ୍ରାନ୍ତ ବିଚାର ପ୍ରମୁଖ ଡକ୍ଟର ଧିରେନ୍ଦ୍ର ନନ୍ଦ ଯୋଗଦେଇ ଆମ୍ ଆଦମୀଙ୍କ କଥା କହୁଥିବା କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଡିଜେଲ ଦର ୫ଟଙ୍କା ବଢାଇବା ଏବଂ ଏଲପିଜି ସିଲିଣ୍ଡର ଉପରେ ସବସିଡି ବର୍ଷକୁ ୬ଟିରେ ସିମୀତ ରଖିବା ଦୁର୍ଭାଗ୍ୟ ଜନକ ବୋଲି କହି ଏହାଦ୍ୱାରାସରକାର ଦେଶର ସାଧାରଣ ଜନତାଙ୍କୁ ଧୋକା ଦେଇଛନ୍ତି ବୋଲି ଦର୍ଶାଇଥିଲେ ।

ସ୍ଥାନୀୟ ସମାଜସେବୀ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗ ଦେଇ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶକୁ ଦୃଢଭାବରେ ସମାଲୋଚନା କରି କହିଲେ ରିଟେଲ ମାର୍କେଟ ଭଳି ଏକ ଷ୍ପର୍ଶକାତର କ୍ଷେତ୍ରକୁ ବିଦେଶୀ ହାତକୁ ଟେକିଦେବା ଦ୍ୱାରାସ୍ଥାନୀୟ କୃଷକମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେବେ ଏବଂ ସେମାନଙ୍କର ଚାଷ ଅଧିକାର ଲୋପ ପାଇବ ।

ଫାର୍ମ ଚାଷ ପ୍ରତି ବିଦେଶୀମାନଙ୍କର ଆଗ୍ରହ ଥିବା ଯୋଗୁଁ ବହୁ ପରିମାଣର ଚାଷ ଜମି ସେମାନଙ୍କ ହାତକୁ ଚାଲିଯିବ । ସେମାନେ ଏକକାଳୀନ ସମସ୍ତ ସାମଗ୍ରୀ କିଣିନେବା ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୁଜୁରାଣ ମେଣ୍ଟାଉଥିବା ଦେଶର ଚାରି କୋଟି ଛୋଟ ଛୋଟ ଓ ନାମକୁ ମାତ୍ର କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇବେ ।

ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ନିର୍ମଳ ଚନ୍ଦ୍ର ସଡଙ୍ଗୀ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଞ୍ଚର ସାଙ୍ଗଠନିକ କାର୍ଯ୍ୟ କିପରି ବୃଦ୍ଧି କରାଯାଇପାରିବ ଆଲୋଚନା କରିଥିଲେ । ଏହି ବିଚାର ବର୍ଗରେ କଳାଧନ ଓ ଭ୍ରଷ୍ଟାଚାର, କୃଷି ଓ କୃଷକ ସମସ୍ୟା, ଶିକ୍ଷା ଓ ବେରୋଜଗାର ସମସ୍ୟା, ଦରଦାମ୍ ବୃଦ୍ଧି, କୃଷି ଅର୍ଥନୀତି ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବସନ୍ତ କୁମାର ନାୟକ ସଂଯୋଜନା କରିଥିଲେ ଏବଂ ଶେଷରେ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ବିଷ୍ଣୁ ପ୍ରସାଦ ଦାସ, ସୋନାଶିଷ ପ୍ରିୟଦର୍ଶିନୀ ଜେନା, ବୈଲୋଚନ ଦାସ, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

admin
admin

Filed Under: ଅର୍ଥ-ବ୍ୟବସାୟ Tagged With: କେନ୍ଦ୍ରାପଡ଼ା, ସ୍ୱାମୀ ବିବେକାନନ୍ଦଙ୍କ ସାର୍ଦ୍ଧ

ନର୍ସିଂ ଛାତ୍ରଛାତ୍ରୀଙ୍କୁ ଅବହେଳା,ପ୍ରତିବାଦରେ ଧାରଣା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – ନର୍ସିଂ ଛାତ୍ରଛାତ୍ରୀମାନେ ମେଡିକାଲ କଲେଜରେ ଅଧିକାଂଶ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅବହେଳା କରିଚାଲିଛନ୍ତି; ଯାହାଫଳରେ ନର୍ସିଂ ଛାତ୍ରଛାତ୍ରୀମାନେ ପାଠ ପଢିବା ଅସମ୍ଭବ ହୋଇପଡିଛି ।

କଟକ ବଡ଼ ଡାକ୍ତରଖାନା ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ନିୟମିତ ସେବିକାଙ୍କ ଦରମାର ୬୦ପ୍ରତିଶତ କରିବା, ପୋଷାକ ଓ ଧୂଲେଇ ଭ । ପ୍ରଦାନ ସହ ନର୍ସିଂ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା ଦାବିରେ ମଙ୍ଗଳବାରଠାରୁ ନର୍ସିଂ ଛାତ୍ରଛାତ୍ରୀମାନେ ଅନିର୍ଦିଷ୍ଟକାଳ ପାଇଁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଜଣେ ସ୍ଥାୟୀ ନର୍ସ ଦରମାର ୬୦ପ୍ରତିଶତ ଟଙ୍କା ଷ୍ଟାଇପେଣ୍ଡ ଦେବା, ପୋଷାକ ଓ ଧୂଳେଇ ଭ ।, ପରୀକ୍ଷା ନିର୍ଦ୍ଧାରିତ ସମୟରେ ଶେଷ କରିବା, ୧୯୪୧ମସିହାରୁ ପ୍ରତିଷ୍ଠିତ ଛାତ୍ରୀ ନିବାସର ପୁନଃରୁଦ୍ଧାର କରିବା, ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ, ଛାତ୍ରମାନଙ୍କୁ ନର୍ସିଂ ପାଠ୍ୟକ୍ରମରେ ପୂର୍ବଭଳି ନାମଲେଖାରେ ସୁଯୋଗ ଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ଏକାଧିକ ବିଭାଗରେ ରୋଗୀ ସେବାରେ ଆଶିଂକ ପ୍ରଭାବ ପଡିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ନର୍ସିଂ ସ୍କୁଲ ଛାତ୍ର ସଂଘର ସାଧାରଣ ସମ୍ପାଦକ ଶେଖ ଖଲିଲଉଲ୍ଲା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନର୍ସିଂ ଛାତ୍ରଛାତ୍ରୀ, ମେଡିକାଲ କଲେଜ, ହଷ୍ଟେଲ ନିର୍ମାଣ

ଆଇଏଏସ, ଓଏଏସ ଅଫିସର ସ୍ତରରେ ଅଦଳବଦଳ

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) –ରାଜ୍ୟ ସରକାର ଆଇଏଏସ ଏବଂ ଓଏଏସ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରି ଗୃହ ବିଭାଗ ଅତିରିକ୍ତ ସଚିବ କାହ୍ନୁ ଚରଣ ଷଡ଼ଙ୍ଗୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଏବଂ ପ୍ରମୋଦ କୁମାର ପଣ୍ଡାଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରିଛନ୍ତି ।

କଟକ ମହାନଗର ନିଗମ କମିଶନର ଡ଼ି.ଭି.ସ୍ୱାମୀଙ୍କୁ କ୍ରୀଡ଼ା ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଏନଆରଏଲଏମର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ହରିବଲ୍ଲଭ ମିଶ୍ରଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଓକାକର ମୁଖ୍ୟ ପରିଚାଳକ ମନୋଜ ପଟ୍ଟନାୟକଙ୍କୁ ଭୁବନେଶ୍ୱରର ଅତିରିକ୍ତ ଜିଲାପାଳ ପଦକୁ ବଦଳି କରାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଆଇ.ଶ୍ରୀନିବାସ ପ୍ରଶିକ୍ଷଣ ପାଇଁ ଯାଉଛନ୍ତି । ଗ୍ରୀଡ଼କୋ ଏବଂ ଓପିଟିସିଏଲର ଅଧ୍ୟକ୍ଷ ଦେଓ ରଞ୍ଜନ କୁମାର ସିଂହଙ୍କୁ ଏହି ବିଭାଗର ଅତିରିକ୍ତ ଦଦାୟିତ୍ୱ ଦିଆଯାଇଛି ।

ଗୃହ ବିଭାଗ ଅତିରିକ୍ତ ସଚିବ ଗୁରୁପ୍ରସାଦ ମିଶ୍ରଙ୍କୁ ସୂଚନା କମିଶନଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅର୍ଥ ବିଭାଗ ଅତିରିକ୍ତ ସଚିବ ପି.କେ. ସେନାପତିଙ୍କୁ ଇଷ୍ଟେଟ ନିର୍ଦେଶକ, ନୟାଗଡ଼ ଡ଼ିଆରଡ଼ିଏର ପ୍ରକଳ୍ପ ନିର୍ଦେଶକ ବରିଷ୍ଠ ଓଏଏସ ଅଫିସର ଦେବେନ୍ଦ୍ର ପ୍ରସାଦ ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଦଳବଦଳ, ଆଇଏଏସ, ଓଏଏସ

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – କନ୍ଧମାଳରେ ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହେବା ସହ ୩୪ ପ୍ରକାର ବିସ୍ଫୋରକ ଜବତ କରା ଯାଇଛି ବୋଲି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୨୦ କିଲୋଗ୍ରାମର ଗୋଟିଏ, ୧୦ କିଲୋଗ୍ରାମର ଗୋଟିଏ, ୫ କିଲୋଗ୍ରାମର ଗୋଟିଏ, ୨ କି.ଗ୍ରାର ୧୦ଟି ଏବଂ ୧ କି.ଗ୍ରାର ୬ଟି ବିସ୍ଫୋରକ ଜବତ କରାଯାଇଛି । ଏହି ସବୁ ଅତ୍ୟାଧୁନିକ ଯାନ୍ତ୍ରିକ ବିସ୍ଫୋରକ ସାମଗ୍ରୀ ଏବଂ ସମସ୍ତ ବିସ୍ଫୋରକ ପୃଥକପୃଥକ ଭାବେ ଷ୍ଟିଲ ବକ୍ସରେ ରଖାଯାଇଥିଲା ।

ସେହିପରି ସାବୁନ ଖୋଳ ବୋମା ୪୦୦ ଗ୍ରାମର ୮ଟି, ହେଣ୍ଡ ଗ୍ରେନେଡ଼, ଡିଟୋନେଟର ୨୦ଟି, ୧୦ ରିମ ବିଦ୍ୟୂତ ତାର ଏବଂ ଏକ ବଡ଼ ପଲିଥିନ ଜବତ କରାଯାଇଛି । ଜବତ ହୋଇଥିବା ଦୁଇ କି.ଗ୍ରାର ୧୦ଟି ବୋମା ମଧ୍ୟରେ କେବଳ ଏକମାତ୍ର ବୋମା ଏକ ମଧ୍ୟମ ଧରଣର ଗାଡ଼ି ଧ୍ୱଂସ କରି ଦେଇପାରିବ ବୋଲି କୁହାଯାଇଥିଲା ।

ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରି ଦେଇଛନ୍ତି । କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାଇତି ରଖି ହିଂସା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ କୌଣସି ସୂତ୍ରରୁ ଖବର ପାଇଥିଲେ ।

ଏହାପରେ ଏସଓଜି ଏବଂ ଅଷ୍ଟମ ବାଟାଲିୟନ ଯବାନମାନେ ମାଓ କ୍ୟାମ୍ପ ସନ୍ଧାନରେ ବାହାରିଥିଲେ । ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରେ ଏକ ପଲିଥିନ ଘୋଡ଼ା ହୋଇ କିଛି ସାମଗ୍ରୀ ଥିବା ସେମାନଙ୍କ ନଜରରେ ପଡ଼ିଥିଲା । ପରେ ବୋମା ନିଷ୍କି୍ରୟକାରୀ ଦଳ ସହାୟତାରେ ସମସ୍ତ ବିସ୍ଫୋରକ ଜବତ କରାଯାଇଥିଲା ।

ଏହି ଆକଳନ ଅନୁଯାୟୀ ଜବତ ହୋଇଥିବା ସମସ୍ତ ବିସ୍ଫୋରକ କେତେ ଭୟଙ୍କର ହୋଇପାରିଥାନ୍ତା ତାହା ଅନୁମେୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କମ୍ବିଂ ଅପରେସନ, ପୋଲିସ, ମାଓବାଦୀ

ତୃତୀୟ ନୟନ: ସରକାରୀ ନିର୍ଯ୍ୟାତନାର ଶେଷ କେବେ ?

September 24, 2012 by admin Leave a Comment

ପ୍ରଶାନ୍ତ ପଟ୍ଟନାୟକ

ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗଟି, ସମ୍ପ୍ରତି ଅଶାନ୍ତି ଓ ଯନ୍ତ୍ରଣାର ମାର୍ଗରେ ପରିଣତ ହୋଇଛି ।

ୟୁନିଟ ୨ ଓ ୟୁନିଟ ୩ ଭଳି ଦୁଇଟି ଜନବସତି ମଧ୍ୟରେ ଅବସ୍ଥିତ । ଏହାର ଉଭୟ ପାଶ୍ୱର୍ରେ ବହୁ ଶିକ୍ଷାନୁଷ୍ଠାନ ବ୍ୟବସାୟିକ ପ୍ରତିଷ୍ଠାନ, ଚିକିତ୍ସାଳୟ ଓ ବାସଗୃହ ରହିଛି । ଏହି ରାସ୍ତାଟି ସଚ୍ଚିବାଳୟ, ବିଧାନସଭା ଅଞ୍ଚଳକୁ ଭୁବନେଶ୍ୱର ରେଳଷ୍ଟେସନ ଓ ଘରୋଇ ବସଷ୍ଟାଣ୍ଡ ସହ ମଧ୍ୟ ସଂଯୁକ୍ତ କରୁଛି ।

ଏହି ରାସ୍ତାଟି ରାଜଧାନୀର ସବୁଠାରୁ ଅଧିକ ଯାନବାହନ ଓ ଜନସାଧାରଣଙ୍କ ଚଳପ୍ରଚଳ ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ସରକାରଙ୍କ ଅଦୂରଦର୍ଶିତା ହେତୁ ଏହି ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡିବା ସଙ୍ଗେ ସଙ୍ଗେ ଏହାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

ସଚ୍ଚିବାଳୟ ସମ୍ମୁଖସ୍ଥ ପରେଡ ଗ୍ରାଉଣ୍ଡକୁ ଇନ୍ଦିରା ପାର୍କରେ ପରିଣତ କରାଯାଇ ସେଠାରେ ହେଉଥିବା ସଭା, ସମିତି, ବିକ୍ଷୋଭ ଓ ଧର୍ମଘଟ ସହ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନକୁ ଏହି ମହାତ୍ମା ଗାନ୍ଧୀ ମାର୍ଗକୁ ସ୍ଥାନାନ୍ତରିତ ହେବା ଦିନୁ ଏହି ଅଂଚଳଟି ବିଶେଷ ଭାବରେ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଅନ୍ୟାନ୍ୟ ବିପଦ ଦ୍ୱାରାସଂକ୍ରମିତ ହୋଇପଡିଛି ।

ଧର୍ମଘଟ ଓ ବିକ୍ଷୋଭ ସମୟରେ ଏହି ରାସ୍ତାରେ ହଜାର ହଜାର ଜନତାଙ୍କ ସମାଗମ ଏବଂ ଦୀର୍ଘ ଘଣ୍ଟାଘଣ୍ଟା ଧରି ପ୍ରଚଣ୍ଡ ଶବ୍ଦ କରୁଥିବା ଡାକବାଜୀ ଯନ୍ତ୍ରର ବ୍ୟବହାର ଯୋଗୁଁ ଏହି ଅଞ୍ଚଳର ବାସିନ୍ଦାମାନଙ୍କର ଶୋଚନୀୟ ଶାନ୍ତି ଭଙ୍ଗ ହେଉଛି । ବିଶେଷକରି ସ୍କୁଲ, କଲେଜ ପଢ଼ୁଆ ଛାତ୍ରଛାତ୍ରୀମାନେ, ରୋଗୀ ଓ ବୁଦ୍ଧିଜୀବୀମାନେ ଏହାଦ୍ୱାରାବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ।

ଏଭଳି ପ୍ରଦୂଷଣ ଘଟାଉଥିବା କାର୍ଯ୍ୟକଳାପକୁ ଏ ଅଞ୍ଚଳରୁ ସ୍ଥାନାନ୍ତରିତ କରିବା ଲାଗି ଦୀର୍ଘ ବର୍ଷ ଧରି ଦାବୀହୋଇଆସୁଥିଲେ ମଧ୍ୟ ସରକାର ତାହାର ପ୍ରତିକାର କରୁନାହାଁନ୍ତି ।

ଏପରିକି ଶବ୍ଦ ଓ ବାୟୁ ପ୍ରଦୂଷଣରୁ ଏହି ଅଂଚଳବାସୀଙ୍କୁ ମୁକ୍ତ କରିବା ଲାଗି ଉପରୋକ୍ତ କାର୍ଯ୍ୟକଳାପମାନ ଏଠାରୁ ସ୍ଥାନାନ୍ତରିତ କରିବା ଲାଗି କିଛି ବର୍ଷ ତଳେ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ଶପଥ ପାଠ କରାଇଥିଲେ ଯେ ଏ ସମ୍ପର୍କରେ ସଚେତନ ଥାଇ ଉପଯୁକ୍ତ ସ୍ଥାନକୁ ସଭା ସମିତି ଓ ବିକ୍ଷୋଭର ସ୍ଥାନ ପରିବତର୍ତ୍ତନ ପାଇଁ ସରକାର ପଦକ୍ଷେପ ନେବା ବିଷୟରେ ସଚେତନ ଅଛନ୍ତି ।

ମାତ୍ର ଏଯାବତ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଶବ୍ଦ ପ୍ରଦୂଷଣ ଜନସାଧାରଣଙ୍କର କିଭଳି ଭୟଙ୍କର କ୍ଷତି ଘଟାଏ ସେ ସମ୍ପର୍କରେ ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା ଓ ବିଶିଷ୍ଟ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି ।

ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଆମ ଦେଶରେ ପ୍ରଚଳିତ ନିୟମ ଅନୁଯାୟୀ ଜନବସତି ଅଞ୍ଚଳରେ ଦିନବେଳେ ସର୍ବାଧିକ ୫୫ ଡେସିମାଲ ଏବଂ ରାତ୍ରି ସମୟରେ ୪୫ ଡେସିମାଲ ମଧ୍ୟରେ ଶବ୍ଦ ସୀମିତ ରହିବା ଉଚିତ । ମାତ୍ର ମହାତ୍ମା ଗାନ୍ଧୀ ମାର୍ଗରେ ହେଉଥିବା ସଭାସମିତିମାନଙ୍କରେ ଅନେକ ସମୟରେ ୫୦୦ ରୁ ୧୦୦୦ ଡେସିମାଲ ଶବ୍ଦ ଘଣ୍ଟାଘଣ୍ଟା ଧରି ଶୁଣିବାକୁ ମିଳିଥାଏ ।

କାରଣ ଏହାର ଆୟୋଜକମାନେ ଅନେକ ସମୟରେ ଦଶଟିରୁ କୋଡିଏଟି ମେଗାଫୋନ ବ୍ୟବହାର କରିଥାନ୍ତି । ଗୋଟିଏ ମେଗାଫୋନ ଅନ୍ୟୁନ ୯୦ ଡେସିମାଲର ଶବ୍ଦ ସୃଷ୍ଟି କରିଥାଏ ।

ବୈଜ୍ଞାନିକ ଓ ଡାକ୍ତରମାନଙ୍କ ମତରେ କ୍ରମାଗତ ଭାବରେ ୯୦ ଡେସିମାଲ ଶବ୍ଦ ଦୀର୍ଘ ସମୟ ଧରି ଶୁଣିଲେ ଯେ କୌଣସି ଲୋକ ତାହାର ଶ୍ରବଣ ଶକ୍ତି ହରାଇ ବସିଥାଏ ।

ଏହି ଶବ୍ଦ ପ୍ରଦୂଷଣ ସାଙ୍ଗକୁ ବିିଭିନ୍ନ ସମୟରେ ସମବେତ ହେଉଥିବା ହଜାର ହଜାର ନରନାରୀ ଏହି ଅଞ୍ଚଳକୁ ସେମାନଙ୍କର ପରିତ୍ୟକ୍ତ ଖାଦ୍ୟ ସାମଗ୍ରୀ ଏବଂ ଝାଡା, ପରିସ୍ରାରେ ମଧ୍ୟ ପ୍ରଦୂଷିତ କରି ମାରାତ୍ମକ ଭାବରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାନ୍ତି ।

ତେଣୁ ଯଥାଶୀଘ୍ର ସମ୍ଭବ ଏହି ଅଞ୍ଚଳବାସୀଙ୍କୁ ଏଭଳି ଯନ୍ତ୍ରଣା ଦାୟକ ପରିସ୍ଥିତିରୁ ମୁକ୍ତି ଦେବା ଲାଗି ଏହି ସାମ୍ବାଦିକ ୨୦୦୭ ମସିହା ଜୁଲାଇ ୬ ତାରିଖଠାରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କୁ ଅନେକବାର ଲିଖିତ ଭାବରେ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର ଏହି ଅଞ୍ଚଳର ଜନସାଧାରଣଙ୍କୁ ଏଭଳି ଶୋଚନୀୟ ଅବସ୍ଥାରୁ ମୁକ୍ତି ଦେବା ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି ।

ଅନେକ ସମୟରେ ବିିଭନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ତରଫରୁ ଏହି ଅଞ୍ଚଳର ରାସ୍ତାକୁ ଦିନ ଦିନ ଧରି ଅବରୋଧ କରାଯାଉଥିବାରୁ ଯାତାୟତରେ ଘୋର ବାଧା ସୃଷ୍ଟି ହେଉଛି । ଏପରିକି ରୋଗୀମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇପାରୁନାହିଁ । ବିକ୍ଷୋଭ ଓ ଧର୍ମଘଟ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ତାହା ଅଞ୍ଚଳବାସୀଙ୍କ ପାଇଁ ବିପଦଜ୍ଜନକ ହୋଇପଡୁଛି ।

ସେପ୍ଟେମ୍ବର ୬ ତାରିଖ ଦିନ ଏହି ଅଞ୍ଚଳରେ ଆୟୋଜିତ କଂଗ୍ରେସ ଦଳର ‘ପରିବତର୍ତ୍ତନ’ ସମାବେଶ ସମୟରେ ଶାନ୍ତି ଭଙ୍ଗ ଓ ହିଂସାକାଣ୍ଡ ଫଳରେ ଅଞ୍ଚଳବାସୀ ଶୋଚନୀୟ ଭାବରେ ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛନ୍ତି ।

ପୋଲିସ ଦ୍ୱାରା ମରାଯାଇଥିବା ବହୁ ଟିୟର ଗ୍ୟାସ କ୍ୱାର୍ଟର ପରିସର ମଧ୍ୟରେ ପଡିବା ସଙ୍ଗେ ସଙ୍ଗେ ଉଭୟ ବିକ୍ଷୋଭକାରୀ ଓ ପୋଲିସ ବାସିନ୍ଦାମାନଙ୍କ ଗୃହ ପରିସର ମଧ୍ୟକୁ ଅଚାନକ ଭାବରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।

କେବଳ ଏହି ସାମ୍ବାଦିକ ନୁହେଁ, ଏ ଅଂଚଳରେ ବସବାସ କରୁଥିବା ବହୁ ସରକାରୀ କର୍ମଚାରୀ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ଉପେରାକ୍ତ ବିଷୟମାନ ଉଲ୍ଲେଖ କରି ସେମାନଙ୍କୁ ଏଭଳି ଯନ୍ତ୍ରଣାଦାୟକ ପରିବେଶରୁ ମୁକ୍ତ କରିବା ପାଇଁ ବାରମ୍ବାର ଦାବୀଜଣାଇଥିଲେ ମଧ୍ୟ ସରକାର ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିଛନ୍ତି ।

ଫଳରେ ଦୀର୍ଘଦିନ ଧରି ଏତାଦୃଶ ଅସ୍ୱାସ୍ଥ୍ର୍ୟକର ପରବେଶରେ ରହି ଯନ୍ତ୍ରଣା ଭୋଗୁଥିବା ବହୁ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ଅସୁସ୍ଥ ହୋଇପଡିଥିବାର ପରିଲକ୍ଷିତ ହେଉଛି ।

ଦେଖାଯାଇଛି ଯେ ଏହି ଅଞ୍ଚଳରେ ରହୁଥିବା ବହୁ ବରିଷ୍ଠ ବିଚାରପତି, ଆଇ.ଏ.ଏସ ଏବଂ ବରିଷ୍ଠ ପୋଲିସ ଅଫିସର ଏଭଳି ପରିସ୍ଥିତି ଓ ପରିବେଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକରି ସୁବିଧା ଦେଖି ଫରେଷ୍ଟ ପାର୍କ ଓ ଅନ୍ୟାନ୍ୟ ଅଂଚଳ ଭଳି ନିରାପଦ ଓ ପ୍ରଦୂଷଣମୁକ୍ତ ଅଞ୍ଚଳକୁ ବାସଗୃହ ପରିବର୍ତ୍ତନ କରିଦେଉଛନ୍ତି ।

ମାତ୍ର ଯେଉଁମାନେ ଏହି ସୁଯୋଗରୁ ବଞ୍ଚିତ ସେମାନେ ସରକାରଙ୍କ ଦ୍ୱାରା ସୃଷ୍ଟ ଏହି ଯନ୍ତ୍ରଣା ଭୋଗିବା ପାଇଁ ବାଧ୍ୟ ହେଉଛନ୍ତି ।

ଆମର ମୁଖ୍ୟମନ୍ତ୍ରୀ ଜଣେ ପ୍ରକୃତି ଓ ପରିବେଶପ୍ରେମୀ ଏବଂ ଯଥେଷ୍ଟ ସମ୍ବେଦନଶୀଳ ବୋଲି କୁହାଯାଏ । ରାଜଧାନୀର ସୌନ୍ଦର୍ଯ୍ୟ କରଣ ପାଇଁ ସେ ବହୁ ପଦକ୍ଷେପ ନେଉଥିବାର ଦେଖାଯାଏ । ମାତ୍ର ୟୁନିଟ ୨ (ଅଶୋକ ନଗର) ଓ ୟୁନିଟ ୩ (ଖାରବେଳ ନଗର) ଭଳି ରାଜଧାନୀର ସର୍ବପ୍ରାଚୀନ ଜନବସତି ଏବଂ ତାହାର ବାସିନ୍ଦାମାନଙ୍କ ପ୍ରତି ତାଙ୍କର ଉଦାସୀନ ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟନିତ କରୁଛି ।

ସେପ୍ଟେମ୍ବର ୮ ତାରିଖ ଦିନର ହିଂସାକାଣ୍ଡ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତି ଓ ପରିବେଶକୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ, ତୃଙ୍ଗ ଅମଲାତନ୍ତ୍ରୀମାନେ ଓ ତୃଙ୍ଗ ପୋଲିସ ଅଫିସରମାନେ ଏହିଅଞ୍ଚଳବାସୀଙ୍କୁ ଶାନ୍ତି ତଥା ନିରାପଦରେ ବଞ୍ଚିବାଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା ।

ମାତ୍ର ଇତିମଧ୍ୟରେ ପ୍ରାୟ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଫଳରେ ଅଞ୍ଚଳବାସୀ ପୂର୍ବଭଳି ଶବ୍ଦ ପ୍ରଦୂଷଣ, ପରିବେଶ ପ୍ରଦୂଷଣ ମଧ୍ୟରେ କଲବଲ ହୋଇ ରହିଛନ୍ତି । ଏଭଳି ସରକାରୀ ନିର୍ଯ୍ୟାତନାରୁ ମୁକ୍ତି ପାଇବା ପାଇଁ ଜନସାଧାରଣ ବ୍ୟାକୁଳ ବିକଳ ହୋଇ ସରକାରଙ୍କ ଅନୁକୂଳ ପଦକ୍ଷେପକୁ ଅପେକ୍ଷା କରିରହିଛନ୍ତି କେବଳ ।

ଆଶୋସିଏଟେଡ ମିଡିଆ
କ୍ୱାଟର ନଂ ୫.ଆର.ଏଫ/୫
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୯
ଫୋନ-୯୪୩୭୦୦୫୧୧୮

admin
admin

Filed Under: ତୃତୀୟ ନୟନ, ମୁଖ୍ୟ ଖବର Tagged With: ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା, ମହାତ୍ମା ଗାନ୍ଧି, ମୁଖ୍ୟମନ୍ତ୍ରୀ, ଶବ୍ଦ ପ୍ରଦୂଷଣ, ସରକାରୀ ନିର୍ଯ୍ୟାତନା

ବିଧାୟକ ହତ୍ୟାକାଣ୍ଡକୁ ବର୍ଷେ, ଅପରାଧୀଙ୍କୁ ଧରିପାରୁନି କ୍ରାଇମବ୍ରାଞ୍ଚ

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ସେପ୍ଟେମ୍ବର ୨୪ ତାରିଖ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ଇତିହାସରେ ଯୋଡି ହୋଇଥିଲା କଳଙ୍କିତ ଫର୍ଦ୍ଧ ।

ସ୍ପଷ୍ଟ ଦିବାଲୋକରେ ନିଜ ସମର୍ଥକଙ୍କ ଗହଣରେ ଅଞ୍ଚଳବାସୀଙ୍କ ସାମନାରେ ରକ୍ତରଞ୍ଜିତ ହେଲା ଗୋନା ହାଟପଦା । ଅଜଣା ର୍ଦୁବୃତଙ୍କ ଗୁଳିରେ ସବୁଦିନ ପାଇଁ ଆଖିବୁଜିଦେଲେ ଉମରକୋଟ ତତ୍କାଳୀନ ବିଧାୟକ ଜଗବନ୍ଧୁ ମାଝୀ ।

ରାଇଘର ଠାରୁ ୧୨ କିମି ଦୂର ଗୋନାହାଟପଦାରେ ଜଙ୍ଗଲ ଜମିପଟ୍ଟା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବାରଙ୍ଗପଦରର ୬୭ ଜଣ, ଅଞ୍ଚଳାର ୬୭ ଜଣ ଓ ଚିଙ୍ଗଡାନଟର ୨୯ ଜଣ ହିତାଧିକାରୀ ଏବଂ ଏମାନଙ୍କ ସହିତ ତିନିଶହରୁ ଚାରିଶହ ଅଧିବାସୀ ।

ମାତ୍ର ୬ ଜଣଙ୍କୁ ପଟ୍ଟାପ୍ରଦାନ ସରିଥିବା ବେଳେ ୩ ଜଣ ଅଚିହ୍ନା ଯୁବକ ଗୋଟିଏ ବାଇକରେ ଆସି ବିଧାୟକଙ୍କ ଅଙ୍ଗରକ୍ଷୀ ପିଙ୍କୁ ପାତ୍ରଙ୍କୁ ଗୁଳି କରିବାପରେ ତାଙ୍କ ସର୍ଭିସ ପିସ୍ତଲରୁ ବିଧାୟକ ଜଗବନ୍ଧୁଙ୍କୁ ଗୁଳିକରି ଆଖି ପିଛୁଳାକେ ଅର୍ନ୍ତଦ୍ଧାନ ହୋଇ ଯାଇଥିଲେ ।

୨୦୧୧ ସେପ୍ଟେମ୍ବର ୨୫ ତାରିଖରେ ନିହତ ବିଧାୟକ ଜଗବନ୍ଧୁଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବହୁମନ୍ତ୍ରୀ,ସାଂସଦ ।

କ୍ରାଇମବ୍ରାଞ୍ଚ ଦୀର୍ଘଦିନ ତଦନ୍ତ ପରେ ଜଣେ ସନ୍ଦିଗ୍ଧର ସ୍କେଚଜାରି କରିବା ସହ ୨ ହାର୍ଡକୋର ମାଓବାଦୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇ ତଦନ୍ତ ଫାଇଲ ସାମୟିକ ବନ୍ଦ ରହିଥିଲା ।

୨୦୧୧ ନଭେମ୍ବର ୩୦ରେ ବହୁଚର୍ଚ୍ଚିତ ଉମରକୋଟ ଉପନିର୍ବାଚନରେ ଜଗବନ୍ଧୁଙ୍କ ସହଯୋଗୀ ସୁବାସ ଗଣ୍ଡ ୨୧ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

୧୧ମାସପରେ ଜଗବନ୍ଧୁଙ୍କ ହତ୍ୟା ଘଟଣା ପୁଣି ନାଟକୀୟ ମୋଡ ନେବାସହ ରାଜ୍ୟବାସୀଙ୍କ ଅତୀତ ସ୍ମୃତିକୁ ଉଜ୍ଜିବିତ କରିଥିଲା ।

ଗତ ୩୧ ତାରିଖ ରାତି ୧୦ଟାରେ ଜଗବନ୍ଧୁଙ୍କ ମା ଗୌରୀମଣୀ ଉମରକୋଟ ଥାନାରେ ତାଙ୍କ ପୁଅ ହତ୍ୟାକାଣ୍ଡ ପଛରେ ସହଯୋଗୀ ତଥା ବର୍ତ୍ତମାନର ବିଧାୟକ ସୁବାସ ଗଣ୍ଡ ହାତଥିବା ଅଭିଯୋଗକରି ସୁବାସ ଓ ବି.ବୁଜିରାଓଙ୍କ ନାମରେ ଏତଲା ଦାଏର କଲେ ।

ଏବେ ବହୁ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁତିବା ବେଳେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ କରିପାରି ନାହିାଁ କିମ୍ବା ହତ୍ୟାକାରୀଙ୍କୁ ଗିରଫ କରାଯାଇନାହିଁ । ମାଓବାଦୀଙ୍କୁ ଦାୟୀ କରିଚୁପ୍ ବସିଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ନବରଙ୍ଗପୁର, ବିଧାୟକ ଜଗବନ୍ଧୁ ମାଝୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟବାସୀ

ଓଭରବ୍ରିଜରୁ ଖସିଲା ସ୍ଲାବ, ଯାତ୍ରୀ ଭୟଭୀତ

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ମରଣଯନ୍ତ୍ରା ପାଲଟିଛି ରାଜଧାନୀର ଓଭରବ୍ରିଜ । ରାଜଧାନୀ ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଛକ ଓଭରବ୍ରିଜରୁ ସ୍ଲାବ ଖସିପଡିଛି । ହେଲେ କେହି କ୍ଷତିଗ୍ରସ୍ତ ହୋଇନାହାଁନ୍ତି ।

ତେବେ ଏକ ବଡଧରଣର ଦୁର୍ଘଟଣା ଟଳି ଯାଇଛି । ସାଢେ ୩ ଫୁଟ ଲମ୍ବର ସ୍ଲାବ ଖସି ଯାଇଥିବାରୁ ରାଜରାସ୍ତା ଉପରେ ଓ ତଳେ ଯାତାୟାତ କରୁଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି ।

୩ ମାସ ତଳେ ଓଭରବ୍ରିଜରୁ ୩ଟି ସ୍ଲାବ ଖସିଥିବା ବେଳେ ପୁଣି ୨ଟି ସ୍ଲାବ ଖସିବା ଓଭରବ୍ରିଜର ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାସ୍ତା କାମ କରୁଥିବା ସିମ୍ପ୍ଲେକ୍ସ କଂପାନୀ ମରାମତି ଆରମ୍ଭ କରିଥିବା ବେଳେ ରାସ୍ତା ଅବରୋଧ କରି କାର୍ଯ୍ୟହେବ ବୋଲି କଂପାନୀର ବିଭାଗୀୟ ଇଂଜିନିୟର କହିଛନ୍ତି ।

ସ୍ଲାବ ଖସିଥିବାରୁ ଓଭରବ୍ରିଜ ଉପରେ ଓ ତଳେ ରାସ୍ତାଦେଇ ଲୋକେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଭରବ୍ରିଜ, ଜୟଦେବ ବିହାର ଛକ

ଦିଲ୍ଲିରେ ଓଡିଆଙ୍କ ଗଣେଷ ପୂଜା

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ଓଡିଆ ସାସ୍କୃତିକ କଲ୍ୟାଣ ସଂଘ (ଓଡିଶା କଲଚ୍ୟୁରାଲ ୱେଲଫେୟାର ଆସୋସିଏସନ) ତରଫରୁ ଗଣେଷ ପୂଜା ଅନୁଷ୍ଠିତ ହୋଇ ଯାଇଛି ।

ଏହି ଉତ୍ସବରେ ସାଂସଦ କଳିକେଶ ସିଂହ ଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ରାଜ୍ୟ ସଭାର ଯୁଗ୍ମ ସଚିବ ସତ୍ୟନାରାୟଣ ସାହୁ ମୁଖ୍ୟବକ୍ତାରୂପେ ଯୋଗଦେଇଥିଲେ ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଂଘର ସ୍ମରଣୀକା ଉନ୍ମୋଚିତ ହୋଇ ଯାଇଛି । ସଂଘର ସଭାପତି ବିଜୟ ମହାନ୍ତି,ଉପ ସଭାପତି ବନୋଜ କୁମାର ପ୍ରଧାନ,ସାଧାରଣ ସଂପାଦକ ସଂଦୀପ ରାଉତ ଓ ସହ ସଂପାଦକ ପ୍ରକାଶ ପୃଷ୍ଠି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣେଷ ପୂଜା, ଦିଲ୍ଲି

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Page 7
  • Interim pages omitted …
  • Page 117
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ